Unknown

 

 

 

 

 

 

 

 

 

 

 

ବସ୍ତ୍ର ହରଣ

ବୀଣାପାଣି ମହାନ୍ତି

 

-ଉତ୍ସର୍ଗ-

 

ଅଞ୍ଜଳି ଭାରି

ଯାହା ମୁଁ ଦିଅଇ

ସେ ତୁମର ଅଧିକାର

ସ୍ୱୀକୃତି ତୁମ

ଋଣୀ କରେ ମତେ

ଗଭୀରୁ ଗଭୀରତର !!

 

ଆତ୍ମ-କଥା

 

ଏ ସଙ୍କଳନରେ ପ୍ରକାଶ ପାଇଥିବା କେତେକ ଗଳ୍ପ ପୂର୍ବରୁ ‘ଝଙ୍କାର’. ‘ଆସନ୍ତାକାଲି’, ‘ସୁଚରିତା’ ଓ ‘ଜୀବନରଙ୍ଗ’ ପ୍ରଭୃତି ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପୁସ୍ତକ ପ୍ରକାଶନର ଶୁଭ ମୁହୂର୍ତ୍ତରେ ସେ ସବୁ ପତ୍ରିକାର ସମ୍ପାଦକମାନଙ୍କ ନିକଟରେ ମୁଁ କୃତଜ୍ଞତା ଜଣାଉଛି-। ସଂକଳନଟିକୁ ଆଲୋକଙ୍କୁ ଆଣିବା ପାଇଁ ବିଭିନ୍ନ ଭାବରେ ମତେ ସାହାଯ୍ୟ ସହଯୋଗ କରିଛନ୍ତି ମୋର ଅନୁଜପ୍ରତିମ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ଡ଼କ୍ଟର ରତ୍ନାକର ଚଇନି ଓ ଶ୍ରୀମାନ୍ ଅରୁଣ କୁମାର ପଟ୍ଟନାୟକ ପ୍ରକାଶନର ସମସ୍ତ ଦାୟିତ୍ୱ ଅକୁଣ୍ଠିତ ଭାବରେ ବହନ କରିଛନ୍ତି ବୁକ୍‍ସ ଏଣ୍ଡ ବୁକ୍‍ସର ସତ୍ତ୍ୱାଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଓ ଶ୍ରୀମାନ୍ ନବକିଶୋର ବେହେରା । ସମସ୍ତିଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛ ।

 

ନିଜ ଲେଖା ଉପରେ ନିଜ ପୁସ୍ତକରେ ନିର୍ଦ୍ଦିଷ୍ଟଭାବରେ ମନ୍ତବ୍ୟ ଦେବାକୁ ମୁଁ ଚାହୁଁନି । ଗଳ୍ପଗୁଡ଼ିକ ନିଜେହେଁ କଥା କହିବେ ସେମାନଙ୍କ ଚରିତ୍ରର, ପରିବେଶର, ସମାଜର ଓ ସ୍ୱୀକୃତିର । ପାଠକ ଓ ସମାଲୋଚକ ବନ୍ଧୁମାନଙ୍କୁ ସଙ୍କଳନଟି ଯଥାର୍ଥ ଆନନ୍ଦ ଦେଇପାରିଲେ ମୋର ଶ୍ରମ ସାର୍ଥକ ହେବ ବୋଲି ଜାଣିବି ।

 

ରଜ ସଂକ୍ରାନ୍ତି, ୧୯୮୦

ବିନୀତା

ଶୈଳବାଳା ମହିଳା ମହାବିଦ୍ୟାଳୟ

‘ଲେଖିକା’

କଟକ-୭୫୩୦୦

 

Image

 

ସୂଚୀପତ୍ର

 

୧.

ବସ୍ତ୍ର ହରଣ

୨.

ସମ୍ରାଟ

୩.

ଅନନ୍ୟା

୪.

ତାଣ୍ଡବ

୫.

ମୌସୁମୀ

୬.

ସମୁଦ୍ର

୭.

ଥିଓରି

୮.

ବାଉଁଶ ରାଣୀ

୯.

ବ୍ୟୁହ

Image

 

ଲେଖିକାଙ୍କର ପ୍ରକାଶିତ ଅନ୍ୟାନ୍ୟ ଗଳ୍ପ ସଂକଳନ

 

୧.

ନବତରଙ୍ଗ

୨.

ପାନ୍ଥଶାଳା ଓ ରକ୍ତ କରବୀ

୩.

କସ୍ତୁରୀମୃଗ ଓ ସବୁଜ ଅରଣ୍ୟ

୪.

ତଟିନୀର ତୃଷ୍ଣା

୫.

ସାୟାହ୍ନର ସ୍ୱର

୬.

ଅନ୍ଧକାରର ଛାଇ

୭.

କାଳାନ୍ତର

୮.

ଆରୋହଣ

୯.

ମଧ୍ୟାନ୍ତର

୧୦.

ନାଁ ନାହିଁ (ଯନ୍ତ୍ରସ୍ଥ)

Image

 

ବସ୍ତ୍ର ହରଣ

 

ସଂସାରରେ ଘରଦ୍ୱାର ଭାଇବନ୍ଧୁ ସନ୍ତାନସନ୍ତତି ନେଇ ଯେମିତି ସବୁ ସ୍ତ୍ରୀ ପୁରୁଷ ବାନ୍ଧିହୋଇ ରହିଥାନ୍ତି, ସବୁ ଅବୁଝାମଣା, ଅଶାନ୍ତି, ଅଭାବକୁ କାନିରେ ବାନ୍ଧି ଯେମିତି ଉପରମୁହଁରେ ହସୁଥାନ୍ତି, ସେମିତି ହସି କାନ୍ଦି ଜୀବନ କଟେଇଦେବାକୁ ଯେତେ ବେଶୀ ଯତ୍ନ କଲେ ବି ସରସୀ ପାରୁନଥିଲା । ତା’ର ମନେହେଉଥିଲା ପ୍ରତିଦିନ ସେ ଯେମିତି ପଛକୁ ଫେରୁଛି ।

 

ହୋଇପାରେ, କିଛି ଦିନ ହେଲା ତାକୁ ଭଲ ଲାଗୁନାହିଁ । ପ୍ରତିଦିନ ନାନା କଥାର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ବି, ହୁଏତ ଏସବୁ ଘଟଣା ଓ ଧାରା ସହିତ ସେ ଆଗରୁ ବହୁ ପରିଚିତ ହୋଇଯାଇଥିଲା, କିନ୍ତୁ କ’ଣ ହେଲା କେଜାଣି, ସବୁ ଯେପରି ଅସୁନ୍ଦର ଅସଜଡ଼ା ହୋଇ ଯାଉଛି । ସରସୀକୁ କିଛି ଭଲ ଲାଗୁନାହିଁ, ଅଥଚ ସେ ମୁହଁ ଖୋଲି ସିଧାସଳଖ ସବୁ କଥାରେ ପ୍ରତିବାଦ କରିବା ମଧ୍ୟ ସମ୍ଭବ ହେଉନାହିଁ । କାହିଁକି ? କାହିଁକିର କୈଫିୟତ୍‍ ନାହିଁ ।

 

ଅକାରଣରେ ସରସୀର ଆଖିପତା ଦେଇ କେଇବୁନ୍ଦା ଲୁହ ହାତରେ ଧରିଥିବା ବହି ଉପରେ ଝଡ଼ିପଡ଼ିଲା । ଆରପଟ ଘରେ ଦୁଇ ମାସର ଝିଅ ରାହାଧରି କାନ୍ଦୁଛି....ଯିବାକୁ ହେବ ।

 

ଝିଅର ଦୋଳା ପାଖକୁ ଲାଗି ତା’ର ଓ ଗିରୀଶର ଶୋଇବା ଖଟ । ତା’ ତଳେ ଦୁଇଟା ମଦ ବୋତଲ ଏବେ ମଧ୍ୟ ଗଡ଼ୁଛି । ଚାକରାଣୀ ଘର ଖରକି ଗଲାଣି । ସେ ଦେଖିଥିବ....ଦେଖୁ । ପ୍ରଥମେ ପ୍ରଥମେ ଲଜ୍ଜା ଓ ଭୟରେ ସରସୀର ମନ ଅସ୍ଥିର ହୋଇ ଉଠୁଥିଲା । ବୋତଲ ଦୁଇଟା କେଉଁଠି ନେଇ ପକେଇବ ସେ ବୁଝିପାରୁ ନଥିଲା । ଏମିତି କି ମନେଅଛି ପାହାନ୍ତା ପହରୁ ଉଠିଯାଇ ସେ ବାଡ଼ିଆଡ଼ ଖତଗଦା ଖୋଲି ତା’ ଭିତରେ ତାକୁ ପୋତିପକାଏ–ସ୍ୱାମୀ ତା’ର ମଦ ଖାଉଛି ବୋଲି କେହି ନ ଜାଣନ୍ତୁ । ଏବେ ସେ ପରିସ୍ଥିତ ଆଉ ନାହିଁ । ଦେହସୁହା ହୋଇଗଲାଣି ବ୍ୟାପାରଟା । ଚାକରାଣୀକି ଲୁଚାଇ ଲାଭ କ’ଣ ? ବାହାରେ କଲୋନୀ ସାରା ସବୁଲୋକ ଏକଥା ଜାଣନ୍ତି । ଗିରୀଶ ମଦ୍ୟପ ବୋଲି ସଂସାର ଯାକ ହୁରିପଡ଼ିଥିଲାବେଳେ ସେ କେତେ ଆଉ ନାହିଁ ନାହିଁ କରି ଚାଲିଥିବ ? ବରଂ ଗ୍ରହଣ କରିନେବା, ସ୍ୱୀକାର କରିନେବା ତା’ ପକ୍ଷରେ ବାଞ୍ଛନୀୟ । ସେତିକିରେ କଷ୍ଟ ସରିଲା ନାହିଁ । ଦରମାର ଦୁଇଭାଗ ମଦ ଖର୍ଚ୍ଚରେ ଚାଲିଗଲା ପରେ ପାଞ୍ଚ ପାଞ୍ଚଟା ପିଲାଧରି ଘର ଚଳାଇବା ଯେ କି କଷ୍ଟକର ବ୍ୟାପାର, ସେ କଥା କେବଳ ସେଇ ଜାଣେ । ପାଟି ଫିଟେଇ ଯଦି ଅଧିକା ଟଙ୍କା ଦେବାପାଇଁ ସରସୀ ପଦେ କହିବ, ଗିରୀଶ ଘରକୁ ଆସିବନି ଦି’ଦିନ ଖାଇବନି ଓ ଓଲଟି ପକେଟରେ ଯାହା ଟଙ୍କା ଥିବ ସେତକ ବି ବାହାରେ ସାରିଦେଇ ଆସିବ-

 

ପାଞ୍ଚଟା ପିଲାଙ୍କର ଯତ୍ନ ଓ ଖାଦ୍ୟ ଅଭାବରେ ଯେମିତି ଦେହର ହାଡ଼ମାନ ଗଣିହୋଇ ଯାଉଛି । ବଡ଼ପୁଅକୁ ଶ୍ୱାସ ଯେ ଦୁଇଦିନ ହେବ ସ୍କୁଲକୁ ଯାଇନି । ମଝିଆ ଝିଅର ନାଳରକ୍ତ ଝାଡ଼ା, ଔଷଧ କଥା ଦୂରେ ଥାଉ, ବାର୍ଲି କି ସାଗୁ ଟିକେ ଦେବାପାଇଁ ପଇସା ନାହିଁ । ଘରେ ଭଲମନ୍ଦରେ ଆହା ପଦଟିଏ କହିବାକୁ ମଣିଷଟିଏ ନାହିଁ । ସାନ ପିଲାଟା ହେଲାଦିନୁ ସରସୀ କାମକୁ ପାରୁନି–କ’ଣ ହେଲା କେଜାଣି ସେଦିନୁ ବ୍ଳିଡିଂ ଲାଗି ରହିଛି, ଫୁଲି ରହିଛି ପେଟ...ହଜମ ହେଉନି, ସବୁବେଳେ ଜର ଜର ଲାଗୁଛି । କେତେ ସେ ମନା କରିଥିଲା, କେତେ ସେ ହାତ ଗୋଡ଼ ଧରି ଅନୁନୟ କରିଥିଲା । ହେଲେ ଗିରୀଶ କିଛି ଶୁଣିଲା ନାହିଁ । ସଂସାରେ ସବୁ ସ୍ତ୍ରୀ ପିଲା ଜନ୍ମ କରନ୍ତି । ପ୍ରତିବର୍ଷ କରିଥାନ୍ତି ଏବଂ ସେଇଥିପାଇଁ ସେମାନେ ଜଣେ ପୁରୁଷର ହାତଧରି ଅନ୍ୟ ଘରକୁ ଆସନ୍ତି-। ସ୍ତ୍ରୀର ଭରଣପୋଷଣ, ଭଲମନ୍ଦ ସବୁକୁ ପୁରୁଷ ସ୍ୱୀକାର କରିଥାଏ । କେବଳ ତା’ର ଉତ୍ପାଦିକା ଶକ୍ତି ଯୋଗୁ....ତା’ର ଚିତ୍ତବିନୋଦନ କରିବାର ବିଶେଷ ଗୁଣ ଯୋଗୁ । ଅକାଟ୍ୟ ଯୁକ୍ତି ଗିରୀଶର-। ସରସୀ ସ୍ୱଇଚ୍ଛାରେ ପରିସ୍ଥିତି ସହ ସାଲିସକରି ନ ନେଲେ ଗିରୀଶ ଯେ ଅନ୍ୟ ବନ୍ଦୋବସ୍ତ କରିବ, ଏଥିରେ ତା’ର ସନ୍ଦେହ ନଥିଲା । କେବଳ ସେଇଥିପାଇଁ ସେ ମନରୁ ତା’ ଦେହକୁ ବାଦ୍ ଦେଇଛି । ନିଜର ସ୍ୱାମୀ ପାଖରେ ସରସୀ ହୋଇଛି ଥରେ ନୁହେଁ, ବହୁବାର ଧର୍ଷିତା, ଲାଞ୍ଛିତା, ଅପମାନିତା । ଅନିଚ୍ଛାରେ ଓ ପରିସ୍ଥିତିର ତାଡ଼ନାରେ ଶରୀର ସମର୍ପଣ ଯାହାକୁ କରାହେଉନା କାହିଁକି, ତା’ର ଅର୍ଥ ଯେ କ’ଣ ତାହା ସରସୀକୁ ଆଉ ବୁଝିବାକୁ ବାକି ନାହିଁ । ସମାଜ ଘେରେଇଥିବା ଚାରିପଟର ଅନ୍ଧାରୁଆ ଜାଲରେ ପଡ଼ି ସେ କେବଳ ପ୍ରତିଦିନ ଅଣନିଃଶ୍ୱାସୀ ହୋଇଉଠୁଛି । ପଦ୍ମ ତୋଳିବାକୁ ଯେତେ ବେଶୀ ଇଚ୍ଛା ଥିଲେ ବି ଯେତେ ସତର୍କ, ସାବଧାନ ହେଲେ ବି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି.....ଆଣ୍ଠୁଏ ପାଣିରୁ ବେକେ ପାଣିରେ ଯାଇ ସେ ଠିଆ ହେଲାଣି–ଆଉ ଅଳ୍ପ ସମୟରେ ସେ ଡୁବିଯିବ–ହେଲେ ପଦ୍ମ ଯାଇ କେତେ ଦୂରରେ !

 

ଗିରୀଶ ଶୋଇଛି ଖଟ ଉପରେ । ଗଭୀର ନିଦରେ ପରମ ଶାନ୍ତିରେ ଯେମିତି ସେ ଶୋଇଛି । କିଛି ତା’ର ଚିନ୍ତା ନାହିଁ–ସତେ କି ସେ ଜନ୍ମ ହୋଇଛି କେବଳ ମଧୁ ସଂଗ୍ରହ କରିବା ପାଇଁ । ବର୍ତ୍ତମାନ ଛୋଟ ଝିଅ ବେଶୀ ସମୟ କାନ୍ଦିଲେ ତା’ର ନିଦ ଭାଙ୍ଗିଯିବ–ତା’ର ଅବସର ସମୟର ପୂର୍ଣ୍ଣଚ୍ଛେଦ ଘଟିବ । ତା’ପରେ ସେ ନିଦରୁ ଉଠି ହୁଏତ ଗୋଟାଏ କିଛି ଅଘଟଣା ଘଟାଇ ବସିବ । କାରଣ ନିଶା ଛାଡ଼ିବାକୁ, ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କକୁ ଆସିବାକୁ କୌଣସି ସମୟ ତା’ପାଇଁ ନିର୍ଦ୍ଦିଷ୍ଟ ଆଉ ନାହିଁ । କାନ୍ଦୁରା ଛୁଆର ମୁହଁ ନିଜ କୋଳରେ ଚାପିଧରି ସରସୀ ତରତର ହୋଇ ଫେରୁଥିଲାବେଳେ ଗିରୀଶ ଡାକ ଛାଡ଼ିଲା ପଛରୁ–

 

‘‘ସରସୀ ! ଶୀଘ୍ର ମୋ’ପାଇଁ ଦି’କପ୍‍ ଚା’ ପଠାଅ ଏବଂ ଶୀଘ୍ର ରୋଷେଇ ସାର । ମୁଁ ଯିବି ଘଣ୍ଟାଏ ଭିତରେ, ଜରୁରୀ କାମ ଅଛି ।’’

 

କଥା ନୁହେଁ ତ ଆଦେଶ । କାନ୍ଥ କଡ଼କୁ ମୁହଁକରି ପୁଣି ବୋଧେ ଶୋଇବାର ଚେଷ୍ଟା କଲା ସେ ।

 

ଅବାକହୋଇ ଅନାଇଲା ସରସୀ । କାଲି ରାତିରେ ସେ ଏତେ ମିନତି କରି କହିଥିଲା, ଘରେ ଚାଉଳ ନାହିଁ, କ୍ଷୀର ଡବା ନାହିଁ, ସାଗୁ ନାହିଁ, ପିଲାଏ ରୋଗରେ ଛଟପଟ ହେଉଛନ୍ତି । ସବୁ କ’ଣ ଭୁଲିଗଲା ସକାଳୁ ଗିରୀଶ ? ଭୟଭୀତ କଣ୍ଠରେ ସରସୀ ବାଧ୍ୟହୋଇ କହିଲା–କ୍ଷୀର ନାହିଁ କି ଚାଉଳ ନାହିଁ । କାଲି ରାତିରୁ କହିଥିଲି, ସକାଳୁ କିଛି ନ ଆଣିଲେ ପିଲାଏ ଉପାସ ରହିବେ–

 

‘‘କ’ଣ କହିଲୁ ? ରାତିରୁ କହିଥିଲୁ ? ମୁଁ ଏଠି ଚାକର ତା’ହେଲେ ? ବଦ୍‍ମାସ ମାଇକିନା, ଖାଲି ଗିଳିପିଟି ଘରେ ବସିଥିବୁ । ପୁଅକୁ ପଠେଇ ଦେଲୁନି, ନ ହେଲେ ନିଜେ ଚାଲି ଗଲୁନି ? କିଏ ନେଇ ଯାଉଥିଲା ସୁନ୍ଦରୀକୁ ? ପାଞ୍ଚ ପଇସାରେ ତତେ କେହି ପଚାରିବେନି, ବୁଝିଲୁ-?”

 

ସରସୀ ଏସବୁ କଥା ଶୁଣିବାରେ ପ୍ରତ୍ୟହ ଅଭ୍ୟସ୍ତ । ବଜାର କରିବା ତା’ର କାମ । ପିଲାଙ୍କ ତତ୍ତ୍ୱନେବା, ସ୍ୱାମୀର ସୁଖସ୍ୱାଚ୍ଛନ୍ଦ୍ୟ ଦେଖିବା ତ ନାରୀ ଜୀବନର ପରମ ଗୌରବ ବୋଲି ଜାଣିବା ସତ୍ତ୍ୱେ ବି ସେ ଆଉ ପାରୁ ନାହିଁ । ଏଇ ପଦଟି କଥା କହିଦେବାକୁ ଅନେକ ଚେଷ୍ଟା କରି ମଧ୍ୟ ସେ ପାରୁନାହିଁ । ଅନ୍ତତଃ ସେଇଥିପାଇଁ କିଛି ଅର୍ଥ ତା’ର ଦରକାର । ଗିରୀଶ ବୋଧେ ଜାଣୁ ନାହିଁ ତା’ର ପରିବାରର ସଂଖ୍ୟା କେତେ ? ସେ ବୋଧେ ବୁଝେ ନାହିଁ ତା’ ଦରମାର ଅଙ୍କ କେତେ ଏବଂ କେତେ ଦିନ ହେଲେ ମାସଟିଏ ହୁଏ ।

 

ଧୀର କଣ୍ଠରେ ସରସୀ କହିଲା ‘‘ଗୋଟେ ବୋଲି ପଇସା ନାହିଁ ମୋ ପାଖରେ । ପୁଅକୁ ଶ୍ୱାସ ଯେ.....’’

 

ଗିରୀଶ ଧଡ଼ପଡ଼ ହୋଇ ବିଛଣାରୁ ଉଠିପଡ଼ିଲା, ‘‘କ’ଣ କହିଲୁ ହାରାମଜାଦୀ ? ପଇସା ନାହିଁ ? ଗଲା କୁଆଡ଼େ ? ତିନିଶହ ଟଙ୍କା ଦେଇଥିଲି–ସବୁ ସରିଗଲାଣି ? କାହାକୁ ନେଇ ଦେଇଛୁ ? ସରସୀ ଧୀର କଣ୍ଠରେ କହିଲା ‘‘ପାଟିକର ନାହିଁ । ପିଲାମାନେ ବଡ଼ ହେଇଗଲେଣି–ସାଇପଡ଼ିଶା କାନ ଡେରିଛନ୍ତି ।’’

 

ଗିରୀଶ ସରସୀ ପାଖକୁ ଚିହିଙ୍କି ଆସି କହିଲା, ‘‘କ’ଣ ହେଲା ? ମୁଁ ପୁଣି ଡରିଯାଇ ପାଟି କରିବିନି ? ଚାଲାକି ବାହାରୁଛି ନାଁ ? କହ ଟଙ୍କା ଗଲା କୁଆଡ଼େ ?’’

 

ଗିରୀଶ ସରସୀର ହାତକୁ ଏପରି ଜୋରରେ ଚାପି ଧରିଥିଲା ଯେ ଯନ୍ତ୍ରଣାରେ ଟପ୍‍ଟପ୍ ପାଣି ଝରି ପଡ଼ିଲା ସରସୀ ଆଖିରୁ । ଚିତ୍କାର କରିବାର ସାଧ୍ୟ ନାହିଁ ତା’ର । ଶବ୍ଦଟି ତା’ର ପାଟିରୁ ବାହାରିଲେ ଏଇନେ ହୁଏତ କ’ଣ ଘଟିଯିବ । କିନ୍ତୁ ସହି ପାରିବତ ସିଏ ?

 

ଦ୍ୱାର ପାଖରେ ନଜର ପଡ଼ିଲା ସରସୀର । ଚାରୋଟିଯାକ ପିଲା ଲୁହ ଡବ ଡବ ଆଖିରେ ଠିଆ ହୋଇଛନ୍ତି । ଦେହକୁ ଦେହ, ରକ୍ତକୁ ରକ୍ତ ଯେପରି ଏକାକାର ହୋଇଯାଉଛି । ସରସୀ ସେମାନଙ୍କ ପାଖକୁ ଯାଇପାରୁଛି, ନାଁ ସେମାନେ ତା’ ପାଖକୁ ଆସି ପାରୁଛନ୍ତି ।

 

ଝିଙ୍କି ହେଲାପରି ଲୁଗାପଟାକୁ କାନ୍ଧ ଉପରକୁ ଟାଣି ସରସୀ କହିଲା–‘‘ଛାଡ଼ ମୁଁ ଆସେ । ଛୁଆଗୁଡ଼ାକ କେମିତି ଅନେଇଛନ୍ତି ଦେଖୁଛ ତ ?’’

 

ଗର୍ଜିଉଠିଲା ଗିରୀଶ–‘‘ଛୁଆ ଅନେଇଛନ୍ତି । ବାହାର୍ ମୋ ଘରୁ । ଏଇ ମୁହୂର୍ତ୍ତରେ ବାହାରି ଯା–ମତେ ଢେର୍ ସ୍ତ୍ରୀ ମିଳିବେ । ଯା–ବାହାର ।”

 

ଗିରୀଶର ହାତ ସରସୀକୁ ପେଲି ଦେଇଥିଲା ସେତେବେଳକୁ ଦ୍ଵାର ଆଡ଼କୁ । ପଡ଼ି ଯାଉ ଯାଉ କବାଟଧରି କୌଣସି ମତେ ଅଟକିଗଲା ସରସୀ । ବାଁ ହାତ ଓ ଛାତି ଭିତରେ ଚାପି ଧରିଥିବା ଦୁଇମାସର ଛୁଆଟାର ମୁଣ୍ଡ ଢାଏକରି ପିଟି ହୋଇଯାଇଛି କବାଟ ଦେହରେ–ତା’ ଉପରେ ବୋମା ପଡ଼ିଥିଲେ ହୁଏତ ଯନ୍ତ୍ରଣା କମ୍ ହୋଇଥାନ୍ତା ।

 

ସରସୀର ଦୁର୍ବଳ ରୋଗଣା ଦେହ ନିମିଷକେ ଅସାଡ଼ହୋଇ ପଡ଼ିଯାଉଥିବା ସତ୍ତ୍ୱେ ବି ଶୁଣି ପାରୁଥିଲା ଗୁଡ଼ିଏ ସମ୍ମିଳିତ ବିକଳ କଣ୍ଠର କରୁଣ କ୍ରନ୍ଦନ ।

 

-ଦୁଇ-

 

ପଦ୍ମିନୀ ଝର୍କାର ରେଲିଂ ଦେହରୁ ମୁହଁ ଖସାଇ ଆଣିଲା । ଆଉ ଛିଡ଼ାହୋଇ ପ୍ରଭାତର ସ୍ନିଗ୍ଧ ବାତାବରଣ ଉପଭୋଗ କରିବାକୁ ତା’ର ବେଳ ନାହିଁ । ସକାଳ ଆଠଟା ସୁଦ୍ଧା ଫାକ୍ଟ୍ରିରେ ନ ପହଞ୍ଚିଲେ ନାନା କୈଫିୟତ୍‍ ଦେବାକୁ ପଡ଼ିବ । ଏଣେ ଦିନେ ଛୁଟିନେଇ କ୍ଳାନ୍ତି ମେଣ୍ଟେଇବାରେ ମଧ୍ୟ ଉପାୟ ନାହିଁ ତା’ର । ଆରେ ଡେରିରେ ଉଠିଲେ ଶାଶୁ କେତେ ଉଲୁଗୁଣା ଦେଉଥିଲେ । ଶାଶୁ ବୁଢ଼ୀ କାମ କରୁଥିବାବେଳେ ତା’ର ଗୋଡ଼ ଲମ୍ବେଇ ଶୋଇବା କଥାଟା ବିଷୟରେ ତାକୁ ପରୋକ୍ଷରେ ନ କହି ଶ୍ୱଶୁର ତାଙ୍କର ଝିଅମାନଙ୍କୁ ଶୁଣାଇ କହିବାର ପାଲା ଏବେ ବନ୍ଦ ହୋଇଯାଇଛି । ଠିକ ସମୟରେ ନ ଉଠିଲେ ଶାଶୁ ଆସି ଆଦର କରି ଡାକନ୍ତି, ଶ୍ୱଶୁର ତାଙ୍କର ଝିଅମାନଙ୍କୁ ପଠାଇ ବୋହୂକୁ ନିଦରୁ ଉଠାଇବାକୁ ପଠାଇଦିଅନ୍ତି କାହିଁକି ?

 

ପଦ୍ମିନୀ ନିଜର ମୁହଁକୁ ଅନେଇଲା ଦର୍ପଣରେ । ଯେତେ ପରିପାଟୀ ହେଲେ ବି ଚିନ୍ତା ଓ ବୟସର ଛାପ ମୁହଁରେ ସୁସ୍ପଷ୍ଟ । କ୍ଳାନ୍ତିରେ ଆଖିପତା ଯେପରି ମାଡ଼ିପଡ଼ୁଛି । ସୁଜି ଭଜାହେବାର ବାସ୍ନା ଆସୁଛି । ଶାଶୁ ବୋଧହୁଏ ଉଠିଲେଣି । ରାତି ଡିଉଟି ସାରି ଆସୁଥିବେ ଆଶୁତୋଷ । ଦୁଇବର୍ଷ ହେଲା ବେମାରୀରେ ପଡ଼ି ଏବେ କୌଣସି ମତେ ଉଠିଛନ୍ତି । କ’ଣ ବା ଦରକାର ଥିଲା ଦେହ ସମ୍ପୂର୍ଣ୍ଣ ଭଲ ନ ହେବା ପୂର୍ବରୁ, କାମରେ ଜଏନ୍ କରବା ? ପାନିଆଟା ମୁଣ୍ଡବାଳ ଉପରେ ବୁଲାଇ ଆଣି ପଦ୍ମିନୀ ପର୍ଦ୍ଦା ଆଡ଼େଇ ଗାଧୁଆ ଘରକୁ ଯାଉ ଯାଉ ଆଶୁତୋଷଙ୍କ ସାମ୍ନାସାମ୍ନି ହୋଇଗଲା ।

 

ମୃଦୁ ହସି ସେ ପଚାରିଲେ, ‘‘କ’ଣ ବାହାରିଲ ? ଯାଃ,ଡେରି ହୋଇଗଲାଣି । ମୁଁ ଏ ପର୍ଯ୍ୟନ୍ତ ଗାଧୋଇନି, ଉଠ, ବାଟ ଛାଡ଼ ।’’

 

‘‘ଶୁଣ ପଦ୍ମା ! କଥା ଅଛି । ରତିର ପୁଅ ଏକୋଇଶିଆକୁ ଅନ୍ତତଃ ହାରଟିଏ ଦେବାକୁ ହେବ । ଦେହ ଖରାପ ବେଳେ ସେ ଦୁଇ ହଜାର ଟଙ୍କା ଦେଇଥିଲା ।’’

 

‘‘ସେ ଟଙ୍କାତ ମୁଁ ଶୁଝି ଦେଇଛି ।’’

 

‘‘ଓଃ କ’ଣ ଖାଲି ଶୁଝିଦେଲେ ହେଲା ? ଯେତେହେଲେ ସେ ମୋର ଭଉଣୀ ଏବଂ ଏଇଟା ତା’ର ପ୍ରଥମ ପୁଅର ଏକୋଇଶା । ଛାଡ଼ ସେ କଥା କିଛି ନ ହେଲେ ଘଣ୍ଟାଟା ବିକି ମୁଁ ଦେଇଦେବି । କିନ୍ତୁ କିଶୁର ଯେ ପରୀକ୍ଷା ଫିସ୍ ଇତ୍ୟାଦି ମିଶାଇ ତିନିଶହ ଟଙ୍କା ଦେବାକୁ ପଡ଼ିବ ।”

 

‘‘ଏତେ ଟଙ୍କା କେମିତି କୁଆଡ଼ୁ ଯୋଗାଡ଼ ହେବ ? ଜାଣ, ଘରଭଡ଼ା ମଧ୍ୟ ଦୁଇମାସର ବାକି ଅଛି ? ଆଉ ସେ ଲୋକଟା ମତେ......’’

 

ଆଶୁତୋଷ ଅନ୍ୟମନସ୍କ ହେଲାପରି କହିଲେ, ‘‘ସେ ଯା ହେଉ । ତମେ ଆଜି ମିଷ୍ଟର ନାୟାରଙ୍କୁ ଦେଖାକରି କିଛି ଆଡ଼ଭାନ୍‍ସ ଆଣିବ । ନଚେତ୍....’’

 

ପଦ୍ମିନୀ ରାଗିଯାଇ ପଚାରିଲା, ‘‘ନଚେତ୍ କ’ଣ ? କଥାଟା ପରିଷ୍କାରଭାବରେ କହୁନ କାହିଁକି ?” ଆଶୁତୋଷ କିଛି କହିଲେ ନାହିଁ । ମୁହଁ ତଳକୁ ପୋତି ଚେୟାର ଉପରେ ବସିପଡ଼ି ସେ ଜୋତା ଖୋଲିବା ଆରମ୍ଭ କରିଦେଲେ । ଗାଧୁଆ ଘର ଭିତରକୁ ପଶିଯାଇ ଧଡ଼ାସ୍‍କରି କବାଟ ବନ୍ଦ କରିଦେଲା ପଦ୍ମିନୀ ।

 

ନାୟାରଙ୍କୁ ଦେଖାକରି ଟଙ୍କା ଆଣିବାପାଇଁ ଆଜି ତାକୁ ଆଶୁତୋଷ କହୁଛି । ଅଥଚ ସେଇ ନାୟାରଙ୍କୁ ନେଇ ମନେ ମନେ ସନ୍ଦେହ କରେ ତାକୁ । ଏତେଗୁଡ଼ାଏ ଟଙ୍କା ଆଡ଼ଭାନ୍‍ସ ଦେବାପାଇଁ ମିଃ ନାୟାର ରାଜି ହୋଇଯିବେ ବୋଲି ଧାରଣା ଆସିବା ମୂଳରେ ଏଇ ତଥ୍ୟଟି ଯେ ବିଦ୍ୟମାନ, ଏଥିରେ ଭାବିବାର କିଛି ନାହିଁ ।

 

ତରତର ହୋଇ ସେ ଆସିବାବେଳକୁ ଶାଶୁ ଆସି ବାଟ ଓଗାଳି ଛିଡ଼ାହେଲେ ଏବଂ ହାତକୁ ଲେଖା କାଗଜଟିଏ ବଢ଼େଇଦେଇ କହିଲେ, ‘‘ଆସିବା ବେଳକୁ ଏ ଜିନିଷ କେତେଟା କିଣି ଆଣିବୁ ମା’ । କିଶୁଟାର ପରୀକ୍ଷା । ତୋ ଶ୍ୱଶୁରଙ୍କର ସବୁଦିନେ ସନ୍ଧ୍ୟାବେଳେ ଛାତି କ’ଣ ହେଉଛି । ଆଶୁ ଅବସ୍ଥା ତ ଦେଖୁଛୁ, ଆଉ କାହାକୁ ପଠେଇବି ?”

 

ଚିଠିଟା ବ୍ୟାଗ୍‍ ଭିତରେ ରଖି ସେ ଚାଲିଗଲା ଡାହାଣପଟ ରାସ୍ତାଦେଇ । ବସ୍ ଧରିବାକୁ ହେବ ତାକୁ । କେଜାଣି କାହିଁକି ତା’ର ଆଖି ଘୂରିଗଲା ଶୋଇବାଘରର ଝର୍କା ଆଡ଼କୁ । ଆଶୁତୋଷ ଛିଡ଼ା ହୋଇଛନ୍ତି–ରେଲିଂର ଫାଙ୍କଦେଇ, ମୁହଁର ଭାବ ସ୍ପଷ୍ଟ ହେଉନାହିଁ । ପଦ୍ମିନୀ ମୁହଁ ବୁଲେଇ ନେଲା ।

 

ଦିନ ପ୍ରାୟ ଦଶଟା ସମୟରେ ହଠାତ୍ ଫୋନ୍ କଲ୍ ଆସିଲା ପଦ୍ମିନୀର । ଆଶ୍ଚର୍ଯ୍ୟ, କିଏ ତାକୁ ଅସମୟରେ ସ୍ମରଣ କଲା । ଅଗତ୍ୟା ନିଜ ଟେବୁଲ ଛାଡ଼ି ମିଃ ନାୟାରଙ୍କ ରୁମ୍‍କୁ ଯିବାକୁ ହେବ । ଆସିଲାବେଳେ ଆଶୁତୋଷ ଯାହା କହିଥିଲେ ସେ କାମ ତ ସେ କେବେହେଲେ କରି ପାରିବନି !

 

ନିଜର ଚଷମା କାଚ ପୋଛୁ ପୋଛୁ ମୁର୍କି ହସି ନାୟାର କହିଲେ, ‘‘ଆଶୁତୋଷ ଫୋନ୍ କରିଥିଲେ । ତୁମେ ତ ମତେ କହି ପାରିଥାନ୍ତ, ପୁଣି ସାମାନ୍ୟ କେତେଟା ଟଙ୍କାପାଇଁ ଏପରି....ଏବଂ ଟଙ୍କାଟା ଯେତେବେଳେ ତମର ବ୍ୟକ୍ତିଗତ ଭାବରେ ଦରକାର.....”

 

‘‘ନାହିଁ ସାର୍ । କେତେଟା ଟଙ୍କା ନୁହେଁ ଖାଲି, ଏହା ପଛରେ.....?” ‘‘କ’ଣ ପଛରେ ଅଭିସନ୍ଧି ? ଷଡ଼ଯନ୍ତ୍ର ? ବସ, ବସ ପଦ୍ମିନୀ, ମୁଁ ତୁମପାଇଁ କଫିର ଅର୍ଡ଼ର ଦେଇସାରିଛି, ବସ ।”

 

ପଦ୍ମିନୀ ବସିଲା ବାଧ୍ୟହୋଇ । ରୁମାଲ ଦେଇ ନିଜ ମୁହଁର ଝାଳ ପୋଛିବାକୁ ସେ ବ୍ୟର୍ଥହୋଇ ଯାଇଥିଲା ।

 

ମିଃ ନାୟାର ସିଗାରେଟ୍‍ ଟାଣୁ ଟାଣୁ କହିଲେ, ‘‘ଦେଖ ପଦ୍ମିନୀ ! ଆଶୁତୋଷ ଯାହା ଚାହେଁ ତମେ ଭଲକରି ଜାଣ । ତା’ର ଭଗ୍ନ ସ୍ୱାସ୍ଥ୍ୟପାଇଁ କେବଳ ନୁହେଁ, ତୁମର ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ । ଅନ୍ତତଃ ନାରୀମାନଙ୍କର ଏକ ସ୍ୱତନ୍ତ୍ର ସତ୍ତା ଅଛି । ଏପରିକି ପୁରୁଷଠାରୁ ଅଧିକ ବିଚାରବନ୍ତ, ସ୍ନେହଶୀଳ ଏକ ବିବେକ ଅଛି ।’’ ବେହେରା କଫି ରଖି ଦେଇଥିଲା । ପଦ୍ମିନୀ ଆଡ଼କୁ କଫି ବଢ଼େଇ ଦେଉ ଦେଉ କହିଲେ ନାୟାର । ତା’ର ଉତ୍ତରରେ ସେ କହିଲା ‘‘କିନ୍ତୁ ସାର୍, ଆପଣ ଜାଣନ୍ତି ନାହିଁ, ଏ ଦେଶରେ ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ କଥାଟା ବୁଝିଥିଲେ ବି ଆଦୌ ପ୍ରକାଶ କରିବେ ନାହିଁ । ଆଉ ପ୍ରକାଶ କଲେ ବା କ’ଣ ହେବ?’’

 

‘‘ସେ ହିସାବରେ ତୁମେ ଲକି ପଦ୍ମିନୀ । ଆଶୁତୋଷ ଓ ତମ ପରିବାରରେ ସମସ୍ତେ ଖୁବ୍ ସହନଶୀଳ । ମୁଁ ତ ତୁମ ଘରକୁ ବହୁବାର ଯାଇଛି । ଏପରିକି ତୁମ ଶାଶୁଙ୍କୁ ମଧ୍ୟ ଦେଖିଲି, ଇକୁଆଲ୍ ଟ୍ରିଟମେଣ୍ଟ । ବରଂ ତୁମପାଇଁ ବ୍ୟସ୍ତତା ତାଙ୍କର ବେଶୀ ।’’

 

ମିଃ ନାୟାରଙ୍କ କଥାଗୁଡ଼ା ବେଶୀ ଖାପଛଡ଼ା ଲାଗୁଥିଲା ପଦ୍ମିନୀକୁ । ଫୋନ୍ କଲ୍ ଆସିଛି ବୋଲି ତା’ର ପରିବାର, ନାରୀପୁରୁଷର ଅଧିକାର ଓ ସମତା ଉପରେ ଆଲୋଚନାର ବା କ’ଣ ପ୍ରୟୋଜନ ?

 

ଏଥର ଚେୟାର ଛାଡ଼ି ଉଠିବା ପୂର୍ବରୁ ପଦ୍ମିନୀ କୁଣ୍ଠିତ କଣ୍ଠରେ କହିଲା–‘‘ସାର୍ ! ମୋର ଦରମାକୁ ଅନାଇ ମୁଁ କେତେ ଟଙ୍କା ଆଡ଼ଭାନ୍‍ସ ନେଇ ପାରିବି ? ଘରେ ଭୀଷଣ ଧାର କରଜ ରହିଛି । ମୁଁ ତାକୁ ପ୍ରତି ମାସରେ କିଛି କିଛି ଶୁଝିଦେବି ।”

 

ମିଃ ନାୟାର ଚିନ୍ତିତହୋଇ କହିଲେ–‘‘ଫ୍ୟାକ୍ଟ୍ରି ଏବେ ଆଡ଼ଭାନ୍‍ସ ଦେବା ବନ୍ଦକରି ଦେଇଛି । ତା’ପରେ ଆଶୁତୋଷ ନେଇଥିବା ଟଙ୍କା ଏ ପର୍ଯ୍ୟନ୍ତ ଶୁଝା ସରିନାହିଁ–ତୁମର ତ ଟେମ୍ପରାରୀ ସର୍ଭିସ । ଆଚ୍ଛା, ତୁମେ ଗୋଟାଏ କଥା କରିପାର ପଦ୍ମିନୀ, ତୁମେ ମୋ’ଠାରୁ ନେଇପାର......ଦରକାର ପଡ଼ିଲେ ସମସ୍ତେ ଧାର କରିଥାନ୍ତି । ତୁମର ଏପରି ବ୍ୟସ୍ତ ହେବାର କ’ଣ ଅଛି ?”

 

ନାୟାର ତାଙ୍କ ପକେଟରୁ ଶହେଟଙ୍କିଆ ପାଞ୍ଚଖଣ୍ଡି ନୋଟ୍ କାଢ଼ି ବଢ଼ାଇଦେଲେ ପଦ୍ମିନୀ ହାତକୁ । ପଦ୍ମିନୀ ଟଙ୍କାନେଇ ବ୍ୟାଗ୍‍ ଭିତରେ ରଖି ନମସ୍କାର କରି ଚାଲିଆସିଲା । ରୁମାଲଟା କେବଳ ଝାଳରେ ଭିଜିଗଲାଣି । ଅସମୟରେ ସାମାନ୍ୟ କ୍ଳାନ୍ତିରେ ଏତେ ଘର୍ମାକ୍ତ ସେ ହୋଇପଡ଼େ ଯେ......

 

ପଦ୍ମିନୀ କେତେବେଳେ ଡିଉଟି ସାରି ଘରକୁ ଫେରିଆସିଥିଲା ତା’ର ମନେନାହିଁ । ନିସ୍ତବ୍ଧ ଗ୍ରୀଷ୍ମର ଦ୍ୱିପ୍ରହରରେ ଘରଟା ଯେପରି ଭୂତକୋଠି ପରି ଲାଗୁଛି । ସମସ୍ତେ ନିଦ୍ରାଗତ । କେବଳ ଚାହିଁବସିଛି ତା’ର ଛୋଟ କୁକୁରଛୁଆ ଟିପୁ । ଶାଶୁ କବାଟ ଖୋଲି ଶୋଇବା ଘରକୁ ଚାଲିଗଲେ ।

 

ଗୋଡ଼ହାତ ଧୋଇ ରୋଷେଇ ଘରେ ପଶିଲା ପଦ୍ମିନୀ । ତା’ପାଇଁ ଭାତ ଘୋଡ଼ାହୋଇ ଗୋଟାଏ କଣରେ ରହିଛି । ବାସନକୁସନ ଜମା ହୋଇଛି । ଆଜି ଆଉ ଦେହରେ ବଳ ନାହିଁ ଭାତ ଗରମ କରିବାକୁ ।

 

ଶୁଖିଲା ଭାତଥାଳି ଧରି ପଦ୍ମିନୀ ବସିରହିଲା କିଛିକ୍ଷଣ । ନା, ଗୁଣ୍ଡାଏ ମଧ୍ୟ ପେଟକୁ ଯାଉନାହିଁ । କିଛି ଭଲ ଲାଗୁନାହିଁ । ତା’ ଅପେକ୍ଷା ବାସନକୁସନ ମାଜି, ଲୁଗାପଟା କାଚି କାମ ସାରିଦେବା ଭଲ । ଥାଳିର ଭାତନେଇ ସେ ବାହାର କୁଣ୍ଡରେ ପକେଇଦେଲା ଏବଂ ସେତିକିବେଳେ ଶାଶୁଙ୍କର ପାଟି ଶୁଭିଲା, ‘‘ହଇଲୋ ବୋହୂ ! ଦାନା ତତେ ଗନ୍ଧେଇଲାଣି କି ? ହେଲା ଏବେ, ରୋଜଗାର କରୁଛୁ, ବାହାରକୁ ଯାଉଛୁ, ହାତରେ ପଇସା ଅଛି, ଭଲମନ୍ଦ ଖାଇଲୁ, ପେଟରେ ଜାଗା ନାହିଁ, ତା’ ବୋଲି ଦାନାଗୁଡ଼ା ଏମିତି ଢାଳିଦେବୁ ? ମୋ’ ଛୁଆ ଭୋକରେ ତୋ ହାତକୁ ଅନାଇ ରହିଛନ୍ତି ବୋଲି ତୋର ଟିକିଏ ଦୟା ନାହିଁ ଲୋ.... ? ହେ ଶୁଣୁଛ, ଦେଖୁଛଟି ତୁମ ବୋହୂଙ୍କ ଗୁଣ-?’’

 

ପଦ୍ମିନୀ ହାତରୁ ଥାଳିଟା ବି ଥରି ଥରି ଖସି ଆସି ପଡ଼ିଲା ଝଣ୍ କରି ତଳେ । ଶ୍ୱଶୁର ଉଠିଆସି ଅନେଇ ଦେଇ ଚାଲିଗଲେ ଘର ଭିତରକୁ । ମୁହଁରେ ବିରକ୍ତି । କେଜାଣି କାହିଁକି ଟିପୁଟା ଭାଉ ଭାଉ କରି ଭୁକି ଉଠିଲା ।

 

ଆଶୁତୋଷ ଅଣ୍ଟାରେ ହାତଦେଇ ବାରଣ୍ଡାରେ ଆସି ଛିଡ଼ାହେଲେ । ପଦ୍ମିନୀ ଥାଳିଟା ଗୋଟେଇ ନେଇ ଚାଲିଗଲା ରୋଷେଇ ଘର ଭିତରକୁ । ଆଜିକାଲି ତା’ ଆଖିରେ ଲୁହ ଟିକିଏ ବି ଆସେନାହିଁ । ଆର ଘରେ ଶାଶୁଙ୍କର ଦେଖେଇ ଶିଖେଇ ଶୁଣାଇ ବି ଆରମ୍ଭ ହୋଇଯାଇଛି–ଥରେ ଆରମ୍ଭ ହେଲେ ଶେଷ ନାହିଁ । ବେଶୀ ରାଗିଥିବେ ସେ ଆଜି । କାହିଁକି ନାଁ କେହି ତାଙ୍କ କଥାରେ ପାଟି ଫିଟେଇଲେ ନାହିଁ ।

 

ବେଶୀ ବେଳ ଛିଡ଼ାହୋଇ ଚିନ୍ତା କରିବାକୁ ବେଳ ନାହିଁ । ପାଇପ୍‍ରୁ ପାଣି ଚାଲିଯିବ । ବାସନ ମାଜି ସଫା କରିଦେବାକୁ ହେବ । ସ୍କୁଲ ଫେରନ୍ତା ତା’ର ଛୋଟ ଛୁଆ ଦୁଇଟାପାଇଁ ଜଳଖିଆ ପ୍ରସ୍ତୁତ କରିବାକୁ ହେବ ଏବଂ ଆଶୁତୋଷକୁ ଇଞ୍ଜେକ୍‍ସନ ଦେବାକୁ କମ୍ପାଉଣ୍ଡରକୁ ଚାରିଟା ପୂର୍ବରୁ ଖବରଦେବାକୁ ହେବ ।

 

“ପଦ୍ମା !” ଆଶୁତୋଷ ଆସି ଛିଡ଼ା ହୋଇଛନ୍ତି । ବୋଧେ ପଚାରିବେ, କାହିଁକି ଖାଇଲା ନାହିଁ.... ? କାହିଁକି ?

 

‘‘ଟଙ୍କା ଆଣିଲ ? ତମ ବ୍ୟାଗରେ ତ ମାତ୍ର ପାଞ୍ଚଶହ ଟଙ୍କା ଦେଖିଲି । ଅତି କମ୍‍ ରେ ହଜାରେ ନ ହେଲେ ଚଳିବନି ପଦ୍ମା......ଔଷଧ ଦୋକାନରେ ବାକି ଅଛି । ତା’ଛଡ଼ା ତମେ ଚାହିଁଲେ-”

 

ରୁକ୍ଷ କଣ୍ଠରେ ପଦ୍ମିନୀ ପଚାରିଲା–‘‘କ’ଣ ? କୁହ, ଅଟକିଗଲ କାହିଁକି ?”

 

‘‘ନା, ପଦ୍ମିନୀ, ତମେ ଚାହିଁଲେ ସବୁ ହେବ । କେବଳ ନାୟାରଙ୍କୁ ତମେ କରାଗତ କରିପାରିବ, ନଚେତ୍‍ ମୋର ଚାକିରି ଯିବ । ବାପା, ବୋଉ ଓ ପିଲାଏ ସବୁ ଗଡ଼ି ମରିବେ । ନାୟାରର ଗୋଟାଏ ଦସ୍ତଖତରେ ସବୁ ହୋଇଯିବ.....କେବଳ ତମେ, ତମେ ପାରିବ ପଦ୍ମା ।’’ ଆଶୁତୋଷ ଯେପରି ସଙ୍କୁଚିତ ହୋଇ ଯାଉଥିଲେ ।

 

ପଦ୍ମିନୀର ହାତଧରି ବିନୀତ କଣ୍ଠରେ ଅନୁନୟ କରୁଛନ୍ତି ଆଶୁତୋଷ ! ମନେପଡ଼ୁଛି ତା’ର–ନାୟାରଙ୍କୁ ନେଇ ଆଶୁତୋଷର ତା’ପ୍ରତି କଟୁ ପରିହାସ, ଶାଶୁଙ୍କର ଗଞ୍ଜଣା, ଅଥଚ ଆଜି କ’ଣ ହେଲା ? ହଠାତ୍ ନାୟାରଙ୍କୁ ଏତେ ସ୍ତୁତି କରିବାର ମାନେ କ’ଣ ? ଧୀର କଣ୍ଠରେ ଏଥର ସେ କହିଲା–‘‘କଥାଟା ଶୀଘ୍ର କୁହମ ! ପିଲାଏ ଆସିଯିବେ, ଜଳଖିଆ କରିନି, ଘରଦ୍ୱାର କାମ ପଡ଼ିରହିଛି ।’’

 

ଆଶୁତୋଷ ଏଣିକି ତେଣିକି ଚାହିଁ କହିଲେ–‘‘ଶୁଣ ପଦ୍ମା ! ଦଶହଜାର ଟଙ୍କା ତୋଷରଫରେ ବର୍ତ୍ତମାନ ଫ୍ୟାକ୍ଟ୍ରି ମୋ ବିରୁଦ୍ଧରେ ରିପୋର୍ଟ କରୁଛି । ତମେ ତ ଜାଣ.....’’ ପଦ୍ମିନୀ କଥା ଛଡ଼େଇ ନେଇ ପଚାରିଲା, ‘‘କ’ଣ ଜାଣେ ? ତମେ, ତମେ... !”

 

‘‘ଆଃ, କାହିଁକି ପାଟି କରୁଛ ? ସମସ୍ତେ ନେଇଛନ୍ତି, ଏକା ମୁଁ କାହିଁକି ? ହେଲେ ନାୟାର ଚାହିଁଲେ ସେ କିଛି ନୁହେଁ ! ମୋର ପ୍ରମୋଶନଟା ବି ହୋଇଯିବ । ତୁମ କଥା ସେ ନିଶ୍ଚୟ ରଖିବ.... ତୁମେ ଚାହିଁଲେ ନାୟାର....”

 

ପଦ୍ମିନୀର ପାଦ ଦୁଇଟା ଟଳ ଟଳ କରୁଥିଲା । ଆଶୁତୋଷ ତା’ର ସ୍ୱାମୀ, ତା’ର ଇହକାଳ ପରକାଳର ଦେବତା । ତା’ ନାରୀ ଜୀବନର ଗୌରବ, ତା’ ସନ୍ତାନର ପିତା, ତା’ ସାମାଜିକ ଭୂଷଣ ତଥା ଅତୀତ, ବର୍ତ୍ତମାନ, ଭବିଷ୍ୟତର ଏକମାତ୍ର ସତ୍ତ୍ୱାଧିକାରୀ–ହାତ ଓଠ ଧରି ଅନୁନୟ କରୁଛି, ବିନତି କରୁଛି, ତା’ ସ୍ତ୍ରୀକୁ ଦାସାନୁଦାସ କରି ରଖିବାକୁ, ଇଚ୍ଛାମତେ ବ୍ୟବହାର କରିବାକୁ । ଏବଂ....ଏବଂ ଆଜୀବନ ସୁରକ୍ଷିତ ରଖିବାକୁ, ରୁଚି ଅନୁଯାୟୀ ତା’ର ଜନ୍ମଗତ ଅଧିକାର ମଧ୍ୟ ରହିଛି !!

 

ଆଶୁତୋଷର ମୁହଁକୁ ଅନାଇ ପାଗଳୀଙ୍କ ପରି ହସିଉଠି ପଦ୍ମିନୀ କହିଲା–‘‘ଓ, ଏଇକଥା-? ଏଇଥିପାଇଁ ଏତେ ଗୌରଚନ୍ଦ୍ରିକା କାହିଁକି ? ମୁଁ ଭାବୁଛି, ଆଉ କ’ଣ କହିବ, କି ମୁଁ ଘରେ ନଥିଲାବେଳେ କିଛି ଅଘଟଣ ଘଟିଛି ସେ କଥା କହିବ । ଛି....ଛି....ଚିନ୍ତାରେ ଯେ ମୁଁ ବୁଡ଼ି ଯାଇଥିଲି-।”

 

‘‘କିନ୍ତୁ.....କିନ୍ତୁ, ତମେ କାନ୍ଦୁଛ କାହିଁକି ପଦ୍ମା ? ମୁଁ ତ.......ମାନେ ମୁଁ ତ ତମକୁ କିଛି....କ’ଣ ବୁଝିଲ ନାଁ ? ମୁଁ ତ ତମକୁ କିଛି....”

 

କାନ୍ଥ କଡ଼କୁ ବୁଲିପଡ଼ି ପଦ୍ମିନୀ କହିଲା; ‘‘ନାଇଁ, କାନ୍ଦିବି କାହିଁକି ? ସୁଖପରା ମତେ କେବେହେଲେ ସୁହାଏ ନାହିଁ । ଏତେ ସୁଖ ଏତେ ସୌଭାଗ୍ୟ କଥା ଭାବିଲେ ଆଖିରେ ସତରେ ପାଣି ଆସିଯାଏ ମୋର । ଯାଅ, ଏଇଲେ ବୋଉ ଆସି ପଚାରିବେ, ବାପା ଉଠି ଆସିବେ–ପୁଅ ବୋହୂଙ୍କୁ ରଙ୍ଗ ହେବାକୁ ଜାଗା ମିଳିଲାନି ଯେ ଶେଷକୁ ରୋଷେଇ ଘରେ ପଶିଲେ । ଗଲନା...ମୁଁ ଯିବି !

 

ହସ ହସ ମୁହଁରେ ଆଶୁତୋଷଙ୍କ ଚାଲିଯିବା ବାଟକୁ ଚାହିଁ କାନ୍ଥ ଦେହରେ ଆଉଜି ଯାଇ ନିଜ ଦେହର ଭାରସାମ୍ୟ ରଖିବାକୁ ଚେଷ୍ଟା କରୁଥିଲା ପଦ୍ମିନୀ !!

 

-ତିନି-

 

ଘଣ୍ଟାକୁ ଚାହିଁ ବ୍ୟସ୍ତହୋଇ ଉଠିଲା ଶାଶ୍ଵତୀ । ସମୟ ପ୍ରାୟ ହୋଇ ଆସିଲାଣି । ଅଥଚ ଏ ପର୍ଯ୍ୟନ୍ତ ସେ କ’ଣ କହିବ ସେ ବିଷୟରେ ସ୍ଥିର କରିବାକୁ ଗୋଟିଏ ମୁହୂର୍ତ୍ତ ମଧ୍ୟ ପାଇନାହିଁ । ଟେବୁଲ୍ ଉପରେ ରାଶି ରାଶି ଫାଇଲ୍ ଜମାହୋଇ ପଡ଼ିଛି । ଆଜି ସବୁ ଅର୍ଡ଼ର ନଦେଲେ କାଲିକି ଉପରୁ ଆସିବା କୈଫିୟତ୍‍ର ତାଗିଦା । ତା’ର ଯୋଗ୍ୟତାକୁ ସାବ୍ୟସ୍ତ କରିବାପାଇଁ ସେ ଯେତେ ପରିଶ୍ରମ କଲେ ବି ସବୁ ଯେପରି ବିଫଳ ହୋଇଯାଉଛି । ସେ କାହାକୁ ସନ୍ତୁଷ୍ଟ କରିପାରୁନି । ଉପରିସ୍ଥ ଯେତିକି, ଅଧସ୍ତନ ତା’ଠୁଁ ଆହୁରି ଅସନ୍ତୁଷ୍ଟ......

 

ଶାଶ୍ଵତୀ କଲିଂବେଲ ଦେଇ ଅପେକ୍ଷା କଲା । ଘର ଭିତରକୁ ଚାରିଜଣ ବ୍ୟବସାୟୀ ହାତରେ ଗୁଡ଼ାଏ କାଗଜପତ୍ର ଧରି ପଶିଲେ । ସହରର ବିଶିଷ୍ଟ ବ୍ୟବସାୟୀ ଏମାନେ.....ସେମାନଙ୍କ ହସରେ, ଚାଲିରେ ଓ କାରବାରରେ ରହିଛି ଅତ୍ୟଧିକ ବିନୟଭାବ ଓ ମନରେ ରହିଛି ଦାମ୍ଭିକତା–ସବୁକୁ କରାଗତ କରି ନିଜକୁ ସ୍ଥାପନା କରିବାର ଦୁରନ୍ତ ଅଭିଳାଷ । ସତେ ବା ସେମାନଙ୍କ ଆଖି କହୁଛି, କାହିଁ କାହିଁ ଗଲେ ଫସର ଫାଟି.....

 

ଶାଶ୍ଵତୀ କଲମ ଟେକି ଉଦାସୀନ ଭାବରେ ସେମାନଙ୍କର ଉଦ୍‍ବିଗ୍ନ ମୁହଁକୁ ଚାହିଁଲା । ଜଟାନିୟାର ବିରୁଦ୍ଧରେ ସରକାରୀ କଳରେ ଯେଉଁ ବ୍ୟାପକ ପ୍ରସ୍ତୁତି ଚାଲିଛି ତା’ର କିଛି ଇଙ୍ଗିତ ପାଇଛି କି ସେ ଆଉ ?

 

ଗମ୍ଭୀରହୋଇ ଶାଶ୍ଵତୀ କହିଲା. ‘‘ଆଜି କିଛି ଅର୍ଜେଣ୍ଟ ଅଛି କି ? ନାହିଁ ତ ଆମେ କଲି ଫାଷ୍ଟ ଆୱାରରେ ଆପଣଙ୍କ ବିଷୟରେ ଡିସ୍‍କସନ୍ କଲେ ଭଲ ହୁଅନ୍ତା । ପ୍ଲିଜ୍ ମେକ୍ ଟାଇମ୍....”

 

ଜଟାନିୟା ନିଜ ମୁଣ୍ଡ କୁଣ୍ଡାଇ କହିଲା, ଆଜ୍ଞା ‘‘ଆପଣଙ୍କ ଉପରେ ସବୁ ନିର୍ଭର କରୁଛି । ଅର୍ଡ଼ରଟା ଶୀଘ୍ର ହୋଇଗଲେ ସରକାରଙ୍କୁ ଯେତିକି ସୁବିଧା, ଆମକୁ ବି ସେତିକି । ଟଙ୍କା ସବୁ ବ୍ଲକ ହୋଇ ପଡ଼ି ରହିଛି ।”

 

ଶାଶ୍ଵତୀ ଧୈର୍ଯ୍ୟ ହୋଇଉଠୁଥିଲା ମନେ ମନେ । ମିଟିଙ୍ଗ୍ ସମୟ ହୋଇଆସୁଅଛି । ଅଥଚ ଅଫିସ୍ ସମୟ ଅତିକ୍ରାନ୍ତ ହେବାପରେ ଏମାନଙ୍କର ଆବିର୍ଭାବ ଓ ତା’ର ଗୌରଚନ୍ଦ୍ରିକାରେ ତାକୁ ପ୍ରତିଦିନ ଅଧଘଣ୍ଟା ଲେଟରେ ଘରକୁ ଫେରିବାକୁ ପଡ଼ୁଛି । କୌଣସି ବ୍ୟକ୍ତିଗତ କାମ କରିବାକୁ ତା’ର କେବେହେଲେ ସମୟ ହେଉ ନାହିଁ ।

 

ହଠାତ୍ ଫୋନ୍‍ଟା କ୍ରିଂ କ୍ରିଂ ହୋଇ ବାଜିଉଠିଲା । ଶାଶ୍ଵତୀ ପାଟିକରି ଉଠିଲା, ‘ନଟବର’-

 

ନଟବର ଆସିବାମାତ୍ରେ ଶାଶ୍ଵତୀ ତାକୁ ଫୋନ୍ ଧରି ସେ ନାହିଁ ବୋଲି କହିବାକୁ ନିର୍ଦ୍ଦେଶ ଦେଲା । ନଟବର ଜଣାଇଲା, କୋଉ ମିଟିଂ ଅଛି ଏବଂ ସେଠୁ କଲ୍ ଆସିଛି । ଶାଶ୍ଵତୀ ବ୍ୟସ୍ତହୋଇ କହିଲା, ‘‘ତମେ ଡ୍ରାଇଭରକୁ କୁହ ଗାଡ଼ି ବାହାର କରୁ, ନଟବର । ଟାଇମ୍ ହୋଇଗଲା–ତେଣେ ମନ୍ତ୍ରୀ ଆସି ଯିବେନି । ଆପଣମାନେ କାଲି ଆସନ୍ତୁ.....”

 

ଅଗ୍ରୱାଲା ଉତ୍ତର ଦେଲେ, ‘‘ଆଜ୍ଞା, ! ଆପଣଙ୍କ ଡ୍ରାଇଭର ଚକା ସଜାଡ଼ିବାରେ ବ୍ୟସ୍ତ ଥିଲା । କହୁଥିଲା, ଆହୁରି ଘଣ୍ଟାଏ ଲାଗିବ । ଆମ ଗାଡ଼ିରେ ଆପଣଙ୍କୁ ଛାଡ଼ିଦେଇ ଆସିବୁ, ଚାଲନ୍ତୁ ଆଜ୍ଞା–ଜରୁରୀ କାମ ଯେତେବେଳେ........”

 

ଶାଶ୍ଵତୀ ବିରକ୍ତହୋଇ ନଟବରକୁ କ’ଣ କହିବାକୁ ଯିବା ପୂର୍ବରୁ ପୁଣି ଥରେ କ୍ରିଂ କ୍ରିଂ କରି ଫୋନ୍‍ଟା ବାଜିଉଠିଲା । ପ୍ରାୟ ପଇଁଚାଳିଶି ମିନିଟ୍ ଲେଟ୍ ହେବାକୁ ବସିଲାଣି....ଓଃ ଗଡ୍ ! କାଲି ଅଫିସରମାନଙ୍କର ଟାଇମ୍ ଜ୍ଞାନ ରହୁନି ବୋଲି ବିଭାଗୀୟ ମନ୍ତ୍ରୀଙ୍କଠୁଁ ୱାର୍ଣ୍ଣିଂ ଆସିଛି ।

 

ଭୀଷଣ ଅସ୍ଥିର ଭାବରେ ଶାଶ୍ଵତୀ ବ୍ୟାଗ୍‍ଟା ହାତରେ ଗଳାଇ ଚେୟାର ଛାଡ଼ି ଉଠି ଆସିଲା । ବାଥ୍‍ରୁମରେ ନିଜର ଚେହେରା ଉପରେ ଥରେ ଦୃଷ୍ଟିପାତ କରିବାକୁ ମଧ୍ୟ ବେଳ ନାହିଁ । ଏପରିକି କଫି କପେ ପିଇବାକୁ ମଧ୍ୟ ।

 

ସାଙ୍ଗରେ ଆସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଅନ୍ୟ ରାଜ୍ୟର । ଜଟାନିୟା ଭାଷା ସେ ନ ବୁଝିଲେ ବି ଭାବ ବୁଝିବାକୁ ତାଙ୍କର ଯେମିତି ଅସୁବିଧା କିଛି ନାହିଁ । ବିଶେଷତଃ ନାରୀ ଦେହର ମାନଚିତ୍ର ସମ୍ବନ୍ଧରେ କୌଣସି ଭାଷାର ଆବଶ୍ୟକତା ନାହିଁ । ଅଗତ୍ୟା ସେମାନଙ୍କ ଗାଡ଼ିରେ ବସି ଯିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ଶାଶ୍ଵତୀର ।

 

କ୍ଳାନ୍ତ ଦେହରେ ଶାଶ୍ଵତୀ ଯେତେବେଳେ ଘରକୁ ଆସିଲା, ସେ ଦେଖିଲା ସୁନନ୍ଦ କ୍ଲବକୁ ଯିବାକୁ ପ୍ରସ୍ତୁତହୋଇ ଅପେକ୍ଷା କରିଛନ୍ତି ତାକୁ । ବିରକ୍ତିରେ ସେ ପଚାରିଲେ, ‘‘ଏତେ ଡେରି କାହିଁକି-? ଆଜି କ୍ଲବରେ ଫଙ୍କସନ୍ ଅଛି–ମୁଁ ଲେଟରେ ଯିବା ପସନ୍ଦ କରେନା ।”

 

ଗମ୍ଭୀରହୋଇ ଶାଶ୍ଵତୀ କହିଲା, ‘‘ସରି । ମୁଁ ଯାଇ ପାରିବିନି ଆଜି । ବଡ଼ ଟାୟାର୍ଡ଼ ଲାଗୁଛି ମୋତେ । ତୁମେ ମିଷ୍ଟର ଏବଂ ମିସେସ୍ ପଣ୍ଡାଙ୍କୁ କହିଦେବ ମୋ’ପାଇଁ ।”

 

ସୁନନ୍ଦ ଭ୍ରୂକୁଞ୍ଚନକରି କହିଲେ–କ’ଣ ହୋଇଛି ତୁମର ଶାଶ୍ଵତୀ ? କୌଣସି କଥାରେ ତୁମେ ଏବେ ଟାଇମ୍ ରଖୁନ ? ସବୁ ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ବସିଛି । ପଚାରିଲେ ଉତ୍ତର ନାହିଁ–ଖାଲି ‘ଟାୟାର୍ଡ଼’ ‘ଟାୟାର୍ଡ଼’ କହିବା ଛଡ଼ା ତୁମେ ଶିଷ୍ଟାଚାର କିଛି ଶିଖି ନାହଁ ?

 

ଶାଶ୍ଵତୀ ଚଟ୍‍କରି ବୁଲିପଡ଼ି ସୁନନ୍ଦ ମୁହଁକୁ ଚାହିଁଲା । କ୍ଲବର ସାନ୍ଧ୍ୟ ଫଙ୍କସନ୍ ପରେ ରାତ୍ରି ଭୋଜନ ସାରି ସୁନନ୍ଦ ପ୍ରାୟ ଅଧିକାଂଶ ସମୟରେ ଫେରି ଖୁବ୍ କ୍ଵଚିତ୍ ଦିନ ଶାଶ୍ଵତୀ ତା’ ସାଙ୍ଗରେ ଯିବାର ସୁଯୋଗ ପାଇଥାଏ । ବର୍ତ୍ତମାନ କ୍ଷିପ୍ର ହେବାର ତ କୌଣସି କାରଣ ନାହିଁ ।

 

ସୁନନ୍ଦ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ, ‘‘ଫରେନ୍‍ ଭିଜିଟର ଆଜି ଆଡ୍ରେସ କରିବେ, ସବୁ ବଡ଼ ବଡ଼ କମ୍ପାନୀର ମ୍ୟାନେଜର ଉଚ୍ଚପଦସ୍ଥ ସରକାରୀ ଅଫିସର ଏପରିକି କେହି ମନ୍ତ୍ରୀ ମଧ୍ୟ ଆସି ପାରନ୍ତି । ନ ଯିବାଟା ଅସୌଜନ୍ୟ । ତୁମେ ପାଞ୍ଚ ମିନିଟ୍‍ ଭିତରେ ଆସ । ମୁଁ ଅପେକ୍ଷା କରିଛି । ତୁମେ ଶାଶ୍ଵତୀ ବୋକୀ ଝିଅଟିଏ ନୁହଁ ଯେ ମୁଁ ତୁମକୁ ବୁଝେଇବି ।’’

 

ସୁନନ୍ଦ ବଗିଚା ଭିତରକୁ ପଶିଗଲେ । ଶାଶ୍ଵତୀର ଯୁକ୍ତିକରିବା ପାଇଁ ସମୟ କି ସୁବିଧା ନଥିଲା । ତା’ର ମନେହେଲା, ହଠାତ୍ ଯେମିତି ସେ କ୍ଳାନ୍ତହୋଇ ପଡ଼ୁଛି, ଅବଶ ପାଦ ନେଇ ସେ ଆଉ ଟିକିଏ ଚାଲି ପାରିବ ନାହିଁ । ମୁହୂର୍ତ୍ତଟିଏ.....ତା’ପର ମୁହୂର୍ତ୍ତରେ ସେ କିପରି ଚାଲିଯାଇ ବାଥ୍‍ରୁମ୍ ଭିତରେ ପରିଷ୍କାରହୋଇ ମେକଅପ୍ ହେଲା ଏବଂ କିପରି ଆସି ଗାଡ଼ିରେ ବସି ସୁନନ୍ଦ ସହିତ କ୍ଲବରେ ପହଞ୍ଚିଗଲା ତା’ର ଆଉ ସ୍ମରଣ ନାହିଁ ସେ କଥା ।

 

ରାଶି ରାଶି ପାନୀୟ ଭିତରେ ସମସ୍ତେ ଯେପରି ଆତ୍ମହରା । ଆଜି ଶାଶ୍ଵତୀ ଠିକ୍ କରିଛି ସେ ବି ପିଇବ । ଯେତେ ଇଚ୍ଛା ସେତେ ପିଇବ । ହଠାତ୍ ମିଃ ବାରିକ୍ ଆସି ବଢ଼ାଇ ଦେଲେ ତା’ ହାତକୁ ଗୋଟିଏ ଗ୍ଲାସ୍ । ଅତି ଅଭିଜ୍ଞ ପରି ଶାଶ୍ଵତୀ ଧୀରେ ଓଠ ଛୁଆଁଇଲା ।

 

ନିଶା ତ ଲାଗିବା ସ୍ୱାଭାବିକ–ହେଲେ ଶାଶ୍ଵତୀ କିପରି ଜାଣି ପାରୁଥିଲା ତା’ କଥାରେ ଭାରସାମ୍ୟ ରହୁନି । ତା’ ହାତକୁ ବାହାକୁ ଧରି କେହି ମୄଦୁଚାପ ଦେଲେ ବି ସେ ପ୍ରତିବାଦ କରିବାକୁ ଶକ୍ତି ପାଉନି ।

 

ଡିନାର୍ ଟେବୁଲ୍ ତଳେ କାହାର ଏକ ଭାରି ଭାରି ପାଦ ତା’ ପାଦ ଉପରେ ମୄଦୁଚାପ ଦେଉଛି । ତା’ର ଗୋଟିଏ କହୁଣୀ ତା’ର ପେଟରେ ବାଜୁଛି ବାରମ୍ବାର । ଏଠାରେ ଏପରି ହୁଏ ଓ ସବୁ କଥା ଧରାଯାଏ ନାହିଁ ବୋଲି ବାରମ୍ବାର ତାକୁ ସୁନନ୍ଦ କହିଛି । ପାଶ୍ଚାତ୍ୟ ଦେଶରେ କୁଆଡ଼େ ବେଶୀ ବେଶୀ ଅଘଟଣ ଘଟିଯାଏ.....କହିବାର ନୁହେଁ । ମାତ୍ର ସେମାନଙ୍କର ସେଇଟା ହିଁ ଚଳଣି ।

 

କିନ୍ତୁ ସୁନନ୍ଦ କାହିଁ ? ଏତେ ଲୋକ, ଭିତରେ ତ ସେ ତାଙ୍କୁ ଦେଖୁ ନାହିଁ ? ଶାଶ୍ଵତୀ ବ୍ୟସ୍ତହୋଇ ପାଖରେ ବସିଥିବା ମିଃ ସୋରେନ୍‍ଙ୍କୁ ପ୍ରଶ୍ନକଲା । ଉତ୍ତରରେ ସେ ହସି ଦେଖାଇଦେଲେ ଗୋଟାଏ ଦିଗକୁ । ସୁନନ୍ଦ ଜଣେ ମଧ୍ୟବୟସୀ ମେଦବହୁଳା ସ୍ତ୍ରୀଲୋକ ସହିତ ଡ୍ୟାନ୍‍ସ କରୁଛି ଓ ଅନେକେ ଜମିଯାଇ ସେ ନୃତ୍ୟ ଉପଭୋଗ କରୁଛନ୍ତି । କିନ୍ତୁ କାହିଁକି ? ଅନ୍ୟମାନେ ତ ବେଶ୍ ନାଚି ପାରନ୍ତେ । ଏମିତି କି ସେ ନିଜେ ବି । ହଠାତ୍ ଉଠିପଡ଼ି ଶାଶ୍ଵତୀ ମିଃ ସୋରେନ୍‌ଙ୍କ ହାତଧରି କହିଲା–‘‘ଆସନ୍ତୁ, ଆମେ ଆଉ କାହିଁକି ବସିବା ?”

 

ମିଃ ସୋରେନଙ୍କ ବାମ ହାତ ତା’ର କଟି ବେଷ୍ଟନ କରିଛି । ଆଖିରେ ଯୁଗ ଯୁଗର କ୍ଷୁଧା ଓ ପିପାସା । ଶାଶ୍ଵତୀ କ୍ଳାନ୍ତହୋଇ ପଡ଼ିଛି–ତା’ର ଅଜାଣତରେ ବେକ ଭାଙ୍ଗି ନଦି ହୋଇ ଯାଉଛି ମିଃ ସୋରେନ୍‌ଙ୍କ କାନ୍ଧରେ, ଛାତିରେ, ସମଗ୍ର ଦେହରେ । କୋଉଠି ଯେପରି ଘନ ଘନ କରତାଳିର ଶବ୍ଦ ଆସୁଛି–ଉଜ୍ଜ୍ୱଳ ଆଲୋକ ସ୍ତିମିତ ନିଷ୍ପ୍ରଭ ହୋଇଆସୁଛି–ଗଣ୍ଡଗୋଳ ସବୁ ହୋଇଯାଉଛି । ଧୀରେ ଧୀରେ, ପାଟିକରି କାହାକୁ ସେ ଡାକିବ ଡାକିବ ହୋଇ ଡାକି ପାରୁନି । କାହାକୁ ଆଉ ଡାକିବ ? ସୁନନ୍ଦ ଯେ ବିଭୋରହୋଇ ନାଚୁଛି.....

 

ପ୍ରଭାତ ଅତିକ୍ରାନ୍ତ କରି ଆସନ୍ନ ପୂର୍ବାହ୍ନର ସୂର୍ଯ୍ୟରଶ୍ମି ଝରକାଦେଇ ଶାଶ୍ଵତୀର ମୁହଁ ଉପରେ ପଡ଼ିଛି । ଆଖି ମେଲି କେଉଁଠି ଅଛି ସେ ବୁଝିପାରିଲା ନାହିଁ । ଆରାମ ଚେୟାର ଉପରେ ଦେହରେ ସାଲ୍ ଘୋଡ଼େଇ ହୋଇ ସୁନନ୍ଦ କାଗଜ ପଢ଼ୁଛନ୍ତି । ରାତିର ଘଟଣା ସବୁ ଯେପରି ଗୋଟିଏ ସ୍ୱପ୍ନପରି ଭାସି ଯାଉଛି । ତାକୁ ନିଦରୁ ଉଠିବା ଦେଖି ସୁନନ୍ଦ ଗମ୍ଭୀର କଣ୍ଠରେ କହିଲା, ‘‘ମିଃ ଚାଟାର୍ଜୀ ବୋଲି କିଏ ଜଣେ କାଲ୍‍କାଟାରୁ ଆସି ତୁମକୁ ବହୁତ ବେଳୁ ଅପେକ୍ଷା କରିଛନ୍ତି ।’’

 

ଶାଶ୍ଵତୀ ଚମକି ପଡ଼ିଲା ଚାଟାର୍ଜୀର ନାଁ ଶୁଣି । ସାଙ୍ଘାତିକ ଲୋକ ସେ । ଦୁଇଦିନ ତଳେ ଫୋନ୍ କରିଥିଲେ ସେ ତାକୁ ମାଡ୍ରାସରୁ–ବିଜିନେସ୍ ସଂକ୍ରାନ୍ତୀୟ ଗୋଟାଏ ଲାଇସେନ୍‍ସପାଇଁ । କିଏ ତାକୁ ଏ ଅଜବ ତଥ୍ୟ ଦେଲା କେଜାଣି । ଶାଶ୍ଵତୀ ଚାହିଁଲେ କୁଆଡ଼େ ବିଭାଗୀୟ ମନ୍ତ୍ରୀ ଏଥିରେ ସମ୍ମତ ହେବେ । ଲୋକଟା ଫୋନରେ ତାକୁ ନାକେଦମ୍ କରି ଦେଇଥିଲା ସେଦିନ ।

 

‘‘ତୁମେ ତାକୁ କ’ଣ କହିଲ ?” ଶାଶ୍ଵତୀ ପଚାରିଲା ।

 

‘‘କ’ଣ କହିଥାନ୍ତି ? ଲୋକଟା ତୁମର ବହୁତ ପରିଚିତ ବୋଲି ଜାଣିଲି । ଅତଏବ ଚା’ ଜଳଖିଆ ଦେଇ ତା’ର ଚର୍ଚ୍ଚା କଲି, ସମସ୍ୟା ବି ବୁଝିଲି । ଆଚ୍ଛା ତୁମେ ଏତେ ରିଜିଡ୍ କାହିଁକି ?” ଉତ୍ତର ନଦେଇ ଶାଶ୍ଵତୀ ବାଥ୍‍ରୁମ୍‍କୁ ଚାଲିଗଲା । ବାଥ୍‍ରୁମ୍‍ରୁ ଫେରିଆସି ଦେଖିଲା ହସି ହସି ଆସୁଛନ୍ତି ସୁନନ୍ଦ । ହାତରେ ଗୋଟିଏ ଫାଇଲ୍ । ଶାଶ୍ଵତୀକୁ ଚାହିଁ କହିଲେ, ‘‘ମୁଁ ତାଙ୍କୁ ବିଦାକରି ଦେଇଛି । ଫାଇଲ୍‍ଟାରେ ତୁମେ ଅର୍ଡ଼ର ଦେବ । ଅଫିସ୍ ଯାଇ ଏତେ ଝାମେଲା କରିବାର ଅର୍ଥ କିଛି ନାହିଁ । ବିଶେଷକରି ତୁମ ଅଫିସରେ କଥାଟା କେହି ଜାଣୁ ବୋଲି ମୁଁ ଚାହେଁନା । ହଁ, ମିଃ ସୋରେନ୍ ଯେପରି କଥାଟା ନ ଜାଣନ୍ତି । ସେ ଜାଣିଲେ କଥାଟା ସାଙ୍ଘାତିକ ହେବ ଏବଂ ଶେଷକୁ ସେ ତାଙ୍କର ପରସେଣ୍ଟେଜ ଦାବିକରି ବସିବେ....ଅବଶ୍ୟ ତୁମେ ତାକୁ ଟାକଲ୍ କରି ପାରିବ ଯେ ।”

 

ଶାଶ୍ଵତୀର ଦେହ ଯେପରି ଶିର୍ ଶିର୍ କରିଉଠିଲା । ଏପରି ବସି ବସି ବାଜେ କଥା ଆଲୋଚନା କରିବା ଅପେକ୍ଷା ଶୀଘ୍ର ଅଫିସ୍ ଚାଲିଯିବା ବରଂ ଭଲ ।

 

ଅଫିସ୍ ଲୋକାରଣ୍ୟ ହୋଇସାରିଛି ସେତେବେଳକୁ । ଶାଶ୍ଵତୀକୁ ପନ୍ଦର ମିନିଟ୍ ପୂର୍ବରୁ ଦେଖିବାପାଇଁ କେହି ଯେପରି ପ୍ରସ୍ତୁତ ନଥିଲେ । ଶାଶ୍ଵତୀ ଦାନ୍ତ ଉପରେ ଦାନ୍ତ ଚାପି ନିଜକୁ ସଞ୍ଜତ ଓ ଗମ୍ଭୀର କରିବାକୁ ଚେଷ୍ଟା କରୁଥିଲା କେବଳ ।

 

ଚେୟାରରେ ବସୁ ନବସୁଣୁ ବାଜିଉଠିଲା ଫୋନ୍ । ଶାଶ୍ଵତୀ ପ୍ରଶ୍ନ କଲା । ଉତ୍ତର ଆସିଲା–‘‘ଦେଖନ୍ତୁ, ଆପଣଙ୍କୁ ଆମେ ସତର୍କ କରି ଦେଉଛୁ ଜଣେ ସ୍ତ୍ରୀଲୋକ ବୋଲି । ସେ ଉତ୍କୋଚ ନବାର ଅଭିଳାଷ ଛାଡ଼ି ଠିକ୍ ବାଟରେ କାମ କରନ୍ତୁ । ଆଉ ସବ୍‍ଅର୍ଡ଼ିନେଟ୍ କର୍ମଚାରୀଙ୍କ ସହ ଉତ୍କୋଚ ବ୍ୟବହାର କରନ୍ତୁ...ନଚେତ୍ ।”

 

‘‘ନଚେତ୍ କ’ଣ ?”

 

‘‘ଚାକିରି କରିପାରିବେନି । ଲାଇସେନ୍‍ସ ଓ ଆଉଟ୍ ସାଇଡ୍‍ ଷ୍ଟେଟ୍‍ସର ଯେତେ ବିଜିନେସ୍ ଫାଇଲ୍‍ ରହିଛି ଶୀଘ୍ର ସେଗୁଡ଼ାକ ଡିସ୍ପୋଜ କରିଦିଅନ୍ତୁ ।”

 

ଶାଶ୍ଵତୀ ଫୋନ୍‍ଟା ଥୋଇଦେଲା । ଏପରି ଧମକ ସେ ଚାକିରି କରିବା ଦିନୁ ଶୁଣିବାରେ ଅଭ୍ୟସ୍ତ । ଏପରିକି ପ୍ରତିଦିନ ଅତି କମରେ ଗୋଟାଏ ଧମକପୂର୍ଣ୍ଣ ଅଶ୍ଳୀଳ ଚିଠି ଡାକରେ ତା’ ପାଖକୁ ଆସିଥାଏ । ଖାଲି ସେତିକି ନୁହେଁ, ତା’ର ନକଲ ମଧ୍ୟ ବିଭାଗୀୟ ଉଚ୍ଚକର୍ତ୍ତାଙ୍କ ପାଖକୁ ଯାଇଥାଏ । ସମୟେ ସମୟେ ତାକୁ କୈଫିୟତ୍ ମଧ୍ୟ ଦେବାକୁ ପଡ଼ିଥାଏ ।

 

ହଠାତ୍ କିଏ ଜଣେ ପର୍ଦ୍ଦା ଆଡ଼େଇ ପଶି ଆସିଲା । ଅମରେନ୍ଦ୍ର । ଅସମୟରେ କାହିଁକି-? ଏବେ ତ ପଲିଟିକାଲ ଟେନ୍‍ସନ୍ କେଉଁଠି ନାହିଁ । ଦୁଇ ଦିନ ତଳେ ତା’ ପାଖକୁ ପାର୍ଟିର ସେ ବର୍ଷ ପୂର୍ତ୍ତିରାଲିପାଇଁ ଅବଶ୍ୟକତାର ଦୁଇଗୁଣ ଚାନ୍ଦା ପଠାଇ ଦିଆଯାଇଛି ।

 

‘‘କ’ଣ ହେଲା ? ବସନ୍ତୁ ଅମରେନ୍ଦ୍ରବାବୁ ।’’

 

‘‘ନା, ମୁଁ ବସିବାକୁ ଆସିନି । ଆପଣ ଜଣେ ଉଚ୍ଚପଦସ୍ଥ ଅଫିସର, ବିବାହିତା ଏବଂ ଜଣେ ମାଆ । ଏକଥା ଆପଣ କଲେ କିପରି ? ମିଃ ସୋରେନ୍ ଆପଣଙ୍କୁ କେତେଟଙ୍କା ଉତ୍କୋଚ ଦେଇଛନ୍ତି ? ସତ କୁହନ୍ତୁ....ମୁଁ ଏ ଇସୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେବି ।”

 

ଶାଶ୍ଵତୀର ଦେହରେ ଯେପରି କିଏ ଅଗ୍ନି ସଂଯୋଗ କରିଦେଲା । ‘‘କ’ଣ, ଆପଣ କହିବାକୁ ଆସିଛନ୍ତି ? ଶାଶ୍ଵତୀ ରାୟ ବୃଥା ଧମକରେ ଡରେ ନାହିଁ । ଆପଣ ଆସି ପାରନ୍ତି ।’’

 

ଅମରେନ୍ଦ୍ର ଠୋ ଠୋ ହସି କହିଲା, ‘‘ଏଇଟା ବ୍ରିଟିଶ ରାଜତ୍ୱ ନୁହେଁ; ମନେ ରଖିବେ ମିସେସ୍ ରାୟ । ଅନ୍ଧାରି ଶାସନ ଚାଲିବ ନାହିଁ । ମାତ୍ର ଦଶ ହଜାର ଟଙ୍କାପାଇଁ ଆପଣ ଆପଣଙ୍କ ଦେହଟାକୁ.....”

 

‘‘ସଟ୍‍ଅପ୍, ଆଇ ସେ । ନଟବର.....”

 

‘‘ବୃଥାରେ ଚମକ ସୃଷ୍ଟି କରନ୍ତୁ ନାହିଁ । ଆପଣଙ୍କ ଅଫିସର ପିଅନଠାରୁ ଆରମ୍ଭକରି ସବୁ ଅଫିସର ଦେଇସାରିଛନ୍ତି ପିଟିସନ୍ ଆପଣଙ୍କ ବିରୁଦ୍ଧରେ । କିଏ ଶୁଣିବ ଆଉ କିଏ ବିଶ୍ୱାସ କରିବ ? କାଲି ଜଟାନିୟା ଓ ନାଇଡ଼ୁଠାରୁ କେତେ ନେଇଛନ୍ତି ? ଶେଷରେ ସେଭଳି ଦୁଇଟା କଳାବଜାରିଙ୍କ ଗାଡ଼ିରେ ଆପଣ ଏତେବଡ଼ ଜନସଭାକୁ ଚାଲିଗଲେ କେଉଁ ସାହସରେ ?”

 

‘‘ମିଃ କର ! ଆପଣ ଚାଲିଯାନ୍ତୁ । ଅଗତ୍ୟା ମୁଁ ପୋଲିସକୁ ଖବର ଦେବି ?” ଠୋ ଠୋ ହସି ଉଠିଲେ ଅମରେନ୍ଦ୍ର–‘‘କେହି ବିପଦରେ ପଡ଼ିଲେ ଖବର ପାଇ ପୋଲିସ ଆସେ । ସହଜେ ଆପଣ ବଡ଼ ଅଫିସର, ତହିଁରେ ଜଣେ ନାରୀ ଏବଂ ଅତୀବ ସୁନ୍ଦରୀ । ପୋଲିସ ଏ ସୁବିଧା ଛାଡ଼ିବ ନାହିଁ ।”

 

ଶାଶ୍ଵତୀ କ’ଣ କହିବ କିଛି ବୁଝି ପାରୁନଥିଲା । ପରଦା ସେପଟରେ ଓ ଏପଟରେ ଅଜସ୍ର ଲୋକ ଜମିଗଲେଣି । ପୁଣି ଗୁଡ଼ାଏ ଲୋକ ପଶି ଆସିଲେ । ହାତରେ ଫଟୋ–ବଡ଼ ବଡ଼ ସାଇଜର ଫଟୋ । କାହାର ? ଅମରେନ୍ଦ୍ର ତା’ ଟେବୁଲ ଉପରେ ଗଦେଇ ଦେଇଗଲା ଗୋଟାକୁ ଗୋଟା । ଏ କ’ଣ... ?

 

କାଲି ରାତିରେ ତା’ର ମଦ ପିଇବାଠାରୁ ଆରମ୍ଭକରି ମିଃ ସୋରେନ୍‍ଙ୍କ ସହିତ ଡ୍ୟାନ୍‍ସର ଟିକିନିଖି ଚିତ୍ର । କିପରି ସମ୍ଭବ ହେଲା ? ତା’ହେଲେ....ତା’ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରୁପ ତା’ ପଛରେ ଯେ ଅଭିଯାନ କରିଛି–ଏଥିରେ ଆଉ ସନ୍ଦେହର ଅବକାଶ କାହିଁ ? ବିରକ୍ତହୋଇ ଶାଶ୍ଵତୀ କହିଲା, ‘‘ସେ ମୋର ବ୍ୟକ୍ତିଗତ ବ୍ୟାପାର । ମୁଁ କେଉଁଠି ବସିଲି, କାହା ସଙ୍ଗରେ ନାଚିଲି, କ’ଣ କଲି ତା’ର କୈଫିୟତ୍‍ ମୁଁ ଆପଣଙ୍କୁ ଦେବି ନାହିଁ । ଆପଣମାନେ ଯାହା କରନ୍ତି, କେତେ ଡ୍ରିଙ୍କ୍ କରନ୍ତି, କେତେ ସ୍ତ୍ରୀଲୋକ ନେଇ ବଡ଼ ବଡ଼ ହୋଟେଲରେ ରାତ୍ରିଯାପନ କରନ୍ତି, କେତେ ଇଲିଗାଲ୍ ପ୍ରତିଷ୍ଠାନକୁ ଉତ୍ସାହିତ କରନ୍ତି ଏବଂ କେତେ ଅର୍ଥ ତୋଷରଫ କରନ୍ତି, ତା’ର ହିସାବ ମୁଁ ଯେତେବେଳେ ମାଗିନାହିଁ, ଆପଣଙ୍କର କି ଅଧିକାର ଅଛି ଏ ପ୍ରଶ୍ନ କରିବାକୁ ? ଯା’ନ୍ତୁ ବାହାରି ଯା’ନ୍ତୁ.... ଆଇ ସେ, ଗେଟ୍ ଆଉଟ୍ ।”

 

ହଠାତ୍ ଯେପରି ଉପସ୍ଥିତ ଜନତା ମୁହଁରେ କିଏ ପୂର୍ଣ୍ଣଚ୍ଛେଦ ଟାଣି ଦେଉଛି । ଏପରି ଏକ ଅଦ୍ଭୁତ ପ୍ରଶ୍ନ ଘୋର ସଙ୍କଟ ମୁହୂର୍ତ୍ତରେ ଶାଶ୍ଵତୀ କରିବ ବୋଲି କେହି ବିଶ୍ୱାସ କରି ନଥିଲେ ଯେପରି । ଦୁଇଜଣ ଯୁବକ ମୁରବି କଣ୍ଠରେ ପାଟିକରି ଉଠିଲେ, ‘‘ମାମଲା ଏପରି ଛିଡ଼ିବନି, ସବୁ ବିଜିନେସ୍‍ବାଲା, ମନ୍ତ୍ରୀଙ୍କୁ ହାତକରି ରଖିଛି ମାଇକିନା । ସିଧା ହାତକଡ଼ି ପକାଇ ରାସ୍ତାରେ ଚଲେଇଦେବାକୁ ହେବ । ଅର୍ଥ, ନାରୀ ଆଉ ସୁରା ତିନୋଟି ବ୍ୟାପାର ବନ୍ଦ କରିବାକୁ ହେବ....ଏ ବାଟରେ ନୁହେଁ । ବାଟ ଭିନ୍ନ । ଚାଲନ୍ତୁ ଆଜ୍ଞା, ମାଇକିନାଙ୍କ ସାଙ୍ଗରେ କଳିକରି ପାରିବେନି–ଆପଣଙ୍କର ଇଜ୍ଜତ ଅଛି ।”

 

ସେମାନେ ଚାଲିଗଲେ । ପରେ ପରେ ଫୋନରେ ଭାସି ଆସିଲା ସୁନନ୍ଦର କଣ୍ଠ । ‘‘ତୁମେ ସୋରେନ୍‍ଙ୍କ ସହ କାଲି ନାଚିଥିଲ ? କେତେ ପେଗ୍‍ ପିଇଥିଲ ? ତୁମେ ଭୁଲିଯାଉଛ ଯେ ତୁମେ....ତୁମେ ଜଣେ...ଆଚ୍ଛା ! ପୋଜ ନେଇ ଫଟୋ ଉଠାଇବା ତୁମେ କ’ଣ ଭୁଲିଗଲ..... ।”

 

ଖୁବ୍ ଗମ୍ଭୀର କଣ୍ଠରେ ଶାଶ୍ଵତୀ କହିଲା, ‘‘ମୁଁ କିଛି ଭୁଲିନି । ମୁଁ ନାଚିଥିଲି, ମଦ ପିଇଥିଲି ଏବଂ ଗପ କରିଥିଲି, ଯାହା ସମସ୍ତେ କରନ୍ତି, ମୁଁ କରିଛି । ଏଥିରେ ପ୍ରଶ୍ନକରିବା କାହାର ଅଧିକାର ନାହିଁ–ସେ ଅଧିକାର ତୁମେ ବହୁତ ଦିନରୁ ନିଜର ଯୋଗ୍ୟତା ବଳରେ ହରେଇ ବସିଛି । ଧନ୍ୟବାଦ-।’’

 

ଫୋନ୍‍ଟା ଏକବାରେ କଚାଡ଼ିଲା ପରି ଥୋଇଦେଲା ଶାଶ୍ଵତୀ । ଚତୁର୍ଦ୍ଦିଗରେ ଅଖଣ୍ଡ ନିରବତା, ନିର୍ଜନତା କୁଢ଼େଇ ହୋଇପଡ଼ୁଛି ଆସନ୍ନ ଯୁଦ୍ଧର ସଂକେତ ଧରି । ମନହେଉଥିଲା ନିଜ ପଣତରେ ଅଗ୍ନି ଧରାଇ ସେ ସମଗ୍ର ପୃଥିବୀ ଜାଳି ଦେଇଆସିବ । ମନହେଉଥିଲା ଅଟ୍ଟହାସ୍ୟ କରି ଧରିତ୍ରୀର ବକ୍ଷ ବିଦୀର୍ଣ୍ଣକରି ଦେଖିବ ବାସୁକୀର ସର୍ବଂସହା ରୂପ । ମନହେଉଥିଲା ଶୂନ୍ୟ ମଣ୍ଡଳରେ ହସ୍ତ, ପଦ, ବିସ୍ତାର କରି ଉଲଗ୍ନ ରୂପରେ ସେ ବିହାର କରିବ । ମନହେଉଥିଲା ‘‘ଅସଂଖ୍ୟ ଅସଂଖ୍ୟ..... !!!”

Image

 

ସମ୍ରାଟ

 

ବେପରୁୱା ଭାବରେ ଗୋଟାକ ପରେ ଗୋଟାଏ ସିଗାରେଟ୍‍ ଟାଣି ଚାଲିଥିଲା ବିଜୟ । ତା’ ନମ୍ବର ପାଇଁ କେଉଁଠି, ଆଜି ପାଳି ପଡ଼ିବ କି ନାହିଁ ସନ୍ଦେହ । ଆଉ ପାଳି ପଡ଼ିଗଲେ କଣଟା ହେବ ? ଯାହା ତାକୁ ପଚାରିବେ ସେ ଗୋଟାଏ ହେଲେ ବି ଉତ୍ତର ଦେଇପାରିବ ନାହିଁ । ଯଦି ବା ଉତ୍ତର ଦିଏ ସେସବୁ ଷ୍ଟାଣ୍ଡାର୍ଡ଼ ହେବନାହିଁ । ଷ୍ଟାଣ୍ଡାର୍ଡ଼ ହେଲେ ପୋଲିସ୍ ଏନ୍‍କ୍ୱାରୀ ହେବ ଏବଂ କେଉଁଠୁନା କେଉଁଠୁ ଗୋଟାଏ ବ୍ୟାଡ୍ କଣ୍ଡକ୍ଟ ସାର୍ଟିଫିକେଟ୍ ଆସି ପହଞ୍ଚିଯିବ-ବାସ୍‍ ତା’ପରେ କଥା ସରିଗଲା । ଏଇଠି ଯଦି କଥାଟା ସରିଯାଆନ୍ତା ତା’ହେଲେ ବିଜୟର କିଛି ଯାଏ ଆସେ ନାହିଁ । କିନ୍ତୁ କଥାଟା ଯାଇଁ ଘରେ ପହଞ୍ଚିଯିବ । ବାପା କହିବେ ଏମ୍.ଏ. ପାସ୍‍ କରି ପିଲାଗୁଡ଼ାକ ଅକର୍ମା ହୋଇଗଲେ । ଆଗକାଳର ମାଟ୍ରିକ୍ୟୁଲେଶନ ସଙ୍ଗରେ ପରା ଆଜିକାର ଆଇ.ଏ.ଏସ୍. ପିଲା ସମକକ୍ଷ ନୁହଁନ୍ତି । ଆଇ.ଏ.ଏସ୍, ଆଇ.ପି.ଏସ୍ ସବୁ ପରୀକ୍ଷା ସେ ଦେଇଛି, ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେଇଛି ଏବଂ ହଲ୍‍ରୁ ଫେରି ବହି ପକାଇ ମିଳାଇ ଦେଖିଛି ଶହେରୁ ଦୁଇଶହ ଭାଗ ଖାଣ୍ଟି । ଇଣ୍ଟରଭିଉ ବେଳେ ଯାହା ପଚରା ଯାଉଛି ସବୁତ କହୁଛି । ହେଲେ..... ।

 

‘‘ଏ ବିଜୟ । ଟିକେ ଦେଖିଲୁ ? ଏ ସହର ଗୁଡ଼ାକର ନୂଆ, ନୂଆ ନାଁ ସବୁ କ’ଣ ହୋଇଛି । କିଛି ତ ମନେପଡ଼ୁନି.... ।”

 

ମୋହନର କଥା ଶୁଣି ବିଜୟ ହସିବ କି କାନ୍ଦିବ, ବୁଝି ପାରିଲା ନାହିଁ । ସିଗାରେଟ୍ ଗୁଳା ଝାଡ଼ୁ ଝାଡ଼ୁ କହିଲା–

 

‘‘ଆରେ ତତେ ସେ ଏ ସହର, ଏ ପୃଥିବୀ କଥା ପଚାରିବ ବୋଲି ଭାବୁଛୁ କାହିଁକି ? ସେ ତତେ ସୌରଜଗତ କଥା ପଚାରିବ । ଯେଉଁ ଜଗତର କଥା–ତୁ ନାଁ ତୋ ଚୌଦପୁରୁଷ କିଏ କହିପାରିବ ? କେତେଥର କହିଲିଣି ଚୁପ୍ ହୋଇ ବସ; ଅନ୍ତତଃ ଦେଖ, ଚାରିଆଡ଼ ବୁଲାବୁଲିକରି କେମିତି କାଗଜଫୁଲ ଫୁଟିଛି, କଙ୍କି ପ୍ରଜାପତି ଉଡ଼ୁଛି, ଆଉ ହିସାବକରି ଦେଖ କେମିତି ଦୁଇଟା ପୋଷ୍ଟକୁ ଆମେ କେତେ ଜଣ ଆସିଛେ ଭାଗ ବାଣ୍ଟିବାପାଇଁ !”

 

ମୋହନ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି କହିଲା–

 

‘‘କିଛି ଚାନ୍‍ସ ନାହିଁ । ତଥାପି ବ୍ୟର୍ଥହୋଇ ଦୌଡ଼ିବାକୁ ପଡ଼ୁଛି । ନ ଆସିଲେ ଧର... !’’

 

‘‘ଫିଲୋସଫି ବନ୍ଦକର । ଆସିବାକୁ ହେବ, ବଞ୍ଚିଥିଲା ପର୍ଯ୍ୟନ୍ତ ଏବଂ ଏ ସହରରେ ଥିଲା ପର୍ଯ୍ୟନ୍ତ ଏ ଘୋଡା ଦୌଡ଼ରୁ ମୁକ୍ତି ନାହିଁ ।’’

 

ମୋହନ କିଛି କହିଲା ନାହିଁ । ଗୋଟାଏ କରୁଣ ବିଷଣ୍ଣତାରେ ତା’ ମୁହଁ ଅଧିକ ବିଷଣ୍ଣ ହୋଇଗଲା । ଆହା ବିଚାରା କେତେ କଷ୍ଟକରି ସେ ପାଠ ପଢ଼ିଛି–ଦୁଇବେଳା ଟିଉସନ୍, ଖଣ୍ଡେ ପ୍ୟାଣ୍ଟସାର୍ଟ ଆଉ ବିଡ଼ି, ସିଗାରେଟ୍‍, ଚା’, ପାନଶୂନ୍ୟ ନିଶୂନ ତା’ର ଜୀବନ । ବେଳେବେଳେ ତା’ ମୁହଁକୁ ଦେଖିଲେ ବିଜୟକୁ ଭାରି କଷ୍ଟହୁଏ ।

 

ଏଗାର, ବାର; ଗୋଟାଏ, ଦୁଇଟା ବାଜିଲା । ତଥାପି ମଧ୍ୟ ସଂଖ୍ୟା କମିନାହିଁ । କି ଆଶ୍ଚର୍ଯ୍ୟ ! ଏପରିହୋଇ ତିନିଥର ଆସି ସେ ଫେରିଲାଣି । ଏଥର ! ଯଦି ସବୁ ସମ୍ମିଳିତ ପ୍ରାର୍ଥୀଙ୍କୁ ସେ କହିବ; ଚାଲ ପଚରିବା, ଚାଲ ଆନ୍ଦୋଳନ କରିବା, ଚାଲ ମୁକାବିଲା କରିବା–କାହିଁକି ନାଁ ଅପେକ୍ଷା ଆଉ ସହିହେଉନି । ସବୁ ଲୋକ ତାକୁ ବୋକା ଭାବି ଚାହିଁବେ, କି ପାଗଳା ବୋଲି ହସି ଉଡ଼ାଇଦେବେ । ବେଶୀ କିଛି ଗଣ୍ଡଗୋଳ କଲେ ତେଣିକି ସ୍ୱତନ୍ତ୍ର ବ୍ୟବସ୍ଥା ଅଛି ସମାଜର, ସରକାରୀ କଳର ତଥା ଗତାନୁଗତିକ ବିଚାରଧାରାର । ଏକା, ଏକା ସେ କ’ଣ କରିବ ? କାଗଜ ଫୁଲର ରଙ୍ଗ ଥାଇପାରେ, ହେଲେ ବାସ୍ନା ତ ନାହିଁ ?

 

‘‘ଏ ବିଜୁ, ତୁ ଏତେ ସିଗାରେଟ୍ କାହିଁକି ଟାଣୁଛୁ କିରେ ? ପାଟିଟା ସ୍ମେଲ କରିବ । ଏଣ୍ଡ ଦ୍ୟାଟ୍ ଇଜ୍ ଇଲମ୍ୟାନର ।”

 

ସମ୍ପର୍କରେ ଶମ୍ଭୁନାଥ ବିଜୟର ଦାଦା ହେବ । ବର୍ଷେ ଦି’ବର୍ଷ ବଡ଼ହେବ ବୟସରେ । ମାତ୍ର ସୁବିଧା ସୁଯୋଗ ପାଇଲେ ସେ ତାକୁ ଆକଟ କରିଥାଏ । ଭାଗ୍ୟକୁ ଗୋଟାଏ ଅଫିସରେ ସେ କିରାଣି ପୋଷ୍ଟଟିଏ ପାଇଯାଇଛି ବିନା ଡିଗ୍ରୀରେ । ଅନ୍ତତଃ ସେ ବିଷୟରେ ଶମ୍ଭୁନାଥ ଭାଗ୍ୟବାନ ।

 

ରାଗରେ ଜଳି ଉଠିଲେ ବି ଏ ସମୟରେ କିଛି କହିବା ଉଚିତ ହେବନି ବୋଲି ବିଜୟ କଥା ଘୂରେଇ ପଚାରିଲା–

 

‘‘ଦାଦା ! ତୁମର ଆଜି ଅଫିସ୍ ନାହିଁକି ? ଏତେବେଳେ ଏଆଡ଼େ ଯେ..... !’’

 

‘‘ଅଫିସ୍ ଅଛି । ଅବି ଲଞ୍ଚ ଆୱାର; ମୁଁ ଭିବିଲି ତୋ କଥାଟା ଟିକେ ମିଃ କପୁରଙ୍କ କାନରେ ପକେଇ ଦେଇଥାଏ....ତା’ପରେ ଭାଇ କାଲି ଆସି ଯାହା ବ୍ୟସ୍ତ ହେଲେ.... ।”

 

ଭାଇ ଓରଫ ବିଜୟର ବାପା । ଯାହାଙ୍କ ବିରୁଦ୍ଧରେ ଶମ୍ଭୁନାଥ ସର୍ବଦା ଚକ୍ରାନ୍ତ କରୁଥାଏ, ସେ ପୁଣି.... !

 

ବିଜୟର ହାତକୁ ଟାଣିନେଇ ଗୋଟାଏ କରକୁ ଘୁଞ୍ଚି ତା’ର କାନ ପାଖରେ ମୁହଁ ରଖି ଶମ୍ଭୁନାଥ କହିଲା–

 

‘‘କପୁର ଖୁବ୍‍ ଭଲଲୋକ । ମୁଁ ସବୁ କହିଦେଇଛି, ଖାଲି ତୁ ସ୍ମାର୍ଟ ହେଲେ ହେଲା । ବୁଝିଲୁ ? ଯେକୌଣସି ପୋଷ୍ଟ ହେଉ....ଇନ୍‍କମ୍ ତୋର ଠିକ୍‍ ରହିଲେ ହେଲା; ଏଁ, ବୁଝିଲୁ..... ।’’

 

ବିଜୟର ନିଶ୍ୱାସ ଖରାବେଳର ତାତିଲା ପବନରେ ଯେମିତି ଉତ୍ତପ୍ତହୋଇ ଲାଗିଗଲା ମୁଣ୍ଡରେ । ଶମ୍ଭୁନାଥ ମୁହଁରୁ ସଦ୍ୟ ହୁଇସ୍କିର ଗନ୍ଧ ।

 

ବିଜୟ ହଠାତ୍‍ ପଚାରିଲା–

 

‘‘ତମେ ଦାଦା–ମାନେ କ’ଣ ଖାଇଛ ? ଏମିତି ପାଟିଟା ଗନ୍ଧଉଛି କାହିଁକି ?’’

 

‘‘କାହିଁ ? ଓ.....ଓ.....ବୁଝିଲି....ସେ କିଛି ନୁହେଁ । ଆମର ସେଇ କପୁର ମ ! ସେ କ’ଣ ଛାଡ଼ିଲା–ମୁଁ ମନା କରୁଛି ଦିନଟାରେ, ଏତେବେଳେ ଗୋଟାଏ କ’ଣ ? ହେଲେ ଏଡ଼େ ବଡ଼ ଅଫିସର କିଛି ତ କହି ହେବନି । ଦେଲୁ ଦେଲୁ ଗୋଟେ ପାନାମା ଦେ..... ।”

 

ସିଗାରେଟ୍‍ ପ୍ୟାକେଟ୍‍ଟା ହାତରେ ଧରି ଶମ୍ଭୁନାଥ ଚାଲିଗଲା, ଯେମିତି ସେ ଆସିଥିଲା-। ଇଡ଼ିୟଟ୍, ଟାଉଟରିର ଗୋଟାଏ ସୀମା ଥାଏ, ପୁଣି ଗୋଟାଏ ପରିସର ମଧ୍ୟ ଥାଏ । ସେକଥା କ’ଣ ଶମ୍ଭୁନାଥ କେବେ ବୁଝୁଛି ନାଁ ବୁଝିବ ?

 

ହଠାତ୍ ଗୋଟାଏ ହଇହଲ୍ଲାରେ ସଚେତନ ହୋଇଉଠିଲା ବିଜୟ । କିଏ ଜଣେ ପାଟିକରି କହୁଛି ଚାରିଟା ବାଜିଗଲାଣି, ଆଜି ଏତିକିରେ ଇଣ୍ଟରଭିଉ ବନ୍ଦ ରହିଲା । ବାକି ରହିଥିବା ପ୍ରାର୍ଥୀମାନଙ୍କର ଆସନ୍ତାକାଲି ଏଗାରଟା ସମୟରେ ହେବ.... ।

 

ଦାନ୍ତ ଉପରେ ଦାନ୍ତ ଚାପି ବିଜୟ ପଦାକୁ ଚାଲି ଆସିଲା ଭିଡ଼ ଠେଲି । ଓଃ ! ମଣିଷ ବଞ୍ଚିଗଲା । ଅପରାହ୍ନରେ ଖରାର ତେଜ ଯଥେଷ୍ଟ କମି ଯାଇଛି । ଚାରିଆଡ଼ ହାଲ୍‍କା ଲାଗୁଛି, ଥଣ୍ଡା ନ ହେଲେ ବି ପବନର ଏକ ମଧୁର ସ୍ପର୍ଶ ରହିଛି ।

 

ନୀରବରେ ପକେଟରେ ହାତ ପୂରାଇ ପଇସା ଗଣିଲା । ଆସିଲାବେଳେ ବୋଉ ଦେଇଥିବା ଖୁଚୁରା କେତୋଟି ପଡ଼ିଛି । କପେ ଚା’ ହେବ କି ନାହିଁ ?

 

କୃଷ୍ଣଚୂଡ଼ା ଗଛମୂଳେ ବସ୍‍କୁ ଅପେକ୍ଷା କରିଛନ୍ତି ସେଇ ଅପଦାର୍ଥଗୁଡ଼ାକ । ତା’ ଭିତରେ ଅନ୍ୟମନସ୍କ ଭାବରେ ଛିଡ଼ାହୋଇଛି ମୋହନ । ଆଜି ନିଶ୍ଚୟ ସେ ଜ୍ୟୋତିଷ ପାଖକୁ ଯିବ ହାତ ଦେଖେଇବାକୁ । ତା’ପରେ ଆସନ୍ତାକାଲି କି ଉତ୍ତେଜନା ନେଇ ସେ ଆସିବ କେଜାଣି ଏଠାକୁ । ନିଜର ଅବସ୍ଥା ମଧ୍ୟ ଠିକ୍ ସେଇଆ । ହେଲେ ମୋହନ ପରି ସେ ଯିବନାହିଁ ଜ୍ୟୋତିଷ ପାଖକୁ । କାରଣ ସେ ଜାଣିଛି ଆସନ୍ତାକାଲି, ତାରପର କାଲି ଓ ତା’ ପରରଯେତେ କାଲି ଅଛି ସେସବୁ ଏହିପରି ଲମ୍ବା ସମତଳ ପଥ । ସେଥିରେ ସେ ଚାଲୁଥିବ ଯେ ଚାଲୁଥିବ....କିଛି ପରିବର୍ତ୍ତନ ନାହିଁ, କିଛି ଓଲଟପାଲଟ ନାହିଁ....ଖାଲି ରାସ୍ତା ଆଉ ରାସ୍ତା । ଅସରନ୍ତି, ସୀମାହୀନ ରାସ୍ତା । ବିଜୟ ବଞ୍ଚିଛି ବୋଲି ପ୍ରମାଣଦେବାକୁ ହେବ ଯେ ! ଅନ୍ତତଃ ମୋହନଠାରୁ.... ।

 

ଟିଂ ଟିଂ କରି ରିକ୍ସାଟାଏ ତା’ ସାମ୍ନାରେ ଅଟକିଗଲା । କିଏ ? କିଏ ବସିଛି ରିକ୍ସାରେ ? ମୁହଁଟା ଅତି ପରିଚିତ ଅଥଚ ହେଭି ମେକଅପ୍ ଯୋଗୁ ଚିହ୍ନି ହେଉନି ।

 

ଝିଅଟି ଫିକ୍‍କରି ହସିଦେଇ କହିଲା–

 

‘‘ଆରେ ! ଚିହ୍ନି ପାରୁନାହଁ ନାଁ କ’ଣ ? ଏମିତି ବକ୍ ବକ୍ କରି ଚାହିଁଛି, ଯେ ! ଏଇନେ ଯଦି ଏକ୍‍ସିଡେଣ୍ଟ ହୋଇଥାନ୍ତା.... ।’’

 

ଚିହ୍ନୁଛି, ବାଃ.... । ଆଚ୍ଛା ସ୍ନେହ ତୁମେ ‘‘ଶେଷର କବିତା ପଢ଼ିଛ ?’’

 

‘‘ହଠାତ୍‍ ସେକଥା କାହିଁକି ମନେପଡ଼ିଲା ? ପୁଣି ଏଇ ଅସମୟରେ ?’’

 

‘‘ଅସମୟରେ ? ମୁଁ ଉଠାଣି ରାସ୍ତା ଉପରଦେଇ ଯାଉଛି, ଆଉ ସେଆଡ଼ୁ ତୁମେ ଆସୁଛ, ହେ ରୂପସୀ ! ନ ହୋଇପାର ତୁମେ ଶଶି ବା ଉର୍ବଶୀ, ତଥାପି ତ ତୁମେ ସୁନ୍ଦରୀ ନାରୀ ! ଏକ୍‍ସିଡେଣ୍ଟକୁ ଏତେ ଭୟ କାହିଁକି ?’’

 

ବିଜୟର କଣ୍ଠ ଉଲ୍ଲସିତ ହେବାର ସୂଚନା ଦେଉଥିଲା ।

 

‘‘ଦେଖୁଛି ବିଜୟ, ତୁମେ ସେଇ କଲେଜପଢ଼ୁଆ ଦିନର ମନୋଭାବ ଏବେ ବି ରଖିଛ ! ତୁମ ଚେହେରାରେ ବି କିଛି ପରିବର୍ତ୍ତନ ହୋଇନି । ଅଥଚ ଜାଣ, ମୋତେ ଲାଗୁଛି ଯେମିତି କାହିଁ କେତେ ଯୁଗ ତଳେ ମୁଁ ପଢ଼ୁଥିଲି ! ମାତ୍ର ପାଞ୍ଚଟି ବର୍ଷ ଭିତରେ ପୃଥିବୀ କେତେ ଖର୍ଚ୍ଚ କରିଦେଇଛି ମତେ କହିଲ ? ପୁରୁଷମାନଙ୍କର ଏଇ ଗୋଟାଏ ସୁବିଧା ।”

 

ଝିଅଗୁଡ଼ାକ ବଡ଼ ପ୍ରାକ୍ଟିକାଲ । ଧେତ୍ ! କି ପରିସ୍ଥିତିଦେଇ ବିଜୟକୁ ଚଳିବାକୁ ହେଉଛି, ସେକଥା ଯଦି ଟିକେ ବୁଝନ୍ତା ସ୍ନେହ !

 

ବିଜୟ ରୁମାଲଟା କାଢ଼ି ମୁହଁଟାକୁ ପୋଛି ନେଇ କହିଲା–‘‘କୁହ, ଏ ଭୁବନମୋହିନୀ ବେଶରେ ଦେବୀ କେଉଁଆଡ଼େ ବର ଦେବାପାଇଁ ଯାତ୍ରା କରୁଛନ୍ତି ।’’

 

‘‘ହେଃ ! ବାଜେ କଥା କୁହନି ! ତୁମେ ତ ଜାଣ ମୁଁ କ’ଣ କରୁଛି । ସେଥିରେ ଘୋଡ଼ା ଛ ଟଙ୍କାକୁ ଦାନା ନଅ ଟଙ୍କା । କୌଣସି ମତେ ବଞ୍ଚିଯିବା କଥା । ଘରର ଅବସ୍ଥା ତ ଜାଣ....... ।”

 

ବିଜୟର ମନେପଡ଼ୁନି ସ୍ନେହ କ’ଣ କରେ, ଯଦିଓ ଅନେକବାର ସେ ତାକୁ କହିଛି, ଏମିତିକି ଗୋଟାଏ ଚାକିରି ବୁଝିଦେବାପାଇଁ ଅନୁରୋଧ କରିଛି । ସ୍ନେହ ତା’ର ଅସୁବିଧା, ପରିବାରର ଜଞ୍ଜାଳ ଓ ସାମାଜିକ ଯନ୍ତ୍ରଣା ଗପି ଚାଲିଥିଲା ଗତାନୁଗତିକ ଧାରାରେ ।

 

ଥଙ୍ଗଥଙ୍ଗ ହୋଇ ବିଜୟ କହିଲା–‘‘ମାନେ ସ୍ନେହ....ତୁମେ ଏ ପର୍ଯ୍ୟନ୍ତ ସେଇ....ସେଇ ମାର୍କେଟରେ ମାନେ.....ମାନେ....ଓ....ହଁ ବୁଝିଲି.... ।’’

 

‘‘ଧ୍ୟ୍ୟତ୍ ! ତୁମର କିଛି ମନେ ରହେ ନାହିଁ । କୋଉ ମାର୍କେଟରେ ମ ? ମୁଁ ପରା ସେଇ କ୍ଲଥ କମ୍ପାନୀର ମଡେଲଭାବରେ କାମ କରୁଛି ଆଜିକି ପାଞ୍ଚବର୍ଷ ହେଲାଣି । କେତେଥର କହିବି-?” ସ୍ନେହ ଏଥର ମୁହଁ ଫୁଲାଇଦେଲା ।

 

‘‘ଓ ସତେତ ! ଇଉ ଆର୍ ରିଏଲି ଅନ୍‍ଲକି ! ସେଇଦିନୁ, ସେଇଦିନୁ ତୁମେ ଗୋଟାଏ ମଡେଲ ହୋଇରହିଛ ? ଚୁ.....ଚୁ....ଚୁ । ଆଚ୍ଛା ସେ କମ୍ପାନୀର ମାଲ ମାର୍କେଟରେ ଭଲ କଟୁଛି ତ-?”

 

‘‘ଓଃ ! ବାଜେ କଥାପାଇଁ ବେଳ ନାହିଁ ମୋର । ତେଣେ ଆର୍ଟିଷ୍ଟ ଆସି ବସିଥିବ.... ।’’

 

‘‘ତୁମେ ନିଜକୁ କେବେ ଦର୍ପଣରେ ଦେଖିଛ ! ତୁମ ଆଖିରେ ମୋଟେ ତେଜ ନାହିଁ, ଗାଲ ପଶିଗଲାଣି ଭିତରକୁ, ଆଉ ଦାନ୍ତଗୁଡ଼ାକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି.....ଏଥିରେ ତୁମେ ମଡେଲିଂ ଦାୟିତ୍ୱରେ ଅଛ ?’’

 

ସ୍ନେହ ଯେପରି ଆହତ ହେଲା ! ଓଠ ଉପରେ ଓଠ ଚାପି ଉଦ୍‍ଗତ କ୍ରୋଧ କି କୋହ କ’ଣ ସେ ରୋକିନେଲା ବୁଝି ହେଉନି । ରୁଦ୍ଧ କଣ୍ଠରେ ସେ କହିଲା–

 

‘‘ମୋର ତୁମପରି ସମର୍ଥ ନାହିଁ । ତୁମପରି ମୁଁ ମେଧାବୀ ଛାତ୍ର ମଧ୍ୟ ନୁହେଁ । ତଥାପି ବଞ୍ଚିବାକୁ ତ ହେବ । ତୁମକୁ ତ କେତେଥର କହିଛି.... ।’’

 

‘‘କ’ଣ ?’’

 

‘‘ଚାକିରିଟିଏ ଖୋଜି ଦିଅ ।’’

 

‘‘ନଚେତ୍.....ହେଲାନି, ଧର....ମନେକର । ତା’ର ଅଲଟରନେଟିଭ କ’ଣ ?’’

 

‘‘ଧେତ୍ ! ଅଲଟରନେଟିଭ ? ଚୋପା !’’ ବିରକ୍ତିରେ ସ୍ନେହ ରିକ୍ସା ଉପରେ ଖପ୍‍କରି ବସିପଡ଼ିଲା ଏବଂ ରିକ୍ସାବାଲାକୁ ଇଙ୍ଗିତ କଲା ଚଲାଇବାପାଇଁ ।

 

ବିଜୟ ପାଖକୁ ଯାଇ କହିଲା–

 

‘‘ଚୋପା ନୁହେଁ ! ଅଛି ଅଲଟରନେଟିଭ । ମାନେ ବରଟିଏ ଖୋଜି ଦେଇପାରେ । ପ୍ରଚୁର ମିଳିବେ ।’’

 

‘‘ତୁମର ସତରେ ବୁଦ୍ଧି ଶୁଦ୍ଧି ହେବନି । କୋଉ ଲୋକର ଗରଜ ପଡ଼ିଛି ଭଲା ସେ ବାହାହେବାକୁ ଧାଇଁ ଆସିବ ମତେ ? କ’ଣ ଅଛି ମୋର ! ଆଚ୍ଛା ଚାଲିଲି....ବାଏ.... ।”

 

ଶେଷବେଳକୁ ସ୍ନେହର କଣ୍ଠଟା ଯେମିତି ଓଦାହୋଇ ଯାଇଥିଲା । ସତେତ ! ସ୍ନେହ ତାକୁ ଅନେକବାର କହିଛି, ଅଥଚ ସେ ଭୁଲି ଯାଇଛି, ମନେରଖିଥିଲେ ବି କ’ଣ କରିଥାନ୍ତା ? ଚାକିରିଟିଏ ଖୋଜି ଦେଇଥାନ୍ତା ? କୋଉଠୁ, କୋଉଦିନୁ କୋଉ ଘଟଣାରୁ ସ୍ନେହ ତା’ପ୍ରତି ଏତେ ଭରସା ରଖିଥିଲା କେଜାଣି ? ବୋଧେ ସେ ଧରି ନେଇଛି ବିଜୟ ଖୁବ୍‍ ଭଲରେ, ବଡ଼ ପୋଷ୍ଟରେ ରହିଛି । ତେଣୁ କିଛିଟା ସମସ୍ୟାର ସମାଧାନ ସେ କରିଦେଇପାରେ ।

 

ବିଜୟ ଆଉ ଚାଲି ପାରିବନି । ସିଗାରେଟ୍‍ ନାହିଁ, ଚା’ ନାହିଁ, ସାଙ୍ଗରେ କଥା କହିବାକୁ କେହି ନାହିଁ....ନିଜକୁ କିଛି ବିରାଟ ଚିନ୍ତାରେ ମଧ୍ୟ ଆକ୍ରାନ୍ତ କରିଦେବାକୁ ବିଜୟର ଶକ୍ତି ନାହିଁ ! କି ଗୋଟାଏ ଗଣ୍ଡଗୋଳ କରି ହଇହଲ୍ଲା କରିବାକୁ ଇଚ୍ଛା ହେଉନାହିଁ । କେଜାଣି କେମିତ ଗୋଟାଏ ବୋର୍ ଲାଗୁଛି । ଭୀଷଣ ବୋର୍ !

 

ଅଗତ୍ୟା ରାସ୍ତା ପାଖରେ ଚା’ ଦୋକାନର ବେଞ୍ଚ ଉପରେ ବସିପଡ଼ିଲା । ଦୋକାନରେ ଗହଳି ବେଶୀ ନଥିଲେ ବି ତା’ଭଳି ଲୋକ ଯେ ନାହିଁ ସେଇ ଗୋଟିଏ ଅଶ୍ୱସ୍ତିର ବିଷୟ ଯାହା ।

 

‘‘ବାବୁ ଚା’ !” ଦୋକାନୀ ଗ୍ଲାସରେ ଚା’ ବଢ଼େଇ ଦେଲା । ବିଜୟର ମନେପଡ଼ିଲା ପଇସା ନାହିଁ, ଅଧକପ୍ ହେଲେ ଚଳିବ । ମାତ୍ର ତାହା ତ ସେ କହି ପାରିବନି, ତେଣୁ ମନା କରିଦେବା ଭଲ । ଦୋକାନୀ କିନ୍ତୁ ନଛାଡ଼େ, ଚା’ ନ ଖାଇଲେ ତା’ର ମନ କଷ୍ଟ ହେବ । ସେ ଖୁସିରେ ଦେଉଛି । ପଇସାପାଇଁ ନୁହେଁ ।

 

ପରମ ତୃପ୍ତିରେ ପିଇଦେଲା ଚା’ କପ୍‍ଟା ବିଜୟ । ଏ କଥାଟି ନିଶ୍ଚୟ ମନେରଖିବ । କେବେ ଭବିଷ୍ୟତରେ ସୁବିଧା ପାଇଲେ ସେ ଏ ଋଣ ବହୁମୂଲ୍ୟ ଦେଇ ଶୁଝିଦେବ ନିଶ୍ଚୟ । ଠିକ୍ ଯେମିତି ନେପୋଲିୟନ୍ କୋଳି ବିକାଳିର ଋଣ ଶୁଝିଥିଲେ.... ଖେଁ-ଖେଁ କରି ହସି ଉଠିଲା ବିଜୟ ନିଜ ଅଜାଣତରେ ।

 

ଦୋକାନୀ ସମେତ ଗରାଖ ସବୁ ଚମକି ଚାହିଁଲେ । କ’ଣ ହେଲା ? ଏଡ଼େ ବକଟେ ଚାଳିଆଘେରା ଦୋକାନରେ ଖାଲି ରିକ୍ସାବାଲା, ବିଡ଼ି ବିକାଳି ତାକୁ ଚାହିଁଛନ୍ତି.....ଭାବୁଛନ୍ତି ବୋଧେ ସିନେମାର ହିରୋପରି କଲିବାଳ ରଖି, ଲମ୍ବା ଧୋକଡ଼ା ପ୍ୟାଣ୍ଟ ଉପରେ ଛିଟ ଜାମା ଗଳେଇ ଏବଂ ଡାହାଣ ହାତରେ ଗୋଟାଏ ଲୁହାକଡ଼ା ଗଳେଇ ବସିଥିବା ଲୋକଟି ନିଶ୍ଚୟ ପାଗଳା କି ସର୍ବଶ୍ରେଷ୍ଠ ଜ୍ଞାନୀ । ଓଠର ସମ୍ପ୍ରସାରଣକୁ କ୍ରମଶଃ ସଂକୁଚିତକରି ଆଖିରେ କିଛିଟା ଦାର୍ଶନିକତା ଦର୍ଶାଇବାକୁ ଚେଷ୍ଟାକରି ମଧ୍ୟ ସଫଳହୋଇ ପାରିଲାନି ବିଜୟ...ଖାଲି କୁତୁ କୁତୁ ହେଲାପରି ହସ ମାଡ଼ୁଛି ସେମାନଙ୍କୁ ଚାହିଁଲେ । କାନ ପାଖରୁ ଖଣ୍ଡିଆ ବିଡ଼ିଟା ଟାଣିନେଇ ଲଗଉ ଲଗଉ ଜଣେ ପଚାରିଲା–

 

‘‘ବାବୁ ! ତୁମଘର ଏଇଠି ନାଁ ଆଉ କୋଉଠୁ ଆଇଛ ଏଆଡ଼େ ବୁଲି ?”

 

କାହିଁକି ? ହଠାତ୍ ଏମିତି ପ୍ରଶ୍ନ କାହିଁକି ? ତା’ଭଳି ଲମ୍ବାକଲି ଝାମ୍ପୁରା ବାଳ ଓ ନଳୀପ୍ୟାଣ୍ଟ ଲୋକ ତ ସହର ସାରା ଭର୍ତ୍ତି । ଏମାନେ ତାକୁ ନୂଆ ଭାବୁଛନ୍ତି କାହିଁକି ? ଦୋକାନୀ ଏତେବେଳେ ବିରକ୍ତ ହୋଇ କହିଲା–

 

‘‘କଣ ପାଇବେ ବାବୁ ଏମାନଙ୍କ କଥାରୁ ? ଆପଣଙ୍କ ଲାଖି ବାବୁତ ଏଠାକୁ ଆସନ୍ତିନି–କେବେ କେମିତି ଆସିଗଲେ.....ଯଦି...ଘର କୋଉଠି, ନାଁ, ଗାଁ ଜାତିର ହିସାବ ମାଗିବେ ଏମାନେ ! ଆପଣ ସେଥିରୁ କ’ଣ ପାଇବେ ?’’

 

ଆଉ ଜଣେ ବୟସ୍କ ଲୋକ କଥା ଛଡ଼ାଇ କହିଲା–‘‘ଏଁ ପଚାରିଲେ କ’ଣ ହେଲା ସେଠୁ-? ସେ ଏଠିକା ସାଧାରଣ ଲୋକାପରି ଦିଶୁ ନାହାନ୍ତି । ଏଇ ଗଲାସନ ଯେଉଁ ଆମ୍ବ ପଡ଼ିଆରେ ସଭା ହୋଇଥିଲା ସେଠି ବିଦେଶରୁ ଜଣେ ବାବୁ ଆସିଥିଲେ ଯେ ଠିକ୍‍ ଏଇ ବାବୁଙ୍କ ପରି ।’’

 

ବାର ଚୌଦ ବର୍ଷର ଗୋଟାଏ ପିଲା ବାହାରିପଡ଼ି କହିଲା–‘‘ଯା, ଯା ସବୁ ମିଛ ! ମୁଁ କାଲି ପରା ଦେଖିଛି । ସିନେମା ସୁଟିଂ ହେଉଛି ସେଇ ମନ୍ଦିର ପାଖରେ । ଏ ବାବୁ ପରା ସେଥିରେ ରାଜା ହୋଇଛନ୍ତି ଓ ସେଇ ଯେଉଁ ବଡ଼ ହୋଟେଲ କ’ଣ ତା’ ନାଁଟା କେଜାଣି ସେଠି ଅଛନ୍ତି, କୋଡ଼ିଏ କି ବାଇଶ ଜଣ । ଫରେନରୁ ଆସିଛନ୍ତି ।” ବିଡ଼ିରୁ ଦୁଇ ଦମକା ଶୋଷି ନେଇ ପିଲାଟି କହିସାରି ଆତ୍ମପ୍ରସାଦରେ ଯେପରି ଝଟକି ଉଠୁଛି ।

 

ଦୋକାନୀ କହିଲା–

 

‘‘ବାବୁ ! କ’ଣ ସତ କଥା କହି ଦେବେଟି ? ଆପଣ ନାଁଟା କହିଦେଲେ ତ ସବୁ ବୁଝା ପଡ଼ିଯିବ ।”

 

ବିଜୟ ମୁଣ୍ଡରେ ସେତେବେଳେ ପୃଥିବୀର ସବୁ ରାଜା ରାଣୀ ସବାର ହୋଇ ଯାଇଥିଲେ । ସିନେମା, ହୋଟେଲ, ମନ୍ଦିର, ସୁଟିଂ ସବୁ ଚକ୍‍କର ଖାଉଥିଲେ । ସେ ଭୁଲି ଯାଇଥିଲା ତା’ର ଆଇ.ଏ.ଏସ୍. ପରୀକ୍ଷା ଆଜିର ଇଣ୍ଟରଭିଉ, ମୋହନ ଓ ସ୍ନେହର ଅଭିମାନ ଅଭିଯୋଗ, ବାପାଙ୍କର ତାଚ୍ଛଲ୍ୟଭରା ଉପଦେଶ ଓ ବୋଉର ତାକୁ ନେଇ ହତାଶ ଆଉ ବିଶେଷ କରି ନିଜ ଭିତରେ ଜମାଟ ବାନ୍ଧି ରହିଥିବା ସମସ୍ତ ବିଦ୍ୱେଷ ଓ ଗ୍ଳାନି । ଏକ ରାଜକୀୟ ଚେତନାରେ, ଏକ ବିରାଟ ସ୍ୱତନ୍ତ୍ର ସତ୍ତାରେ ସେ ନିଜକୁ ନିଜେ ଅଭିଷିକ୍ତ କରାଇ ସାରିଥିଲା ସେତେବେଳକୁ । ଏକ ଅହେତୁକ ମମତାରେ ଦୋକାନୀ ଆଡ଼କୁ ଅନାଇ ଉତ୍ତର ଦେଲା ବିଜୟ–

 

‘‘ମୋ ନାଁ ନେପୋଲିୟନ୍ । ଘର ଫ୍ରାନ୍ସରେ...ମୁଁ, ମୁଁ ସମ୍ରାଟ ମାନେ ରାଜା...... ।”

 

ସେଇ ଅର୍ବାଚୀନ ବାଳକଟି ଦୁଇଟା ଫୁଟିକି ମାରି କହିଲା....‘‘ଦେଖିଲ । ମୁଁ କହୁଛି ସେ ପରା ରାଜା ପାର୍ଟ କରୁଛନ୍ତି । ଫରେନ୍‍ରୁ ଆସିଛନ୍ତି–ଫରେନ୍ ତାଙ୍କ ଘର । ଆଣ ଏଥର ମତେ କପେ ଚା’ ସେମିତି ମିଳିଯାଉ ପୁରସ୍କାର ! ମୁଁ ଜିତିଛି ଯେ ।”

 

ଲୋକଗୁଡ଼ାକ ସ୍ତିମିତ ଆଲୋକରେ ସତେକି ଆକାଶରୁ କ’ଣ ଗୋଟାଏ ଖସି ପଡ଼ିଛି ତାଙ୍କ ପାଖରେ, ଦେଖୁଥିଲେ ସେମିତି କାବା ହୋଇ ବିଜୟକୁ । ନିଜ ଗଳାର ଟାଇଟାକୁ ଖୋଲି ଆଉଥରେ ବାନ୍ଧିବାରେ ଛଳନା କରୁଥିଲା ସେତେବେଳେ ସେ । ଲଣ୍ଡ୍ରୀରୁ ଭଡ଼ାରେ ଆଣିଥିବା ଅତି ଦାମୀ ପୋଷାକରେ ସେ ହୁଏତ ରାଜକୀୟ କି ଏକ ସିନେମାଷ୍ଟର୍ ପରି ଦିଶୁଛି ସେମାନଙ୍କୁ । ସିନେମାଷ୍ଟର୍‍ଠାରୁ ରାଜକୀୟତା ବେଶୀ ଯେମିତି ଲୋଭନୀୟ ମନେହେଲା ତାକୁ ।

 

ଦୋକାନୀ ଗୋଟିଏ ରସପ୍ଲେଟରେ ଛେନାଗଜା ଗୋଟାଏ ଆଉ ଦୁଇଟା ବରା ବଢ଼ାଇ ଦେଇ କହିଲା–

 

‘‘ଭାଗ୍ୟରେ ଥିଲେ ଆପଣଙ୍କ ଭଳି ଲୋକଙ୍କର ପାଦ ଏଠାରେ ପଡ଼େ । ଗରିବ ଲୋକ ଆମେ, ଫରେନରେ ଆପଣ ପୁଣି ରାଜା । କ’ଣ ଆମେ ଦେଇ ପାରିବୁ ? ଏତିକି..... ।’’

 

ବିଜୟ ଉଠିପଡ଼ି କହିଲା ଗମ୍ଭୀର କଣ୍ଠରେ–

 

‘‘ତୁମର ଏ ଆତିଥେୟତା, ଏ ଉପକାର ମୋର ସବୁଦିନ ମନେରହିବ । କେବେ ଯଦି ଭବିଷ୍ୟତରେ ସୁବିଧା ପାଇବି...... ।”

 

ଦୁତେରୀ ! କୁତୁ କୁତୁ କଲାପରି ହସମାଡ଼ି ଆସୁଛି । ସବୁ ଭଲ କାମରେ, କ୍ରିଟିକାଲ ମୁହୂର୍ତ୍ତରେ ଏଇ ହସ ତା’ର ପ୍ରଧାନ ଶତ୍ରୁ । ଆଃ ! କେଡ଼େ ସୁନ୍ଦର ଡାଏଲଗଟା ନଷ୍ଟ ହୋଇଗଲା ! ନେପୋଲିୟନ୍, ତୁମେ ସତରେ ଭାଗ୍ୟବାନ....... ।

 

ବିଜୟ ଦ୍ରୁତ ପଦରେ ଏକ ରାଜାଧିରାଜ ସମ୍ରାଟ ଶୈଳୀରେ ପାଦ ପକାଇ ଚାଲି ଆସିଲା ସେଠାରୁ । ସତେକି ରାଜ୍ୟ ଜୟକରି ଫେରିଛି !

 

ଆଉ ଗୋଟାଏ ରାସ୍ତାଧରି ଶୀଘ୍ର ଚାଲି ଯିବାକୁ ହେବ । କେହି ନ ହେଲେ ସେଇ ବାଳୁଙ୍ଗା ଟୋକାଟା ତା’ ପଛରେ ଆସିଯାଇ ପାରେ । ପଛଆଡ଼େ ନିଶ୍ଚୟ କେତୋଟି ଆଖି ଚାହିଁଥିବି କୌତୂହଳରେ ତା’ର ଗତିପଥକୁ ।

 

ମୋଡ଼ଟା ଘୂରି ଯାଉ ଯାଉ, ବିଜୟ ବୁଝିପାରିଲା ଯେ ସେ ଅନେକ ବେଳୁ ମନ ଇଚ୍ଛା ଯେଉଁ ଗଳି, ଯେଉଁ ରାସ୍ତା ଆଖିରେ ପଡ଼ିଛି ତା’ ଭିତର ଦେଇ ଚାଲିବାରେ ଲାଗିଛି । ବର୍ତ୍ତମାନ ଏତେବଡ଼ ସହରରେ ତା’ର ଘର ଆଡ଼କୁ ସଠିକ୍‍ ରାସ୍ତା କିଏ ତା’ ପକ୍ଷରେ ଜାଣିବା ସମ୍ଭବ ନୁହେଁ । ଦୀର୍ଘ ଚାରିଘଣ୍ଟା ଚାଲି ଚାଲି ସେ କେବଳ ଘରଠାରୁ, ପରିଚିତ ମାନଙ୍କଠାରୁ ଏପରି କି ନିଜଠାରୁ ନିଜକୁ ଦୂରେଇ ନେଇଛି ଅନେକ ଦୂର । କେଜାଣି ହୁଏତ ଜନ୍ମ କାଳରୁ ସେ ଏମିତି ଚାଲିଛି......ଯେଉଁ ଚାଲିବାର କୌଣସି ଅର୍ଥ ନାହିଁ ହେଲେ ଛାଡ଼ୁଛି କିଏ... ।

 

ଧଡ଼ ଧଡ଼ ହୋଇ ବସ୍‍ଟାଏ ରାସ୍ତା ଉପରେ ଛିଡ଼ା ହୋଇଗଲା । ଏଇଟା ଷ୍ଟପେଜ ନାଁ କ’ଣ ? କିଏ ଜଣେ ପାଟିକରି ଉଠିଲା–

 

‘‘ଏଇ ବୋକା ! ଅନେଇ କରି ପଢ଼ୁଛୁ କ’ଣ ? ଶୀଘ୍ର ଉଠ । ପରେ ବୁଝିବୁ ଉଠ !"

 

ବିଜୟ ଜାଣିଲା କଣ୍ଡକ୍ଟର୍ ପଛଆଡ଼ୁ ତାଙ୍କୁ ଖୁଞ୍ଚାଏ ଦେଇ କହୁଛି ।

 

‘‘ଆରେ ମୋହନ ? ମାନେ ତୁ–ମୁଁ କେମିତି ଜାଣିବି ଯେ ? ତତେ ଏଇ ଡ୍ରେସରେ ମୁଁ ଭାବି ପାରୁନି । ମୁଁ ତ ରାସ୍ତା ଭୁଲି କୁଆଡ଼େ ଯାଇଥିଲି ଚାଲି, ଆଜି ଆଉ ଫେରିବା କଥା ନଥିଲା । ଆଚ୍ଛା ତୁ ତ ମତେ କେବେ କହିନୁ ?”

 

ବେଲ୍‍ଟା ଟାଣି ଦେଇ ମୋହନ ପଇସା ଗଣୁ, ଗଣୁ, କହିଲା–

 

‘‘ମାତ୍ର ତ ଆଠଦିନ ହୋଇନି । ତତେ କହିନି କ’ଣ ? ଏଇଟା କହିବାର କଥା ?’’

 

ଚଷମା ଫାଙ୍କରୁ କଣେଇ ଚାହିଁଲା ମୋହନ ବିଜୟକୁ, ‘‘ମାନେ ତୁ ଯେ ସେଇ ଅଫିସରୁ ବାହାରିଗଲୁ ଆଉ ଘରକୁ ଯାଇନୁ ? ସେଇ ଡ୍ରେସରେ... ।”

 

‘‘ଚୁପ୍ କିଏ ଶୁଣିବ ? ଅନ୍ତତଃ ଆସନ୍ତାକାଲିଟା ଟ୍ରାଏଲ୍ ନେବାକୁ ହେବ ଯେ....ଦେଲୁ ସିଗାରେଟ୍ ଅଛି ଖଣ୍ଡେ ।”

 

ସିଗାରେଟ୍‍ରୁ ଧୂଆଁ ଛାଡ଼ି ବିଜୟ କହିଲା–‘‘ଆଚ୍ଛା ମୋହନ ! ଇତିହାସରେ ତୋର ବହୁତ ମାର୍କ ଥିଲା । ମୋର ବି ଥିଲା ଯେ, ହେଲେ ଇଉନିଭରସିଟିରେ ତୋର ହାଇଏଷ୍ଟ ଥିଲା ।”

 

‘‘ଗୋଟାଏ ମାର୍କ, ତ କମ୍ ବେଶୀ । ମୁଁ ଫାଷ୍ଟ ତୁ ସେକେଣ୍ଡ ।’’

 

‘‘ମୋର ତ ଘରୋଇ କମ୍ପାନୀରେ ଚାକିରିଟିଏ ହୋଇଗଲା, ଏଣିକି କିନର୍ ପୋଷ୍ଟଟା....-।”

 

ଦୁଇଜଣ ଯାକ ହୋ ହୋ ହୋଇ ହସି ଉଠିଲେ ।

 

କିଏ ଜଣେ ପଛଆଡ଼ୁ ହଲେଇଦେଇ କହିଲା–

 

‘‘ହୋ ଫରେନ୍ ବାବୁ ! ତମ ହୋଟେଲ ତ ଚାଲିଗଲା । ତମେ ଓହ୍ଲେଇବ କେଉଁଠି ?’’

 

ଆରେ ସେଇ ବଗୁଲିଆ ଟୋକାଟା କେତେବେଳେ ବସ୍ ଚଢ଼ିଛି ତାଙ୍କ ସାଙ୍ଗରେ ସେ ଜାଣିନାହିଁ ।

 

ନିଜକୁ ଯଥା ସମ୍ଭବ ଗମ୍ଭୀର କରି, ଟାଇଟାକୁ ବାମ ହାତରେ ଝୁଙ୍କାଇ ଦେଇ ବିଜୟ କହିଲା–

 

‘‘ଟିକିଏ କାମ ଅଛି ଆଗରେ । ତୁମେ ଏଆଡ଼େ କୁଆଡ଼େ ?’’

 

‘‘ମୁଁ ପରା କୋଠାତୋଳା କାମ କରୁଛି । ଇଆଡ଼େ ଆମ ଘର । ତମ ସଙ୍ଗରେ ଗପି ଗପି ରାତି ହୋଇଗଲା । ସେଥିପାଇଁ ବସରେ ଉଠିଗଲି । ଆଉ ଟିକିଏ ଗଲେ ସେ ରାସ୍ତାରେ ଭାଲୁ ବାହାରେ ନାଁ ।”

 

ଏକ ଅହେତୁକ ଲଜ୍ଜାରେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଶିହରି ଉଠିଲା ବିଜୟ ।

 

କେବେ ଥରେ ଅଧେ କଲେଜରେ ପଢ଼ିଲା ବେଳେ ଅଭିନୟ କରିଥିଲା । ଆଜି ବାସ୍ତବ କ୍ଷେତ୍ରରେ ଯେପରି ଭୟ ଲାଗୁଛି.... ।

 

ମୋହନ ବିଜୟକୁ ଟାଣି ନେଇ କହିଲା ଆସ୍ତେ ଆସ୍ତେ–

 

“କଥା କ’ଣ ? କିଛି ଚାକିରି ନେଇ ତୁ ଏଆଡ଼େ ଆସିଥିଲୁ ନାଁ କ’ଣ ? କଣ୍ଟ୍ରାକ୍ଟରୀ ?”

 

ବିଜୟ ପୁଣି ଅନ୍ୟମନସ୍କ ଭଙ୍ଗୀରେ ପଚାରିଲା–

 

‘‘ସେ ସବୁ କଥା ପରେ ! ଆମେ କ’ଣ ପାଠର ମାନେ ବୁଝି ଏତେ ନମ୍ବର ରଖିଥିଲେ, ନାଁ ମୁଖସ୍ଥ କରି ଦେଇଥିଲେ ?”

 

ମୋହନ ଚିନ୍ତିତ ହୋଇ କହିଲା–

 

‘‘କହିବୁ ଯଦି ଏଇ ପୋଷ୍ଟ ଗୋଟାଏ ବୁଝି ଦେଇପାରେ ହେଲେ ତୋର ବାପା, ଭାଇ, ବୋଉ... ।’’

 

‘‘ନାହିଁ ମୋହନ ! ମୁଁ ସମ୍ରାଟ ହେବାକୁ ଚାହେଁ–ସମ୍ରାଟ । ଠିକ୍ ନେପୋଲିୟନ୍ ପରି । ତୁ ମତେ ହେଲ୍‍ପ କର । ମୁଁ ତୋ ଋଣ ନିଶ୍ଚୟ ଶୁଝିଦେବି !’’

 

ଝକ୍ ଝକ୍ ଲୁହ ଆଖିପତାରେ ତା’ର । ମୋହନ କ’ଣ କହିବ ବୁଝି ପାରିଲା ନାହିଁ । ବସ୍ ଆସି ଷ୍ଟାଣ୍ଡରେ ଅଟକି ଗଲା । ତା’ ପର ଗତାନୁଗତିକ ହଇଚଇ ଭିତରେ ବିଜୟ ଉତ୍ତରକୁ ଅପେକ୍ଷା ନ ରଖି ଜନଗହଳି ଭିତରେ ମିଶିଗଲା ।

 

ଆସନ୍ତାକାଲି ଇଣ୍ଟରଭିଉ ଅଛି । ବାପା ନିଶ୍ଚୟ ଖବର ପାଇଥିବେ । ରାତି ଅନେକ ଦେଖି ଭାବୁଥିଲେ କେଉଁ ଲାଇବ୍ରେରୀରେ ବସି ହୁଏତ ପଢ଼ୁଛି..... ।

 

ଆଉ ବିଳମ୍ବ କରି ଲାଭ ନାହିଁ । କାରଣ ଏହାପରେ ଯାନବାହାନ ବନ୍ଦ ରହିବ । ଆଉ ଏକ ନୂଆ ଚିନ୍ତା ସବାର ହେବ ପୃଥିବୀ ଉପରେ । ନୂଆ ବେଦନାରେ ଅନ୍ତଃସତ୍ତ୍ୱା ହୋଇ ରହିବ ପୃଥିବୀ ।

 

କିଏ ଜାଣେ କେଉଁ ଅଜ୍ଞାତ ମୁହୂର୍ତ୍ତରେ ସମ୍ରାଟ ଜଣେ ଜନ୍ମ ନେଇ ପାରନ୍ତି ପୁଣି ପୃଥିବୀରେ ।

 

ସେଇପରି ଏକ ସମ୍ରାଟୀୟ ଭଙ୍ଗୀରେ ବାମ ପାଖ ଗଳି ରାସ୍ତା ଦେଇ ବିଜୟ ଘର ଆଡ଼କୁ ତରତର ହୋଇ ଚାଲିଲା । ଏ ସମସ୍ତ ଘଟଣା ସତ୍ତ୍ୱେ କାଲି ତାକୁ ନିର୍ଦ୍ଦିଷ୍ଟ ସମୟରେ ଇଣ୍ଟରଭିଉ ଦେବାକୁ ଅପେକ୍ଷା କରିବାକୁ ହେବ ହିଁ ହେବ ।

 

ନାଁ, ନାଁ, ସେ କ୍ଳାନ୍ତ ହେବ ନାହିଁ । ବସିପଡ଼ିବ ନାହିଁ ମୋହନ ପରି, ସ୍ନେହ ପରି କି ଶମ୍ଭୁଦାଦା ପରି । କି ଆଉ ଜଣା ଅଶୁଣା ଅନେକଙ୍କ ପରି ।

 

ସେ-ଚାଲିବ, ଅଭିଯାନ କରିବ, ଗୋଟାକ ପରେ ଗୋଟାଏ କଙ୍କରିଳ ଦୁର୍ଗମ ପଥ ଅତିକ୍ରମ କରିବ, ରାଜ୍ୟ ପରେ ରାଜ୍ୟ ଜୟ କରିବ....ସବୁ ଘାଟିରେ ସବୁ ଦୁର୍ଗରେ ତା’ର ବିଜୟ ପତକା ଫର ଫର ଉଡ଼ାଇବ । କେବଳ ସେ ଅଧୀର ହେବ, ଅସ୍ଥିର ଚଞ୍ଚଳ ହେବ । ଯେତେବେଳେ ସ୍ନେହକୁ ସେ ଚିଠି ଲେଖିବ, କି ମମତାକୁ କି ବିନ୍ଦୁକୁ !

 

ସ୍ନେହର ସେଇ ହାଡ଼ୁଆ ମୁହଁଟି ପ୍ରତି ଅହେତୁକ ଏକ କରୁଣାରେ ତା’ର ଅନ୍ତର ଆର୍ଦ୍ର ହୋଇଗଲା । ଆହା ବିଚାରୀ !

 

ଆଗାମୀକାଲିର ଅଭିଯାନ ପୂର୍ବରୁ ଅନ୍ତତଃ ଆଜି ରାତ୍ରିରେ ସ୍ନେହକୁ ସେ ଖଣ୍ଡିଏ ଚିଠି ଲେଖିପାରେ.....ତା’ର ଶେଷ ଅନୁରୋଧଟିକୁ ରକ୍ଷା କରିବାପାଇଁ ସେ ଏକ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇପାରେ ।

 

ବିଜୟ ଦାଣ୍ଡପଟେ ନ ଯାଇ ବାରିପଟ ଘର ଭିତରକୁ ଯିବାପାଇଁ ଶ୍ରେୟସ୍କର ମନେକଲା-!!!

Image

 

ଅନନ୍ୟା

 

ଖୁବ୍ ତରତର ହୋଇ ଶାଢ଼ିରେ କୁଞ୍ଚ କରିବାକୁ ଚେଷ୍ଟାକରି ବିଫଳ ହେଉଥିଲା ବାରମ୍ଵାର ବୀଥିକା । ରାଗ ଓ ଅଭିମାନରେ ସେ ଯେମିତି ଏଇକ୍ଷଣି ଭାଙ୍ଗିରୁଜି ଚୂନା ହୋଇଯିବ । ଓଠ ଉପରେ ଓଠ ଚାପି, ଆଖି ବୁଜି ଅନ୍ୟମନସ୍କ ଭାବରେ ସେ ଶାଢ଼ି ଯେତେଥର ପିନ୍ଧୁଥିଲା ସେଥିରୁ କିଛି ଅଂଶ ଅସଜଡ଼ା ହୋଇଯାଉଥିଲା । ଅଥଚ ସବୁଦିନେ ଖୁବ୍ ଅଳ୍ପ ସମୟ ନିଏ ସେ ଶାଢ଼ି, ଗହଣା ବଦଳାଇବାକୁ । କସ୍ମେଟିକ୍ସର ବ୍ୟବହାର କାହାପରେ କ’ଣ ତା’ଠାରୁ ବୋଧେ ବେଶୀ କେହି ଜାଣନ୍ତି ନାହିଁ ଏ ଅଞ୍ଚଳରେ, ଜାଣିଲେ ବି ଏତେ ସୁନ୍ଦର ଭାବରେ ମନଲୋଭା ପରିପାଟୀ କରି କେହି ତା’ପରି ନିଜକୁ ପରିବେଷଣ କରିପାରନ୍ତି ନାହିଁ । ସାମାନ୍ୟ ଗୋଟିଏ କଥାରେ ମନ ତା’ର ଆଜି ବିଗିଡ଼ିଯାଇଛି । ସେଥିପାଇଁ ରାଗ ଗରଗର ହୋଇ, ସେ କୌଣସି କଥାରେ ମନୋନିବେଶ କରି ପାରୁନାହିଁ । ଏମିତିକି.... ।

 

ଲମ୍ବା, ଲମ୍ବା ପାଦ ପକାଇ ସୁରେଶ ପଶି ଆସିଲେ ଘର ଭିତରକୁ । ଆଉ ବଡ଼ ପାଟିରେ ଏତେ ଡେରି କରି ବାହାରିବାର କାରଣ ତଦାରଖ କରିବା ଆରମ୍ଭ କଲାମାତ୍ରେ ବୀଥିକା କର୍କଶ କଣ୍ଠରେ କହିଲା–

 

‘‘ହଉ ଯାଆମ” କେତେ ସୁଆଗ ଦେଖଉଛ ? ମୁଁ ତମ କଥା ଜାଣେ । ତମେ ଭାବିଛ ମୁଁ କିଛି ଜାଣିନି ? ଉପରେ ଦେଖେଇ ଯେତେ କଥା କୁହ, ତୁମ ମନଯାଇ କେଉଁଠି, ସେ ସବୁ ମୋତେ ଜଣା ।” ସୁରେଶ ଦର୍ପଣ ଆଗରେ ଛିଡ଼ାହୋଇ ପାନିଆଟା କେଶ ଉପରେ ବୁଲେଇ ନେଉ ନେଉ କହିଲେ–‘‘ଭଲ କରିଛ ଯଦି ଜାଣିଛ । ଏବେ ତ ଆଉ କିଛି କରାଯାଇପାରିବନି । ଅନ୍ତତଃ ବଡ଼ ବଡ଼ ଝିଅ ପୁଅ ସେ ଘରେ ବାପ ମାଙ୍କ କଥାକୁ କାନେଇ ଥିଲାବେଳେ, ଟିକିଏ ଆସ୍ତେ ଶବ୍ଦ କଲେ ଭଲ-।” ବୀଥି କହିଲା–"ବାପାଙ୍କୁ ଲାଜମାଡ଼ୁଛି ପରା । କାଲି କ’ଣ ପୁଅଝିଅ ସେଠି ନ ଥିଲେ ? ନାଁ ତୁମର ଉପରପଡ଼ା ଢଙ୍ଗ ସେମାନେ ଦେଖିନାହାନ୍ତି । ତମ ମୁହଁରୁ ଲାଜ ଛାଡ଼ି ଗଲାଣି । କି ଗୀତ ସେ ଗାଇଲା ଯେ ତୁମେ ବିହ୍ଵଳ ହୋଇ ହ୍ୟାଣ୍ଡସେକ୍ କରିବାକୁ ଧାଇଁଗଲା । ତା’ ଦେହରେ ଯଦି ମାଂସ ପଳେ ଥାଆନ୍ତା, ଦେଖିବାକୁତ କାଳିବାନ୍ଦରୀ, ଏଡ଼େ ହନୁହାଡ଼, ଖରାପ ଗାଲ । ଛେପ ପକାଇବାକୁ ବି ମନ ହେବନି ।”

 

‘‘ଓଃ ଚୁପ୍‍କର ବୀଥି । କାହାକୁ କ’ଣ ତୁମେ କହିଯାଉଛ ଜାଣିପାରୁଛ ? ଅନୁରାଧା ସହିତ ତୁମେ ନିଜକୁ କେଉଁ ସାହସରେ ତୁଳନା କରୁଛ ? ସେ ଅନନ୍ୟା । ତା’ ସହିତ କାହାକୁ.....-।’’

 

‘‘ବୁଝିଛି । ତୁମ ଆଖି ନାକ ମୁହଁରୁ ମୁଁ ସବୁ ବୁଝିଛି । ମୁଁ ଭାବିଥିଲି ସ୍ୱାମୀ ତା’ର ମରିଯାଇଛି, ତୁମେ ତାକୁ ବେଳେ ଅଧେ ସାହାଯ୍ୟ କରିଦେବ । ତା’ମାନେ ନୁହେଁ ଯେ......’’

 

‘‘ବାଜେ କଥା କହିବନି । ଯେତେ ପାଠଶାଠ ପଢ଼ିଲେ କ’ଣ ହେବ ? ଈର୍ଷା କେଉଁଠୁ ଛାଡ଼ିବ ? ବିଶେଷକରି ତୁମର ପରିଚର୍ଚ୍ଚା ଛଡ଼ା କ’ଣ ଶିଖିବାରେ ଥାଏ ? ଘୃଣା, ହିଂସା ବିଦ୍ୱେଷ ଆଉ ପରଶ୍ରୀକାତରତା ବ୍ୟତୀତ ତୁମେ ଜୀବନରେ ଅନ୍ୟ କିଛି ଶିଖିଲ ନାହିଁ । ଛିଃ, ଛିଃ, ଛିଃ...... ।”

 

ପାନିଆଟା ଫୋପାଡ଼ି ଦେଇ ଦୁମ୍, ଦୁମ୍ ପାଦ ପକାଇ ସୁରେଶ ଚାଲିଗଲେ ବାହାରକୁ । ସିଲ୍‍କ ଶାଢ଼ିର ପଣତ କାନିରୁ ଫାଳେ ଦାନ୍ତରେ ଛିଣ୍ଡାଇ ଧରି ବୀଥିକା ଉନ୍ମାଦିନୀ ଭଳି ଡେଉଁଥିଲା ଘର ଭିତରେ ।

 

ନାଃ । ନ ହେଲା ନାହିଁ । ସେ ଆଜି ଯିବନାହିଁ ନିମନ୍ତ୍ରଣକୁ, ଏମିତି ସେମିତି ନୁହେଁ, ସହରର ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ବିବାହ ନିମନ୍ତ୍ରଣ । ଫେସନର ପ୍ୟାରେଡ୍, ପ୍ରେଜେଣ୍ଟେସନର ଏକ୍‍ଜିବିସନ୍ ଭିତରେ ସର୍ବଶ୍ରେଷ୍ଠ ସୁନ୍ଦରୀ ଭାବରେ ହୁଏତ ବହୁବ୍ୟକ୍ତି ଆଜି ତାକୁ ତାରିଫ୍‍ କରିଥାନ୍ତେ, ତା’ଠାରୁ ଛୋଟ ଛୋଟ କବିତା ଶୁଣିଥାନ୍ତେ ଏବଂ ଅପଲକ ନୟନରେ ଚାହିଁ ରହିଥାନ୍ତେ ତା’ର ସୁମଧୁର ଅଙ୍ଗଭଙ୍ଗୀକୁ । ମାତ୍ର କୋଉଠି ଥିଲା ଡାଙ୍କୁଣୀଟା କେଜାଣି ଏବେ ଉପରେ ପଡ଼ି ସବୁ ଜାଗାକୁ ଯାଇ ଗୀତ ବୋଲି ଦେଉଛି । ଉପରେ ପଡ଼ିଲେ କିଏ ବା କାହିଁକି ଛାଡ଼ିଦେବ ? ସହଜେ ଘରେ ସ୍ୱାମୀ ନାହିଁ, ଶାଶୁ ନାହିଁ କି ଦିଅର ନାହିଁ । କିଏ ତାକୁ ଆକଟି ରଖିବ ? ଚାରିଟା ପିଲାଙ୍କୁ ଆଗରେ ରଖି ସମସ୍ତଙ୍କଠାରୁ ଦୟାମାୟା ପାଇବାତ ଅତି ସୁବିଧାଜନକ ପନ୍ଥା ।

 

ରାଗରେ ଖଟ ଉପରେ ପେଟେଇ ପଡ଼ି ବୀଥିକା କୁହୁଳୁଥିଲାବେଳେ ପଡ଼ିଶାଘର ମଦନବାବୁଙ୍କ ସ୍ତ୍ରୀ ଅରୁଣା ପଶିଆସି ଡାକ ପକାଇଲା–‘‘ଅପା ! କ’ଣ ଶୋଇଛ ମ’ । ଯିବନି କି ? ସେମାନେ ଦି’ଜଣ ତ ସାଙ୍ଗ ହୋଇ ଚାଲିଗଲେ । ମତେ କହିଲେ ତୁମକୁ ନେଇ ଶୀଘ୍ର ଯିବାପାଇଁ । ତମେ ତ କ’ଣ ଶୋଇଛ–ରାତି କେତେ ହେଲାଣି ?’’

 

ବୀଥିକା ଲୁଗାପଟା ସଜାଡ଼ି ଉଠି କହିଲା–

 

‘‘ଆଲୋ ଅରୁ ! ତୁ କହିଲୁ ସେ ଅନୁରାଧାଟା କାହିଁକି ଏମିତି ଉପରେ ପଡ଼ୁଛି କିଲୋ ? କେଉଁ ଗୁଣକୁ ସେ ଏତେ ଫୁଲୁଛି ? ଛିଃ.....ଛିଃ.... ।” ଅରୁଣା ମ୍ୟାଟ୍ରିକ୍ ପଢ଼ିଥିଲେ ବି ବୀଥିକାଠାରୁ ବୁଦ୍ଧିମତୀ । ଗତକାଲି ଫଙ୍କ୍‍ସନରେ ସେ ଥିଲା ଏବଂ ବୀଥିକାର ଅନୁରାଧା ପ୍ରତି ଅସହିଷ୍ଣୁତା ସେ ବେଶ ଉପଭୋଗ କରିଥିଲା । କିଛିଟା ଆଶ୍ଚର୍ଯ୍ୟ ହୋଇଥିଲା ମଧ୍ୟ । କାରଣ ଏମ୍.ଏ. ପାସ୍‍ କରି ବୀଥିକାର ସାଧାରଣ ବୁଦ୍ଧି ଜ୍ଞାନର ଯଥେଷ୍ଟ ଅଭାବ । ତଥାପି ବୟସରେ ବଡ଼ ଏବଂ ଅରୁଣାକୁ ସୁବିଧା ଅସୁବିଧାରେ ସାହାଯ୍ୟ କରିଥାଏ । ସେ ଦୃଷ୍ଟିରୁ କିଛି କହିବା ସମ୍ଭବ ନଥିଲା । ଏବେ ଯେତେବେଳେ ସୁରେଶବାବୁ ବୀଥିକାକୁ ନେଇଯିବା ଦାୟିତ୍ୱ ତାକୁ ଦେଇ ଯାଇଛନ୍ତି, ଖୋସାମତ ତ କରିବାକୁ ହିଁ ହେବ ।

 

ଅରୁଣା ଚଟ୍‍କରି ମୁହଁମୋଡ଼ି ଦେଇ କହିଲା–

 

‘‘ହଅ ଏଇ କଥାକୁ କ’ଣ ଗୁଣି ହେଉଛ ମ । ସୁରେଶ ଭାଇ ସେମିତି ସମସ୍ତଙ୍କୁ ଟେକି କଥା କୁହନ୍ତି । ପର ଉପକାର କରିବା ତ ତାଙ୍କର ନିଶା । କୋଉ ଦିନ କେହି ଭଲା ତାଙ୍କ ଖରାପ କଥା କହିବାର ଶୁଣିଛ ? ଅନୁରାଧାର ଅଭାବୀ ସଂସାର । ଚାରିଟା ପିଲା । କେମିତି ଚାଲିବ ବୋଲି ଯଦି ତା’ପାଇଁ ଟିକେ ଗୀତ ପାର୍ଟିର ବ୍ୟବସ୍ଥା କରିଦେଲେ, ଦି’ପଦ ପ୍ରଶଂସା କରି କହିଲେ ସେଥିରେ ତୁମର ବ୍ୟସ୍ତ ହେବାର କିଛି ନାହିଁ । ତୁମ ସାଙ୍ଗରେ ସେ କ’ଣ ସମାନ ?”

 

ବୀଥିକା ଭାବୁଥିଲା କେମିତି ସେ କହିବ ଯେ ସୁରେଶର ଗତିବିଧି ଭାବଭଙ୍ଗୀ ସବୁ ବଦଳିଯାଇଛି । ଏଇ ଟିକକ ଆଗରୁ ତାକୁ ତ ବେଶ୍ ଶୁଣେଇ ଦେଇଗଲା–କହିଗଲା ଅନୁରାଧା ଅନନ୍ୟା । ନିଜର ସ୍ୱାମୀକୁ ତା’ଛଡ଼ା ବେଶୀ କିଏ ଜାଣେ ?

 

ଅରୁଣା ଶୁଣେଇ ଶୁଣେଇ ଖୋସାମତି କଣ୍ଠରେ ଆରମ୍ଭ କଲା–‘‘ସତେ ମ ଅପା ! ତମକୁ କିଏ କହିବ ତିନିଟା ପିଲାର ମା’ବୋଲି ? ଅଣ୍ଟା ବେକ ପିଠି କୋଉଠି କିଛି ଖୁଣ ନାହିଁ । ସତେ କି ଷୋଳ ସତର ବର୍ଷର ଅବିବାହିତା ଝିଅଟିଏ ? ତୁମେ କଥା କହିଲେ ତୁମ ଗାଲର ଭଉଁରୀ ଯେମିତି ହସିଦିଏ...... । ପାଠ ପଢ଼ିଲାବେଳେ ତୁମ ପଛରେ ସତରେ ଯେ କେତେ କଲେଜ ପିଲା ଧାଇଁଥିବେ..... ।’’

 

ବୀଥିକା ଯେମିତି କୁମାରୀ କନ୍ୟାପରି ଲାଜରେ ଶିହରୀ ଉଠି ଦର୍ପଣରେ ନିଜକୁ କଣେଇ କଣେଇ ଦେଖୁଥିଲା । ଅପୂର୍ବ ସୁନ୍ଦରୀ ବୁଦ୍ଧିମତୀ ତା’ର ନିଜକୁ ମନେହୋଇଛି ଅଜନ୍ମରୁ । ଅନେକଥର ତ ସୁରେଶ ତାକୁ ଖୋଲାଖୋଲି ପ୍ରଶଂସା କରିଛି । ଏବଂ ତାକୁ ବିବାହକରି ଜୀବନର ସର୍ବଶ୍ରେଷ୍ଠ ସମ୍ପଦ ପାଇଛି ବୋଲି କେତେଥର ତ ବହୁ ଅନ୍ତରଙ୍ଗ ମୁହୂର୍ତ୍ତରେ କହିଛି । ସେସବୁ ମନେପଡ଼ିଲେ......ଖାଲି ସୁରେଶ କାହିଁକି ସହରସାରା କିଏ ତା’ର ରୂପର ପ୍ରେମରେ ନ ପଡ଼ିଛି ଯେ-। ଆଉ ଏ ରୂପ ତା’ର ଅସାଧ୍ୟ ସାଧନ କରିଛି । ସାମାନ୍ୟ କିରାଣୀ ଚାକିରିରୁ ସୁରେଶ ଆଜି କ୍ଲାସଉଆନ୍ ପୋଷ୍ଟରେ ଅବସ୍ଥାପିତ । କୋଠା, ବାଡ଼ି, ଜମି, ଗହଣା ଆଉ ବ୍ୟାଙ୍କ୍‍ବାଲାନ୍‍ସ ଯଥେଷ୍ଟ ହୋଇଛି ତା’ର । କିଛି ନ କଲେ ବି ଆଗାମୀ ତିନି ପୁରୁଷ ଖୁସିରେ ଚଳିପାରିବେ ।

 

ମାତ୍ର.....କୋଉଠି ଥିଲା ଏ ଅନୁରାଧା କେଜାଣି । ଦିନେ ହେଲେ ଘରୁ ବାହାରୁ ନଥିଲା-। ମଦୁଆ ସ୍ୱାମୀ ବାଡ଼େଇ ହାଡ଼ ଦି’ଖଣ୍ଡ ରଖିଦେଇ ଚାଲିଗଲା । ସାଙ୍ଗକୁ ପୁଞ୍ଜାଏ ରୋଗଣା ଦୁର୍ବଳିଆ ଛୁଆ ଛାଡ଼ିଦେଇ ଯାଇଛି । ଏଇଥିରେ ଏତେ ବାହାଦୁରି ? ହଉ ଯଦି ଗୁଜୁରାଣ ମେଣ୍ଟେଇବା ଦରକାର ହେଉଛି, ତା’ହେଲେ ଗୋଟାଏ ଚାକିରି କର । ସ୍କୁଲରେ ମାଷ୍ଟ୍ରାଣୀ ପୋଷ୍ଟଟିଏ ଆଣି ତା’ ପାଖରେ ଥୋଇଦେଲେ ବି ରାଜିନୁହଁ । କ’ଣ ନାଁ ଗୀତ ଗାଇବ, ଗୀତ ଶିଖେଇବ । ଆବଶ୍ୟକ ହେଲେ ଗୀତ ସ୍କୁଲଟିଏ ଖୋଲିବ । ବୁଝିଛି....ବୁଝିଛି ବୀଥିକା ଏ ସବୁର ମାନେ.... ।

 

ଭାବନାରେ ବାଧା ଜମାଇ ଅନୁନୟ ଭରା କଣ୍ଠରେ ଅରୁଣା କହିଲା–‘‘ଚାଲ ମ ଅପା ! ତମେ ନ ଗଲେ ମୋ ତୁଣ୍ଡରୁତ କଥା ବାହାରିବନି । ସମସ୍ତେ ଆସି ମତେ ପଚାରିବେ, ମୁଁ କହିବି କ’ଣ ? ଏତେବଡ଼ ଆୟୋଜନ ସେଠି ହୋଇଛି ବୋଲି ଇଏ ପରା କହୁଥିଲେ, ତୁମେ ନ ଗଲେ ଅପା ସବୁ ମାଟି ହୋଇଯିବ । କାହାକୁତ କିଛି ଭଲ ଲାଗିବନି, ସେ ଡାଂକୁଣୀ ଗୀତ ବୋଲିଲେ କ’ଣ ହେବ ? ସବୁ ସାଜସଜ୍ଜା ଗହଳିସିନା ତୁମପାଇଁ ଭଲଲାଗେ ।”

 

ବୀଥିକାର ମୁହଁ କ୍ରମଶଃ ସତେଜ ହୋଇ ଉଠୁଛି ଅରୁଣାର କଥାରେ । ପ୍ରକୃତରେ କି ତା’ର ଇଚ୍ଛା ନାହିଁ ? ଅଛି !–ହେଲେ ଅନୁରାଧାର ଗୀତ ପୋଗ୍ରାମ ଯେଉଁଠି ରହିଛି ସେଠି କି ମାଦକତା ଭରି ଯାଉଛି କେଜାଣି, ବୀଥିକାର ଉପସ୍ଥିତି ଅତି ନଗଣ୍ୟ ହୋଇଉଠୁଛି ।

 

ତଥାପି ଯିବାକୁ ହେବ....ତା’ଭଳି ଲୋକପାଖରେ ହୀନମନ୍ୟତା ପ୍ରକାଶ କରିବା ଶୋଭନୀୟ ହେବନାହିଁ ଯେ ।

 

ତର ତର ହୋଇ ଖଟରୁ ଉଠିପଡ଼ି ବୀଥିକା କହିଲା–

 

‘‘ନେ ଚାବି ନେନ୍ଥାଟା ନେଇଗଲୁ । ଆରଘରୁ ଆଲମିରା ଖୋଲି ଲାଲ୍ ବେନାରସୀଟା ଆଣ ଆଉ ହାଇଦ୍ରାବାଦ୍‍ରୁ ଯେଉଁ ମୁକ୍ତା ସେଟ୍‍ଟା ମୋ ଭାଇ ଆଣିଛି ସେଇଟାକୁ ବି ଆଣ । ମୁଁ ଖୋସାଟା ଟିକିଏ ସଜାଡ଼ି ନିଏ । ଖାଲି ତୋ’ପାଇଁ ଯିବା କଥା । ମୋର ଟିକିଏ ବି ମନ ନାହିଁ ଲୋ-।”

 

ଅରୁଣା ବୀଥିକାକୁ ଅଲକ୍ଷ୍ୟରେ ମୁହଁ ମୋଡ଼ିଦେଇ ଚାଲିଗଲା । ଭାଇ ଆଣିଛି ମୁକ୍ତାସେଟ୍‍ । ଭାଇ ନାଁ ଗାଈ । ଅରୁଣା ଯେମିତି ଜାଣିନି କିଏ ଆଣି ଦେଇଛି । କାହିଁକି ଦେଇଛି । ଆଉ କୋଉ କଥା ଯୋଗୁଁ ସବୁ ସାଜସଜ୍ଜା ଆଜି ନୀରସ ପାଲଟି ଯାଇଛି । ମନର ରଙ୍ଗ ମରିଯାଇଛି ଆଉ କ୍ଳାନ୍ତିରେ ଦେହ ଭାଙ୍ଗି ଯାଉଛି..... । ଜାଣେ ଅରୁଣା ଜାଣେ ।

 

ଏହାର ପରବର୍ତ୍ତୀ ଘଟଣା ବିଶେଷ କିଛି ଅସ୍ୱାଭାବିକ ନୁହେଁ ।

 

ଗୀତଗାଇ ସଂସାର ଚଳାଇବା ପାଇଁ ଅନୁରାଧା ଯେତେ ଚେଷ୍ଟା କଲେବି ସକ୍ଷମ ହୋଇପାରି ନଥିଲା । ଅଭାବ ଅସୁବିଧା ଓ ସାମାଜିକ ଜଞ୍ଜାଳ ଭିତରେ ବୋଧହୁଏ ଅଣନିଶ୍ୱାସୀ ହୋଇ ଉଠିଥିଲା । ଘଟଣାଟିକୁ ଅନୁମାନ କରିବା କଥା କେବଳ ସଂସାରର ଅଭିଜ୍ଞତାରୁ । କାରଣ ଅନୁରାଧା କାହା ଆଗରେ ତା’ର ମନର କଥା ପ୍ରକାଶ କରି ଯାଇ ନ ଥିଲା–ବୋଧହୁଏ ତା’ ଦୃଷ୍ଟିକୋଣରୁ ସେଥିର କିଛି ଆବଶ୍ୟକତା ନଥିଲା । କେବଳ ପୋଲିସମାନଙ୍କର କେତେକ ଗତାନୁଗତିକ କର୍ମଛଡ଼ା, ଅନ୍ୟ କାହାର କିଛି କରିବାର ନଥିଲା । ଯେହେତୁ ହଠାତ୍‍ ଦିନେ ସକାଳେ ଦେଖାଗଲା ଯେ ନିଜର ଚାରୋଟି ସନ୍ତାନସହ ବିଷଖାଇ ସେ ଆତ୍ମହତ୍ୟା କରିଛି । ଏଦୃଷ୍ଟିରୁ ଘଟଣାଟି ଅତି ସ୍ୱାଭାବିକ ।

 

ଅସ୍ୱାଭାବିକ ମଧ୍ୟ କିଛିଟା । ସ୍ୱାମୀର ଏତେ ମାଡ଼ ଗଞ୍ଜଣା ସହି ଯେଉଁ ସ୍ତ୍ରୀ ଚାରୋଟି ସନ୍ତାନକୁ ଭରସାକରି ଦିନେ ବି ଅଭିଯୋଗର ଶବ୍ଦଟିଏ ଉଚ୍ଚାରଣ କରି ନ ଥିଲା ଏବଂ ସ୍ୱାମୀ ମରିବାର ଏକ ବର୍ଷ ବଞ୍ଚିରହିଲାପରେ ବିନା ଲାଞ୍ଛନାରେ କିପରି ସେ ଆତ୍ମହତ୍ୟା କରିଦେଲା ନିର୍ବିକାର ଭାବରେ ? ଅଥଚ ଅନ୍ତରଙ୍ଗ ଭାବି କାହାକୁ ସୁରାକଟିଏ ବି ଦେଇଯାଇନି । ସତେ ବା ସେ ବସନ୍ତର କୋଇଲି । ଫାଲ୍‍ଗୁନ ସଙ୍ଗେ ସଙ୍ଗେ ସମସ୍ତଙ୍କ ଅଜାଣତରେ ସେ କେଉଁଠି ଲୁଚି ଯାଇଛି.... ।

 

ପ୍ରଥମ ଘଟଣାରେ ଆଶ୍ଚର୍ଯ୍ୟ, ଦ୍ଵିତୀୟରେ ପ୍ରଶ୍ନ, ତୃତୀୟରେ ସନ୍ଦେହ ଓ ଚତୁର୍ଥରେ ? ଚତୁର୍ଥରେ ଘଟଣାର ଗତି ନଥିବା କଥାଟିର ପୂର୍ଣ୍ଣଚ୍ଛେଦ ଟାଣି ଦେବାକୁହୁଏ କାରଣ ମାନବିକତା ତ ପୁଣି ମଣିଷର ଗୋଟାଏ ସଂଜ୍ଞା ।

 

ଏପରି ଗୁଣବତୀ ନାରୀଟିର ମୃତ୍ୟୁପରେ ସମାଜ ବିଶେଷତଃ ନାରୀସମାଜ ଶୋକସଭାଟିଏ ଆୟୋଜନ କରିବା ଏକାନ୍ତ ବାଞ୍ଛନୀୟ । ବୀଥିକାକୁ ଆଉ ଯାହା ହୋଇପାରେ, ହେଲେ ଛୋଟଲୋକୀ ତା’ର ନାହିଁ । ବିଶେଷତଃ ଏ ସଭାରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବାର ପ୍ରୟୋଜନ ନାହିଁ, ଅଛି ଈଶ୍ୱରଙ୍କଠାରେ ଏକମାତ୍ର ପ୍ରାର୍ଥନା । ଏଠାରେ ନାହିଁ ଦାନ ଦକ୍ଷିଣା, ଅଛି ନିଜପାଇଁ କିଛି ପୁଣ୍ୟ ସଞ୍ଚୟର ଯୋଜନା ।

 

ଶୋକସଭାର ସଭାନେତ୍ରୀ ଆସନ ଅଳଂକୃତା କରୁଥିଲା ବୀଥିକା । ସଭାମଞ୍ଚର ଗୋଟାଏ ପାଖରେ ଅନୁରାଧାର ପୁଷ୍ପମାଲ୍ୟମଣ୍ଡିତ ବନ୍ଧେଇକରା ଫଟୋ । ଛୋଟ ଫଟୋଟିକୁ କେତେ କଷ୍ଟରେ ଏନ୍‍ଲାର୍ଜ କରି ସେ ଆଣିଛି । ଧୂପ ଗନ୍ଧରେ ଚତୁର୍ଦ୍ଦିଗ ଆମୋଦିତ ।

 

ପୁରୁଷ ନାରୀ ହୋଇ କେତେ ଯେ ଅର୍ଘ୍ୟ ବାଢ଼ିଦେଇ ଗଲେଣି । ଅଶ୍ରୁ ଛଳଛଳ କଣ୍ଠରେ ତା’ର ହିସାବ କରିନି ବୀଥିକା । କିଏ ପ୍ରଶଂସା କରିଛି ତା’ର ସୁଲଳିତ କଣ୍ଠକୁ ତ, କିଏ ତା’ର ନାରୀତ୍ୱକୁ, ଆଉ କିଏ ବା ତା’ର ବ୍ୟକ୍ତିତ୍ୱକୁ । ସମସ୍ତଙ୍କ କଣ୍ଠରେ କିନ୍ତୁ ଭରି ରହିଛି ଗଭୀର ଅତ୍ମୀୟତା.... ।

 

କ’ଣ ପାଇଁ ? କଣେଇ ଚାହିଁଲା ବୀଥିକା ଅନୁରାଧାର ଫଟୋକୁ । ଟିକିଏ ତଳେ ଦେଖିଥିବା ଆଖି ଦିଓଟିରେ ଯେମିତି ଲୁହ ଜକେଇ ଆସିଛି । ‘‘ଅଥଚ ତା’ର ଓଠରେ ମୃଦୁ ମୃଦୁ ଉପହାସ । ଚାହିଁଲେ କେମିତି ଭୟ ଆଉ ସଂକୋଚ ଗ୍ରାସ କରିଯାଉଛି ବୀଥିକାକୁ । ସେ କି ଜାଣିପାରିଥିଲା ବୀଥିକାର ମନୋଭାବ ତା’ପ୍ରତି.... ।

 

ଆଉ ବକ୍ତା ନାହାଁନ୍ତି । ଅଗତ୍ୟା ସଭାନେତ୍ରୀକୁ ସଭା ସାରିବାକୁ ହେବ ନିଜର ଅଭିଭାଷଣରେ । ଅନୁରାଧା ତାକୁ ଏମିତି ଚାହିଁଛି କାହିଁକି ? ସତେ ଯେମିତି କହୁଛି ତୁ, ତୋ’ପରି କେତେ ଜଣଙ୍କପାଇଁ ମୁଁ ମରିଗଲି, ମତେ ନେଇ କାହିଁକି ନିଜର ଡିଣ୍ଡିମ ପିଟୁଛ..... ।

 

ଦୁଇଚାରିଟା ଶବ୍ଦ କହିଲା ପରେ ଆଖି ପୁଣି ଘୂରିଗଲା ଅନୁରାଧା ଆଡ଼େ । ଏଁ.....ଏ କ’ଣ ? ଫଟୋଟା ଆଖିରୁ ଯେମିତି ଅନର୍ଗଳ ଲୁହ ଝରୁଛି । ହସର କି ଉପହାସର କୌଣସି ଛଟା ନାହିଁ ଖାଲି କାରୁଣ୍ୟ ଭରି ଯାଇଛି । ରୁମାଲରେ ମୁହଁ ଚାପି ଧରି ବୀଥିକା କହୁଥିଲା ତା’ର ଅଜାଣତରେ–

 

‘‘ଆପଣମାନେ ଜାଣନ୍ତିନି ବୋଧେ ଆମେ ସମସ୍ତେ ତାକୁ ମାରିଦେଲେ । ଖାଲି ତାକୁ ନୁହେଁ, ତା’ର ଚାରୋଟି ସନ୍ତାନକୁ ମଧ୍ୟ ମାରିଦେଲେ । ଆମେ ଚାହିଁଥିଲେ ସେ ବଞ୍ଚି ଯାଇଥାନ୍ତା । କାହିଁକି ? ଆମେ କାହିଁକି ? ଖାଲି ମୁଁ ଚାହିଁଥିଲେ ସେ ଆଜି ଆମ ପାଖରେ ବସିଥାନ୍ତା । ଆପଣମାନେ ଜାଣନ୍ତିନି....ମୁଁ ତାକୁ ସହିପରିଲିନି, ତା’ କଣ୍ଠରେ ମୁଁ ଜଳିଗଲି.....ମୋ ଈର୍ଷାରେ, ଅସହିଷ୍ଣୁତାରେ ସେ ଅଭିମାନ କରି ଚାଲିଗଲା । ଏମିତି, ଏମିତି କେତେ ଜୀବନ ଝଡ଼ି ପଡ଼ୁଛି, କେତେ ପ୍ରତିଭା ନଷ୍ଟ ହୋଇଯାଉଛି । କିଏ ? କିଏ ଏଇଥିପାଇଁ ଦାୟୀ ? ଆପଣମାନେ ? ଆମେମାନେ ? ନାହିଁ, ନାହିଁ ମୁଁ.....ମୁଁ ଦାୟୀ.....ମୁଁ ତାକୁ ମାରିଦେଲି......ଦେଖନ୍ତୁ ସେ ଫଟୋକୁ ଅନାନ୍ତୁ କେମିତି ସେ କାନ୍ଦୁଛି; କାନ୍ଦୁନି ତ ରକ୍ତ ଝରୁଛି ତା’ ଆଖିରୁ । ଶୁଣନ୍ତୁ ମୋର କିଛି କ୍ଷତିକରି ନଥିଲା, ଦିନେ ବି ହାତ ପତେଇ ମତେ କିଛି ମାଗି ନଥିଲା–ମୁଁ ତାକୁ ଗୋଟିଏ ପଇସା ଦେଇନି, ଅଥଚ ତା’ର ଅଜସ୍ର ଐଶ୍ୱର୍ଯ୍ୟ ଲୁଟି ନେଇଛି । ଆପଣମାନେ ବିଶ୍ୱାସ କରିବେନି ଅନୁରାଧା ପରି କେତେ ସ୍ତ୍ରୀଲୋକଙ୍କର ଅକାଳ ମୃତ୍ୟୁ ପାଇଁ ଯେଉଁମାନଙ୍କୁ ଦାୟୀ କରାଯିବ ସେମାନଙ୍କୁ ସମାଜ, ଆଇନ୍‍, ଅଦାଲତ କେହି ଶାସ୍ତି ଦେଇ ପାରିବନି । ସେମାନେ ଯେ ସମାଜର ବଡ଼ପଣ୍ଡା......ଜାଣନ୍ତି, ସେ କିଏ ? ଆପଣମାନେ, ଆମେମାନେ ? ମୁଁ....ମୁଁ....ମୁଁ.... ।

 

ବୀଥିକା ମୁହଁରେ ରୁମାଲ ଚାପିଧରି କୋହ ସମ୍ବରଣ କରୁଥିଲା । ସଭାରେ ଭୀଷଣ ହଇଚଇ ଗଣ୍ଡଗୋଳ । ଫଟୋ ପରେ ଫଟୋ ଉଠିଯାଉଛି । ଚାରିଆଡ଼ୁ ଚୁ, ଚା ଶବ୍ଦ । ନାକ ପୋଛା, ଗଳା ପରିଷ୍କାର ଶବ୍ଦରେ କିପରି ଗୋଟାଏ ବିଷଣ୍ଣତା ଭରିଯାଇଥିଲା ।

 

ଏତିକିବେଳେ ସଭାନେତ୍ରୀଙ୍କ କୋହ ସମ୍ବରଣ ମୁହୂର୍ତ୍ତରେ ଅରୁଣା ସଭାକୁ ଉଠିଯାଇ କହିଲା–

 

‘‘ଆପଣମାନେ ଦେଖି ପାରୁଛନ୍ତି ସଭାନେତ୍ରୀ କିପରି ଶୋକବିହ୍ଵଳା ହୋଇ ପଡ଼ିଛନ୍ତି । ସେ ବର୍ତ୍ତମାନ ଆଉ କିଛି କହିବା ଅବସ୍ଥାରେ ନାହାଁନ୍ତି । ମୁଁ ତାଙ୍କ ତରଫରୁ ଘୋଷଣା କରୁଛି ଯେ ଅନୁରାଧାଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ଏକ ସଙ୍ଗୀତ ବିଦ୍ୟାଳୟ ସ୍ଥାପନ କରିବାକୁ ଦଶହଜାର ଟଙ୍କା ଦାନ କରିଛନ୍ତି । ଆପଣମାନଙ୍କୁ ଅନୁରୋଧ, ଅନୁରାଧା ସଙ୍ଗୀତ ବିଦ୍ୟାଳୟପାଇଁ ମୁକ୍ତ ହସ୍ତରେ ଦାନକରି କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ବୀଥିକା ଦେବୀଙ୍କୁ ସାହାଯ୍ୟ କରନ୍ତୁ । ଆଜି ଏତିକିରେ ସଭା ଭଙ୍ଗ ହେଲା ।

 

ଚାରିଆଡ଼ୁ ବିଷଣ୍ଣତା କଟିଯାଇ ପୁଣି ସୃଷ୍ଟିହେଲା କଳରୋଳ । ବୀଥିକାର ପ୍ରଶଂସାରେ ମୁଖରିତ ହୋଇଛି ଚତୁର୍ଦ୍ଦିଗ । ପେଲାପେଲି ଭିତରଦେଇ ଅରୁଣାର କାନ୍ଧରେ ଶୋକବିହ୍ଵଳା ମୁହଁକୁ ନଦି ଆଉ ଛାତିରେ ଅନୁରାଧାର ଫଟୋକୁ ଚାପି ଯେତେବେଳେ ବୀଥିକା ଗାଡ଼ିରେ ବସିବାକୁ ଗଲା, ସୁରେଶ ତା’ର ହାତ ଧରିନେଇ ମୁର୍କି ହସି କାନ ପାଖରେ କହିଲେ–

 

‘‘କିଂଗ୍ରାଚ୍ୟୁଲେସନ୍ ବୀଥିକା । ସତରେ ତୁମେ ଅନନ୍ୟା ।”

 

ଅକସ୍ମାତ୍‍ ବୀଥିକାର ବାମ ହାତର ଫଟୋଟା ଖସିଯାଇ ପୋର୍ଟିକୋର ସିମେଣ୍ଟ ଚଟାଣ ଉପରେ ଦି’ଖଣ୍ଡ ହୋଇଗଲା । ମନେହେଲା କୁରାଢ଼ି ଧରି କିଏ ଯେମିତି ତା’ର କଅଁଳ କଲିଜାକୁ ଦି’ଟୁକୁରା କରିଦେଲା । ଅଥଚ ଅନୁରାଧାର ଫଟୋ ଗୋଟାଇବାପାଇଁ ସେତେବେଳେ ଶହ ଶହ ହାତ ତା’ର ପାଦତଳେ ଲୋଟୁଥିଲେ !!!

Image

 

Unknown

ତାଣ୍ଡବ

 

ଦେବେନ୍ଦ୍ର କବାଟର କିଳିଣୀକୁ ଝଣ ଝଣ କରି ଦି’ଥର ପିଟିଲା । ଆଉ ଟୁକୁନା ଟୁକୁନା କରି ମଧ୍ୟ ଦି’ଥର ଡ଼ାକିଲା । କନକର ନାମ ଧରି ଡାକିବ କି ନାହିଁ ସେ ଭାବୁଥିଲା । କିନ୍ତୁ ବର୍ଷା ଘଡ଼ଘଡ଼ି ଆଉ ପବନ ଏତେ ଜୋରରେ ଏକା ସାଙ୍ଗରେ ହେଉଥିଲା ଯେ ତା’ର କଣ୍ଠଟା କବାଟ ଟର୍କା ଟପି ଶୁଭିବ କି ନାହିଁ ସେକଥା ସେ ଭାବୁଥିଲା ।

 

ଦେବେନ୍ଦ୍ରର ଦିନସାରାର ଖଟଣି ପରେ ନିଜ ଘର ଦୁଆର ମୁହଁରେ ଏମିତି ଭାବରେ ଅପେକ୍ଷା କରିବାକୁ ଇଚ୍ଛା ହେଉନଥିଲା ।

 

ଠିକ୍ ଏତିକିବେଳେ ଲ୍ୟାମ୍ପଟା ହାତରେ ଧରି କନକ ଘର ଭିତରକୁ ପଶିଆସିଲା । ଆଉ ତା’ ପଛେ ପଛେ ଟୁକୁନା ।

 

କନକ ବୋଧେ ଶୋଇଥିଲା କି କ’ଣ ? ଆକ୍ଷିଗୁଡ଼ା ବଡ଼ ଫୁଲା ଫୁଲା ଦିଶୁଥିଲା ।

 

କବାଟ ଖୋଲି କନକ କହିଲା–

 

‘‘ଟୁକୁନାର ବହି ଆଣିଛ ? ମୋ ଜୀବନ ଖାଇଗଲାଣି ସାରାଦିନ । ଆଉ ସେ ମାଷ୍ଟ୍ରଙ୍କ ଗୁଣକୁ ଦେଖ, ବାଡ଼େଇ ବାଡ଼େଇ ଆଙ୍ଗୁଠିର ଟିପକୁ କେମିତି ଫୁଲେଇ ଦେଇଛନ୍ତି ।’’

 

ଦେବେନ୍ଦ୍ର ପୁଅର ପ୍ରସାରିତ ହାତ ପାପୁଲିକୁ ଚାହିଁ ପାରୁନଥିଲା, କି ବହି ମଧ୍ୟ ଆଣିପାରିନାହିଁ ବୋଲି ସ୍ପଷ୍ଟ ଜଣେଇ ଦେଇ ପାରୁନଥିଲା । ପ୍ରତିଦିନ ବହି ଆଣିବ, ଜମାପ୍ୟାଣ୍ଟ ଆଣିବ କହି ସେ ଅଫିସ ଯାଉଛି....ହେଲେ ଆଣିବା ସମ୍ଭବ ହେଉନି । ଏକଥା କନକ ବି ଜାଣନ୍ତି ଯେ ମାସର ଶେଷ ସପ୍ତାହରେ ଏସବୁ ସମ୍ଭବ ନୁହେଁ । ତଥାପି କନକର କଥାରେ ଯେପରି କଟାକ୍ଷ ଭରି ରହିଥିଲା ପରି ଦେବେନ୍ଦ୍ରକୁ ଲାଗିଲା ।

 

ଶେଷରେ ରାଗଟାକୁ ମାଷ୍ଟ୍ରଙ୍କ ଉପରକୁ ଚଢ଼ାଇ ଦେବେନ୍ଦ୍ର ପଚାରିଲା–

 

‘‘କେଉଁ ମାଷ୍ଟ୍ର ସେ ଏମିତି ବାଡ଼େଇଲା ? ଆଜିକାଲି ଆଉ ଯୁଗ ଅଛି ପିଲାଙ୍କୁ ବାଡ଼େଇବାର ? ବହି ନାହିଁ ତ ନାହିଁ, ତା’ର କ’ଣ ଯାଏ ? ଏସବୁ ଅବଧାନି...... ।’’

 

‘‘ଥାଉ, ବହି ନାହିଁ ବୋଲି ନୁହେଁ.....ବହିଦେଖି ପାଠ କହିଲା ବୋଲି । ମାଷ୍ଟ୍ରେ ପଚାରିଲାରୁ–ମାନେ ଆଗରୁତ ଘରୁ ପଢ଼ିଯାଇନି, କେମିତି କହିବ ? ତେଣୁ ସାଙ୍ଗପିଲାର ବହିଟା ଲୁଚେଇ ଦେଖୁ ଦେଖୁ..... ।”

 

କନକର କଥାରେ ମାଷ୍ଟ୍ର ଆଉ ଟୁକୁନା ଉଭୟଙ୍କପାଇଁ ଯୁକ୍ତି ରହିଛି । କାହାକୁ କିଛି ନକହି ସେ ସାର୍ଟଟା କାଢ଼ି ଥୋଇଲା ଏବଂ ବସିପଡ଼ି ଟୁକୁନାକୁ ଦୁଇ ଆଣ୍ଠୁ ମଝିରେ ଚାପିଧରି ସେ ପ୍ରଫୁଲ୍ଲ କଣ୍ଠରେ କହିଲା–‘‘ବାସ୍, ଠିକ୍‍ ଅଛି, ଆଜିଠାରୁ ମୁଁ ତତେ ଘଣ୍ଟାଏ ଲେଖା ପଢ଼ାଇଦେବି । କହ, ଆଜି କ’ଣ ପଢ଼ାହେଲା ?”

 

ଟୁକୁନା ଭୟଭୀତ ହୋଇ ଉତ୍ତର ଦେଲା–

 

‘‘ସୁଷମ ଖାଦ୍ୟ ।”

 

‘‘ଓ, ଏଇ ସୁଷମା ଖାଦ୍ୟ । ଏଇଟା ତୁ କହିପାରିଲୁନି....ଛି....ଛି ଏଇମାନେ କେତେ ପରିମାଣରେ ଫ୍ୟାଟ୍, ପ୍ରୋଟିନ୍–ମାନେ ମାଛ, ମାଂସ, ଅଣ୍ଡା, କୁକୁଡ଼ା, କାର୍ବୋହାଇଡ୍ରେଟ୍...... । ଆରେ ଏଇ କଥାକୁ କହିପାରିଲୁନି ?” ନିଜର ବୁଦ୍ଧିମତ୍ତାରେ ନିଜେ ଠୋ-ଠୋ ହୋଇ ହସି ଉଠିଲା ଦେବେନ୍ଦ୍ର ।

 

ମାତ୍ର ଟୁକୁନା ସେମିତି ଭୟଭୀତ ଆକ୍ଷିରେ ଚାହିଁଥାଏ । ଲ୍ୟାମ୍ପର ଝାପ୍‍ସା ଆଲୁଅରେ ଟୁକୁନାର ରୋଗଣା ଆକ୍ଷିଦୁଇଟା ତାକୁ ବଡ଼ ବିକୃତ ମନେହେଲା । ଛାତି ପାଖରେ ଏଇ କୋହଲା ଥଣ୍ଡା ପାଗରେ ହାଡ଼ଗୁଡ଼ାକ ପୁଙ୍ଗୁଳା ଦେହରେ ଯେମିତି ତା’ କଥାକୁ ଉପହାସ କଲାପରି ମନେହେଲା । ଦେବେନ୍ଦ୍ରର ମନେ ପଡ଼ିଗଲା ଗଲାବର୍ଷ ଟୁକୁନା ତାକୁ ପଚାରିଥିଲା–‘‘ବାପା ! ଘରର ଝରକା କବାଟ ସବୁ ଚଉଡ଼ାକରି କରିଲେ ବାୟୁ ଚଳାଚଳ ଭଲହୁଏ, ବିନା ମଶାରିରେ ଶୋଇଲେ ମଶା କାମୁଡ଼ି ନାନା ରୋଗହୁଏ । ଆମର କାହିଁକି ବଡ଼ଘର କରୁନ ? ଆମର ମଶାରି କାହିଁକି ଆଣୁନ ?”

 

ସେସବୁ ପ୍ରଶ୍ନକୁ ଅନ୍ୟକଥା ପକାଇ ଉଡ଼ାଇ ଦେଇଥିଲା ଦେବେନ୍ଦ୍ର । ମାତ୍ର ଟୁକୁନାର ରୋଗଣା ଦୁର୍ବଳିଆ ଆକ୍ଷିରେ ବାପର ଅପାରଗ ପଣିଆ ଯେମିତି ଧରାପଡ଼ିଯାଇଛି । ଯେପରି ସେ ପଛ ଦିନର ଉତ୍ତର ଦେଇପାରିନଥିବା କଥାଟା ଟୁକୁନା ନୀରବରେ ତାକୁ ମନେ ପକେଇ ଦେଉଛି । ଆଉ ସୁଷମ ଖାଦ୍ୟର ଗଠନ ପ୍ରଣାଳୀ ବର୍ଣ୍ଣନା କଲାବେଳେ ଟୁକୁନାର ଓଠ ଦୁଇଟା ଯେପରି ତା’ର ପିତୃତ୍ୱକୁ ଉପହାସ କରି ଥରି ଉଠୁଛି–

 

ଦେବେନ୍ଦ୍ର ଭିତରେ ଭିତରେ ଏକ ଅଜଣା ଭୟ ଓ ଆଶଙ୍କାରେ କମ୍ପି ଉଠିଲା । ସେ ଟୁକୁନାକୁ ଛାଡ଼ିଦେଇ ବାରଣ୍ଡାକୁ ଉଠିଗଲା ।

 

ରୋଷେଇଘରେ କ’ଣ ଠୁକ୍‍ଠାକ୍‍ କରୁଛି କନକ । ବାରଣ୍ଡାର ଗୋଟାଏ କଣକୁ ମଇଳା ଛିଣ୍ଡା ଲୁଗାଟାଏ ଘୋଡ଼େଇ ହୋଇ ବୋଉ ବସିଛି । ଆଉ ତା’ ସାଙ୍ଗକୁ ମୀନା ଗୋଟାଏ କଣା ଫଟା ରବର କଣ୍ଢେଇକୁ ଛିଟକନା ପିନ୍ଧେଇବାରେ ବ୍ୟସ୍ତ ।

 

ଆକାଶରେ ମେଘ । ଗୁଡ଼ାଏ ବାଦଲ ଏପଟ ସେପଟ ଧାଇଁ ବୁଲୁଛନ୍ତି ଅଶାନ୍ତ ଭାବରେ-। ଆଉ ଟପ୍‍ର ଟପ୍‍ର ହୋଇ ପାଣି ପଡ଼ୁଛି ଓଳି ତଳେ ।

 

କୋଉଠି ଗୋଟାଏ ଯେମିତ ଭୁଲ ହୋଇଯାଇଛି–ଆଉ ସୁଧାରି ହବନି । କାନ୍ଧରେ ଏ ବୋଝ ବୋହି ବୋହି ବିବେକର ବାଧାସତ୍ତ୍ୱେ ହିଁ ତାକୁ ଚାଲିବାକୁ ପଡ଼ିବ । ଅଥଚ ଦେହରେ କି ମନରେ କୌଣସିଟିରେ ବଳ ନାହିଁ.....ନାହିଁ.....ନାହିଁ ।

 

କନକ ଚା’ କପ୍‍ଟା ହାତରେ ଧରି ଆସିଲା । ଦେବେନ୍ଦ୍ର ତା’ ମୁହଁକୁ ଅନେଇ ପାରୁନଥିଲା । ପୁଅ ମାଡ଼ ଖାଇନି ଯେ, ସେ ଯେପରି ମାଡ଼ ଖାଇଛି ।

 

ଘରଭିତରକୁ ପଶି ଦେବେନ୍ଦ୍ର ଚା’ କପ୍‍ଟା ନେଲା । ସେ ଚା’ରେ ଚୁମକ୍ ଦେଉ ଦେଉ କନକ କହିଲା–

 

‘‘ତୁମକୁ କଷ୍ଟ ହେବ ଜାଣୁଛି–ତଥାପି ନକହି ବାଟ ନାହିଁ । ଗୋଟାଏ ଓଳି କେଉଁଠି ଟିଉସନ୍‍ଟାଏ ତମେ ଅନ୍ତତଃ ଧର; ନଚେତ୍ ଚଳିବା ମୁସ୍କିଲ ହେବ । ନହେଲା ଏବେ ସୁଷମଖାଦ୍ୟ–ମୁଠାଏ ଭାତଡାଲି ତ ଦରକାର । ଅନ୍ତତଃ ମାଟ୍ରିକ୍ ପର୍ଯ୍ୟନ୍ତ ନ ପଢ଼ିଲେ.... ବେଳକାଳ ଯା ଦେଖୁଛ....-?

 

ଦେବେନ୍ଦ୍ରର ତଣ୍ଟି ପାଖରେ ଚା’ଗୁଡ଼ାକ ଜମାଟ ବାନ୍ଧିଗଲା । ସେ ନିଜେ ଏମ୍.ଏ. ପାସ୍ କରିଛି–ତା’ ପୁଅ ମାତ୍ର ମ୍ୟାଟ୍ରିକ୍ ପର୍ଯ୍ୟନ୍ତ ପଢ଼ିବ ବୋଲି ତା’ ସ୍ତ୍ରୀ କାହିଁକି କଳନା ବି କରିପାରୁନି କାହିଁକି....କାହିଁକି ? କାହିଁକି ତା’ ମୁଣ୍ଡରେ, ମନରେ ବଡ଼ ଆଶା ସେ ପୋଷଣ କରିପାରୁନି ?

 

‘‘ରାଗିଲ ? ଚା’ଟା ଥଣ୍ଡା ହୋଇଯାଉଛି ।’’

 

ଦେବେନ୍ଦ୍ର କିଛି କହି ପାରିଲାନି । କାରଣ କନକର କଣ୍ଠ ବେଶ୍ ସଂଯତ ଆଉ ଶାନ୍ତ । ମାତ୍ର ନିଜେ ସେ ଫାଟି ପଡ଼ିବାପରି ଅନୁଭବ କରୁଥିଲା । କିନ୍ତୁ କାହା ଉପରେ ? କାହାକୁ ଟାର୍ଗେଟ୍ କରି ସେ ଫାଟି ପଡ଼ିବ ?

 

ବତିଶି ବର୍ଷ ଧରି ସେ ସଂଗ୍ରାମ କରି ଆସିଛି । ସେ ଗଡ଼ ଗଡ଼ କରି ମୁଖସ୍ତ କରିଛି ସୁଷମଖାଦ୍ୟର ପ୍ରସ୍ତୁତ ପ୍ରଣାଳୀ, ଶରୀର ବିଜ୍ଞାନ ଆଉ ସ୍ୱାସ୍ଥ୍ୟରକ୍ଷାର ନିୟମଧାରା । ମୁଖସ୍ଥ କରିଛି ଶ୍ରମହିଁ ପ୍ରଗତିର ସୋପାନ, ଆଉ ବିବେକହିଁ ମନୁଷ୍ୟତ୍ଵର ମାନଦଣ୍ଡ–ଇତ୍ୟାଦି । ମାତ୍ର କ’ଣ ତା’ର ଲାଭ ହୋଇଛି ? କେବଳ ଟାଣିଓଟାରି ଘୋଷାରି ହେବ ଛଡ଼ା ଦ୍ଵିତୀୟ କଥା ସେ ଜାଣିନି । ପୁଅ ପ୍ରଶ୍ନର ଉତ୍ତର ଦେଇପାରିନି, ସ୍ତ୍ରୀକୁ ମୁହାଁମୁହିଁ ଚାହିଁପାରିନି । ବୋଉ ସହିତ କଥାର ପ୍ରଶ୍ନତ ଉଠେନି-। ବାପା ନାହାଁନ୍ତି–ଏକରକମ ଭଲ ହୋଇଛି । ସାଇପଡ଼ିଶା, ଜ୍ଞାତିକୁଟୁମ୍ବ–ଏସବୁ ତା’ର ନାହାନ୍ତି କହିଲେ ଚଳେ ।

 

ଦେବେନ୍ଦ୍ର ନିଜ ପାଦ ଦିଓଟିରେ ଅନେକ କିଛି ଦୁର୍ବଳତା ଅନୁଭବକରି ଗଡ଼ିପଡ଼ିଲା ଦଉଡ଼ିଆ ଖଟଟାରେ । ସେଇ ଅସ୍ୱସ୍ତି.... କେଉଁଠି ଗୋଟାଏ ଭୁଲ୍ ହୋଇଯାଇଛି । ତାକୁ ଆଉ ସୁଧାରି ହେବନି...ହେବନି । ଆଖି ଆଗରେ ନିଜର ଶେଷ ଆଶ୍ରୟଟା ଭାସିଯାଉଛି । ଜାଣି ଜାଣି କୁଟା ଖିଅପରି ସେ ଗଡ଼ିଯାଇଛି । ଅଥଚ ନିଜକୁ ନିଜେ ରକ୍ଷା କରିପାରୁନି–କି ଅସହାୟ ବୋଲି ମଧ୍ୟ ସ୍ୱୀକାର କରିପାରୁନି ।

 

ଟିଂ ଟିଂ ଘଣ୍ଟା ବଜାଇ କନକ ସେ ଘରେ ବସି ପୂଜା କରୁଛି । ଟୁକୁନା ଆଉ ମୀନା ମୁଣ୍ଡମାଡ଼ି ଗୁଣୁ ଗୁଣୁ ହେଉଛନ୍ତି ।” ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ ...”

 

ଦେବେନ୍ଦ୍ରର ଦେହେ ଦେହେ ନିଆଁ ଲାଗିଗଲା । ଫାଟିପଡ଼ିଲା ତା’ର ବତିଶ ବର୍ଷର ସଞ୍ଜତ ପଣିଆ, ଉଚ୍ଚ ଡିଗ୍ରୀର ମାନ ମହତ ସବୁ । ଛିଣ୍ଡିପଡ଼ିଲା ଯେତେ ଯେଉଁଠି ପିଲାଦିନରୁ ହାତ ଗୋଡ଼ରେ ବନ୍ଧା ହୋଇଥିବା ବେଡ଼ି ଶୃଙ୍ଖଳ । ସେ ଚିତ୍କାର କରିଉଠିଲା–‘‘ଟୁକୁନା ! ମୀନା ! ବନ୍ଦକର ଗୀତ, ବନ୍ଦକର । କନକ, ସେ ଘଣ୍ଟି ବନ୍ଦକର..... । ଆଇ ସେ,ଷ୍ଟପ୍ ଇଟ୍ ।”

 

କନକର ହାତରୁ ଘଣ୍ଟି ପଡ଼ିଗଲା ଝଣ୍‍କରି । ସ୍ତବ୍ଧ ହୋଇଗଲେ ଟୁକୁନା ଆଉ ମୀନା ।

 

ଉନ୍ମତ୍ତ ଭଳି ଛିଡ଼ାହୋଇ ନିର୍ଦ୍ଦେଶ ଦେବା ଭଙ୍ଗୀରେ କହିଲା ଦେବେନ୍ଦ୍ର–

 

‘‘ତମେ ତମ ଠାକୁରଙ୍କୁ ଏଇକ୍ଷଣି ନେଇ ଖତଗଦାରେ ପକେଇଦେଇ ଆସ କନକ । ଆଉ ଟୁକୁନା, ମୀନା ତମର ପାର୍ଥନା କାଲିଠାରୁ ବନ୍ଦ । ଟୁକୁନା ! ତୁ ସ୍କୁଲକୁ ଯିବୁନି–ତୋର ପାଠ ପଢ଼ିବା ଆଉ ଦରକାର ନାହିଁ...ପାଠ ତତେ ଯନ୍ତାରେ ପୂରାଇ ମୋ’ଭଳି ପଶୁ କରିଦେବ...ଅମଣିଷ କରିଦେବ । ମୁଁ ଚାହେଁନା ତୁ ପଶୁ ହୋଇଯା...ଯାହା ତୋର ଇଚ୍ଛା, ଯାହା ତୋର ବିବେକ ଚାହେଁ ତୁ ମୁକ୍ତଭାବରେ କରିଯା...ମୋ’ପରି ଚିଡ଼ିଆଖାନାର ବୋଲକରା ପଶୁ ହେବାପାଇଁ ତୋର ବହି ମୁଖସ୍ଥ କରିବା ଦରକାର ନାହିଁ...ଦରକାର ନାହିଁ... ।”

 

ନିଜ ଉପରେ ନିଜେ ଯେମିତି ଗର୍ଜ୍ଜନକରି ଫାଟି ପଡ଼ୁଛି ଦେବେନ୍ଦ୍ର ।

 

କନକ ଆସି ତା’ର ହାତ ଧରିପକେଇଲା–‘‘ଏ ତୁମେ ଏମିତି ରାଗିଯାଉଛ କାହିଁକି ? ଥୟହୁଅ...ଥୟହୁଅ... । ପିଲାଗୁଡ଼ାକ ଯେ ଡରିଗଲେଣି ।”

 

ଦେବେନ୍ଦ୍ର କିନ୍ତୁ ପାଗଳଙ୍କ ଭଳି ଚିତ୍କାର କରି ଚାଲିଥିଲା ।

 

ବାହାରେ ତାଳ ମିଳାଇ ଚାଲିଥିଲା ବର୍ଷ ଆଉ ବିଜୁଳିର ତାଣ୍ଡବ ନୃତ୍ୟ !!

Image

 

ମୌସୁମୀ

 

ହୋଟେଲର ରିସେପ୍‍ସନ କାଉଣ୍ଟର ପାଖରେ ଅନ୍ୟମନସ୍କ ହୋଇ ଛିଡ଼ା ହୋଇଥିଲା ସତ୍ୟପ୍ରିୟ । ପଛପାଖ କାନ୍ଧ ଉପରେ କିଏ ଜଣେ ଆସି ଚାପାଦେଲା । ପଛକୁ ବୁଲି ଦେଖିଲା ସେ । ବିନା ସଙ୍କୋଚରେ ତା’ର ଅତି ପାଖରେ ଦେହକୁ ଦେହ ଲାଗି ଯିଏ ଛିଡ଼ା ହୋଇଛନ୍ତି ସେ ଅନ୍ୟ କେହି ନୁହେଁ । ତାକୁ ଏକଦା ବିବାହକରି ସୁଖରେ ପାଞ୍ଚବର୍ଷ କଟାଇଥିବା ସ୍ତ୍ରୀ ତନୁଜା, ଅପୂର୍ବ ବେଶପୋଷାକରେ ସୁସଜ୍ଜିତ ହୋଇ ଚମକାଇ ଦେଇଛି ସତ୍ୟପ୍ରିୟକୁ । କପାଳରେ ବିଜୁଳିର ଝଲକ ଫୁଟାଇ ସେ କହିଲା–

 

‘‘ହ୍ୟାଲୋ ! ହାଓ ଆର୍ ଇଉ ? ମିଟିଂ ଆଫ୍‍ଟର ଏ ଲଙ୍ଗ ଇଣ୍ଟରଭାଲ !”

 

ଅତର୍କିତ ଭାବରେ ସତ୍ୟପ୍ରିୟ ଉଚ୍ଛାରଣ କଲା–

 

‘‘ସିଲି ! ଓ...ଇଉ ମିନ୍... ।” ବାକ୍ୟ ପୂରଣ କରି ନ ପାରି ହସିଲା ସତ୍ୟପ୍ରିୟ । ‘‘କେମିତି ଅଛ ? ଏକା ନାଁ ଆଉ କିଏ ? କ’ଣ କାମ ଅଛି ? ବିଜିନେସ୍‍ କେମିତି ଚାଲିଛି ? କେତେଦିନ ରହିବ ?’’

 

ଗୋଟିଏ ଯୋଡ଼ିଏ ପ୍ରଶ୍ନ ନୁହେଁ ପ୍ରଶ୍ନମାଳା । କେଉଁ ପ୍ରଶ୍ନର ଉତ୍ତର ଦେବ ସତ୍ୟପ୍ରିୟ ବୁଝି ନ ପାରି ଚାହିଁ ରହିଥିଲା ତନୁଜାକୁ ! ହଠାତ୍ ଘଣ୍ଟାକୁ ଅନାଇ ତନୁଜା ବ୍ୟସ୍ତହୋଇ କାଉଣ୍ଟରରେ ବସିଥିବା କ୍ଲର୍କକୁ ପଚାରିଲା–

 

‘‘ଦୁଇଶହ ସତର ନମ୍ବରର ଅକୁପାଣ୍ଟ ଅଛନ୍ତି ନାଁ ବାହାରକୁ ଯାଇଛନ୍ତି, ଟିକେ ରିଂ କରି ଦେଖିବେ କି ? ଅର୍ଜେଣ୍ଟ ! ମୋର କାଲି ସନ୍ଧ୍ୟାରେ ତାଙ୍କୁ ଦେଖା କରିବାର ଥିଲା, ହେଲେ ବିଶେଷ ଅସୁବିଧାରୁ ଆସିପାରିଲିନି । କୁହନ୍ତୁ, ମୁଁ ମିସ୍ ତନୁଜା ଦାସ... । ତାଙ୍କୁ ଦେଖା କରିବାକୁ ଆସିଛି ।”

 

‘‘ଓଃ । ବମ୍ବେରେ କି ବର୍ଷା । ଜାଣ ସତ୍ୟପ୍ରିୟ, କାଲି ଏୟାରପୋର୍ଟକୁ ଆସି ଫେରିଗଲି-। ଫ୍ଲାଇଟ୍ କ୍ୟାନସେଲ ହୋଇଗଲା... ଆରେ ବାପରେ, କି ବର୍ଷା । ମୋ ଜିନ୍ଦେଗୀରେ ବି ଏମିତି ବର୍ଷା ଦେଖିନି... । ଆଚ୍ଛା ତୁମେ କେବେ ଆସିଲ ?”

 

ସତ୍ୟପ୍ରିୟର ଉତ୍ତରକୁ ଅପେକ୍ଷା ନ ରଖି କ୍ଲର୍କର ସମ୍ମତିସୂଚକ ମୁଣ୍ଡହଲାରେ ଧାଇଁଗଲା ଲିଫ୍ଟଆଡ଼କୁ ତନୁଜା ।

 

ସେଇପରି ଅନ୍ୟମନସ୍କ ଭଙ୍ଗୀରେ ନିଜ ରୁମ୍‍ର ଚାବିଟା କାଉଣ୍ଟରରେ ଦେଇ ସତ୍ୟପ୍ରିୟ କ୍ଷିପ୍ର ଗତିରେ ବାହାରକୁ ଚାଲିଯାଇ ବୁକ୍ ଷ୍ଟଲ୍‍ର କାଉଣ୍ଟରରେ ବହି ଦେଖିବାର ଆଶ୍ରୟ ନେଲା ।

 

ତନୁଜା ଥିଲା ସତ୍ୟପ୍ରିୟର ଏକଦା ବିବାହିତା ସ୍ତ୍ରୀ । ସୁନ୍ଦରୀ, ଶିକ୍ଷିତା ଧନୀପରିବାରର ଏକମାତ୍ର ଅଲିଅଳି କନ୍ୟା । ସତ୍ୟପ୍ରିୟକୁ ଭଲପାଇ ସେ ବିବାହ କରିଥିଲା । ବୋଧହୁଏ ତାହା ଥିଲା ତା’ର ଖେୟାଲ୍ । ନଚେତ୍ ଯାହାକୁ ମୁହୂର୍ତ୍ତେ ନ ଦେଖିଲେ ଜୀବନ ହତ୍ୟା କରିବ ବୋଲି ସେ ଧମକ ଦେଉଥିଲା, ତାକୁ ନିର୍ବିକାର ଭାବରେ ଛାଡ଼ି ଚାଲିଗଲା ! ଖେୟାଲ୍ ନୁହେଁ ତ ଆଉ କ’ଣ ? ଘରବାନ୍ଧି, ସ୍ୱାମୀ, ପୁତ୍ର, କନ୍ୟା ନେଇ ଜୀବନଯାପନ କରିବାକୁ ସବୁ ସ୍ତ୍ରୀ ମନ କରିଥିଲେ ହେଁ, ତନୁଜା କାହିଁକି ତା’ର ବ୍ୟତିକ୍ରମ ହେଲା ସତ୍ୟପ୍ରିୟ ବୁଝିପାରେ ନାହିଁ । ଆଜି ଦୀର୍ଘ ଏକବର୍ଷ ପାଖାପାଖି ସମୟ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ, ମନେହେଉଛି ତନୁଜା ଯେପରି ତା’ର ପାଖେ ପାଖେ ରହିଛି । ଓଃ ! ତା’ଠାରୁ ଦୂରରେ ରହିବା ଯେ କି ଯନ୍ତ୍ରଣା ? ଏତେ ଦିନ ପରେ ବି ସତେ ଯେପରି କିଛି ହୋଇନି ଏଇପରି ଏକ ଶୈଳୀରେ ତନୁଜା ତାକୁ କଥା କହୁଥିଲା । ସମସ୍ତଙ୍କୁ ତେବେ କ’ଣ ଏକଇ ରୂପରେ ଦେଖେ ସେ... ।

‘‘ହେଇ ସତ୍ୟପ୍ରିୟ !କ’ଣ କରୁଛ ଏଠି ? ମୁଁ ଗଲାବେଳକୁ ଭଦ୍ରଲୋକ ବ୍ୟସ୍ତ । ପଞ୍ଝାଏ ଲୋକ ତାଙ୍କୁ ଘେରି ବସିଛନ୍ତି । ଛାଡ଼...ମୋର ଆପଏଣ୍ଟମେଣ୍ଟଟା ଯେତେବେଳେ ଗଡ଼ବଡ଼ ହୋଇଯାଇଛି..., ଏବେ କ’ଣ କରାଯାଏ ? ଆଠଟା ପୂର୍ବରୁ ସାକ୍ଷାତ ହୋଇପାରିବନି ।”

ଆଶ୍ଚର୍ଯ୍ୟ ! ଆହୁରି ଦେଢ଼ଘଣ୍ଟା ଅଛି ଆଠଟା ବାଜିବାକୁ । ସତ୍ୟପ୍ରିୟର କିଛି ଜରୁରୀ କାମ ଅଛି ଯେ ! କାଲି ସନ୍ଧ୍ୟାରେ ଫେରିବାକୁ ହେବ ସବୁ କାମ ସାରି । ଟ୍ରେନ୍ ଟିକେଟ୍ ସେ ବୁକ୍ କରିସାରିଛି ଏବଂ ଆଜି ସେ କାହାପାଇଁ କୌଣସି କଥାରେ ଅପେକ୍ଷା କରିବାକୁ ଆଦୌ ରାଜି ନୁହେଁ-। ବିଶେଷତଃ ତନୁଜାପାଇଁ, ଯେ କି ବିଚ୍ଛେଦଠାରୁ ଅପମାନ ଦେଇଛି ବେଶୀ । ଭଲପାଇବାର ନାଗରା ବଜାଇ ସତ୍ୟପ୍ରିୟ ବିବାହ କରିଥିଲା ତାକୁ । ଅଥଚ ସେଇ ଭଲପାଇବାର ସୁବିଧା ନେଲା ତନୁଜା, ନିଜକୁ ନିଜର ଇଚ୍ଛାକୁ ସବୁମତେ ଜାହିର୍ କରି । ହଠାତ୍ ଆଜି କାହିଁକି ତେବେ ଅସମୟରେ ସେ ତା’ର ସାନ୍ନିଧ୍ୟ ଚାହୁଁଛି ? ଦରକାର ? ଜୀବନରେ ପ୍ରୟୋଜନ କ’ଣ ସବୁଠାରୁ ଶେଷକଥା ?

ରୁମାଲରେ ମୁହଁର ଝାଳ ପୋଛୁ ପୋଛୁ ତନୁଜା କହିଲା–

‘‘ତୁମ ସାଙ୍ଗରେ ମୋର ଏପରିଭାବରେ ଦେଖା ହୋଇଯିବ ବୋଲି କେବେ ତମେ ଆଶଙ୍କା କରି ନ ଥିବ । ତଥାପି ଆଶଙ୍କା ରହିଥିଲେ ଦୁର୍ଘଟଣା ଘଟେ ।’’ ଏକ ବିବୃତି ଦେବା ଭଙ୍ଗୀରେ ତନୁଜା କହିଲା । ମୁର୍କି ହସୁଥିଲା; ସତେ ଯେପରି ଏ ବିବୃତିକୁ ଖଣ୍ଡନ କରିବାର ଶକ୍ତି ସାରା ବିଶ୍ୱରେ କାହାର ନାହିଁ । ସତ୍ୟପ୍ରିୟ କ’ଣ କହି ଆସୁ ଆସୁ ଅଟକିଗଲା...ଅସମ୍ଭବ ଭାବରେ ଅହଙ୍କାରୀ ଏଇ ସ୍ତ୍ରୀଟିକୁ ସେ କୌଣସି ପରିସ୍ଥିତିରେ ଆୟତ୍ତ କରିପାରିନାହିଁ । ପ୍ରେମ ଆରମ୍ଭ ହେଲାବେଳେ ପ୍ରଶ୍ନ ଉଠୁନଥିଲା । ବିବାହ କରି ପାଞ୍ଚବର୍ଷ ଏକତ୍ର ରହିହେଲା ନାହିଁ । ଏପରିକି ବିବାହ ବିଚ୍ଛେଦ ପରେ ମଧ୍ୟ ତାହା ସମ୍ଭବ ହେବାକୁ ଯାଇ ପାରୁନାହିଁ ଦେଖି ନିଜ ଉପରେ, ପରିସ୍ଥିତି ଉପରେ ସତ୍ୟପ୍ରିୟ ବିରକ୍ତ ହୋଇ କହିପକାଇଲା–

‘‘ବାଜେକଥା ଗପିବାପାଇଁ ମୋର ସମୟ ନାହିଁ । ମୋର ଏକ ଅର୍ଜେଣ୍ଟ କାମ ଅଛି । ମୁଁ ଆସୁଛି । ତେବେ...’’

ତନୁଜାର ଆଖି ଉପରେ ଆଖି ପଡ଼ିଗଲାକ୍ଷଣି ଅନ୍ୟମନସ୍କ ହୋଇ ସତ୍ୟପ୍ରିୟର କଥା ଅଧାରେ ରହିଗଲା । ଯେମିତି ମନେହେଲା ତନୁଜାର ଆଖି ତା’ର ରୁକ୍ଷକଥାରେ ସଜଳ ହୋଇଉଠୁଛି । ତନୁଜା ନଖ କାମୁଡ଼ି କାମୁଡ଼ି କହିଲା–

‘‘ବାସ୍, ଅଟକିଲ କାହିଁକି ?’’

ଚାଲିଯିବାକୁ କହୁଛି ନାଁ କଥାଟା ସମ୍ପୂର୍ଣ୍ଣ କରିବାକୁ ଚାହୁଁଛି ସେ ଭାଷା ବୁଝିବା ଯେପରି ଦୁଃସାଧ୍ୟ । ସତ୍ୟପ୍ରିୟ ସାମାନ୍ୟ ଅସ୍ୱସ୍ତି ଅନୁଭବ କରୁଥିଲା ।

ତନୁଜା କହିଲା–‘‘ଆସ ! କପେ ଚା’ ପିଇକରି ଯିବା । ମୁଣ୍ଡଟା ଭାରି ବିନ୍ଧୁଛି । ତୁମର ସେଥିରେ ବିଶେଷ ଡେରିହେବ ନାହିଁ ଆଶାକରେ ।’’

କଣ୍ଠର ତା’ର ଆକ୍ଷେପର ରାଗିଣୀ । ଚତୁରୀ ତନୁଜା ଏବେ ବି ଭୁଲିନାହିଁ ସତ୍ୟପ୍ରିୟକୁ । କିପରି କେଉଁ ଅବସ୍ଥାରେ ଆୟତ୍ତ କରିବାର ମାଧ୍ୟମ ତାକୁ ଜଣା

 

ନୀରବରେ ଆଗଉଥିଲେ ସେମାନେ । ସତ୍ୟପ୍ରିୟ ଅନ୍ତତଃ ଭୀରୁ ନୁହେଁ । ସବୁ ପରିସ୍ଥିତିରେ ମୁକାବିଲା କରିବାପାଇଁ ତା’ର ଇଚ୍ଛା ନ ଥିଲେ ବି, ସାହସ ନାହିଁ ବୋଲି ସେ ପ୍ରମାଣ କରିବାକୁ ଚାହେଁ ନାହିଁ । ଅନ୍ତତଃ ନାରୀ ପାଖରେ ପୁରୁଷ ପଣର ସେଇ ପରିଚୟ ବୋଲି ସେ ତ ଜାଣେ ।

 

ସମ୍ନାସାମ୍ନି ଟେବୁଲରେ ବସି ଚା’ ପିଉଥିଲେ ସେମାନେ । କଥା କହିବାକୁ ବିଶେଷ କିଛି ନାହିଁ । କର୍ମ ଓ କୁଶଳ ଜିଜ୍ଞାସା କରିବା ତ ବହୁ ପୂର୍ବରୁ ସାରିଛି । ଅଥଚ...ଅତୀତର କୌଣସି ଦିନ ଯଦି ହୋଇଥାନ୍ତା ତେବେ ପ୍ରଗଳ୍‍ଭାହୋଇ ଗପି ଚାଲିଥାନ୍ତା ତନୁଜା । କେତେ ସିନେମା ଗପ, ବେଷ୍ଟ ସେଲ୍ ବହିର କାହାଣୀ, ଆଉ ବନ୍ଧୁମାନଙ୍କଠାରୁ ଶୁଣିଥିବା ଛୋଟ ଛୋଟ ଜୋକ୍ । ଖବରକାଗଜ, ମ୍ୟାଗାଜିନ୍ ଓଲଟାଇ ଚଷମା ଫାଙ୍କରେ ନିକଟ ଟେବୁଲରେ ବସିଥିବା ଲୋକମାନଙ୍କର ଗତିବିଧିକୁ ନିରୀକ୍ଷଣକରି ତନୁଜାର କଥାରେ ଅମନୋଯୋଗୀ ହେବା ଯୋଗୁଁ ଶୁଣିଥାନ୍ତା ତା’ଠାରୁ ମଧୁର ଭର୍ତ୍ସନା । ନଚେତ୍ ଚା’ ଖାଇ ସେମାନେ ଚାଲି ଯାଇଥାନ୍ତେ କୌଣସି ସିନେମା ହଲ୍‍କୁ... କେଉଁ ପିକ୍‍ଚରକୁ ଯିବେ ଠିକ୍ କରୁ କରୁ ହୁଏତ ଚାରିଟା ରିଲ୍ ଚାଲିଯାଇଥାନ୍ତା । କିମ୍ବା ମୋଟେ ହିଁ ଟିକେଟ କିଣାହୋଇ ନଥାନ୍ତା । ରିକ୍ସାରେ ବୁଲି ବୁଲି କ୍ଳାନ୍ତହୋଇ ମଧ୍ୟରାତ୍ରିରେ ସେମାନେ ଘରକୁ ଫେରିଥାନ୍ତେ ଏବଂ...ବୋଉ କବାଟ ଖୋଲି ସେମାନଙ୍କୁ ଗାଳି ଦେଇଥାନ୍ତା; ଆଉ ବହୁ ସମୟ ଧରି କାନ୍ଦୁଥିବା ଛୋଟ ପିଲା ଦିଓଟି ଆହୁରି ଜୋରରେ କାନ୍ଦି ଉଠିଥାନ୍ତେ–ପାଖ ପଡ଼ୋଶୀଙ୍କ ମନରେ କାରୁଣ୍ୟ ଫୁଟାଇ ।

 

ଏମିତି ତ ଦିନ ବେଶ୍ ଥିଲା । ସକାଳ ସନ୍ଧ୍ୟା ଝଗଡ଼ା ଆଉ ମମତାର ସମ୍ମିଶ୍ରଣରେ ସେମାନଙ୍କୁ ବାନ୍ଧି ରଖିଥିଲା ଗୋଟିଏ ଛୋଟ ଘରେ । ଅଭାବ ପାଇଁ ଚିନ୍ତା ନଥିଲା; ଚିନ୍ତା ନ ଥିଲା ଭବିଷ୍ୟତ ପାଇଁ । ବର୍ତ୍ତମାନସର୍ବସ୍ୱ ପ୍ରାଣୀ ସତ୍ୟପ୍ରିୟ କେବଳ ଯେପରି ଅତୀତ ହେଇ ଆଜି ବଞ୍ଚିଛି-। ଦୀର୍ଘ ଆଠମାସର ବିଚ୍ଛେଦ ପରେ ତନୁଜା ସହିତ ଏପରି ଦେଖାହେବ ବୋଲି ତା’ର ଆଶଙ୍କା କେବେ ନ ଥିଲା । ଆଉ ଦେଖାହେଲେ ଯେ କେହି ସାଧାରଣ ଲୋକ ଭାବରେ ତା’ ସହିତ କଥାବାର୍ତ୍ତା କରାଯିବା ଉଚିତ ମନେକଲେ ହେଁ ସତ୍ୟପ୍ରିୟ ମନଭିତରେ ଏକ ଦ୍ରୁତ କମ୍ପନ ଅନୁଭବ କରୁଥିଲା ଏବଂ ସେଥିପାଇଁ କୌଣସି କଥା କହିବା ସ୍ୱାଭାବିକ ହେବ ନାହିଁ ବୋଲି ସେ ଚୁପ୍‍ଥିଲା । ତନୁଜା ଏଥର ହାତଘଣ୍ଟା ଖୋଲି ଚାବିଦେଲା । ଯେତେବେଳେ ନାହିଁ ସେତେବେଳେ ସେ ଚାବିଦିଏ ବୋଲି କେତେଥର ଯେ ତା’ ଉପରେ ବିରକ୍ତ ହୋଇଛି ସତ୍ୟପ୍ରିୟ, ତା’ର ଠିକଣା ନାହିଁ । ଏବେ ବି ସେ ଅଭ୍ୟାସ ଛାଡ଼ି ନାହିଁ । ଚାବି ଦେଉ ଦେଉ ତନୁଜା ସମୟ ଜାଣିବାକୁ ପଚାରିଲା । ସତ୍ୟପ୍ରିୟ ଉତ୍ତରଦେଲା–

 

‘‘ତୁମର ଆପଏଣ୍ଟମେଣ୍ଟପାଇଁ ଆହୁରି ଚାଳିଶି ମିନଟ୍ ଅପେକ୍ଷା କରିବାକୁ ହେବ । ମୁଁଏଥର ଉଠୁଛି । ମୋର ତେଣେ ବହୁତ କାମ ବାକି ଅଛି ।”

 

‘‘ନାହିଁ ବସ । ଅନେକ ଦିନ ପରେ ଦେଖା ହୋଇଛି । ଅନ୍ତତଃ ପିଲାମାନଙ୍କର ବିଷୟରେ ମୁଁ କିଛି ଜାଣିବାକୁ ଚାହେଁ । ଯଦିଓ ମୋର ଦାବି ସେମାନଙ୍କ ଉପରେ ସାବ୍ୟସ୍ତ କରିନାହିଁ–କିନ୍ତୁ ତୁମେ ତାହା ଅସ୍ୱୀକାର କରିପାରିବନି ।”

 

ଅଧା ଉଠୁ ଉଠୁ ଯନ୍ତ୍ରପରି ସତ୍ୟପ୍ରିୟ ବସିପଡ଼ିଲା । ଏପରି ବସେଇ ଉଠେଇ ପାଞ୍ଚବର୍ଷ କାଳ ତନୁଜା ତାକୁ ନାକେଦମ୍ କରିଛି । ବିଶେଷତଃ ବାହାରେ ଜନଗହଳିରେ ନିଜକୁ ଖୋଲାମେଲା କରି କିପରି ଆନନ୍ଦ ଯେ ପାଏ ତନୁଜା, ତାହା କେବଳ ସେହି ଜାଣେ ।

ସତ୍ୟପ୍ରିୟ ଗମ୍ଭୀର କଣ୍ଠରେ କହିଲା–‘‘ସ୍ୱୀକାର, ଅସ୍ୱୀକାରର ପ୍ରଶ୍ନ ଉଠୁଛି କାହିଁକି ? ତୁମେ କେବେ ପଚାରିଥିଲ ଯେ ଉତ୍ତର ମିଳିଲା ନାହିଁ ? କେବେ ଦେଖିଯାଇଥିଲ, କିଏ ତୁମକୁ ଦେଖାଇ ଦେଲା ନାହିଁ...ଚାର୍ଜକରି ଆଉ ତୁମେ ଅଧିକା କ’ଣ ପାଇବ ?”

ସତ୍ୟପ୍ରିୟ ସିଗାରେଟ୍ ବାହାରକରି ଲାଇଟର୍‍ ଜଳାଇଲା ।

‘‘ଏବେ ବୋଧେ ସିଗାରେଟ୍ ଖାଉଛି । କାହିଁ ଆଗେ ତ କେବେ ଦେଖି ନ ଥିଲି ।” ତନୁଜାର ଏ କଥା ସତ୍ୟପ୍ରିୟର ପ୍ରଶ୍ନକୁ ଏଡ଼ାଇ ଯିବାପାଇଁ, କି ପ୍ରକୃତ ତଥ୍ୟ ଜାଣିବାପାଇଁ ବୁଝିବାର ଇଚ୍ଛା ନଥିଲା ତା’ର ।

ସତ୍ୟପ୍ରିୟ କହିଲା–‘‘ଛାଡ଼ ସେକଥା; ପିଲାମାନଙ୍କ ସମ୍ବନ୍ଧରେ କ’ଣ ପଚାରିବ ପଚାର । ପିଲାଏ ଠିକ୍ ସମୟରେ ଖାଇପିଇ ସ୍କୁଲକୁ ଯାଉଛନ୍ତି । ଥଣ୍ଡା, କାଶ, ଜ୍ୱର ମଝିରରେ ମଝିରେ ହୋଇ ଭଲ ହେଉଛି । ବେଳେବେଳେ କଳି ଝଗଡ଼ାକରି ମାଡ଼ ଖାଉଛନ୍ତି । ଝିଅଟାର ନିକଟରେ ଟନ୍‍ସିଲ୍ ଅପରେସନ ହେବାର ଅଛି । ପ୍ରାୟ ଅବସ୍ଥା ତୁମର ଆଶା କଲାଭଳି ମନ୍ଦ ନୁହେଁ । ଅବଶ୍ୟ କେତେବେଳେ କ’ଣ ହୋଇପାରେ ।”

ତନୁଜା ଈଷତ୍ ଭ୍ରୂକୁଟି କରି କହିଲା–‘‘ତୁମର ଗୋଟାଏ ଧାରଣା ମୁଁ ତୁମର ‘ମନ୍ଦ’ ଚାହେଁ-। ଅନ୍ତତଃ ମୁଁ ଅନ୍ୟ ଯାହାକିଛି ହୋଇପାରେ ତୁମର ଶତ୍ରୁ ନୁହେଁ ।’’

‘‘ଧନ୍ୟବାଦ, ମୁଁ ଆସୁଛି ।” ହଠାତ୍ କଥାର ପୂର୍ଣ୍ଣଚ୍ଛେଦ ଟାଣି ନିଜ ଘଡ଼ିକୁ ଚାହିଁ ସତ୍ୟପ୍ରିୟ ଚାଲିଲା । ଏକରକମ ଦୌଡ଼ିଲା ପରି । ସେ ଯେପରି କିଛି ଅନୁରୋଧ ଉପରୋଧ ରଖିବା ପାଇଁ ଏକାନ୍ତ ଅକ୍ଷମ ।ଅନ୍ତତଃ ଆଉ କିଛିଟା ଦିନ ବଞ୍ଚିବାପାଇଁ ସେ ମନସ୍ତାପ ଅର୍ଜନ କରିବାକୁ ଚାହେଁନା ।

ସତ୍ୟପ୍ରିୟ ଝଡ଼ପରି ଉଠି ଚାଲିଗଲା । ପାଦରେ ଶକ୍ତି ପାଉନାହିଁ, କିଏ ଯେପରି ପଛରୁ ଡାକୁଛି । ଏହା ସତ୍ତ୍ୱେ ବି ତା’ର ମନ ତାକୁ ଉଡ଼େଇ ନେଉଛି ପବନ ଗତିରେ ।

ରାସ୍ତାର ଜନଗହଳି, ଯାନବାହାନର ଚିତ୍କାର ଭିତରଦେଇ ସେ ଶୁଣିପାରୁଥିଲା, ଆଉ ଦେଖିପାରୁଥିଲା ସେ ଅପାସୋରା ସ୍ମୃତି ଓ ଘଟଣାକୁ ତା’ର ଅନିଚ୍ଛା ସତ୍ତ୍ୱେ... ।

ରାତି ଅଧରେ ସେଦିନ ଟୁର୍‍ରୁ ଫେରି ସତ୍ୟପ୍ରିୟ ଅବାକ୍ ହୋଇଗଲା । ଶହେଚାରି ଜ୍ୱରରେ ଝିଅଟା ବିକଳ ଚିତ୍କାର କରୁଛି । ଦେହସାରା ହାଡ଼ଫୁଟି ଭର୍ତ୍ତି ହୋଇଛି । ଅଥଚ ଘରେ ନାହିଁ ତନୁଜା । ଡାକ୍ତର ଡାକି ଯାଇଛିକି ବୋଲି ପଚାରିବାରୁ ବୋଉ ଲୁହପୋଛି ନାହିଁ କରିଥିଲା । କେଉଁ ସାଙ୍ଗମାନଙ୍କ ସଙ୍ଗରେ କ’ଣ ଅର୍ଜେଣ୍ଟ କାମରେ ଦି’ଦିନ ହେଲା ସେ ନାହିଁ । ରାଗ ଉତ୍ତେଜନାରେ ଜ୍ଞାନଶୂନ୍ୟ ହୋଇଯାଇଥିଲା ସତ୍ୟପ୍ରିୟ । ପ୍ରିୟତମା କନ୍ୟାର ଜୀବନମରଣ ସମସ୍ୟା । ଦ୍ଵିତୀୟରେ ତନୁଜାର ଅନୁପସ୍ଥିତି, ତୃତୀୟରେ ସନ୍ଦେହ ତାକୁ ପରିସ୍ଥିତିର ସହଜ ମୁକାବିଲା କରିବାକୁ ଅବସର ଦେଇ ନ ଥିଲା । ବାହାରେ ସେତେବେଳେ ହେଉଥିଲା ପ୍ରଚଣ୍ଡ ବର୍ଷା ।

ଏକାନ୍ତ ଅସହାୟ କ୍ରୁଦ୍ଧ ହୋଇଉଠିଲା ସତ୍ୟପ୍ରିୟ । ବହୁଦିନର ପୁଞ୍ଜୀଭୂତ ଏକ ଅଶୁଭ ମୁହୂର୍ତ୍ତରେ ତା’ ଉପରେ ସବାର ହୋଇ ଉଠିଥିଲା ଏବଂ ଠିକ୍ ସେହି ମୁହୂର୍ତ୍ତରେ ତନୁଜା ଫେରିଆସିଥିଲା । ସଙ୍ଗରେ ଗାଡ଼ିରେ ଥିଲେ ହୁଏତ କେହି ପରିଚିତ ବନ୍ଧୁ । ବିନା ଦ୍ଵନ୍ଦ୍ୱରେ ବିନା ସଂକୋଚରେ ଉଠିଯାଇ ସତ୍ୟପ୍ରିୟ କବାଟରେ ଭିତରପଟୁ ଜଞ୍ଜିର ଲଗାଇ ଦେଇଥିଲା ଏବଂ କବାଟ ଆଉଜି ସେ ନିଜେ ଛିଡ଼ାହୋଇ ତା’ର ଭାରସାମ୍ୟ ରଖିଥିଲା । କବାଟ ଖଡ଼ ଖଡ଼ କରିବା ସଂଗେ ସଂଗେ ସତ୍ୟପ୍ରିୟ କହିଥିଲା, ‘‘ନା ! କବାଟ ଖୋଲିବିନି । ଆଜିଠାରୁ ଏ ଘର ତୁମପାଇଁ ବନ୍ଦ । ଯୁଆଡ଼େ ଯାଇଥିଲ, ସେଆଡ଼େ ଯାଅ ।”

ତନୁଜା ବ୍ୟସ୍ତହୋଇ କହିଥିଲା, ‘‘କି ଆଶ୍ଚର୍ଯ୍ୟ । କେତେବେଳେ ଫେରିଲ ? ତୁମର ପରା ଆସନ୍ତାକାଲି ଫେରିବାର ଥିଲା... !”

‘‘ତୁମର କାଲ୍‍କୁଲେସନ୍ ଭୁଲ୍ ତନୁଜା ! ସବୁବେଳେ ତୁମେ ସୁବିଧା ନେଇଆସିଛ । ତୁମକୁ ଲଜ୍ଜା ହେଉନି । ଘରେ ମରିବାକୁ ଯାଉଛି ନିଜର ପିଲା, ତୁମେ ଫୁର୍ତ୍ତି କରିବାକୁ ଚାଲିଗଲ ? ତୁମେ ମା’ ନାଁ ରାକ୍ଷସୀ ?”

‘‘ଆର ଇଉ ଇନ୍ ସେନସ୍‍ ସତ୍ୟ ? କ’ଣ କହିବାକୁ ଚାହଁ । ତୁମେ ଭୁଲିଯାଉଛ ଯେ ତୁମେ ତୁମ ବିବାହିତା ସ୍ତ୍ରୀ ସହ କଥାକହୁଛ । ମୁଁ ତୁମର ଅଫିସ୍ ଆସିଷ୍ଟାଣ୍ଟ ନୁହେଁ...।”

 

‘‘ଆଇ ସେ ସଟ୍‍ଆପ୍ ! ତୁମେ ଚାଲିଯାଅ ମୋ ସାମ୍ନାରୁ, ଚାଲିଯାଅ । ନିଜର ସନ୍ତାନ ବେମାର ପଡ଼ିଥିବା ବେଳେ ଯେଉଁ ମା’ ପରପୁରୁଷ ସହ ଫୁର୍ତ୍ତି କରିବାକୁ ଯାଏ, ମୁଁ ତାକୁ ଘରେ ସ୍ଥାନଦେବାକୁ ପ୍ରସ୍ତୁତ ନୁହେଁ ।”

ଏଥର ରୁକ୍ଷକଣ୍ଠରେ ତନୁଜା କହିଥିଲା, ‘‘ଘରଟା ଏକଲା ତୁମର ନୁହେଁ । କୌଣସି କଥା ନ ବୁଝି...”

ସତ୍ୟପ୍ରିୟ ଚିତ୍କାର କରି ଉଠିଥିଲା, ‘‘ଯଥେଷ୍ଟ ବୁଝିଛି, ବୁଝାଇବା ଦରକାର ନାହିଁ । ଶେଷକଥା–ତୁମେ ଚାଲିଯାଅ ।’’

ତନୁଜା କହିଲା, ‘‘ଠିକ୍‍ଅଛି; ମୁଁଚାଲିଯିବି ଯେ, ହେଲେ ବର୍ତ୍ତମାନ ତାହାର କୌଣସି ସୁବିଧା ନାହିଁ । ଏତେ ବର୍ଷା, ତା’ପରେ ମୁଁ ଅସୁସ୍ଥ ଝିଅ ଅସୁସ୍ଥ । ପରେ ଗଲେ ଚଳିବ ନାହିଁ ?’’

‘‘ମୋର ଶେଷ ନିଷ୍ପତି ମୁଁ ଶୁଣାଇଦେଇଛି ।”

ହଠାତ୍ କୌଣସି ଉପାୟ ନ ପାଇ ତନୁଜା ଚିତ୍କାର କରିଥିଲା–‘‘ବୋଉ ! ବୋଉ ! ଆପଣ ଆସନ୍ତୁ ତ ଟିକେ । କେଉଁଠି ଅଛନ୍ତି ? ଟିକେ ଶୀଘ୍ର ଆସନ୍ତୁ ।” ଚତୁରତାରେ ଟପିଯିବାକୁ ବସିଛି ତନୁଜା ଭାବି ସତ୍ୟପ୍ରିୟ ଉତ୍ତର ଦେଇନଥିଲା । ସେ ବି ଜାଣେ ଏଇ ଝଡ଼ରାତିରେ ବୋଉ କି ପିଲାଏ ତା’ର ଡାକ ଶୁଣି ପାରିବେନି । ଉପର ମହଲାକୁ ଏ ଶବ୍ଦ ଯିବ ନାହିଁ ।

କବାଟରେ, ଝର୍କାରେ ଦଶ ପନ୍ଦର ଥର ଡାକି ସାରିଲା ପରେ ତନୁଜା ଚୁପ୍ ହୋଇଯାଇଥିଲା । ପ୍ରାୟ ଅଧଘଣ୍ଟାଏ ଅପେକ୍ଷା କଲାପରେ ସତ୍ୟପ୍ରିୟ କବାଟ ଖୋଲି ଦେଖିଥିଲା ଏବଂ ଜାଣିପାରିଥିଲା ଯେ ତନୁଜା ଚାଲିଯାଇଛି । ଯାଉ, ଯୁଆଡ଼େ ଯିବ ଯାଉ...ସ୍ତ୍ରୀ ହୋଇ ଯଦି ସ୍ୱାମୀର ଦୁଃଖରେ, ଭାଗୀନୁହେଁ, ସନ୍ତାନର ମଙ୍ଗଳ ନ ଚାହେଁ, ସେ ସ୍ତ୍ରୀର ଆବଶ୍ୟକତା କ’ଣ ? ଫୁର୍ତ୍ତି କରିବାର ସମୟ ଚାଲିଯାଇଛି ତା’ର... ।

ତା’ପରେ ? ତନୁଜା ତରଫରୁ ବିବାହ ବିଚ୍ଛେଦ ନୋଟିସ୍‍ । କୋର୍ଟ କଚେରୀ ମାମଲା । ସବୁ ଛିଡ଼ିବାକୁ ଦୁଇବର୍ଷ ବିତିଗଲା । ସେଇ ଦୁଇବର୍ଷ ଭିତରେ ପିଲାଙ୍କୁ ଦେଖିବାକୁ ସେ ଦିନେ ଆସିନାହିଁ । ସତ୍ୟପ୍ରିୟର ଭଲମନ୍ଦ ଖବର ବୁଝିବାକୁ ବି ଆସିନାହିଁ । ଏପରିକି ବାପଘରେ ତା’ର ଭରଣପୋଷଣର ଯଥେଷ୍ଟ ଅଭାବ ରହିଥିଲେ ହେଁ ସେ ତା’ର ମାସିକ ଭତ୍ତା ଦାବି କରିନାହିଁ । ସେସବୁ ଫେରିଆସିଛି ପିଲାଙ୍କ ନାମରେ । ଉଦ୍ଧତ, ଗର୍ବୀ ନହେଲେ..., ଯଦି ତା’ର ପ୍ରକୃତ ଇଚ୍ଛା ଫେରିଯିବାକୁ ଥାଆନ୍ତା, ତେବେ କ’ଣ ସେ ତା’ ତରଫରୁ କୌଣସି ଉଦ୍ୟମ କରି ନ ଥାନ୍ତା ? କୋଉ ସ୍ୱାମୀ ତା’ର ସ୍ତ୍ରୀ ଉପରେ ନ ରାଗେ ? ଗଲା ଯେ ଗଲା....ଆଉ ଫେରିଲା ନାହିଁ ।

 

ଭଲ ହୋଇଛି । ଚିରଦିନ ପାଇଁ ଛିଣ୍ଡି ଯାଇଛି ସୂତ୍ର । ସ୍ୱାର୍ଥପର ବୋଲି ତ ସନ୍ତାନ ଉପରେ ସେ ଦାବି ମଧ୍ୟ କରିନାହିଁ । ହଠାତ୍ ଅସମୟରେ ଅନ୍ୟ ଏକ ସହରରେ ଏକ ନିର୍ଜନ ପରିସ୍ଥିତିରେ ତାକୁ ପାଇ ତନୁଜାର ଏପରି ତାମସା କରିବାର ମାନେ କ’ଣ ?

 

ସତ୍ୟପ୍ରିୟ ଆଉ ଚାଲି ପାରିଲାନି । ବିଶେଷ ପରିଚିତ ନୁହେଁ ଏ ସହର ତା’ର । କୁଆଡ଼େ ଯେ ଅନ୍ୟମନସ୍କ ହୋଇ ସେ ଧାଉଁଛି, ତା’ର ଠିକଣା ନାହିଁ । ନାଃ । ଆଉ ଚାଲିପାରିବିନି । ଏଥର ଗାଡ଼ିଟିଏ କରି ହୋଟେଲକୁ ଫେରିଯାଇ ଶୋଇପଡ଼ିବାକୁ ହେବ । ଆସନ୍ତାକରି ସକାଳେ ଯାହା ହେବ ।

 

ଝାଳ ସର ସର ହୋଇ କାଉଣ୍ଟର ପାଖରେ ଚାବି ଚାହିଁଲାରୁ, କାଉଣ୍ଟର କ୍ଲର୍କ ଚାବିସହ ଗୋଟିଏ ସ୍ଲିପ୍ ତାକୁ ବଢ଼ାଇଦେଲା । ତନୁଜାର ଦସ୍ତଖତରେ ଲେଖାହୋଇଛି ମାତ୍ର ଗୋଟିଏ ଧାଡ଼ି–‘ମୁଁ ଲାଉଂଜରେ ତୁମକୁ ଅପେକ୍ଷା କରିଛି ।’

 

ଆଶାତୀତ ଝମେଲା । କଳି ଝଗଡ଼ା କ’ଣ ବିଚ୍ଛେଦ ଆଇନଗତ ହେଲାପରେ ବି ସରିବାକୁ ଦେବନି ତନୁଜା । ଅନ୍ତତଃ ଭଦ୍ର ଭାବରେ ବଞ୍ଚିବାତ ଦରକାର ।

 

ସତ୍ୟପ୍ରିୟ ସଂଯତ କରୁଥିଲା ନିଜକୁ । ନାଁ । ଏଥର ଭଦ୍ରଭବରେ ତନୁଜାକୁ ସେ ବୁଝାଇଦେବ ଯେ ଆମ ଭିତରେ ଅନ୍ୟ କୌଣସି ସମ୍ପର୍କ ଏବେ ଅବାଞ୍ଛନୀୟ ।

 

ମ୍ୟାଗାଜିନ୍‍ଟା କୋଳରେ ଧରି ତନୁଜା ଆର୍ମଚେୟାର ଉପରେ ଢୋଳେଇ ଯାଇଛି । ଦୁଇବର୍ଷ ଭିତରେ ତା’ର ସ୍ୱାସ୍ଥ୍ୟ କିମ୍ବା ଯୌବନରେ ବିଶେଷ କିଛି ପରିବର୍ତ୍ତନ ହେଲାଭଳି ମନେହେଉନି । ଏବେ କୁଆଡ଼େ ୟୁନିଭରସିଟିରେ ଦିନବେଳା ସେ ଏମ୍.ଏ. ପଢ଼ୁଛି ଏବଂ ରାତ୍ରିରେ ଟିଉସନ୍ କରୁଛି । ଛାତ୍ରୀଟିଏ ପରି ଚେହେରା ବେଶଭୂଷା । ଏପରିକି କଥାବାର୍ତ୍ତା ମଧ୍ୟ ସବୁଦିନେ ଚପଳ ଚଞ୍ଚଳ ଥିଲା । ପରିସ୍ଥିତି ନୂଆ ନୁହେଁ ସତ୍ୟପ୍ରିୟ ପାଇଁ... ।

 

ଆଖିଖୋଲି ଚମକି ଉଠିପଡ଼ିଲା ତନୁଜା ଏବଂ ବ୍ୟସ୍ତ ହୋଇ କହିଲା–‘‘ମତେ ଏକୁଟିଆ ବସିଲେ ନିଦମାଡ଼େ ତମେ ଜାଣ । ଭାବିଲି ତମେ ଡିନର ବୋଧେ ଅନ୍ୟତ୍ର ଖାଇ ଫେରିବ । ଅଗତ୍ୟା ବସିବାକୁ ପଡ଼ିଲା । କାମସାରି ଫେରିଲ ନା... ।’’

 

ଘଣ୍ଟାକୁ ଚାହିଁ ସତ୍ୟପ୍ରିୟ କହିଲା–‘‘ଶୀଘ୍ର କୁହ । ମୁଁଅପେକ୍ଷା କରିପାରିବିନି ।’’

 

‘‘ଆଶ୍ଚର୍ଯ୍ୟ ।ଏତେ ଅଧର୍ଯ୍ୟ ହେବାର କ’ଣ ଅଛି ? ମୁଁ ତ କିଛି ତୁମ ପାଖରେ ରହିବାକୁ ଆଜି ଜିଦ୍ କରୁନାହିଁ... ।”

 

ତନୁଜାର କଥା ଅଧା ରହିଗଲା । ଘଡ଼ଘଡ଼ି ମାରି ଝଲକାଏ ବିଜୁଳି ସହ କେତେଟୋପା ବର୍ଷା ଆସି ପଡ଼ିଲା ସେମାନଙ୍କ ଉପରେ । ବାହାରେ ଘମାଘୋଟ ବର୍ଷା ଆରମ୍ଭ ହୋଇଯାଇଛି ସେତେବେଳକୁ । ସତ୍ୟପ୍ରିୟ ଚମକିପଡ଼ି କହିଲା–‘‘ମାତ୍ର ତୁମେ ଫେରିବ କିପରି ? କି ବର୍ଷା ବାହାରେ ଦେଖୁଛତ ?’’

 

‘‘ମୋର ଅଭ୍ୟାସ ଅଛି । ଏହାଠାରୁ ବେଶୀ ବର୍ଷାରେ ମୁଁ ଯିବା ଆସିବା କରେ । ମାତ୍ର କୌଣସି ବର୍ଷାରେ ମୁଁ ଅଟକି ରହିଯାଏ ନାହିଁ । ସେଥର ନରେଶ୍‍ର ପୁଅର ଯେତେବେଳେ ହଠାତ୍ ହାର୍ଟଫେଲ୍ କଲା, ମୋର ରୋଗିଣୀ ଝିଅକୁ ଛାଡ଼ିଦେଇ ସେମାନଙ୍କ ପାଖରେ ଅଗତ୍ୟା ମତେ ବୋଉଙ୍କ ବାରଣ ସତ୍ତ୍ୱେ ବି ରହିବାକୁ ହୋଇଥିଲା ତାଙ୍କ ଘରେ... ।”

 

ନରେଶ ସତ୍ୟପ୍ରିୟର ଘନିଷ୍ଠ ବନ୍ଧୁ ଏବଂ ତା’ର ସ୍ତ୍ରୀର ମୃତ୍ୟୁ ଆକସ୍ମିକ ଭାବରେ ତିନିବର୍ଷ ତଳେ ହୋଇଥିଲା... । ପୁଣି ଘଡ଼ଘଡ଼ି ବିଜୁଳି ଓ ଝମ୍ ଝମ୍ ବର୍ଷା ଶବ୍ଦରେ ସତ୍ୟପ୍ରିୟ ବ୍ୟସ୍ତ ହୋଇପଡ଼ି କହିଲା–

 

‘‘ଓଃ କି ବର୍ଷା ! ବରଂ ତନୁଜା ତୁମେ ରାତିଟା ଏଇଠି ରହିଯାଅ...ଅବଶ୍ୟ ତୁମର ଆପତ୍ତି ନଥିଲେ ଗୋଟାଏ କଥା କରାଯାଇପାରେ । ମୁଁ ଦେଖେ ରୁମ୍ ଯଦି ମିଳେ, ଗୋଟାଏ ବୁକ୍ କରିଦେବି ।’’

 

ତନୁଜା କହିଲା–

 

‘‘ବ୍ୟସ୍ତ ହେବାର କିଛି ନାହିଁ । ତୁମ ରୁମରେ ଯଦି ମୁଁ ଆଜି ରାତିରେ ଶୋଇପଡ଼େ, ତେବେ ବି ମୋର ସତୀତ୍ଵ ନଷ୍ଟ ହେବାର ଆଶଙ୍କା ନାହିଁ । ତୁମର ପୁରୁଷତ୍ୱ ଉପରେ ମୁଁ କିନ୍ତୁ ଆଞ୍ଚ ଆଣିବାକୁ ପସନ୍ଦ କରେ ନାହିଁ । ସେଇଟା ତୁମର ପରିସ୍ଥିତି ଉପରେ ନିର୍ଭର କରେ । ମୋ’ପାଇଁ ମୁଁ ଯାହା ଗୋଟାଏ ବ୍ୟବସ୍ଥା କରିବି ।’’

 

ସତ୍ୟପ୍ରିୟ ଯେପରି ସ୍ଥାଣୁ ପାଲଟି ଯାଇଥିଲା । ଆଖପାଖରେ କିଏ ଅଛନ୍ତି କି ନାହିଁ ସେ ପରସ୍ତେ ଆଖି ଘୂରାଇ ଆଣିଲା । କେହିନାହିଁ । ଖାଲି ବାହାରେ ବର୍ଷା, ଅତୀତର ଅନ୍ଧକାର ରାତ୍ରିରେ କୁଢ଼େଇ ହେଲା ପରି ଅଜାଡ଼ି ହେଉଛି । ଲଜ୍ଜାରେ, ସଂକୋଚରେ ତା’ର କାନମୁଣ୍ଡା ପୋଡ଼ି ଉଠୁଛି । କ’ଣ କହିବ ହୋଇ ସେ ଯେପରି ଶବ୍ଦ ପାଉନାହିଁ...ଅଥଚ ଆଗରେ ତା’ର ଏକଦା ବିବାହିତ ସ୍ତ୍ରୀ, ଦୁଇଟି ସନ୍ତାନର ଜନନୀ ଏବଂ ଆଇନସମ୍ମତ ବିଚ୍ଛିନ୍ନ ହୋଇ ଭରଣପୋଷଣ ଭତ୍ତା ପ୍ରତ୍ୟାଖ୍ୟାନ କରିଥିବା ସ୍ତ୍ରୀ...ସବୁଦିନ ପରି ପ୍ରଗଳ୍‍ଭା ଅଭିମାନୀ ଅଥଚ ସ୍ଥିର ନିର୍ବିକାର ।

 

ମ୍ୟାଗାଜିନର ପୃଷ୍ଠା ଉପରେ ତନୁଜାର ମୁହଁ ଝୁଙ୍କି ପଡ଼ିଥିଲା ଏବଂ ବର୍ଷାର ଟୋପା ସଦୃଶ କେତେ ଟୋପା ତା’ର ଆଖିରୁ ଝରି ପ୍ରାୟ ପୃଷ୍ଠାଟା ଭିଜିଯିବା ଉପରେ ।

 

ଅଭାବନୀୟ ପରିସ୍ଥିତିରେ ଅହେତୁକ ଲଜ୍ଜା ସଂକୋଚରେ ସତପ୍ରିୟର କାନମୂଳ ଯେପରି ଜଳି ଉଠୁଥିଲା । ଠିକ୍ ବିବାହ କଲା ପୂର୍ବରୁ ତନୁଜାକୁ ହଠାତ୍ ଦେଖି ପକାଇଲେ କିମ୍ବା ବନ୍ଧୁ ମହଲରେ କେହି ତାକୁ ତନୁଜାକୁ ନେଇ ଆକ୍ଷେପ କଲେ, ଏପରି ପରିସ୍ଥିତିରେ ପଡ଼ି ସେ ନିର୍ବାକ ହୋଇଯାଏ ।

 

କିନ୍ତୁ ଏଇକ୍ଷଣିତ ତାକୁ କିଛି ପୌରୁଷର ପରିଚୟ ଦେବାକୁ ହେବ...କିଛି ଏକ ସିଦ୍ଧାନ୍ତ ନେବାକୁ ହେବ ଏବଂ ଖୁବ୍ ନିର୍ବାଚିତ ଶବ୍ଦ ସାହାଯ୍ୟରେ ନିଜକୁ ବ୍ୟକ୍ତ କରିବାକୁ ହେବ । ନଚେତ୍ ତନୁଜା ଭାବିବ କ’ଣ ? ଅନ୍ତତଃ ସତ୍ୟପ୍ରିୟ ଅନ୍ୟ ଯାହା କିଛି ହୋଇପାରେ, ସେତ ଆଉ ତନୁଜାର ସ୍ୱାମୀ ହୋଇ ନାହିଁ ଯେ ତନୁଜା ତାକୁ ନେଇ ଉପହାସ କରିବ । ସତ୍ୟପ୍ରିୟ ଯାହା ବିବାହ ପୂର୍ବରୁ, କି ବିବାହ ଅବସ୍ଥାରେ ବି ଦିନେ କହିନାହିଁ, ସେଇ ପଢ଼ିଥିବା,ଶୁଣିଥିବା ଏବଂ ମର୍ମେ ମର୍ମେ ଅନୁଭବ କରିଥିବା କଥାଟି ଅକସ୍ମାତ କହି ପକାଇଲା–

 

‘‘ତନୁ ! ଦୁଇବର୍ଷ ଭିତରେ କେବେ ତୁମର ମୋ କଥା ମନେ ପଡ଼ିଛି ?’’

 

କୋଉ ଅନାଦି ଅନନ୍ତ ଯୁଗର ଏଇ ପ୍ରଶ୍ନ । ଛିଃ, ଛିଃ କାହିଁକି ଏମିତି ପଚାରିଦେଲା ?

 

ମ୍ୟାଗାଜିନ୍‍ଟା କୋଳ ଉପରୁ ଉଠାଇ ନେଇ ତନୁଜା ନିଜର ମୁହଁକୁ ଢାଙ୍କି ରଖିଥିଲା ସେତେବେଳକୁ । ପ୍ରଗଳ୍‍ଭା ତନୁଜା ଏ ପ୍ରଶ୍ନର ଉତ୍ତର ଦେଇ ପାରିବନି...ନିଶ୍ଚିତ ପରାଜୟ ନୀରବରେ ସେ ସ୍ୱୀକାର କରିନେବ । ଏଥିରେ ସନ୍ଦେହ ନାହିଁ ।

 

ବାହାରେ ପୃଥିବୀର ବୁକୁରେ ସେତେବେଳେ ଅଜସ୍ର ବର୍ଷାର ଜଳ ଝଙ୍କାର !!

Image

 

ସମୁଦ୍ର

 

ଏଇ ଏମିତି ଗୋଟିଏ ସମୟ ଯେ ଯେତେବେଳେ ମୁହଁ ଖୋଲି କିଛି କୁହାଯାଇପାରେ ନାହିଁ । କିନ୍ତୁ ଏହା ସତ ଯେ ଏପରି ଆବେଗମୟ ମୁହୂର୍ତ୍ତମାନଙ୍କରେ ଯେକୌଣସି ଭାଷାରେ ଯେକୌଣସି ବୟସର ସଂଳାପ ଅନାୟାସରେ କୁହାଯାଇପାରେ ଏବଂ ଆଖିର କିଛି ଅଶ୍ରୁ ସନ୍ତରଣଶୀଳ ବା ନିମ୍ନଗାମୀ ହୋଇଯାଇପାରେ ।

 

ତେଣୁ ମାଧୁରୀ ଚୁପ୍ ରହିଯିବା ଉଚିତ୍ ମନେ କରୁଥିଲା,ହେଲେ ନିର୍ବୋଧ ମନର ଭାଷା ତ ନୀରବରେ ରହିବାକୁ ଚାହେଁ ନାହିଁ । ସେ ଓଠ ଦେଇ ନିର୍ଗତ ନହେଲେ ବି ଚକ୍ଷୁ ଦେଇ ଝରିଯିବାକୁ ଚାହେଁ ।

 

ଖେଳଘର ଭାଙ୍ଗିଯିବ ବୋଲି ସେ ଜାଣିଥିଲା । ମାତ୍ର ଏତେ ଶୀଘ୍ର ଶେଷ ହୋଇଯିବ, କୌଣସି ଅଙ୍ଗୀକାର ନଥାଇ ପୁଣି ଅକସ୍ମାତ ଭାବରେ, ଏକଥା ସେ ଭାବି ପାରିନଥିଲା । ତେଣୁ ଚନ୍ଦ୍ରକୁ ଯାହା ତା’ର କହିବାର କଥା ସବୁ ଅକୁହା ରହିଯାଇଛି । ଯେମିତି ଜୀବନଟା ଖାଲି ତା’ର କେତୋଟି ବିଶିଷ୍ଟ କଥାର ସମଷ୍ଟି–ବଞ୍ଚି ରହିବାର ସାର୍ଥକତା କେବଳ କେତୋଟି ଶବ୍ଦ । ତା’ଛଡ଼ା ଆଉ କ’ଣ ଅଛି ? ଘର ପରିବାର, ସମ୍ପତ୍ତି, ରାଜନୀତି, ସମାଜନୀତି, ଅର୍ଥନୀତି, ଧର୍ମ, ଅଧର୍ମ ସବୁର ଶେଷ ତ ହୃଦୟ ଶୋଣିତରେ ରଞ୍ଜିତ କେତୋଟି ଶବ୍ଦ ।

 

ଭାରି ଭାରି ଅବଶୋଷରେ ମାଧୁରୀ ଛାତି ଭିତରେ ହାହାକାର କରିଉଠିଲା । ଏତେଦିନର ଦେଖାଚାହାଁ । ବସାଉଠା, ଗପସପ, ମାନ ଅଭିମାନ ଭିତରେ ଯଦି ‘‘ଆହା” ପଦୁଟିଏ ସେ କହିଦେଇ ଥାଆନ୍ତା ...ତା’ହେଲେ ଆଜି କେତେ ହାଲୁକାରେ କେତେ ନିର୍ମଳ ମନରେ ମୁଣ୍ଡରେ ଓଢ଼ଣାଦେଇ ଛୋଟ ପୁଅଟିକୁ କାଖରେ କାଖେଇ ସ୍ୱାମୀ ସାଙ୍ଗରେ ସେ ଟ୍ରେନ୍‍ଚଢ଼ି ଚାଲି ଯାଇଥାଆନ୍ତା ଦୂର ଦେଶକୁ । କାହିଁ କେତେ ଦୂର ଯେ ଠିକ୍ ନାହିଁ । ନଈ ନାଳ, ବିଲ ପର୍ବତ, ପ୍ରାନ୍ତର ଡେଇଁଯାଇ ସେ ଦୂର ସହର କେଜାଣି । ସେଠି ବି ସୂର୍ଯ୍ୟ, ଚନ୍ଦ୍ର ଆଲୁଅ ଢାଳୁଥିବେ । ପକ୍ଷୀ ସକାଳହେଲେ ଗୀତ ଗାଉଥିବ, ସିନେମା, ଥିଏଟର, ପାର୍କ, ଥିବ ଅସଂଖ୍ୟ ଅଗଣିତ ମଣିଷକୁ କୋଳାହଳରେ କିଛି ବି ବୁଝିହେଇ ନଥିବ ନିଜ ତୁଣ୍ଡର ଭାଷା । ହେଲେ ସେଠି ଚନ୍ଦ୍ର ନଥିବ, ଯାଇ ମଧ୍ୟ ପାରିବ ନାହିଁ । ଯିବାକୁ ଚାହିଁଲେ.....ବେଳା ଅବେଳାରେ ତାକୁ ଶୁଆଇ ଦେଉନଥିଲା, ବସେଇ ଦେଉନଥିଲା । ସିଲେଇ କରିବାକୁ, ଗପବହି ପଢ଼ିବାକୁ କି ସିନେମା ଦେଖିବାକୁ ଦେଉନଥିଲା । ଶାନ୍ତିରେ ହରେନ୍ଦ୍ର ସାଙ୍ଗରେ ଦେଖା ହୋଇଗଲେ କହିବ ତା’ ସାଙ୍ଗେ ସେ ଦେଖା କରିବାକୁ ଆସିଥିଲା । ରାଜ୍ୟ ଯାକର ଗପ ପକେଇ ହରେନ୍ଦ୍ରକୁ ଏମିତି ବିଭୋର କରି ଦେବ ଯେ, ବିଚରା ହରେନ୍ଦ୍ର ବୁଝିପାରିବ ନାହିଁ । ତା’ ସ୍ତ୍ରୀକୁ ନେଇ ରସର ସୃଜନା କରେ ଚନ୍ଦ୍ର, ତା’ର ଅର୍ଥ କ’ଣ ! ହସି ହସି ଗଡ଼ି ଯାଏ ମାଧୁରୀ । ଏମିତି ବି ହସି ହସି ଗଡ଼ି ଗଡ଼ି ତା’ର ମରିଯିବାକୁ ଇଚ୍ଛା ଥିଲା । ଆଉ ବେଶୀ କିଛି ଚାହୁଁନଥିଲା । ହରେନ୍ଦ୍ରଠାରୁ ଚାହିଁବା ତା’ର ଶେଷ ହୋଇଯାଇଥିଲା । ଚନ୍ଦ୍ରଠାରୁ ସେ ତ କିଛି ଚାହିଁବା କଥା ନଥିଲା । ପ୍ରଶ୍ନ ବି ଉଠୁ ନଥିଲା । ଚାହିଁଲା ଭିତରେ ସେ ଚାହୁଁଥିଲା ଅଫୁରନ୍ତା ଖେଳ ନିଶା ଲାଗିରହୁ । ଏକା ତାକୁ ନୁହେଁ, ହରେନ୍ଦ୍ରକୁ, ଚନ୍ଦ୍ରକୁ, ଏମିତି କି ଛୋଟ ପୁଅକୁ ଚୁମା ଦେଇ ଲୁଚକାଳି ଖେଳି ମା’, ମା’, ଡାକି କନ୍ଦେଇ ମାଧୁରୀକୁ ଖେଳିବାକୁ ଭଲ ଲାଗୁଥିଲା । ଖାଲି ବିସ୍ମରଣ, ସତ୍ତାହୀନ, ଦେହହୀନ ବିସ୍ମରଣ ସେ ଚାହୁଁଥିଲା ଅନନ୍ତ ଯୁଗ...ହେଲାନାହିଁ ।

 

ମାଲଗାଡ଼ିଟା ଭୟାନକ ରଡ଼ି ଛାଡ଼ି ଷ୍ଟେସନରେ ପହଞ୍ଚିଲା ପୁଅର ନିଦ ଭାଙ୍ଗିଗଲା । ଚାଉଁକିନା କାନ୍ଦିଉଠିଲା ମାଧୁରୀରେ ଛାତି ଭିତରେ ସେ । କୋଳରେ ତାକୁ ଯାପୁଟି ଧରି ମାଧୁରୀ ଚାହିଁଲା ଚନ୍ଦ୍ରକୁ । ହରେନ୍ଦ୍ର ଯାଇଛି ଟ୍ରେନ୍‍ ବିଳମ୍ବର କାରଣ ଅନୁସନ୍ଧାନରେ । ଚନ୍ଦ୍ର ଗୋଟିଏ ଇଂରାଜୀ ବହି ମୁହଁରେ ରଖି ପଢ଼ୁଛିକି ଅଭିନୟ କରୁଛି ଜଣା ଯାଉନାହିଁ । ମାଧୁରୀ ଅନେଇଲା–ନାହିଁତ, ଚଷମା ଫାଙ୍କରୁ ଚନ୍ଦ୍ରର ବାମ ଆଖି ତାକୁ ତେର୍ଚ୍ଛେଇ ଦେଖିଛି...କ’ଣ ଦେଖୁଛି କେଜାଣି ଏମିତି ଚାହିଁଲେ ବଡ଼ ମାଡ଼ି ପଡ଼େ, ଅସ୍ୱସ୍ତି ଲାଗେ ଯେମିତି ମନେହୁଏ ସେ ଆଖି ଦୁଇଟି ତା’ ଛାତିଭିତରେ କଲିଜାଟାକୁ ଖିନ୍‍ଭିନ୍ କରି ଖୋଜୁଛି ତା’ର ସତ୍ତା, ମାଧୁରୀର ମନେ ହେଉଛି ସେ କହି ଦିଅନ୍ତା, ସେଇ ପ୍ରଥମ ଓ ଶେଷ କଥାଟି କହିଦିଅନ୍ତା ବଡ଼ପାଟିରେ.....ସମସ୍ତଙ୍କୁ ଏକାଠି କରି କହିଦିଅନ୍ତା । ନାହେଲେବି ଲେଖିଦିଅନ୍ତା ବଡ଼ ବଡ଼ ଅକ୍ଷରରେ,କାନ୍ଥବାଡ଼ ଖବର କାଗଜ ସିନେମା ପୋଷ୍ଟର, ସବୁଆଡ଼େ କେବଳ ସେଇ କେତୋଟି କଥାରେ, ଆଲୋଚନାରେ, ଗୁଞ୍ଜରଣରେ ଭରିଯାଇ ମାଧୁରୀକୁ ସଂଜ୍ଞାଶୂନ୍ୟ କରିଦିଅନ୍ତା....ତା’ପରେ ସେ କେଉଁ ଦେଶ ସେ କେଉଁ ସହର... ଯେଉଁଠିଥାଏ ଖାଲି ଫୁଲ, ଗାଉଥାଏ ପକ୍ଷୀବସି ଗୀତ, ଆଉ ସୁଖ, ପ୍ରେମ ଲୋଟୁଥାଏ ପ୍ରତି ମଣିଷର ହୃଦୟରେ, ସେଇ ଦେଶରୁ ଆଉ ସେ ଫେରନ୍ତା ନାହିଁ...ନାହିଁ.... ନାହିଁ ।

 

ମାଧୁରୀ ପାଖକୁଲାଗି ଚନ୍ଦ୍ର ଆସି ଠିଆହୋଇଛି ।

 

‘‘ପୁଅକୁ ଦିଅ ମୁଁ ଧରୁଛି । ଟିକିଏ ବୁଲେଇ ଆଣେ ବାହାରୁ । ତମ କୋଳ କାଟିବଣି ।” ଆଖି ତଳକୁକଲା ମାଧୁରୀ ମନ ହେଉଥିଲା କହିବାକୁ ଏହାଠାରୁ ବୁଢ଼ାପୁଅକୁ ଘଣ୍ଟା ଘଣ୍ଟା ଧରି କୋଳରେ ଶୁଆଇ କାହିଁ କୋଳ କାଟି ନାହିଁ, ଅଣ୍ଟା ଭାଙ୍ଗି ନାହିଁ ଯେତେବେଳେ ଆଉ ଆଜି ଏଇ କଅଁଳା ଛୁଆର.... !

 

‘‘ମୋର ଭାରି ଇଛା ହେଉଛି... ।” ଚନ୍ଦ୍ରର ଚାପିଲା କଣ୍ଠ । ‘‘ଜାଣେ କହିବା ଦରକାର ନାହିଁ ।” ମାଧୁରୀ ବ୍ୟସ୍ତହୋଇ କାଳେ କିଏ ଶୁଣିପାରିବ ଭାବି ଝରକା ପାଖକୁ ଉଠିଗଲା । ଲୁହାଗେଟର ଖୁଚା ଉପରେ ଲାଲ୍‍ବୁଗେନ୍ ଭିଲାର ଅପୂର୍ବ ଆସ୍ତରଣ । ଆକାଶରେ ଫାଳିକିଆ ଜହ୍ନସାଙ୍ଗକୁ ଚାରି ପାଞ୍ଚଟି ତାରା । ଚନ୍ଦ୍ରକୁ ଏମିତି ସମୟ, ଏମିତି ଦୃଶ୍ୟ ଭାରି ଭଲଲାଗେ । ଗୀତଗାଇବାକୁ ଇଚ୍ଛାହୁଏ । ବଡ଼ପାଟିରେ କୁଆଡ଼େ । ଖାଲି ମାଧୁରୀ ପାଖରେ ମନହୁଏ, ଆଉ କାହା ପାଖରେ ନୁହେଁ ।

 

ଚନ୍ଦ୍ର ଫେରିଯାଇ ବହିଟା ଧରି ବସିଛି । ମଳିନ ଆଲୋକରେ ତା’ର ଚକ୍ଷୁର ଗତି କେଉଁ ଦିଗରେ ବୁଝାପଡ଼ୁନାହିଁ । କ’ଣ କିଛି ବୋଧେ ସେ କହିବାକୁ ଚାହେଁ ତାକୁ, କିନ୍ତୁ କି ଅବାନ୍ତର କଥା-! ଏତେଲୋକ ଭିତରେ ଚନ୍ଦ୍ରକୁ କୋଳରେ ଶୁଆଇ ସେ କେମିତି ଗେଲ କରିବ ? ହାୟରେ ବିଧାତା-! ସାରାଜୀବନ ପାଇଁ ବିଦାୟ ନେଲା ପୂର୍ବରୁ କିଛି ନମାଗି ଶେଷରେ ଏଇ କଥାଟା ମାଗିବାର ତା’ର ଥିଲା... । କାହିଁକି ମାଧୁରୀର ଅପାରିବାର ପଣକୁ ସେ କ’ଣ ଥଟ୍ଟା କରିବାକୁ ଚାହେଁ ? ଗତକାଲି ସାରା ଖରାବେଳେ ଗପ କରୁଥିଲା ମାଧୁରୀ । ସରବତ୍ କରି ଖୁଆଇ ଦେଇଥିଲା, ସିଗାରେଟରେ ନିଆଁ ଧରାଇ ଦେଇଥିଲା, ଶେଷକୁ ଆଉ କ’ଣ ଚାହେଁ ବୋଲି ଏକ ପ୍ରଶ୍ନିଳ ଚକ୍ଷୁରେ ଚାହିଁଥିଲା । କିଛିତ କହିପାରିଥାନ୍ତା ଚନ୍ଦ୍ର, ଅନ୍ତତଃ କହିପାରିଥାନ୍ତା–ମାଧୁରୀ, ତମେ ଚାଲିଯାଉଛ ମତେ ଏକୁଟିଆ ଭାରି ଖରାପ ଲାଗିବ । କିଛି କହିଲା ନାହିଁ, ଖାଲି ମାଧୁରୀକୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରେ ଚାହିଁ ନେଇ ସେ କହିଥିଲା ‘‘ମୋ କପାଳରେ ତୁମ ଆଙ୍ଗୁଳି ଦୁଇଟା ଟିକିଏ ଛୁଆଁଇ ଆଣ ।” ‘‘ବାସ୍‍ ! ଏତିକି, ଏତେ କୃପଣଟା ଚନ୍ଦ୍ର ! କହିଥିଲେତ ସାରା ପାପୁଲିଟା ଘୂରାଇ ଆଣି–କ’ଣ ବା ତା’ର କ୍ଷତି ହୋଇଥାନ୍ତା ?

 

ଆଙ୍ଗୁଠି ଦୁଇଟା ଦୁଇଥର ଛୁଆଁଇ ଆଣୁଆଣୁ ସୁବୋଧ ଶିଶୁଟି ପରି ଶୋଇ ପଡ଼ିଥିଲା ଚନ୍ଦ୍ର । ବାପ୍ରେ ନିଦ, ଯେମିତି ସମୁଦ୍ରରେ ନିଆଁ ଲିଭାଉଥିଲା ସେ ସାତରାତି ଧରି ।

 

ଘରକୁ ପଶି ହରେନ୍ଦ୍ର ପଚାରିଲା–‘‘ଏ ଚନ୍ଦ୍ର ! ଏମିତି ଶୋଇଛୁ କାହିଁକି ? କ’ଣ ଦେହ ଭାଲନାହିଁକି ? ସାତଦିନ ହେଲାଣି ଯାଇକୋଉ ଜୁଆଆଡ୍‍ଡାରେ ବସୁଛି...ଖେଳ ଶିଖୁଛି । ଆମେ ବଦଳି ହୋଇଗଲା ପରେ ଖେଳିବ ବୋଲି ସମସ୍ତଙ୍କୁ କହିଛି । ହେଲେ ମୁଁ ଯିବାର ଆଠଦିନ ପରେ ତାକୁ ଯଦି ଟ୍ରାନ୍‍ସଫର ଅର୍ଡ଼ର ନ ହୋଇଛି ତମେ ଦେଖିବ ରହିଥା.... ।’’

 

ସୋଫା ଉପରେ ବିଳିବିଳେଇଲା ପରି ଚନ୍ଦ୍ର କହିଲା–‘‘ଚୋପ୍ ବେ ! ମାଇପ ଆଗରେ ବାହାଦୁରି କାଢ଼ୁଛି । ତୁ ନାଁ ଚଉଦ ପୁରୁଷ ମୋତେ ଏଠୁ ବଦଳି କରିବ । ମୋ ରୋଜଗାରରେ ମୁଁ ଚଳୁଛି ନାଁ କାହାର ଖାଉଛି ?”

 

ସାର୍ଟଟା ହାଙ୍ଗରରେ ଟାଙ୍ଗି ଦେଉ ଦେଉ ହରେନ୍ଦ୍ର କହିଲା–‘‘ହଉ ଦେଖିବା ! କାଲିଠୁ କେତେ ଦିନ ହେବ, ନିଜେ ଯଦି ନ ଦୌଡ଼ିଛୁ... ।’’

 

ମାଧୁରୀ ଶୁଣିଲା ନାହିଁ ଆଉ । କୋଉ କଥାରୁ କୋଉ କଥା ଯେ ବାହାରି ପଡ଼ିବ ତା’ର ଠିକ୍ ନାହିଁ । ନିଜମନର ଭୂତ ତ ତାକୁ ଅନବରତ ଡରଉଛି । ହରେନ୍ଦ୍ର କଥା ଶୁଣି ଉପଭୋଗ କରିପାରୁଛି ନାଁ ଚନ୍ଦ୍ର କଥାଶୁଣି ହସି ପାରୁଛି ମନଖୋଲି; ଖାଲି ପଳେଇ ଯାଉଛି...କୋଉ ବଗୁଲିଆ ପିଲାର ଗୁଡ଼ିସୂତା ପରି କୋଉ ଦୂରରେ ଯେ ସେ ଉଠୁଛି ସାଦାହୀନ ସାହାଟି ତା’ର–କେହିଭଲା ବୁଝିପାରନ୍ତା ସେ କଥା ! ଏମିତିକି ସେ ନିଜେ ବି ନୁହେଁ ।

 

ଉଏଟିଂ ରୁମ୍ ଭିତରକୁ ଝାଳ ସରସର ହୋଇ ପଶିଆସିଲା ହରେନ୍ଦ୍ର, ଆଉ ବଡ଼ ପାଟିରେ କହିଲା–‘‘ଧ୍ୟାତ୍, ସବୁରି ଯାହା ଯେମିତି କିଛି, ହେଉଛି ଦେଖିଲା ବେଳକୁ ମୁଁ ଯେଉଁ କାମରେ କଥାରେ ମନ ଦେଉଛି କିଛି ହେଉନି । ଟ୍ରେନ୍‍ଟା ଆଜି ଆସିବାକୁ ନାରାଜ !’’

 

‘‘ଏତେ ଗୌରଚନ୍ଦ୍ରିକା ନ କରି କଥାଟା କ’ଣ ହୋଇଛି କୁହ ! ଚନ୍ଦ୍ର କହିଲା ।’’

 

‘‘ହେବ ଆଉ କ’ଣ ? ବାଟରେ ଆସୁ ଆସୁ କୋଉଠି ଲାଇନ୍ ଖରାପ, ମରାମତ ହେଲେ ଯାଇ ଆସିବ । ଆଉ ଯିବା କଥା ଆଜି ଦିଶୁନାହିଁ । ମୁଁ କହୁଛି ବସରେ ଯିବା ନହେଲେ ଦି’ଟା କାର୍ ପଛେ ନେବା । ଟ୍ରେନରେ ଧକଡ଼ କଚଡ଼ ହୋଇ ଯିବ କିଏ ? ମାଇପଙ୍କ ବୁଦ୍ଧିରେ ଜଗନ୍ନାଥ କ’ଣ ମିଛରେ ଖଣ୍ଡିଆ ? କହିଲା କ’ଣ ନାଁ–ବାଟରେ ସିନେରୀ ଦେଖୁ ଦେଖୁ ଯିବ, ଜହ୍ନରାତିରେ ଗୀତଗାଇବ, ପ୍ରତି ଷ୍ଟେସନରେ ଓହ୍ଲେଇ ବୁଲିବ...ସୀତାଙ୍କର ବନବାସ ଇଚ୍ଛା !’’

 

ହୋ, ହୋ, କରି ହସିଉଠିଲା ହରେନ୍ଦ୍ର । ଏ ହସ ସତ କି ମିଛ ହସ ବୁଝିପାରୁନାହିଁ ମାଧୁରୀ । ଧୀରେ ଧୀରେ ସମସ୍ତ ପରିସ୍ଥିତି ବିରକ୍ତିକର ହୋଇଆସୁଛି, ଯେମିତି ସତରେ ତା’ ଜୀବନଟା ଗୌରଚନ୍ଦ୍ରିକାରେ ବିତିଯାଉଛି ! ଅସଲ କଥା ଉପରକୁ ସେ କେବେ ଆସି ନାହିଁ କି ଆସିପାରିବ ନାହିଁ । ବୁକୁଫଟାଇ ଦୀର୍ଘ ନିଶ୍ୱାସଟିଏ ଆସୁ ଆସୁ ମିଳାଇଗଲା ଭିତରେ ।

 

‘‘କେତେ ଡେରିହେବ କହୁନୁ ? ନହେଲେ ଫେରିଯିବ...ପରେ ସୁବିଧା କରାଯିବ । ପ୍ରଥମରୁ ଯେବେ ବିଘ୍ନ ହେଲାଣି, ମାସେ ଛୁଟି ନେଇଗଲେ ବି ଉତ୍ତମ ହେବ” ଚନ୍ଦ୍ର କହିଲା ଅନ୍ୟମନସ୍କ ଭାବରେ ।

 

ହରେନ୍ଦ୍ର କିଛି ଉତ୍ତର ନଦେଇ ମାଧୁରୀକୁ ଅନେଇଲା, ବିରକ୍ତ କଣ୍ଠରେ ମାଧୁରୀ କହିଲା–‘‘ଚାକିରିଟା ସେ କରିଛନ୍ତି ନାଁ ତମେ କରିଛ, ମୁଁ ବୁଝି ପାରୁନି ! ଦେଖ ଯିଏ ଯାହା କରୁଛ କର; ମୁଁ ଆଉ ପାରିବି ନାହିଁ । ପୁଅକୁ ଏବେ ପାଳିକରି ତମେମାନେ ଧର । ମୋ ହାତ ବିନ୍ଧିଲାଣି ।’’

 

ମାଧୁରୀ ପୁଅକୁ ହରେନ୍ଦ୍ର କୋଳରେ ଜବରଦସ୍ତି ଚାପିଦେଇ ଉଠିଗଲା ବାଥ୍‍ରୁମ୍‍କୁ । ଚନ୍ଦ୍ର ଉଠିଆସି ବସୁଥିଲା ହରେନ୍ଦ୍ର ପାଖକୁ । ସତେକି ସବୁଥିରେ ତା’ର ଦାୟିତ୍ୱ, ଅତିକଥା ! ଭଲ ନୁହେଁ । ଶୀଘ୍ର ଶୀଘ୍ର ସରିଯାଇଛି ଭାଗ୍ୟଭଲ ।

 

ବାଥ୍‍ରୁମ୍‍ର ଦର୍ପଣରେ ମାଧୁରୀର ମୁଖ ଛବି ! ତିନିଘଣ୍ଟା ବିତିଗଲାଣି । ଆହୁରି କେତେ ସମୟ କେଜାଣି ଆଠ ବର୍ଷର ମାୟା ମମତା ସହଜେ ଛାଡ଼ିବା କଥା ନୁହେଁ । ପାଖ ପଡ଼ୋଶୀ ଚିହ୍ନା ପରିଚୟ କାହାରି ଘରକୁ ଯାଇ ପଦେ କଥା କହି ହେଲାନି । କେତେବେଳେ ବେଳ ? ସବୁବେଳେ ସବୁ ସମୟରେ ଚନ୍ଦ୍ରର ଅସ୍ତିତ୍ୱ ରହିଲା ତା’ର ଚତୁର୍ଦ୍ଦିଗରେ । ହୃଦୟର ନାଭି କେନ୍ଦ୍ରରେ । ସେଇ ନାଭି କମଳର ଗନ୍ଧରେ ସେ ହେଲା ଆତ୍ମା-ବିଭୋର, ପାଗଳ, ଆଉ ଅବଶେଷରେ କ୍ଳାନ୍ତ !!!

 

ଚନ୍ଦ୍ରଟି ବି ପାଗଳ । ପ୍ରେମରେ ପଡ଼ିଥିବା ସବୁ ଲୋକ ପାଗଳ । କେବେ ଦିନେ କିଛି ମାଗି ନାହିଁ । ଦାବି କରିବାତ ଦୂରର କଥା । ଗପିଛି, ଖେଳିଛି, କଥା ଶୁଣିଛି ଆଉ ବୋଲ କରିଛି–ମୁହଁ ଖୋଲି ଦିନେ ଅଧେ କିଛି କହିନାହିଁ । ଆଉ ସେ ନିଜେ ? ମାଧୁରୀ କ’ଣ ହେଲେ କିଛି କହି ପାରିଛି ? ଏତେ ଦିନର ହୃଦୟ ବନ୍ଧନରେ ପ୍ରତ୍ୟୁତ୍ତର ତ ସେ ମୁହଁରେ ଦେଇନାହିଁ । ହରେନ୍ଦ୍ରକୁ ଯେମିତି ସେ ଦେଖୁଥିଲା, ଠିକ୍ ସେମିତି ଦେଖୁଥିଲା ଚନ୍ଦ୍ରକୁ । କିନ୍ତୁ ଧୀରେ ଧୀରେ, ଭାଷା, ଭାବ ଏପରିକି ଅନୁଭବ ସବୁ ଆସି ଚନ୍ଦ୍ର ପାଖରେ ଠୁଳହୋଇ ରହିଗଲେ । ବିଭା ହୋଇଥିବା ସ୍ୱାମୀ ଦାବି ପାଖରେ ନୀରବରେ ମୁଣ୍ଡଟେକି ଠିଆହେଲା ଆଉ ଜଣେ । ଆଠବର୍ଷ କିଛି କମ୍ ନୁହେଁ–ଜୀବନର ଆଠଟି ବସନ୍ତ ନିର୍ମମ ବିରହରେ କାତର ହୋଇଉଠିଲେ । ସେ ଜଳିଗଲା ଭିତରେ...ଭିତରେ...ଭିତରେ । କିନ୍ତୁ ହସୁଥିଲା ଉପରେ ମାଧୁରୀ । ଛୋଟ ପୁଅର ଭବିଷ୍ୟତ, ହରେନ୍ଦ୍ରର ନିରାପତ୍ତା ଆଉ ଚନ୍ଦ୍ରର କଳଙ୍କଶୂନ୍ୟ ହସ ଏବଂ ଉଦ୍ଦେଶ୍ୟହୀନ ବ୍ୟବହାର ପାଇଁ, ତାକୁ ନିଜ ଉପରେ ସବୁତକ ରାଗ ଅଭିମାନ ଚାପି ରଖିବାକୁ ହୋଇଥିଲା । ନାହିଁ...ତା’ଭିତରେ ବର୍ତ୍ତମାନ ଯେମିତି କ’ଣ କିଛି ଉଲ୍‍କାପାତ ହୋଇଯାଉଛି । ପୋଡ଼ି ଯାଉଛି ତା’ର ସୁନାର ସଂସାର, ସୁନାର ମନ ଆଉ ଦେହ । କେଉଁ ସମୁଦ୍ରରେ ଅଗ୍ନି ଧରିଛି କି କେଉଁ ସହରରେ ଭୂମିକମ୍ପ ହୋଇ ଭାଙ୍ଗି ଯାଉଛି ତା’ର ହୀରାର ପ୍ରସାଦ ... । କିଏ ତା’ ଦେହରେ ଅଗ୍ନି ଧରାଉଛି । କାହାକୁ ସେ ଦୋଷୀ କରିବ ?

 

ଦର୍ପଣରେ ନିଜର କାତର ମୁହଁକୁ ଅନାଇ ମାଧୁରୀ କାନ୍ଦି ପକାଇଲା; କେତେ ତା’ର ଇଚ୍ଛା ନିଜ ଲୁହରେ ପହଁରି ଯିବାକୁ ସେ କଥା ସିଏ ସିନା ଜାଣେ ।

 

ହଠାତ୍ କବାଟରେ ଠକ୍ ଠକ୍ ଶବ୍ଦ । ଶୀଘ୍ର ଆସ ଟ୍ରେନ୍ ଆସିଯିବ । ଯାଃ ପାଉଡର ଟିକିଏ ମାରି ହେଲାନି ଗାଲରେ । ଆଖିର ପତା ଭାରି ଭାରି ଲାଗୁଛି । ଶେଷ ବିଦାୟର ଘଣ୍ଟା ଏତେ ଶୀଘ୍ର ଆସିଗଲା ! ମାଧୁରୀର ଆଖି ଦିଓଟିକୁ ଦେଖିବବୋଲି ଚନ୍ଦ୍ର ଯେ କେତେ ବ୍ୟାକୁଳ ହୋଇ ଧାଇଁ ଆସିଥାଏ, ଖେଳରେ ହାରିଯାଏ, କଥା କହୁକହୁ ଅନ୍ୟମନସ୍କ ହୁଏ, ତା’ର ଠିକ୍ ନାହିଁ-। ସେଇ ଆଖି ଦିଓଟିକୁ ଶେଷରେ କନ୍ଦାଇଦେଲା ସେ ? କାନ୍ଦିବ ନାହିଁ । ତା’ର କାନ୍ଦ ଦେଖିଲେ ପାଗଳ ହୋଇଯିବ ବୋଲି ଚନ୍ଦ୍ର ତାକୁ କହିଥିବ । କେତେଥର କିନ୍ତୁ କେମିତି କେମିତି ସେ ହସିହସି ତା’ଠାରୁ ବିଦାୟ ନେବ ? ହାଏ ! ଆଠ ବର୍ଷ ଭିତରେ ପଦୁଟିଏ କଥା ମଧ୍ୟ ସେ କହି ନାହିଁ...କହିନାହିଁତ କେବେ । ଚନ୍ଦ୍ର ମୁଁ ତୁମକୁ ଭଲପାଏ । ଏମିତି ଭଲ କାହାକୁ ପାଇନାହିଁକି କେହି ତୁମକୁ ମୋ, ପରି ଭଲ ପାଇବ ନାହିଁ । କେବେହେଲେ ଯଦି କହିପାରିଥା’ନ୍ତା କଥାଟା, ଆଜିର ସମୟ ଏତେ କରୁଣ ହୁଅନ୍ତା ନାହିଁ ।

 

କବାଟ ଖୋଲି ମାଧୁରୀ ଦେଖିଲା ସ୍ତିମିତ ଆଲୋକରେ ଚନ୍ଦ୍ର ଠିଆ ହୋଇଛି ସାମ୍ନାରେ-। ଆଖିରେ ତା’ର ସେଇ ଚିରାଚରିତ ପ୍ରଶ୍ନ । ଅଧୀର ଆବେଶରେ କୁଣ୍ଢାଇ ଧରି ଚନ୍ଦ୍ରକୁ ମାଧୁରୀ କହିଲା–

 

‘‘ହଁ, ହଁ ମୁଁତୁମକୁ ଭଲପାଏ ଚନ୍ଦ୍ର । ଏମିତି ଭଲ କେହି କାହାରିକୁ ପାଇପାରିନାହାଁନ୍ତି କି ପାଇବେ ନାହିଁ । କୁହ, ତୁମେ କିଛି କହୁନା କାହିଁକି ? ତମେ ଜାଣିଛ କି ନାହିଁ ଚନ୍ଦ୍ର ମୁଁ ଯେ ତୁମକୁ କେତେ ଭଲପାଏ । କ’ଣ ଦେଇ ବୁଝେଇବି । ଭୀଷଣ କଷ୍ଟ ହେଉଛି ମୋତେ ଛାଡ଼ି ଯିବାକୁ ।’’

 

ଅତି ଧୀର ଭାବରେ ନିଜକୁ ମୁକ୍ତ କରିଦେଇ ଚନ୍ଦ୍ର କହିଲା–‘‘ଛିଃ ଲୁହ ପୋଛିନିଅ ମାଧୁରୀ, ହରେନ୍ଦ୍ର ଆସୁଥିବ ।” କ’ଣ ଭାବିବ ସେ, ମାଧୁରୀ ହସିଦେଇ କହିଲା–‘‘ତୁମକୁ ଏଇ ପଦକ କଥା କହିବି କହିବି ବୋଲି କେତେଥର ଭାବି କହିପାରିନି । ଜାଣ, କହି ସାରିଲାପରେ ବଡ଼ ହାଲୁକା ଲାଗୁଛି ।”

 

ସାମ୍ନାକୁ ଘୂରି ଆସୁ ଆସୁ ଚନ୍ଦ୍ର କହିଲା–‘‘ଆସ ହରେନ୍ଦ୍ର ଆସୁଥିବା । ବିନାକାରଣରେ ତାକୁ ଆମେ କଷ୍ଟ ଦେବା ନାହିଁ ମାଧୁରୀ । ତୁମେ ଶାନ୍ତ ମନରେ ଯାଉଛ ଶୁଣି ଖୁସି ହେଲି । ମୁଁ ତ କୋଉଦିନୁ ନିରାପଦ ଶାନ୍ତ ଜୀବନ କାଟୁଛି ତା’ର ତାରିଖ ମୋର ମନେନାହିଁ । ଯନ୍ତ୍ରଣା ତ ବେଳେବେଳେ ହେବ ମାଧୁରୀ, ସେ ସମୟର ସ୍ଥାନର ଆଉ ବୟସର ନିର୍ମମ ଯନ୍ତ୍ରଣା କିନ୍ତୁ ପ୍ରେମର ଯନ୍ତ୍ରଣା ନାହିଁ । ଯାହାକୁ ତୁମେ ଯନ୍ତ୍ରଣା କୁହ, ସେ ମୋ’ପାଇଁ ଚନ୍ଦନର ପ୍ରଲେପ ।”

 

ମାଧୁରୀ କହିଲା–‘‘ମୁଁ ଭାବିଥିଲି ଏକୁଟିଆ ତୁମକୁ କଷ୍ଟ ହେବ ।”

 

‘‘କିଏ କହିଲା ? କଷ୍ଟହେବ ନିଶ୍ଚୟ । ହେଲେ ଯନ୍ତ୍ରଣା କି ଅନୁତାପ ନାହିଁ । ହରେନ୍ଦ୍ରର ପଚାଶ ବର୍ଷର ଜୀବନଠାରୁ ମୋର ଆଠବର୍ଷ ଜୀବନ କ’ଣ ବେଶୀ ମୂଲ୍ୟବାନ୍ ନୁହେଁ ? ଆଉ ମନେରଖ ମାଧୁରୀ ସବୁକଥା କହିହୁଏ ନାହିଁ ।”

 

ଘଣ୍ଟା ବାଜିଉଠିଲା ଷ୍ଟେସନରେ–ଶେଷ ଘଣ୍ଟା । ଉପର ଆକାଶରେ ବଙ୍କିମଚନ୍ଦ୍ରର ଛଟା, ଟ୍ରେନ୍‍ ଛାଡ଼ି ଦେଉ ଦେଉ ହରେନ୍ଦ୍ର କହିଲା–‘‘ଚନ୍ଦ୍ର ! ଆଠଦିନ ଭିତରେ ତୁ ଆସିବୁ ଆମ ସହରକୁ, ଚନ୍ଦ୍ର କହିଲା–

 

‘‘ନାଃ ! ତତେ କହି ନାହିଁ ଇଚ୍ଛା କରି । ମୋର ଠିକ୍ ତୋ ଜାଗାରେ ପୋଷ୍ଟିଂ ହୋଇଛି । ଏମିତିକି ମୋର କ୍ଵାଟରଟା ବି ଆଲଟ ହୋଇଛି । ବରଂ ତୁ ଆସିବୁ, ସୁବିଧା ପାଇଲେ ।”

 

ଚଳନ୍ତା ଟ୍ରେନ୍‍ରୁ ଆକାଶକୁ ଚାହିଁ ମାଧୁରୀ ଭାବୁଥିଲା ବରଂ ତମେ କଥା ନ କହିଥିଲେ ଭଲ ହୋଇଥାନ୍ତା । ନୀରବତାର ଯେଉଁ ଭାଷା ତାକୁ ଏକ ବିଶେଷ ମୁହୂର୍ତ୍ତରେ କେବଳ ଶୁଣାଯାଇପାରେ । ସେ ମୁହୂର୍ତ୍ତ ସେ ହରେଇ ବସିଛି...

 

ହଠାତ୍ ଚମକିଲାପରି ହରେନ୍ଦ୍ର କହିଲା–

 

“ଦେଖ ମାଧୁରୀ ! ରାସ୍କେଲଟାକୁ ଦେଖ । ଟ୍ରେନ୍‍ଟା ଷ୍ଟେସନ ଛାଡ଼ିନାହିଁ । ଆମ ମୁହଁ ଲୁଚିନାହିଁ ଅଥଚ ଚଟ୍‍କରି ବୁଲିପଡ଼ି ଚାଲିଯାଉଛି କେମିତି । ଆଉ ଏଣେ ମୁଁ ହାତହଲେଇ ଡାକୁଛି କାହାକୁ ? ଦେଖ, କି ସ୍ସିଡରେ ଚାଲିଛି ଚନ୍ଦ୍ର, ନିମକହାରାମଟା ପରା ! କ୍ଲବକୁ ଯିବାର ବେଳ ହୋଇଆସୁଛି ନାଁ ? ଠୋ ଠୋ କରି ହସି ମାଧୁରୀ କହିଲା–

 

‘‘ନାହିଁ ମ ! ସେ ପରା ସେଇଠି ଛିଡ଼ା ହୋଇଛନ୍ତି । ଟ୍ରେନ୍ ଚାଲୁଛି ନାଁ ତମକୁ ସେମିତି ଦେଖାଯାଉଛି, ତମେ ବସିପଡ଼ । ଆଖିରେ କୋଇଲା ଗୁଣ୍ଡ ପଡ଼ିବ । ଦେଖିଲଣି ମୋ ଆଖି କେମିତି ଲାଲ୍ ହେଲାଣି ?’’

 

ମାଧୁରୀ ନିଜର କାନ୍ଦୁରା ଆଖିକୁ ଶୁଖାଇବା ପାଇଁ ଆପ୍ରାଣଚେଷ୍ଟା କରି ବିଫଳ ହେଉଥିଲା ମାତ୍ର । ହସି ଦେଇ ହରେନ୍ଦ୍ର କହିଲା–

 

‘‘ତମେ କାନ୍ଦୁଛ ମାଧୁରୀ ! ମୁଁ ଜାଣେ ପରା... ।”

 

ଅସ୍ଥିର କାନ୍ଦଣାରେ ଭାଙ୍ଗିପଡ଼ି ହରେନ୍ଦ୍ରକୁ ଦୁଇବାହୁରେ ଜଡ଼ାଇଧରି ମାଧୁରୀ କହିଲା–

 

‘‘ନାହିଁ, ନାହିଁ ତମେ କିଛି ଜାଣ ନାହିଁ । ମୋ ଦେହରେ ଟିକେ ହେଲେ ବଳନାହିଁ । ତମେ ମତେ ଧରିନିଅ ହରେନ୍ଦ୍ର–ଠିକ୍ ଯେମିତି ଆଗେ ଧରି ରଖୁଥିଲ ତୁମ ବାହୁରେ । ମୁଁ ପଡ଼ିଯାଉଛି ଯେ... ।”

 

ନିର୍ବାକ ବିସ୍ମୟରେ ହରେନ୍ଦ୍ର ମାଧୁରୀର ଦୁଇବହୁର ବନ୍ଧନରେ ଯେମିତି ପ୍ରଥମଥର ପାଇଁ ଅଣନିଶ୍ୱାସୀ ହୋଇଯାଉଥିଲେ ।

Image

 

ଥିଓରି

 

ଯୋଗେଶ୍ ସାବୁନ୍ ଲଗାଇ ହାତ ମୁହଁ ଧୋଉ ଧୋଉ ଠିକ୍ ଭାବରେ ମନେ କରିପାରୁନଥିଲା କଥାଗୁଡ଼ାକ । ଝାପ୍‍ସା ଅନ୍ଧାର ଭିତରେ କଳ ପାଖକୁ ଲାଗି ବାଡ଼ି ଉପରେ ଭରା ଦେଇ ବଡ଼ଭାଇ ତାକୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲା । ଯେତେ ଚେଷ୍ଟା କଲେ ବି ଠିକ୍ ଭାବରେ କଥାଟା ବୁଝାଇବା ସମ୍ଭବ ନଥିଲା । କଲେଜରେ ଛ’ମାସ ପାଠ ଭିତରେ କେଜାଣି କେତେ ଥିଓରି ଯେ ପଢ଼ା ହୋଇଥିଲା, କେତେଲୋକଙ୍କ ନାଁ କୁହାହୋଇଥିଲା ସେ ସବୁ ଝାପ୍‍ସା ହୋଇଗଲାଣି । ତା’ ସତ୍ତ୍ୱେ ସବୁ ଅନ୍ୟାୟ ସବୁ ଅତ୍ୟାଚାର ଘଟିଯାଉଛି ଗୋଟିଏ ସୂତ୍ରରେ ବୋଲି ସମସ୍ତେ ଖୁବ୍ ପାରଦର୍ଶିତା ସହକାରେ ପ୍ରଣାମ ଦେବାର ମନେପଡ଼େ ତା’ର । କେତେଦିନ ବା ସେ ପଢ଼ିଛି ? ବାପା କ୍ୟାନ୍‍ସରରେ ଚାଲିଗଲେ । ଆଉ ବଡ଼ଭାଇ ମେସିନ୍ ଚଲାଉ ଚଲାଉ ଗୋଡ଼ଟା କାଟିଦେଇ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଗଲେ ।

 

‘‘କିରେ କାହିଁକି ଷ୍ଟ୍ରାଇକ୍ ହୋଇଛି, କିଛି ତା’ର କାରଣ ନ ବୁଝି ତୁ ନେତା ହୋଇଛୁ ? କ’ଣ ଆଜି ଘଟଣା ଘଟିଲା ଟିକେ ବୁଝାଇ କହ ।” ଯୋଗେଶ୍ ନାଲି ଗାମୁଛାରେ ମୁହଁଟା ରଗଡ଼ି ପୋଛୁ ପୋଛୁ କହିଲା–‘‘କ’ଣ ହେବ ଯେ, ମଜୁରୀ ବଢ଼େଇବା ପାଇଁ ହେଇଛି କମ୍ପାନୀର ବହୁତ ଲାଭ ହୋଇଛି । ଆମର ଝାଳ ବୁହା ଖଟଣିରେ କୋଟି କୋଟି ଟଙ୍କା ଆୟ ହୋଇଛି । କିଏ ତାକୁ ନେଉଛି ? ନ ହେଲା ବେଶୀ-ଅଳ୍ପ କିଛି ତ ବଢ଼ିବା ଦରକାର । ଦରଦାମ୍ ଯାହା ବଢ଼ୁଛି । କାହାର ତ ଦି’ଓଳି ପେଟପୂରା ଖାଇବାକୁ ନାହିଁ । ଷ୍ଟ୍ରାଇକ୍ କରିବା ଛଡ଼ା ଆଉ ବାଟ କ’ଣ ଥିଲା ଯେ...’’

 

ଏତିକି କହି ଡଗ ଡଗ କରି ଯୋଗେଶ୍ ଘର ଭିତରକୁ ପଶିଗଲା । ଭୋକରେ ପେଟ କରଡ଼ି ଜଳୁଛି । ଏତେବେଳେ କାହାର ଗରଜ ପଡ଼ିଛି ଥିଓରି ଦେଇ କଥାର ପ୍ରମାଣ ଦେବାକୁ ।

 

‘‘ଖାଇବାକୁ ଦିଅ କିଏ ଅଛ ସବୁ... ।’’

 

ନିଜ ସ୍ତ୍ରୀକୁ ନାଁ ଧରି ଡାକିବା ଏ ଘରେ ମନା । ଭାଉଜକୁ ମାଗିବାକୁ କିପରି ସଂକୋଚ ଲାଗେ । ବୋଉ ତ ଏତେବେଳକୁ ମନ୍ଦିରକୁ ସଞ୍ଜନେଇ ଯାଇ ଅଧିଆ ପଡ଼ିଥିବ । ବାକି ସାନ ଭଉଣୀ ଦି’ଟା । ସାନ ଭାଇକି ଦେଖିଲେ କୋଉଠି ପଶିଯାନ୍ତି ଯେ ତା’ର ଠିକଣା ନାହିଁ ।

 

କବାଟ ସେପଟେ ସ୍ତ୍ରୀ ଶୋଭା ଆସି ଛିଡ଼ା ହେଲା–

 

‘‘ଆଜି କିଛି ଘରେ ନାହିଁ ? ସକାଳେ କହିଥିଲି, ତମର ବୋଧେ ମନେ... ।’’

 

‘‘କ’ଣ କିଛି ନାହିଁ ? ଆଜି କେହି ଖାଇନ ? ଭାତ ରନ୍ଧା ହେଇନି ? ବୋଉ କାହିଁ ?” ଯୋଗେଶ୍‍ କ୍ରୁଦ୍ଧ ଗଳାରେ ଚିତ୍କାର କରି ଉଠିଲା ।

 

ଶୋଭା କହିଲା–‘‘ଗଣ୍ଡାଏ ହେବ ଚାଉଳ ଥିଲା । ପିଲାଙ୍କୁ ନଅଣ୍ଟ...ମୁଢ଼ି ଗଣ୍ଡେ ଥିଲା...-।”

 

ଯୋଗେଶ୍‍ର ମନେପଡ଼ିଲା କାଲି ରାତିରେ ବୋଉ କ’ଣ ବିଡ୍‍ବିଡ୍ ହୋଇ ତାକୁ କହୁଥିଲା । କମ୍ପାନୀ ଓ ଷ୍ଟ୍ରାଇକ୍ ବିଷୟ ତା’ ମୁଣ୍ଡରେ ଏପରି ସବାର ହୋଇଯାଇଥିଲେ ଯେ ସେକଥା ତା’ର ଆଦୌ ଖେୟାଲ୍ ନାହିଁ । ବଡ଼ଭାଇ ଏତିକିବେଳେ ଗଳା ଖଙ୍କାର ଦେଇ କହିଲା–‘‘ମୁଁ କହୁଛି ବୋଉକୁ ଚୁଡ଼ା ହେଉ, ମୁଢ଼ିହେଉ, ତା’ପାଇଁ ପକେଇ ରଖ । ଖଟଣିରୁ ଫେରି କେହି ଭୋକ ସମ୍ଭାଳି ପାରେ ? ଆମେ ତ ଘରେ ବସିଛୁ... ।”

 

ତା’ ଅର୍ଥ ଘରେ ଯେଉଁ ଚାଉଳ ଗଣ୍ଡାକ ଥିଲା ତାହା ଛୁଆଙ୍କୁ ନିଅଣ୍ଟ । ସେତକରେ ଚାରିଟା ପିଲା ବି କାଉଳି ହୋଇଯାଇଥିବେ ଦିନସାରା । ଯେତିକି ବଡ଼ ମଣିଷ ଏ ଘରେ ସମସ୍ତେ...ବୋଧେ ଉପାସ... ।

 

ବଡ଼ଭାଇଙ୍କ କଣ୍ଠରେ କ’ଣ ଥାଏ କେଜାଣି, ମନ୍ତ୍ର ପରି ଯୋଗେଶ୍ ଚୁପ୍ ହୋଇଯାଏ । ଆଜି କିନ୍ତୁ ଭୀଷଣ ରାଗହେଲା ତା’ର । ଏଇମାନଙ୍କ ପାଇଁ ସ୍ଵଚ୍ଛନ୍ଦରେ ସେ ଟିକେହେଲେ ନିଶ୍ୱାସ ମାରିପାରିଲା ନାହିଁ । ବାହାହବାର ଆଠ ବର୍ଷରେ ଚାରିଟା ପିଲା । ଚାକିରି ନାହିଁ, ତହିଁରେ ଅକର୍ମଣ୍ୟ-। ସେଥିରେ ପୁଣି ଉପଦେଶ କିଛି କମ୍ ନୁହେଁ । ଟିକିଏ ବି କେହି ତା’ପ୍ରତି ଏ ଘରେ ଉଦାର ନୁହଁନ୍ତି-। ନିଜର ସ୍ତ୍ରୀ ଶୋଭା ସୁବିଧା ପାଇଲେ ପାଞ୍ଚପଦ ଝାଡ଼ି ଦେବାକୁ ଭୁଲିଯାଏ ନାହିଁ ।

 

ବାହାରେ ବା କେଉଁ ଶକ୍ତି ଅଛି ? କମ୍ପାନୀ ଗୋଟାକ ଯାକ ମୂଳରୁ ଶେଷ ଖରାପ । କଥା ପଦେ ବି ଭାଦ୍ରଭାବରେ କେହି କହିପାରନ୍ତି ନାହିଁ । ମାଲିକ ଯେମିତି, ସେମିତି ତା’ର ଅଫିସରମାନେ । ଶ୍ରମିକମାନେ ସବୁ କଥାରେ ତାକୁ ହିଁ ଘେରି ସବୁ କଥା କହିବେ । ଆଉ ସେ ନିଜେ ବି ଏଡ଼େ ବଜ୍ଜାତ୍–ଟିକେ ଟିକେ କଥାରେ ସମସ୍ତିଙ୍କର ହାତବାରିଶି ହୋଇଯିବ । ଯେମିତି ତା’ର ପଢ଼ିବାକୁ ଇଚ୍ଛା ନଥିଲେ ବି ବଡ଼ଭାଇ ତା’ର ନାମ ଲେଖାଇଲେ କଲେଜରେ । ବିବାହ କରିବାକୁ ଇଚ୍ଛା ନ ଥିଲେ ବି ବୋଉର କଥା ଦେଇଥିବା କଥାକୁ ରକ୍ଷା କରିବା ପାଇଁ ସମ୍ମତି ଜଣାଇବା, କଲେଜରେ ପାଠରେ ମନ ଲାଗି ଆସୁ, ଆସୁ ବଡ଼ଭାଇଙ୍କର ଅକର୍ମଣ୍ୟ ହେବା ଏବଂ ଘୋର ଅନିଚ୍ଛା ସତ୍ତ୍ୱେ ଭାଇଙ୍କର ସେଇ ଧୂଳି କଳା ବୋଳା ମେସିନ୍‍ଟାକୁ ରୋଜ୍ ରୋଜ୍ ଚଳାଇବା, ସବୁ କିଛି ଘଟିଯାଇଛି । ତା’ର ଇଚ୍ଛା ବିରୁଦ୍ଧରେ ମନ ପ୍ରତିବାଦ କଲେ ବି ଅଭ୍ୟାସରେ ପଡ଼ି ସେ ଘାଣ୍ଟି ହେଉଛି । ଛଟପଟ ହେଉଛି... କାହିଁକି ଯେ ? ଯାଃ ! ଦିନେ ଘର ଛାଡ଼ି ଚାଲିଯିବ, ବାଦ ଦେଇ ତା’ର ଗତାନୁଗତିକ ଅଭ୍ୟାସ ସବୁକୁ ପାଉଁଶ କରିଦେଇ । ଏମାନେ ମରିଯାନ୍ତୁ ତା’ର ଯାଏ ଆସେ କ’ଣ ?

 

ହଠାତ୍ ବଡ଼ଭାଇ ଦ୍ୱାର ମୁହଁରେ ବାଡ଼ି ଠକ୍ ଠକ୍ କରି କହିଲେ–“କିରେ ପେଟଟାକୁ ଚାପିଧରି ବସିଲୁ କାହିଁକି ? ଛକ ଦୋକାନରୁ ଜଳଖିଆ କିଛି ଖାଇଆ । ଗୋପାଳକୁ କହି ଅଟା କିଲେ ଦି’କିଲେ ଧାର ଦେଇଥିବ । ଆମେ ପରେ ଦେଇଦେବା । ବୁଝିଲୁ ?”

 

ବଡ଼ଭାଇଙ୍କର କୌଣସି କଥାରେ ଜବାବ ଦେବା ଅଭ୍ୟାସ ନାହିଁ ଯୋଗେଶ୍‍ର । କିନ୍ତୁ ଆଜି କିଛି ନ କହିଲେ ନଚଳେ । ଗଲା ସପ୍ତାହରୁ ମଜୁରୀ ବିନା କାରଣରେ ତା’ର ମିଳିନାହିଁ । ଏ ସପ୍ତାହରେ ଯେଉଁ ଗଣ୍ଡଗୋଳ ଆରମ୍ଭ ହୋଇଗଲାଣି, ସେଥିରେ କିଏ ଜାଣେ କେତେଦିନ ଉପାସ ଭୋକରେ ରହିବାକୁ ପଡ଼ିବ । ସାରା ସହରରେ ଯେତେବେଳେ ଏ କଥା ରାଷ୍ଟ୍ର ହୋଇଯାଇଛି । ସେତେବେଳେ ପିଛିଲା ବାକି ନ ଶୁଝୁଣୁ ଆଗାମୀ ଦିନ ପାଇଁ କିଏ କାହିଁକି ତାକୁ ବାକିଦେବ ? ତହିଁରେ ସେ କିଛିଟା ନେତୃତ୍ୱ ନେଇଛି । ଅନ୍ତତଃ ମଣିଷହୋଇ ଏତେଟା ଅନ୍ୟାୟ ସେ ବରଦାସ୍ତ କରିପାରିବ ନାହିଁ । କେବଳ ନିଜର ସ୍ୱାର୍ଥ ସୁବିଧା ଦେଖିଲେ ତ ଚଳିବନି । ସେ ପଶୁ ନୁହେଁ । ଢେର ଦିନ ପଶୁ ପରି, ଦାସ ହୋଇ ସେ ଖଟି ଆସିଛି । ଏବେ ସମସ୍ତେ ବୁଝନ୍ତୁ.... ।

 

ବଡ଼ଭାଇ ପୁଣି ଥରେ କହିଲେ–‘‘କିରେ, ବସିଲୁ କାହିଁକି ? ଛୁଆଗୁଡ଼ା କ’ଣ ଉପାସ ରହିପାରିବେ ?” ଯୋଗେଶ୍ ଏଥର ଉଠିପଡ଼ିଲା । ସନ୍ଧ୍ୟାବେଳେ ମଇଦାନରେ ମିଟିଂ ଅଛି । ସାଙ୍ଗ ସାଥି କହୁଥିଲେ ଦି’ପଦ କହିବାକୁ । ଯେତେ ମନେପକାଇଲେ ବି ସେ ଥିଓରିଗୁଡ଼ା ଆଉ ସେ କିଟିମିଟିଆ ନାଁ ତା’ର କୋଉ ମନେପଡ଼ୁଛି-? ଭାବିଥିଲା ଗଣ୍ଡେ ଖାଇଦେଲେ କଥାଗୁଡ଼ାକ ତା’ର ଠିକ୍ ଠିକ୍ ମନେପଡ଼ିଯିବ । ପାଞ୍ଚ ଲୋକରେ କହିବାକୁ ଗଲେ ତଥ୍ୟ ଦରକାର, ଐତିହାସିକ ପ୍ରମାଣ ଆବଶ୍ୟକ ରାମା, ଶାମା ପରି ଦାନ୍ତ ରଗଡ଼ି ହେଲେ ଲାଭ କ’ଣ ? ହେଲେ ଆଜି କୌଣସି କଥା କରି ହେବ ନାହିଁ......ଭୋକରେ ତା’ର ଅନ୍ତବୁଜୁଳି ବାହାରି ଆସିବ କି କ’ଣ ?

 

ସେ ଘରେ ଛୁଆଗୁଡ଼ା ଚେଁ ଭେଁ ହେଲେଣି । ଏଇନେ ଭାଉଜ ରାଗିଯାଇ ବେତଟାଏ ଧରି ସେମାନଙ୍କୁ ବାଡ଼େଇଦେଇ ଯିବ ଏବଂ ଭାଇନାଙ୍କୁ ଅକଥନୀୟ ଭାଷାରେ ଗାଳିଦେଇ ଶେଷକୁ କାନ୍ଥରେ ମୁଣ୍ଡ ବାଡ଼େଇ ଦେବ । ଏ ବାରଣ୍ଡାରେ ମାଳି ଜପୁ, ଜପୁ ବୋଉ ନାକ ସୁଁ, ସୁଁ କରିବ । ଆଉ ଶୋଭା ? ଚାରିମାସର ଛୁଆଟାକୁ କ୍ଷୀର ଦେବା ବାହାନାରେ ସପଟା ପକେଇ ଶୋଇଯିବ । ସତେକି ତା’ର କିଛି ଚିନ୍ତା ନାହିଁ । ସେ ଏକ ଅନ୍ୟ ଜଗତର ଜୀବ । ଭଲମନ୍ଦ କୌଣସି କଥା କହି ସେ କାହାକୁ ବିବ୍ରତ କରିବାକୁ ଚାହେଁ ନାହିଁ... ।

 

ଯୋଗେଶ୍ ଏକ ଲମ୍ପ ଦେଇ ଘରୁ ବାହାରକୁ ଚାଲିଗଲା । ନାହିଁ, ନାହିଁ, ନ ଖାଇଥିଲେ ବି ଏବେ ତା’ର ଦେହରେ ବଳ ଅଛି, ସେ ନିସ୍ତେଜ ହୋଇଯାଇନାହିଁ । ଏଇ ସବୁ କଥାରେ ବିବ୍ରତ ହୋଇ ଘରେ ନିଜକୁ ବନ୍ଦ କରି ରଖିନାହିଁ । ଏଇ ତ ତା’ର ସାନ୍ତ୍ୱନା, ବୀର ପଣର ନମୁନା !

 

ଯୋଗେଶ୍ ଓଠ ଉପରେ ଓଠ ଚାପି ସୁସୁରୀ ବଜାଇ ଛକ ଦୋକାନଆଡ଼କୁ ମୁହାଁଇଲା । ମିଟିଂ ହେବାକୁ ଅଧଘଣ୍ଟାଏ ବାକି ଅଛି । ଏହା ଭିତରେ ସମସ୍ତ କାମ ସାରିଦେଇ ଯିବାକୁ ହେବ । ଧେତ୍‍ରୀ ! ମୋଟେ ଓଠରେ ଶବ୍ଦ ଫୁଟୁ ନାହିଁ ଆଜି.... । ନ ହେଲେ ନାହିଁ ଗୀତଟିଏ ଗାଇବା । କୋଉ ଗୀତ ? ଅଥଚ କେତେ ଯେ ଗୀତ ସେ ନ ଜାଣିଛି । ବେକାର । ଆଉ କ’ଣ ! ଦରକାର ବେଳେ ଯାହା କାମକୁ ନ ଆସେ.... ।

 

ହଠାତ୍ ଏକ ଘୋ ଶବ୍ଦରେ ସେ ଚମକି ପଡ଼ି ଚାହିଁଲା । ଗଳି ସେ ମୁଣ୍ଡରେ ଲମ୍ବା ପଟୁଆର । ହାତରେ ପତାକା ଧରି କେତେ ଜଣ ଆଗରେ ହାତ ଉପରକୁ ଉଞ୍ଚେଇ ଚାଲିଛନ୍ତି ସତେ ତ, ସେ କହି ଆସିଥିଲା ଶୋଭାଯାତ୍ରାରେ ସେ ଯିବ । ବିଲ୍‍କୁଲ୍ ମନେନାହିଁ । ହୃଷୀ, ଗୋପୀ, ଚନ୍ଦରା, ମଧୁ ସବୁ ଭାବିଥିବେ ଯୋଗେଶ୍ ଡରି କରି ଘରେ ରହିଗଲା । ଏତେ ବଡ଼ ବଡ଼ କଥା କହେ ଅଥଚ ଦେଖିଲା ବେଳକୁ.... ।

 

ଯୋଗେଶ୍‍କୁ କିଏ ଯେପରି ପଛରୁ ଧକ୍‍କାଟାଏ ପକାଇ ଆଗକୁ ପେଲିଦେଲା । ତୀର ପରି ସବୁ କଥା ଭୁଲିଯାଇ ସେ ପଟୁଆର ଆଡ଼କୁ ଧାଇଁଗଲା ଏବଂ ନିମିଷକରେ ଭୋକଶୋଷ ଭୁଲିଯାଇ ଘରର ଜଞ୍ଜାଳ ଆଉ ବଡ଼ଭାଇଙ୍କ ତାଗିଦାକୁ ପାସୋରି ସେ ସ୍ରୋତ ସହିତ ସାମିଲ ହୋଇଗଲା !!

 

ତା’ପରେ ? ମଇଦାନର ସଭା । ଅର୍ନଗଳ ବକ୍ତୃତା, ହାତତାଳି; ଧସ୍ତାଧସ୍ତି ଭିତରେ ପ୍ରସ୍ତାବ ପାସ୍‍ ହୋଇଗଲା । ମଜୁରୀ ବଢ଼ିବ; ଛଟେଇ ବନ୍ଦ ହେବ । ଦୁର୍ଘଟଣା ପାଇଁ ଛୁଟି ସହ ବେତନ ମିଳିବ ଏବଂ ଆହୁରି କେତେ କ’ଣ । ନଚେତ୍.....ନଚେତ୍ ଅନିର୍ଦ୍ଦିଷ୍ଟ କାଳପାଇଁ ହରତାଳ ଚାଲିବ... । ତାଳି, ତାଳିରେ ଯେମିତି ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠିଲା । ଭଲକରି ଭାଷଣଟି ଦେଇଥିବାରୁ ଯୋଗେଶ୍ ଆନନ୍ଦରେ ଆତ୍ମହରା ହୋଇଉଠିଥିଲା । କିଏ ଏବେ ମନେରଖିଛି କେଉଁ ଥିଓରି । ତଥାପି ମନଟା ଟିକିଏ ଦବିଗଲା ...ନେତାମାନଙ୍କ ପରି ସେ ଦଶ ପନ୍ଦରଟା ନାଁ ଦେଇ କଥା କହିପାରୁନି କି ଛୋଟ, ଛୋଟ କାହାଣୀ କହି ହସେଇ ରସେଇ ପାରୁନି । ଗୋପୀଟାତ ତା’ଠାରୁ କମ୍ ପଢ଼ିଛି । ହେଲେ ଘରେ ବସି ସନ୍ଧ୍ୟାବେଳେ ସେ କେତେ କ’ଣ ବହି ପଢ଼ୁଥାଏ, ସବୁ ସଭା ସମିତିରେ ବସି ରହି ଜୋକପରି କଥା ଶୁଣେ ଏବଂ କହିଲାବେଳେ ବେଶ୍ ମୁଖଭଙ୍ଗୀ କରି, ହାତ ଗୋଡ଼ ନଚେଇ କହିବିପାରେ । ଯୋଗେଶ୍‍ର କାହିଁକି ତଣ୍ଟି ମୁଣ୍ଡ ଶୁଖିଯାଏ, ସବୁ ଲୋକଙ୍କ ଆଖି ଯେପରି ତା’କଥା ଶୁଣି ନାପସନ୍ଦ କରୁଛନ୍ତି ବୋଲି ମନେହୁଏ । ସେ ଯା’ହେଉ ଦିନ ଆସିବ ସେ ସମସ୍ତଙ୍କୁ ଟପିକରି ଯିବ....... ।

 

‘‘ହେ ଯୋଗୀ ! କ’ଣ ଶୋଇଲୁଣି ବେ । ତୋ’ ବଡ଼ଭାଇ ଛୋଟେଇ, ଛୋଟେଇ, ଆସି ତୋତେ ଖୋଜୁଛି...ହେଇ ସେ ଆମ୍ବଗଛ ମୂଳରେ ।’’ ‘‘ଯୋଗେଶ୍‍ର ହୋସ ଆସିଲା । କେତେବେଳ ହେଲାଣି ?” ଭାଇ କହିଥିଲେ ଚାଉଳ, ଅଟା ନେଇ ଆସିବାକୁ । ଘରସାରା ସମସ୍ତେ ଅପେକ୍ଷା କରିଥିବେ । ତା’ର ତ ଆଦୌ ମନେନାହିଁ । ସେ ବିକଳ ହୋଇ ମଧୁକୁ କହିଲା–

 

‘‘ଭାଇ ! ଟଙ୍କା ଦୁଇଟା ଧାର ଦେଇଥିବୁ । ମୁଁ ଦେଇଦେବି । ଘରେ ଆଜି ସମସ୍ତେ ଉପାସ ।’’

 

ମଧୁ ପକେଟରୁ ପାନିଆଟା କାଢ଼ି ମୁଣ୍ଡବାଳ ଉପରେ ଘୂରାଇ ଆଣୁ ଆଣୁ କହିଲା–

 

‘‘ଭାଇ, ଦିନେ ଉପାସ ରହିଲେ କ’ଣ, ଏଣିକି ମାସେ ଧୈର୍ଯ୍ୟଧର । ଏମିତି କି ମରିଗଲେ ବି ପାଟି ଫିଟାଇ ପାରିବୁନି । ତୋର ଅବସ୍ଥାଠାରୁ ମୋ ଅବସ୍ଥା ବଳେ । କିଏ କାହାକୁ ଦେଖିବ ଏଇନେ ।”

 

ଯୋଗେଶ୍ ର ଛାତି ଭିତରଟା କିପରି ହତାଶରେ ଭାରି ଆସୁଥିଲା । ଆମ୍ବଗଛ ମୂଳେ ଅପେକ୍ଷା କରୁଥିବା ଭାଇଙ୍କୁ ଯାଇ ସେ କ’ଣ କହିବ ବୁଝିପାରୁନଥିଲା । ଏଇଠି ବୋଧହୁଏ ତେଜରାତି ଦୋକାନୀ ଗୋପାଳ ଥିଲା ନାଁ କ’ଣ ?

 

ଯୋଗେଶ୍ ପରସ୍ତେ ଏଣେ ତେଣେ ଆଖି ବୁଲେଇ ନେଲା । ଗୋପାଳ ପଛପଟରେ ଆଠ ଦଶଜଣ ଲୋକଙ୍କ ସାଙ୍ଗରେ କ’ଣ ଟୁପୁର୍ ଟାପୁର୍ ହୋଉଛି ।

 

ଯୋଗେଶ୍ ଯାଇ ଗୋପାଳ ନିକଟରେ ଅନୁନୟ ଭଙ୍ଗୀରେ କହିଲା–‘‘ଭାଇ ! ଟିକେ ଶୁଣିବୁ ? ଅରଜେଣ୍ଟ ଟିକେ ଇଆଡ଼େ ଆ !” ତା’ ମୁହଁକୁ ଅନେଇ ଗୋପାଳ ସିଗାରେଟ୍ ଧୂଆଁ ଦି’କଳ ଛାଡ଼ିଦେଇ ରୁକ୍ଷ କଣ୍ଠରେ କହିଲା–

 

‘‘ଯାହା କହିବ କହୁନା ଏଇଠି । ସବୁ କହିବ ଚାଉଳ, ଅଟା, କି ତେଲ ମସଲା ମତେ ମାଗିବ ନାହିଁ । ମୋ ପାଖରେ ଖୁଦ କଣାଟିଏ ବି ନାହିଁ । ଦି’ଦିନ ହେଲା ମୋର ବି ଚୁଲି ଜଳୁ ନାହିଁ-। ଆଉ ଯଦି କିଛି ଅଛି କୁହ ଯିବି ।”

 

ଯୋଗେଶ୍‍ର ଗୋପାଳ କଥାରେ ଦେହ ସାରା ଅଗ୍ନି ବିଞ୍ଚି ହୋଇଗଲାପରି ଲାଗୁଥିଲା । ହେଲେ କିଛି କହିବାର ଆଉ ତା’ର ନାହିଁ । କାରଣ ଚାରିଥର ସେ ମାସରେ ବାକି କରି ଅଟା, ଚାଉଳ, ଆଳୁ ନେଇଛି....ଋଣ ଶୁଝି ସାରିନି । ସେଥିରେ ଏଇ ସଂକଟ ବେଳାରେ ଧାର ମାଗିଲେ ଗୋପାଳ କାହିଁକି ବା ଦେବ ? ତଥାପି ଆଉଥରେ ସାହାସ ସଞ୍ଚୟ କରି କହିଲା–‘‘ଦେ ଭାଇ, ଅଳ୍ପ କିଛି ହେଲେ ଅଟା, ତୋ ଘରେ ଯଦି ଅଛି ଦେଇଥା । ପିଲାଗୁଡ଼ା ଉପବାସରେ ଛଟପଟ ହୋଇ ମରିଯିବେ । ଏଇକ୍ଷଣି ଅନ୍ୟ କେଉଁଠିକି ଯିବି ? ଦେଖୁଛୁ ତ ସଭାଟା ସରିନି । ଏହାପରେ ପୁଣି ମିଟିଂ ଅଛି କାଲିପାଇଁ । ଭାଇ ଗଛମୂଳେ ଆସି ଛିଡ଼ା ହେଲେଣି କେତେବେଳୁ ।’’

 

ସିଗାରେଟ୍‍ର ଶେଷ ଖଣ୍ଡ ଫୋପାଡ଼ି ଦେଇ ଗୋପାଳ କହିଲା–

 

‘‘ରଖ ହେ ତମ ଭାଇ । କୋଉ କାଳେ ମୋ ବାପାକୁ ଡିହ ଖଣ୍ଡେ ଦେଇଥିଲେ ବୋଲି ତାଙ୍କ ବଉଁଶକୁ ମୁଁ ଢେରଦିନ ପୋଷିଲିଣି । କମ୍ ବାକି ଦେଇଛି, ଉଧାର ଦେଇଛି । ସେ ଢିଅର ଦଶଗୁଣା ଦେଇ ସାରିଲିଣି । ହେଲେ ୟାଙ୍କ ଭାଇଙ୍କ କଥା ଦେଖ–ମୁଁ କହିଲି ପୁଆତୀ ମଣିଷଟା ମୋ ଘରେ । ଉଠି ବସି ପାରୁନି । ପିଲାଛୁଆଙ୍କୁ ନିଘା କରିବା ଟିକିଏ କାମ । କୋଉ ଘର କାମ କରିବ ନାଁ ବାସନ ମାଜିବ ? ତାରାକୁ ଟିକିଏ ପଠା ମୋ ଘରକୁ । ଶୁଣିଲା ନାହିଁ–ଆହୁରି ସେଥିରେ.....କ’ଣ ନାଁ ମୋ ଭଉଣୀ ତୋ’ଘରେ ପତର ପକେଇବ ? ନ ହେଲାନାହିଁ ସେ ଏବେ ରାନ୍ଧିକରି ଖାଉ । ହେଲାନାହିଁ । ବାହାଦୁର ପରି ଚାଲିଗଲା । ଏବେ? ଏବେ ତ ମୋ ଘରେ ଦାନାନାହିଁ.... ।’’

 

ଯୋଗେଶ୍ କଥାର ମଞ୍ଜି ଏତେବେଳେ ଧରିପାରିଲା । ବଡ଼ଭାଇ ତାକୁ କାହିଁକି ଗୋପାଳ ପାଖକୁ ପଠାଇଥିଲେ....ଗୋପାଳର ନଜର ବରାବର ତାରା ଉପରେ ରହିଛି ବୋଲି ଶୋଭା ତାକୁ କହିଥିଲା ଥରେ ଅଧେ । ସେ ଦିନୁ ତାରା ସଉଦା ଆଣି ଯାଏନି–ଘୁଷୁରି, ଘୁଷୁରି ଭାଇ ଯାଆନ୍ତି । ଆଜି ଅବେଳରେ ସୁବିଧା ପାଇ ଗୋପାଳ ବେଶ୍ ଦାଉ ସାଧି ବସିଲା । ଭୋକ ଉପାସରେ ରହିଛନ୍ତି ବୋଲି କ’ଣ ଗୋପାଳ ଘରେ ତାରା ଯାଇ....ଗୋପାଳ ହସିଦେଇ କହିଥିଲା–

 

‘‘ଭଲ ଭାଷଣଟିଏ ତ ଦେଇ ନେତା ହୋଇଗଲ ଭାଇନା–ସମସ୍ତେ ତ ସେଇଥିରେ ଟାଳିଟୁଳି ଦେଲେ....ଏବେ ସଭିଏଁ ଖାଇବେ କ’ଣ ? ତା’ର ଗୋଟିଏ ଫଇସଲା ଏ ସଭାରେ ହୋଇଯାଉ । ଗୋପଳସାହୁ ଏ ବସ୍ତିବାଲାଙ୍କୁ ଖୁଦ ମୁଠାଏ ବି ଦେଇ ପାରିବନି । କହିଲେ କ’ଣ ହେବ ମୋ ନିଜ ଛୁଆଙ୍କ ପାଇଁ କଣାଟିଏ ବି ନାହିଁ । ଆଗ ପଡ଼ି ବ୍ୟବସ୍ଥା କର, ତା’ପରେ ଯାଇ ନେତା ହେବ । ନ ହେଲେ ଶିକୁଳି ଦେଇ ରଖିଲେ, କ’ଣ ହେବ, ଝିଅ ବୋହୂ ମନକୁ ମନ ଶିକୁଳି ଖୋଲି ଚାଲିଯିବେ ।

 

ଆତ୍ମପ୍ରସାଦରେ ଉଲ୍ଲସିତ ହୋଇ ଏତିକି କହି ହସି ଆସୁ, ଆସୁ, ଗୋପାଳର ବେକ ଉପରେ ଯୋଗେଶ୍‍ର ବାଁ ହାତ ପାପୁଲି ଚାପି ହୋଇଗଲାରୁ କେଁ କରି ଶବ୍ଦଟାଏ ହେଲା । ପାଖରେ ବସିଥିବା ଲୋକ ସମସ୍ତେ ହାଁ, ହାଁ କରିଉଠିଲେ । କିଏ ଜଣେ ପାଟି କରିଉଠିଲା–‘‘ଆରେ ଯୋଗୀ ଛାଡ଼, ଛାଡ଼ । ଜିଭଟା ବାହାରି ଆସିଲାଣି । ପ୍ରାଣ ଛାଡ଼ିଯିବ ଯେ..... ।’’

 

‘‘ଶାଲା ନାଟ ଲଗେଇଛି । ଭାବିଛି ଚାଉଳ ବିକୁଛି ବୋଲି ଏ ସମସ୍ତଙ୍କର ମୁଣ୍ଡ କିଣି ନେବ । ସବୁରି ଝିଅ ବୋହୂଙ୍କ ଇଜ୍ଜତ ନେବ । ବଢ଼ି ବଢ଼ି କଥା କହୁଛି....ଏଇଟାକୁ ଆଗେ ମାରିବି, ତା’ପରେ ଯାଇ ଯେଉଁ କଥା– ।”

 

ଚାରି ପାଞ୍ଚ ଜଣ ଲୋକ ଯୋଗେଶ୍‍ର ହାତ ମୁଠାକୁ ଖସେଇ ଆଣିଲେ ଗୋପାଳ ବେକରୁ । ଗୋପାଳର ମୁହଁ ସାରା ଜମିଯାଇଛି ଝାଳ, ନିଶ୍ୱାସ ପ୍ରଶ୍ୱାସ ତା’ର ମେଦବହୁଳ ଦେହରେ ଖୁବ୍ ଜୋରରେ ଯେପରି ଅଟକି ରହି ତାକୁ ଅଣନିଶ୍ୱାସୀ କରିଦେଉଛି । ଯୋଗେଶ୍‍କୁ ପ୍ରତ୍ୟୁତ୍ତର ଦେବାକୁ ତା’ର ଶକ୍ତି ନାହିଁ । ରାଗରେ ଅପମାନରେ ଫଁ, ଫଁ କରି ଯୋଗେଶ୍‍ କ’ଣ ନାହିଁ କ’ଣ କହି ଚାଲିଛି । ହଠାତ୍ ଗୋପାଳ ଉଠିପଡ଼ି ଗାମୁଛାଟା ଅଣ୍ଟାରେ ଭିଡ଼ିଦେଇ କହିଲା–

 

‘‘ସମସ୍ତେ ସଖି ରହିଲେ–ଦେଖିବା ବାପର ପୁଅ କିଏ ଦେଖିବା...ଶଳା ମାଗତା, ମୋ ବାପ ନାଁ ଧରିବୁ ? ହଇରେ ନେତା ବୋଲାଉଛୁ, ଅଇଁଠା ପତର ଚଟା ! ଭଉଣୀ ନାଁ କହିଲାରୁ ଦେହକୁ ବାଧିଗଲା ପିଲାର–ନିଜ ମାଇପର ଖବର ରଖିଛୁ ? ହଇରେ ନେତା ! କିରେ ଖାଇବାକୁ ନାହିଁ ଦି’ ଦି’ଟା ଭଉଣୀ ରଖି କ’ଣ ବ୍ୟବସାୟ କରିବୁ ?’’

 

ଯୋଗେଶ୍ ସେତେବେଳକୁ ହିତାହିତ ଭୁଲିଯାଇ କ୍ରୋଧରେ ଅନ୍ଧ ହୋଇଯାଇଥିଲା । ବଡ଼ଭାଇ ଛୋଟା, ମା’ ବୁଢ଼ୀ, ଆଉ ସେ ବାରଧନ୍ଦାରେ ବ୍ୟସ୍ତ ରହି ସଉଦା କରିପାରେନାହିଁ ବୋଲି ଚଉଦ ବର୍ଷର ଭଉଣୀ ଯାଇଥାଏ ..... ।

 

ଯୋଗେଶ୍ ବିଜୁଳି ବେଗରେ ଧାଇଁ ଯାଇଁ ଗୋପାଳର ପେଟରେ ଗୋଟେ ଭୁଷି ମାରିଲା-। ଧଡ଼ାସ୍‍ କରି ଗୋପାଳ ପଡ଼ିଗଲା ଏବଂ ନିମିଷକରେ ଯୋଗେଶ୍ ତା’ ଛାତି ଉପରେ ବସିଯାଇ ତଣ୍ଟି ଚିପି ଧରିଲା । ତା’ପରେ ହଇଚଇ । ଗଣ୍ଡଗୋଳ ବ୍ୟାପିଗଲା ଚତୁର୍ଦ୍ଦିଗ ଜମା ହୋଇଗଲେ ଲୋକ ଆଖପାଖରୁ ଉଠି ଆସି । ଡିଉଟି କରୁଥିବା କନଷ୍ଟେବଲ୍ ଯୋଗେଶ୍‍କୁ ଦୁଇକରେ ଧରି ଟେକି ନେଇଗଲା । ଗୋପାଳ ଦେହଟା ନିସ୍ତେଜହୋଇ ପଡ଼ିଥାଏ । କେଜାଣି ମଲା କି ଜାଣିବାକୁ ଇଚ୍ଛା ନାହିଁ ଯୋଗେଶ୍‍ର ।

 

ଗଛମୂଳେ ଲୋକମାନେ ଆଉ ପୋଲିସ୍ କେତେକଣ ଘେରି ବସିଥାନ୍ତି ତାକୁ । କ’ଣ ସେମାନେ କହୁଥାନ୍ତି ଯୋଗେଶ୍ କାନରେ କିଛି ବାଜୁ ନ ଥାଏ । କିମ୍ବା କୌଣସି କଥା ମନେପଡ଼ୁନଥାଏ ।

 

ହଠାତ୍ କ’ଣ ହେଲା କେଜାଣି ଲୋକମାନେ ଆଡ଼େଇ ଗଲେ ରାସ୍ତା ଛାଡ଼ି ଦେଇ । ସେଇ ଅପରିକଳ୍ପିତ ଘଟଣାଟି ତା’ ଆଖି ସାମନାରେ ଘଟିବାକୁ ବସିଲା । ହାତକଡ଼ି ପିନ୍ଧାଇ ପୋଲିସ୍‍ ତାକୁ ଭ୍ୟାନ୍‍ଆଡ଼କୁ ନେଲାବେଳେ କାନରେ ବାଜୁଥାଏ କାହାର ଗୋଟେ ପରିହାସ ଭରା ସ୍ୱର–‘‘ନେତାଙ୍କ ନେତୃତ୍ୱ ଏଇଠୁ ସରିଲା । ଗୁଣ୍ଡାମୀ କଲେ କ’ଣ ପେଟ ପୂରିବ......ଦି’ପଇସାର ମୁଣ୍ଡ ନାହିଁ । ଦିମାକ୍ ଦେଖ.... ।’’

 

ବିଭିନ୍ନ କେସ୍‍, ବିଶେଷତଃ ଫୌଜଦାରୀ ମକଦ୍ଦମାରେ ଜଡ଼ିତ ହୋଇ ଏକ ବର୍ଷ ପରେ ଯେତେବେଳେ ଘରକୁ ଫେରିଲା ଯୋଗେଶ୍ ତା’ର ବିଶେଷ କିଛି ଅତୀତର ଘଟଣା ମନେ ନ ଥିଲା-। ଏଇ କେତେଦିନ କେବଳ ବଡ଼ଭାଇ କେତେଥର ତାକୁ ଦେଖା କରିବାକୁ ଯାଇଥିଲେ । ମାମୁଲି, ସେ କିଛି ଘର କଥା ପଚାରେ ନାହିଁ କିମ୍ବା ବଡ଼ଭାଇ କୌଣସି ଖବର ଦିଅନ୍ତି ନାହିଁ ।

 

ରାତିରେ ଭାଉଜ ଭାତ ଦେଲାବେଳେ ସେ ପ୍ରଶ୍ନ କରିଥିଲା–‘‘ଘର କେମିତି ଚଳୁଛି ଭାଉଜ ? କମ୍ପାନୀ କିଛି ସାହାଯ୍ୟ କଲା କି ? ମୋ ଦରମାଟା ଅନ୍ତତଃ.... ।’’

 

ଦ୍ୱାରଆଡ଼କୁ କନ କନ କରି ଅନେଇ ଭାଉଜ କହିଲେ–

 

‘‘ତୁମ ଷ୍ଟ୍ରାଇକ୍ ଶେଷ ହେବା ପରେ କ’ଣ ବାକିଆ ଦରମା ଥିଲା ଦେଇଥିଲେ । ଭାଇ କହିଲାରୁ ବଡ଼ ପୁଅକୁ ଚାକିରି ଖଣ୍ଡେ ମିଳିଛି–ସେତ ସମୁଦ୍ରକୁ ଶଙ୍ଖେ । ଘର ଚାଲିଛି ତୁମ ଭଉଣୀ ପାଇଁ.... ।” ଭାଉଜ ପୁଣି ଦୁଆର ବନ୍ଧକୁ ଚାହିଁଲେ ।

 

‘‘କେମିତି ? ସିଏ କ’ଣ ଚାକିରି କଲା ?”

 

ଭାଉଜ ଯୋଗେଶ୍‍ର କାନ ପାଖକୁ ମୁହଁ ନେଇ କହିଲେ–

 

‘‘ନାଁ ମ ! ତମେ ଗଲାର ଆଠଦିନ ପରେ ଗୋପାଳର ସ୍ତ୍ରୀ ମରିଗଲା । ସେତେବେଳକୁ ଗୋପାଳ ଡାକ୍ତରଖାନାରୁ ବି ଆସି ନ ଥାଏ । ମୁଁ ମନା କରୁଛି ତୁମ ଭାଇ ତାରାକୁ ଗୋପାଳର ଛୁଆପିଲାଙ୍କୁ ଦେଖାଶୁଣା କରିବାକୁ ପଠାଇଦେଲେ......କେତେ ଲୋକ କେତେ କଥା କହିଲେ, ହେଲେ ତୁମ ଭାଇ ଯାହା ବୁଝିଥିବେ ସେଇଆ । କହିଲେ ମୋରି ଭାଇ ଯେତେବେଳେ ଗୋପାଳକୁ ମାରିଛି । ମତେ ତା’ର ଘର ସମ୍ଭାଳିବାକୁ ହେବ । ତାରା ଗଲା ଯେ ଗଲା । ଧନସମ୍ପତ୍ତି ଲୋଭ ସହଜେ ତୁଟେ ନାହିଁ ମ..... ।’’

 

ଯୋଗେଶ୍‍ ହାତରୁ ସେତେବେଳକୁ ଭାତ ଗୁଣ୍ଡାଟା ଖସି ତଳେ ପଡ଼ିଗଲାଣି । ପାଟିଟା ଆଁ କରି ମେଲା ହୋଇଯାଇଛି ।

 

“ମଲା ସେମିତି କାହିଁକି ହେଉଛ ମ ? ଯାହା ହେବାର ହେଲାଣି । ଦିଅ କାମ ସାର ।” ଭାଉଜ ଝରା ଭାତକୁ ଗୋଟାଉ ଗୋଟାଉ କହିଲେ ।

 

‘‘ଗୋପାଳ କ’ଣ ଆଉ ଡାକ୍ତରଖାନାରୁ ଫେରିନି ?” ଯୋଗେଶ୍‍ ଥଙ୍ଗ ଥଙ୍ଗ ହୋଇ ପଚାରିଲା ।

 

‘‘ଯା, ଯା ତୁମର ଆଉ ବୁଦ୍ଧି ହେବନି । ତା’ର କ’ଣ ହୋଇଥିଲା କି ? ଛଟାଗାଳି କେସ୍‍ଟା କରିବ ବୋଲି ସେମିତି ଘାଲେଇ ପଡ଼ିଥିଲା ନାଁ..... ।’’

 

‘‘ତେବେ ତାରା ସେଠାରେ କାହିଁକି ଅଛି ?’’

 

‘‘ସେଇ ଯେ ପିଲା ସମ୍ଭାଳି ଗଲେ ତ ଗଲେ । ଗୋପାଳ କ’ଣ ଗଦ ଶୁଙ୍ଘେଇ ଦେଲା ଯେ ଆଉ ଘରକୁ ନଫେରେ.... ।’’

 

‘‘କ’ଣ ? କ’ଣ ତାକୁ ବାହା ହେଇଛି..... ?’’

 

ଭାଉଜ ଲୁହ ପୋଛୁ ପୋଛୁ କହିଲେ–

 

‘‘ଉପାୟ ଆଉ କିଛି ନଥିଲା ଯୋଗୀ । ତାରା ଯେତେବେଳେ ପସନ୍ଦ କଲେ....ଛାଡ଼ ସେ କଥା । ହେଲେ ଗୋପାଳ ବହୁତ ବଦଳି ଯାଇଛି । ସବୁବେଳେ ତ ଏଇଠି ସନ୍ଧ୍ୟାରେ ଥାଏ...ଭଲମନ୍ଦ ଯାହା ସେଇ ବୁଝେ । ଆମ ଛୁଆ ଆଉ ତା’ ଛୁଆଙ୍କ ଭିତରେ ପ୍ରଭେଦ ଦେଖେ ନାହିଁ । ତାରାଙ୍କର ବି କ’ଣ ପିଲାପିଲି ହେବ.... ।”

 

ଯୋଗେଶ୍ ଏଥର ହସିଉଠିଲା । ଭାଉଜ କହିଲେ–

 

‘‘ମଲା ! ଏମିତି ହସୁଛ କାହିଁକି ଯେ ?’’

 

ହସୁ ହସୁ ବେଦମ୍ ହୋଇ ଯୋଗେଶ୍ କହିଲା–

 

‘‘ରୁହ କହୁଛି ଭାଉଜ । ମନେ କ’ଣ ପଡ଼ୁଛି କି ? କି ଆଶ୍ଚର୍ଯ୍ୟ ! ଇଚ୍ଛା ନ କଲେ ବି ହାବ୍‍କା ଖାଇ ହସର ଲହଡି ଉଠୁଛି... ।”

 

ଭାଉଜ ହଲେଇଦେଇ କହିଉଠିଲେ ବଡ଼ ପାଟିରେ–

 

‘‘ହେ, ଯୋଗୀ ! ହେ, କ’ଣ ହେଲା ? କହୁନ କାହିଁକି ? ହସୁଛ କାହିଁକି ମ ଏମିତି ?’’

 

‘‘କ’ଣ ହେବ ? କିଛି ନାହିଁ...ଓ ଭାଉଜ, ମୋର କ’ଣ ନାଁଟା ମନେପଡ଼ୁଛି ଯେ କହିବି-?”

 

ପୁଣି ହସରେ ସେ ଲୋଚା କୋଚା ହୋଇଗଲା । ଭାଉଜ ହଲେଇ ଦେଇ କହିଲେ–

 

‘‘ଓହୋ, ଯୋଗୀ ! କ’ଣ ପାଇଁ ହସୁଛ ? କ’ଣ ହେଲା କହୁନ ?”

 

‘‘କହୁଛି...ସେ ଗୋଟାଏ ଥିଓରି ଭାଉଜ । ମୋର ତ ନାଁଟା ମନେପଡୁନି । ବଡ଼ କଟିମିଟି ନାଁଟା.... ।’’

 

ପୁଣି ହସ । ହସର ପ୍ଳାବନ । ଏଥର ଭାଉଜଙ୍କ ପାଟିରେ ବଡ଼ଭାଇ ଉଠିଆସିଲେ ଏବଂ ଯୋଗେଶ୍‍କୁ ଧରିପକେଇ ପଚାରିଲେ–

 

“କ’ଣ ହେଲା ତୋର ? ହସ ବନ୍ଦକର କହୁଛି.....ପାଗଳା ହୋଇଯିବୁ ।’’

 

‘‘ଭାଇ ! ମୁଁ ତମକୁ ସେ ଥିଓରିଟା କେତେଥର କହିନଥିଲି ? କ’ଣ ତା’ ନାଁଟା ? ମୋର ତ ମନେପଡୁନି । ସେ ଥିଓରିଟା ମ... ଦୁତ୍‍-ତେରୀ ।’’

 

ଯୋଗେଶ୍ ହସରେ ପୁଣି ଘର କମ୍ପିଉଠିଲା–ପିଲାମାନେ ବୋଉ, ଭାଇ, ଭାଉଜ ସମସ୍ତେ ଆବାକାବା ହୋଇ ଚାହିଁଛନ୍ତି । କ’ଣ ସେ ହସ କଥା କି ସେ ଥିଓରି କିଛି ବୁଝିବାର ଶକ୍ତି କାହାର ନାହିଁ ।

 

ଏତିକିବେଳେ ତା’ପଛ ପଟରୁ କିଏ ଜଣେ କହିଲା–

 

‘‘ବୋକାଙ୍କ ଭଳି ଚାହିଁଛ କାହିଁକି ଭାଇ ! ଗୋଟାଏ ବନ୍ଦୋବସ୍ତ କରିବାକୁ ହେବ । ଥିଓରି ଫିଅରି କିଛି ନାହିଁ–ଏଇଟା ଗୋଟେ ରୋଗ–ଚାରିଆଡ଼େ ଖରା ବ୍ୟାପୀ ଗଲାଣି । ଡାକ୍ତରଖାନା ନ ନେଲେ ପ୍ରାଣ ଛାଡ଼ିଯିବ ଯେ....’’

 

ଯୋଗେଶ୍‍ ସେଇ ଥିଓରିର ନାମ ଦେଇଥିବା ବ୍ୟକ୍ତିଟିକୁ ଚାହିଁ ଅବାକ୍ ହେଲାନାହିଁ । ବରଂ ଆହୁରି ଜୋରରେ ସେ ହସିଉଠିଲା । ତଳି ପେଟକୁ ଦୁଇହାତ ପାପୁଲିରେ ଚାପିଧରି । ଏଥର ଗୋପାଳ ନିର୍ଭୟରେ କହିଲା–

 

‘‘ଥିଓରି ଗୋଟାଏ କ’ଣ ? ରୋଗ ! ସେଇଟା ବିକାର । ଥରେ ହେଲେ ସହଜରେ କି ଛାଡ଼ିବ.... । ବଡ଼ ଡିଆଁ ରୋଗଟା ବି.... ।”

 

ଆଶଙ୍କା ଓ ବ୍ୟସ୍ତତାରେ ଗୋପାଳର କଣ୍ଠ ଜାକିହୋଇ ଆସିଲାବେଳେ ଯୋଗେଶ୍‍ର ଦେହମୁଣ୍ଡ ଯେମିତି କୁତୁକୁତିଆ ହସରେ ଚୂନା ଚୂନା ହୋଇଯାଉଥିଲା !!!

Image

 

ବାଉଁଶରାଣୀ

 

ମୁଁ ଜାଣିଥିଲି ଯେ ଦିନକୁଦିନ ତାଙ୍କ ସହିତ ମନମିଳାଈ ତ ଦୂରର କଥା, ପାଦ ମିଳାଇ ମଧ୍ୟ ଚାଲିବା ମୋ ପକ୍ଷରେ ସମ୍ଭବପର ହେଉନାହିଁ । କିଛିଦିନ ବେଶ୍ ଅଭିନୟ କରିଲା ପରେ ମୋର ଏକ ବିଶେଷ ଧରଣର କ୍ଲାନ୍ତି ଆସିଯିବା ସ୍ୱାଭାବିକ । ଏହାପରେ ଘଟଣା ତ ନିଜ ବାଟରେ ଯିବାର କଥା, ଯାଇଛି ମଧ୍ୟ । ମୁଁ ସ୍ରୋତରେ ସାମିଲ ହୋଇ ଭାସିଯିବା କଥା, ଭାସିଛି ମଧ୍ୟ । କିନ୍ତୁ କେଜାଣି କାହିଁକି ମନେ ହୁଏ, ଅତଡ଼ା ସୂଅରେ ଭାସି ନଯାଇ ଯେପରି କେଉଁ ଅଜଣା ତଟରେ ଛିଡ଼ାହୋଇ ଅସ୍ଥିର ଜଳରାଶିରେ ମୁଁ ଖୋଜୁଛି ନିଜର ପ୍ରତିବିମ୍ବ । କାହିଁ....ମୁଁ କେଉଁଠି ?

 

ଗେଟ୍ ଖୋଲିବାର ଶଦ୍ଦ ଶୁଣି ମୁଁ ଚମକି ପଡିଲି । ପ୍ରତି ରାତିରେ ଏଇ ନିର୍ଦ୍ଧାରିତ ମୁହୂର୍ତ୍ତରେ ମୁଁ ମୋର ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ବିଚଳିତ ହୋଇପଡ଼େ । ଅଥଚ ଏଇ ମୁହୂର୍ତ୍ତ କୌଣସି ନିର୍ଦ୍ଦିଷ୍ଟଘଣ୍ଟା କଣ୍ଟାକୁ ଅପେକ୍ଷା ରଖି ନଥାଏ । ତାହା ବର୍ତ୍ତମାନ ଏବଂ ଯେ କୌଣସି ସମୟରେ ଉପସ୍ଥିତ ହୋଇଥାଏ । ମୁଁ ସିଲେଇ କରୁଥିଲେ କି ମ୍ୟାଗାଜିନ ପଢ଼ୁଥିଲେ କିମ୍ବା ରେଡ଼ିଓ ଶୁଣୁଥିଲେ, ତାହା ବନ୍ଦ ରଖି ନିଜକୁ କିଛିଟା ସଜାଡ଼ି ନେବାର ଚେଷ୍ଟା କରେ । ସତେ କି ତାଙ୍କୁ ଅପେକ୍ଷା କରି କରି ମୁଁ ବିରକ୍ତ ହୋଇଛି । ଅଭିମାନ କରିଛି କି ବିଷର୍ଣ୍ଣ ହୋଇପଡ଼ିଛି ଏପରି ଏକ ଚିନ୍ତା ମୋ ମୁହଁରେ ଖେଳାଇ ଦେବାକୁ ଚେଷ୍ଟାକରେ ଅଥଚ କିଏ ଯେମିତି ମୋତେ ସେତିକିବେଳେ କହୁଥାଏ, କେତେଦିନ ଏମିତି ଚାଲିବ । କିନ୍ତୁ ସେ ଆସି ସାମ୍ନାରେ ଛିଡ଼ା ହୋଇ ଗଲାକ୍ଷଣି ମନେହୁଏ, ନାହିଁ, ନାହିଁ, ସବୁ ଠିକ୍ ଅଛି । ସେଇ କଥା, ସେଇ ଭଙ୍ଗୀ, କିଛି ତ ଭୁଲ୍ ନାହିଁ....ଖାଲି ନିଜର ଭୁଲ ?

 

ସେଦିନ ପିକ୍‍ନିକରେ ସରଳା କହୁଥିଲା କିଛିଦିନ ଘର କଲା ପରେ ସ୍ୱାମୀମାନେ ସେମିତି ଅବାଗିଆ ହୋଇଯାନ୍ତି ମଝିରେ ମଝିରେ । ହେଲେ ଘରଛାଡ଼ି, ସ୍ୱାମୀ ପିଲା ପରିତ୍ୟାଗ କରି ଖୁବ୍ କ୍ଵଚିତ୍ ସ୍ୱାମୀ ଚାଲିଯାଇଥାଆନ୍ତି । ସ୍ତ୍ରୀ ଯଦି ବୁଦ୍ଧିମତୀ ହୁଏ, ଆଙ୍କୁଶ ଠିକ ଆଣ୍ଟି ଧରିଥାଏ ତେବେ ସେଥିରୁ ମୁକୁଳିବା ଏତେ ସହଜ ନୁହେଁ । ସବୁ ନିର୍ଭର କରେ ସ୍ତ୍ରୀର ଚତୁରପଣ ଉପରେ–।

 

ଦର୍ପଣରେ ମୁହଁ ଦେଖି କୋଉ ବିବାହିତ ନାରୀ ନ ଜାଣେ ଯେ ସନ୍ତାନ ଜନ୍ମ କଲାପରେ ପୁରୁଷଠାରୁ ବୟସରେ ଅନେକ କମ୍ ହେଲେ ବି ତାକୁ ବୟସକୁ ଧରି ରଖିବାକୁ ଅଣନିଶ୍ୱାସୀ ହୋଇ ଦୌଡ଼ିବାକୁ ପଡ଼େ ବୋଲି । ପାଞ୍ଚଟି ସନ୍ତାନର ଜନନୀ ହେଲାପରେ ସେ ଦୌଡ଼ା ଦୌଡ଼ରୁ ମୁଁ ନିଜକୁ ଯେତେ ଅବ୍ୟାହତ ହେବି ବୋଲି ଭାବିଛି, ତାହା ସମ୍ଭବ ହୋଇନାହିଁ । ମାତ୍ର ପରିଣାମ ? ଯାହା ସ୍ୱାଭାବିକ ତାହା ହିଁ ଘଟିଛି । ସମସ୍ତ ଅଭାବ ମୁଁ ତାଙ୍କର ପୂରଣ କରିପାରିବନାହିଁ କିମ୍ବା ଯେଉଁମାନେ ତାହା ପୂରଣ କରିବେ ସେମାନଙ୍କୁ ମଧ୍ୟ ବଧେଇ ଯୋଗେଇ କି ସ୍ୱୀକାର କରି ପାରିବି ନାହିଁ !

 

ମୁଁ ଆଉ ଭାବି ପାରିଲିନି । ଖଟ୍ ଖଟ୍ ଜୋତା ଶବ୍ଦ ଆଗେଇ ଆସୁଛି । ସେ ଫେରିଲେଣି ମାତ୍ର-ଆଜି ପୁଣି କ’ଣ–ସାଙ୍ଗରେ ଜଣେ ମହିଳା ବି ଅଛନ୍ତି–

 

ପୁଣି ଯେପରି ଏକ ପ୍ରାଗ୍ ଗୈତିହାସିକ ବିଚାର ମୋ ଉପରେ ସବାର ହୋଇଗଲା । ମୁଁ ହସି ହସି ଚେୟାରରୁ ଉଠିଗଲି ଏବଂ ପରଦା ଆଡ଼େଇ ଦେଇ କହିଲି–

 

"ଆରେ–ଏତେ ଡେରି କରିଦେଲେ– ।’’ ଭଦ୍ର ମହିଳାଙ୍କୁ କଟାକ୍ଷପାତ କରି ମୋର ସ୍ୱାମୀ କହିଲେ–

 

‘‘ମିଟ୍ ମାଇଁ ୱାଇଫ୍ । ଇଏ ହେଉଛନ୍ତି ମିସ୍‍ ଲୁନା । ବିହାରରୁ ଆସିଛନ୍ତି ଏବେ ଟ୍ରାନ୍‍ସଫର ହୋଇ । ଖୁବ୍ ସୁନ୍ଦର ଭାଓଲିନ ବଜାନ୍ତି । ନାଚି ବି ପାରନ୍ତି– ।”

 

ଭଦ୍ରମହିଳା ତେବେ ଏଠିକାର କେହି ନୁହନ୍ତି ! ସମ୍ପୂର୍ଣ୍ଣ ରୂପେ ବାହାରର । ହସି ଦେଇ ଲୁନା କହିଲେ-

 

"ଓ ମିସେସ୍ ଚୌଧୁରୀ ! ଆପଣଙ୍କ ପ୍ରଶଂସା ଶୁଣି ଶୁଣି ମୁଁ କ୍ଲାନ୍ତ ହୋଇଗଲିଣି । ଆଜି କେବଳ ଆପଣଙ୍କ କଥା ଶୁଣି ମୋର ସନ୍ଧ୍ୟାଟା ହିଁ ଯାଇଛି । ସେତିକିରେ କ’ଣ ମୁକ୍ତି ଅଛି, ମିଃ ଚୌଧୁରୀ କହିଲେ ନାହିଁ ଆଜି ରାତିରେ ଆପଣଙ୍କୁ ଦେଖା କରିବାକୁ ହେବ ହିଁ ହେବ । କାଲି ଆମେ ସବୁ ଶିକାରରେ ଯିବୁ–ଆପଣ ନିଶ୍ଚୟ ଯିବେ ?”

 

“ମୁଁ–ମାନେ–ଆରେ ଆଶ୍ଚର୍ଯ୍ୟ ! ଆପଣ ତ ଖୁବ୍ ସୁନ୍ଦର ଓଡ଼ିଆ କହି ପାରୁଛନ୍ତି !”

 

ହଠାତ୍ କ’ଣ କହିବାକୁ ହେବ ମୁଁ ଜାଣିପାରିଲିନି ବୋଧେ, ଏବଂ ସମସ୍ତ ପରିସ୍ଥିତିରେ ମୁଁ ସୁନ୍ଦର ଭାବରେ ସହଯୋଗ କରିଥାଏ ବୋଲି ଯେତେବେଳେ ବହୁଲୋକ ମତେ କହିଥାନ୍ତି–।

 

‘‘ଆଶ୍ଚର୍ଯ୍ୟ ! ନା, ମିସେସ୍ ଚୌଧୁରୀ ଆପଣ ଭୁଲ ବୁଝିଛନ୍ତି । ମୁଁ ଖାଣ୍ଟି ଓଡ଼ିଆ । ପିଲାଦିନରୁ ବାପାଙ୍କ ସଙ୍ଗରେ ଓଡ଼ିଆ ବାହାରେ ମୁଁ ରହିଥିଲେ ବି ଓଡ଼ିଆ ଭାଷାକୁ ଭୁଲି ନାହିଁ । ଏଥର କୁହନ୍ତୁ ଆପଣ କାଲି ଆସୁଛନ୍ତି ତ ? ମିଃ ଚୌଧୁରୀ,ଆପଣ କୁଆଡ଼େ ଜର୍ଣ୍ଣି ମୋଟେ ଟଲ୍‌ରେଟ କରିପାରନ୍ତି ନାହିଁ–ବିଶେଷତଃ ଜଙ୍ଗଲିଆ ରାସ୍ତାର ଉଠାଣି ପଡ଼ାଣି– ।”

 

ସତେ ତ ! ମୋର ସ୍ୱାମୀ ନିହାତି ଖାମଖେୟାଲ ଭାବିବା ମୋର ଉଚିତ୍ ନଥିଲା କେବେହେଲେ । ଅନ୍ତତଃ ମୋର କଷ୍ଟଟା ଯେ ଅନୁଭବ କରିଥାନ୍ତି ବୋଲି ବହୁବାର କହିଛନ୍ତି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ! ଏଥର ମୁଁ ହସିବାକୁ ବାଧ୍ୟ । କହିଲି–

 

‘‘ନା ନା, ଏତେ ଡେଲିକେଟ୍ ଡାର୍ଲିଂ ନୁହେଁ ଯେ, ଘରର ଅନେକ ଅସୁବିଧା ଯୋଗୁ ମୁଁ ବିଶେଷତଃ ଛୁଟି ଦିନ ମାନଙ୍କରେ ପିଲାମାନଙ୍କୁ ଏକୁଟିଆ ଘରେ ଛାଡ଼ିଦେଇ ଯିବା ସୁବିଧା ମନେ କରେ ନାହିଁ-।’’

 

"ଆଃ ! ଏତେ କଥାରୁ କ’ଣ ମିଳିବ ଆମକୁ । ତୁମେ ଯିବ କି ନାହିଁ କୁହ–ମିସ୍ ଲୁନା ପୁଣି ଫେରିବେ ଯେ ।” ମୋର ସ୍ୱାମୀ ସଂକ୍ଷେପରେ କଥା ସାରିବାକୁ ଚାହାଁନ୍ତି । କ’ଣ ତାଙ୍କର ମତଲବ ଏଥିରେ ? ମୁଁ ଯେ ଯିବି ନାହିଁ, ବିଶେଷ କରି ଶିକାର ଆଉ କ୍ଲବର ସାଧ୍ୟ ଆସର ଦୁଇଟିକୁ ମୁଁ ଯିବାକୁ ଚାହେ ନାହିଁ ଏ କଥା ତ ସେ ଭଲ କରି ଜାଣନ୍ତି । ତଥାପି କାହିଁକି ? କାହିଁକି ଏ ପ୍ରହସନ-? ହଠାତ୍ କରି ମୋ ମୁଣ୍ଡରେ ଭୂତ ଚାପିଲା ଏବଂ ତାଙ୍କ କଥାକୁ ହସରେ ଉଡ଼ାଇଦେଇ ମୁଁ କହିଲି– ‘‘ତୁମେ ଏପରି ଅଧୈର୍ଯ୍ୟ ହେଉଛ କାହିଁକି ? ଘରକୁ ଜଣେ ଭଦ୍ରମହିଳା ଆସିଲେ, କପେ ଚା ବି ଖାଇ ନାହାନ୍ତି, ଯିବାକୁ ତରତର । ଆଚ୍ଛା ବାବା ହେଲା ! ଏଥର ମୁଁ ଯିବି...!”ମିସ୍ ଲୁନା ହସିଦେଇ କହିଲେ-

 

‘‘ମୁଁ କହୁ ନଥିଲି, ମିସେସ୍ ଚୌଧୁରୀ ନିଶ୍ଚୟ ମୋ କଥା ଶୁଣିବେ । ଆଚ୍ଛା ! ଆଉଦିନେ ଆସିଲେ ଚା'ଖାଇବି, ଗପ କରିବି । ଆଜି ବେଳ ନାହିଁ....କିଛି ଭାବିବେନି....ବାଏ ! !”

 

ମୁଁ କଣେଇକରି ମୋ ସ୍ୱାମୀଙ୍କୁ ଚାହିଁଲି । ଏକ ଅସ୍ଵସ୍ତିକର ମୁହଁଟା ଯେପରି କୁହୁଳି ଉଠୁଛି ତାଙ୍କର । ହୁଏତ ତାଙ୍କର ଆଶା ଥିଲା ମୁଁ ନାହିଁ କରିଦେବି । କୌଣସି ବାହାନା କରି ମୁଁ ତାଙ୍କର ପ୍ରତିଥରର ମନରଖା ଅନୁରୋଧକୁ ଏଡ଼ାଇ ଯାଇଥାଏ । କାରଣ–କାରଣ ମତେ ଅନିଚ୍ଛାରେ କୌଣସି ସାମାଜିକ ପ୍ରଥା ମାନି ଆସେ ନାହିଁ ।

 

କବାଟ ଦେହକୁ ଆଉଜି ମୁଁ ଛିଡ଼ା ହୋଇଥିଲି ଏବଂ ମୋର ଆଖି ସାମ୍ନାଦେଇ ଚଞ୍ଚଳ ଗତିରେ ସେମାନେ ପୋର୍ଟିକୋ ପାଖକୁ ଚାଲିଯାଇଥିଲେ । ମୁଁ ଦୂରରୁ ଦେଖି ପାରୁଥିଲି ସ୍ତିମିତ ଆଲୋକରେ ସେମାନେ କ’ଣ କଥାବାର୍ତ୍ତା କଲେ ଏବଂ ପରମୁହୂର୍ତ୍ତରେ କଳାଫିଆଟ୍‍ଟି ପେଣ୍ଡୁ ଭଳି ଗଡ଼ିଗଲା ଫାଟକ ଆର ପାଖକୁ । ସ୍ଥାଣୁ ଭଳି ଗାଡ଼ି ପଛକୁ ଚାହିଁ ଠିଆ ହୋଇଥିଲେ ମୋର ସ୍ୱାମୀ, ପାଞ୍ଚଟି ପ୍ରାପ୍ତ-ବୟସ୍କ ସନ୍ତାନର ପିତା !

 

ମୁଁ ନିଜକୁ ବୁଝାଇଥିଲି ଏଥିରେ ଭାବିବାର କ’ଣ ଅଛି ! ମତେ ଡାକି ଆସିଲେ ମୁଁ ଯିବାକୁ ରାଜି ହେଲି । ମତେ ଆଗରୁ କେବେ ଡାକି ନାହାନ୍ତି, ମୁଁ ଯାଉ ନାହିଁ । ଆଉ...ସତେ କ’ଣ ମୁଁ ଗଲିଣି ଯେ...କେତେ ବୋକା ସତେ ମ...ସୁବିଧା ଅସୁବିଧା ତ ଲାଗି ରହିଥାଏ । କଥାଟା ଓଲଟି ଯିବାକୁ କେତେ ବା ସମୟ ?

 

ସେ ଧୀରେ ଧୀରେ ଫେରି ଆସିଲେ ଏବଂ କବାଟ ଦେହରେ ଆଉଜି ତାଙ୍କୁ ଚାହିଁଥିବା ମୋର ଆଖିକୁ ଅନାଇ କହିଲେ– ‘‘ଆରେ ତୁମେ ଏମିତି ଛିଡ଼ା ହୋଇଛ ସେତିକିବେଳୁ ? କ’ଣ ଭାବୁଛ କି ? ନାଁ ଦେହ ଭଲ ଲାଗୁନି ? କେମିତି ଲାଗିଲା ଲୁନାକୁ?

 

ମୁଁ ମନେ ମନେ କହିଲି–

 

"ନାହିଁ ଗୋ ନାହିଁ । ସବୁ ଝିଅ ପରି ଲୁନା ବି ଝିଅଟିଏ । ହେଲେ ତା’ର ବୟସ ଅତି ଅଳ୍ପ । ମୁଁ ତାକୁ କଷ୍ଟ ହେବାକୁ ଦେବି ନାହିଁ ଏବଂ ସେଇଥିପାଇଁ ତୁମର ଅନିଚ୍ଛା ସତ୍ତ୍ୱେ ତ ଯିବାକୁ ରାଜି ହେଲି । ଦେହ କାହିଁକି କ’ଣ ହେବ ?'

 

ହେଲେ ସେ କଥା ମୁଁ ବର୍ତ୍ତମାନ କହିପାରିବି ନାହିଁ । କାରଣ ସେ ବ୍ୟସ୍ତ । ଏବଂ କିଛିଟା ଚିନ୍ତିତ । ତେଣୁ ମୋ ଭିତରେ ଟିକେ ଆର୍ଦ୍ର ରହିବା ବାଞ୍ଛନୀୟ ।

 

ସେ ଉତ୍ତରକୁ ଅପେକ୍ଷା ନକରି ଡ୍ରେସ ବଦଳାଇବା ପାଇଁ ବୋଧହୁଏ ଚାଲିଗଲେ । ଗରମରେ ମୋର ଦେହଟା ଝାଳରେ ଓଦା ହୋଇଯାଇଥିଲା ।

 

ଫେରିଗଲି ମୁଁ ପୁଣି ମୋ ଯଥା ସ୍ଥାନକୁ । ସୁଏଟରଟା ଅଧା ହୋଇଛି । ଶୀତ ଆସିଲା ପୂର୍ବରୁ ଏଗୁଡ଼ା ପ୍ରସ୍ତୁତ ନହେଲେ ଗୁଡ଼ାଏ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ସାନ ପିଲା ଗୁଡ଼ା ଟିଉସନ୍ ମାଷ୍ଟ୍ର ପାଖରେ ବସିଛନ୍ତି, ବଡ଼ ପୁଅର କମ୍ପିଟେଟିଭ ଏକ୍‍ଜାମିନେସନ ପାଇଁ ପ୍ରସ୍ତୁତ ଯେପରି ଅନେକ ଦିନ ଧରି ଘର ଭିତରେ ନୀରବତାକୁ ଗଭୀର କରିଦେଇଛି । ଇଏ ପ୍ରାୟ ସନ୍ଧ୍ୟାରେ ନଥାନ୍ତି...ଅଫିସ ଫେରନ୍ତି ଗୋଟାଏ କପ ଚା'ପରେ ସେ ବାହାରକୁ ଚାଲିଯା'ନ୍ତି । କାମ,ଅସଂଖ୍ୟ କାମ ଭିତରେ ସେ ଜାଣି ପାରନ୍ତି ନାହିଁ,ଘରକୁ ଫେରିବାରେ ନିର୍ଦ୍ଦିଷ୍ଟ ସମୟ ।

 

ମୁଁ ଉଲ୍ କଣ୍ଟାରୁ ମୁଣ୍ଡ ଟେକି ଅନାଇଲି । ସେ ଆସିଗଲେଣି ଡ୍ରେସ ଚେଞ୍ଚ କରି । ବର୍ତ୍ତମାନ ସେ ବେଶ ସତେଜ ଦେଖାଯାଉଛନ୍ତି । ଆଗ ଅପେକ୍ଷା ଦେହର ମେଦ ବୃଦ୍ଧି ଘଟିଥିଲେ ହେ ମୁହଁରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କଲେଜରେ ପାଠ ପଢ଼ୁଥିଲା ବେଳେ ଯେଉଁ ସରଳ ନିଷ୍କପଟ ମୁହଁ ମତେ ବିଭୋର କରି ରଖିଥିଲା, ଯେଉଁ ଛୋଟ ଛୋଟ କଥାର ଫୁଆର, ମୋର ମନରେ ଅଜସ୍ର ଇନ୍ଦ୍ରଧନୁର ରଙ୍ଗ ବୋଳି ଦେଇଥିଲା ସେଇ ମୁହଁ,ସେଇ କଥା, ସେହି ଭଙ୍ଗୀ ଏବେ ବି ଅତୁଟ ଅକ୍ଷତ ଥିଲା ପରି ମନେ ହୁଏ । ଅଥଚ...

 

ସେ ସୋଫା ଉପରେ ବସିପଡ଼ି କହିଲେ– ‘‘ଅଦ୍ଭୂତ ଏଇ ଝିଅ ଲୁନା । ସମଗ୍ର ପୃଥିବୀର ଦୁଇ ତୃତୀୟାଂଶ ସେ ଏକା ଏକା ଘୁରି ଆସିଲାଣି । ଡର, ଭୟ, ସଂକୋଚ ସେ କ’ଣ ବୋଲି ଜାଣେ ନାହିଁ । ଶିକାରୀ ହିସାବରେ ମଧ୍ୟ ବହୁ ସାର୍ଟିଫିକେଟ... !"

 

ତାଙ୍କଠାରୁ କଥା ଛଡ଼ାଇ ନେଇ ଚା'କପରେ ଚିନି ଗୋଳାଇବାର ଶବ୍ଦକୁ କ୍ଷିପ୍ରତର କରି ମୁଁ ପଚାରିଲି–

 

‘‘ଶିକାରୀ ? ମାନେ ଏଇ ବାଘ,ହାତୀ ମାରି ଖୁଉବ ସାର୍ଟିଫିକେଟ ଅର୍ଜନ କରିଛି ନା....-!”

 

ସେ ସେହିପରି ଗଦଗଦ କଣ୍ଠରେ କହିଲେ–

 

‘‘ହଁ ଗୋଟିଏ ଝିଅ ପାଖରେ କିଛି ସହଜ ନୁହେଁ ଏ କଥା ।”

 

ମୁଁ ପ୍ରସଙ୍ଗ ଘୁରାଇନେବା ଉଚିତ୍ ମନେ କଲି । କାଳେ ସେ ଅନ୍ୟ କିଛି ଭାବି ପାରନ୍ତି, ଅନ୍ତତଃ ମୁଁ ତାଙ୍କୁ ବିଶ୍ୱାସ କରୁ ନାହିଁ । ସେ ଏ କଥା ଜାଣନ୍ତି ବୋଲି ମୁଁ କୌଣସି ଦିନ ଚେଷ୍ଟା କରି ନାହିଁ ।କେଜାଣି କାହିଁକି ତାଙ୍କୁ କଷ୍ଟ ଦେବା ମୋ ପକ୍ଷରେ ସମ୍ଭବ ହୋଇପାରୁନି ! କହିଲି–

 

‘‘ହେ ମୁଁ ଭୁଲି ତ ଯାଇଛି । ତୁମର ସେଇ ପ୍ରିୟ ବାନ୍ଧବୀ ଅର୍ଚ୍ଚନା ଆଜି ଫୋନ କରିଥିଲା । ବଡ଼ ବ୍ୟସ୍ତ ଭାବରେ ତୁମକୁ ଖୋଜୁଥିଲା । ମୁଁ ଯେତେ ପଚାରିଲି କ’ଣ ଦରକାର କୁହ ମୁଁ କହିବି । ଅଫିସ ଆୱାରରେ ତାଙ୍କୁ ଡିଷ୍ଟର୍ବ କରିବା ଉଚିତ୍ ନୁହେଁ ବୋଲି ମଧ୍ୟ ମୁଁ ତାକୁ ଯେତେ ବୁଝାଇଲି ସେ ବୁଝିଲା ନାହିଁ । ତୁମେ ତ ମନା କରିଥିଲ ଦଶଟାରୁ ଚାରିଟା ଅନ୍ତତଃ ଆଜି ତୁମକୁ କେହି କିଛି କହିବେ ନାହିଁ... ।”

 

ମୋର ଅଜସ୍ର ଚେଷ୍ଟା ସତ୍ତ୍ୱେ ମୋ କଥାରେ ଟିକେ ଯେ ଉଷ୍ମତା ଥିଲା ଏହା ମୁଁ ବୁଝିପାରୁଥିଲି । କାରଣ ଆଜି ଦିନ ତମାମ ସେ ଅଫିସରେ ନଥିଲେ । ଛୁଟି ନେଇଥିଲେ....ମୋର ଜାଣିବାର ଆଶଙ୍କାରେ ହୁଅତ ଜରୁରୀ କାମର ଆଳ ଥିଲା । ମୁଁ ଚାହିଁ ଦେଖିଲି ସେ ସାମାନ୍ୟ ବିବ୍ରତ ବୋଧ କରୁଛନ୍ତି ।

 

ଚା’କପ୍‍ଟି ବଢ଼େଇ ଦେଉ ଦେଉ ଅଗତ୍ୟା କହିଲି– ‘‘ଅର୍ଚ୍ଚନା ତା’ର ଫୋନ ନମ୍ବର ଦେଇଛି । ଚାହିଁଲେ ଖବରଟା ବୁଝିପାର ।’’

 

‘‘ଥାଉ ! ବଡ଼ ବୋର କରେ ସେ । ହଜାର କାମର ବରାଦ କରିବ । କଲିକତାରେ ରହି ରହି ସେ ଓଡ଼ିଶାର ମାନଚିତ୍ର ଯେମିତି ଭୁଲିଯାଇଛି ।"

 

ଅର୍ଚ୍ଚନା ଏଠି ତାଙ୍କର ସହକର୍ମିଣୀ ଥିଲା । ଏବେ କଲିକତା ବଦଳି ହୋଇଯାଇଛି । ସମୟେ ସମୟେ କଲିକତା ଗଲେ ତାରି ଘରେ ଜବରଦସ୍ତ ମୋତେ ରହିବାକୁ ହୁଏ । କେତେଥର ଯେ ମୋର ଉପସ୍ଥିତିରେ ଅର୍ଚ୍ଚନା ସହ ସେ ଘନିଷ୍ଠ ହୋଇଉଠନ୍ତି ତା’ ମୁଁ ଦେଖିଛି, କିଛି କହି ନାହିଁ । ବରଂ ଅର୍ଚ୍ଚନାକୁ ମୋତେ ତା’ ପଛକୁ ବହୁଥର ଆପ୍ୟାୟିତ କରିବାକୁ ହୋଇଛି । ମୋର ଇଚ୍ଛା ଅନିଚ୍ଛାର ପ୍ରଶ୍ନ ଉଠି ନାହିଁ । ଅଥଚ ଅର୍ଚ୍ଚନାଠାରୁ ମଣିଷକୁ ବଶୀଭୂତ କରି ରଖିବାର ମନ୍ତ୍ର ମୁଁ ଶିଖି ପାରିଲି ନାହିଁ । ତାହା ମୋର ଅପାରଗତା । ବେଳେବେଳେ ମୁଁ ପ୍ରଗଳ୍‍ଭ ହୋଇ ଉଠିଲେ ମୋର ସ୍ୱାମୀଙ୍କୁ ବୋଧହୁଏ ତାହା କଟୁ ମନେ ହୁଏ । ଚଟକରି କଥାର ମୋଡ଼ ସେ ଘୁରାଇ ଦିଅନ୍ତି କିମ୍ବା ଏକ ଅଜଣା କଣ୍ଠରେ ଆଘାତ କରନ୍ତି ମତେ ରୋକିନେବା ପାଇଁ । ମୁଁ ଜାଣେ ମୋର ଚପଳତା ତାଙ୍କୁ ଅସହ୍ୟ ଲାଗେ !

 

ଏକାଇ ବିବାହିତା ସ୍ତ୍ରୀ ଏକଥା ଆଶା କରି ନ ଥାଏ । ମୁଁ...ଯାହାକୁ ଭଲପାଇ ବହୁ ମନାନ୍ତର ସୃଷ୍ଟି କରି ଦୁଇ ପରିବାର ଭିତରେ ସେ ସ୍ୱୀକାର କରିନେଇଥିଲେ ସମଗ୍ର ଜୀବନ ପାଇଁ ! କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ତାଙ୍କୁ ଦାସାନୁଦାସ କରି ରଖିବି କିମ୍ବା ସେ ମତେ ତାଙ୍କର ଖେଳନା କଣ୍ଡେଇ କରି ଖେଳିବେ ।

 

ମୋର ଅନ୍ୟମନସ୍କତା ଭାଙ୍ଗିଦେଇ ସେ ପ୍ରଶ୍ନ କଲେ...‘‘କିଶୋରର ପ୍ରିପାରେସନ ଏଥର କିପରି ହୋଇଛି ? ଏଇଟା ଯେ ତା’ର ଲାଷ୍ଟ ଚାନ୍‍ସ !” ମୁଁ ଯନ୍ତ୍ର ପରି ଉତ୍ତର ଦେଲି....

 

“ପଢ଼ୁଛି ତ । ତେଣିକି ଯାହା ହେବ ।”

 

ମୁଁ ନିଜେ ହିଁ ତ ଭାଗ୍ୟ ଉପରେ ବିଶ୍ୱାସ କରେନା, କର୍ମର ଫଳ ବି ସମସ୍ତଙ୍କୁ ପ୍ରାପ୍ତ ହୁଏନାହିଁ ।

 

“ସାନଝିଅଟା ଦିନକୁ ଦିନ ଶୁଖିଯାଉଛି । ତାକୁ ଡାକ୍ତର ଦେଖାଇବା ଦରକାର । ଟନିକ୍ ଫନିକ୍ ନ ଖାଇଲେ ତା’ର ହେଲ୍‍ଥ ଖରାପ ହୋଇଯିବ ।”

 

‘‘ମୁଁ ବି ଭାବୁଥିଲି ସେଇଆ !”

 

ତାଙ୍କର ପ୍ରତିଟି ପ୍ରଶ୍ନର ଉତ୍ତର ମୁଁ ଯଥା ସମ୍ଭବ ଠିକ୍ ଠିକ୍ ଦେଉଥିଲି । ମାତ୍ର କଥା ଲମ୍ବେଇ ରଖିବା ପାଇଁ ଯେଉଁ ଜାଲ ଭିତରେ ଆମେ ଦୁଇଜଣ ଧରା ଦେଇଥିଲୁ, ସେ ଜାଲ ଛିଣ୍ଡାଇ ଦେଇ କିଏ କେତେବେଳେ ଯେ ଉଡିଯାଇଛୁ, ତା’ର, ତା’ର ଖବର କାହା ପାଖରେ ନାହିଁ ।

 

କଥା ଆଉ ବେଶୀ ନାହିଁ । ସମସ୍ତେ ସୁସ୍ଥ, ଟଙ୍କା ପଇସାର ପ୍ରକୃତ ବିନିଯୋଗ ସାଙ୍ଗକୁ ସାଧାରଣ ପରିବାର ପରି ଅଭାବର ଫର୍ଦ୍ଦ ନାହିଁ ଏ ଘରେ । ଯାହା ଅଛି ତାହା ସେ ପୂରଣ କରି ପାରିବେ ନାହିଁ, ଅଯଥା କାହାକୁ କଷ୍ଟଦେଇ ଲାଭ ବା କ’ଣ ?

 

ସେ ବୋଧହୁଏ କହିବାକୁ ଚାହାନ୍ତି, ମାତ୍ର କହିପାରୁ ନାହାନ୍ତି । ଏପଟ ସେପଟ କରି ପୁରୁଣା କାଗଜଟା ସେ ଦେଖୁଥିଲେ । ଅଗତ୍ୟା ମତେ ହିଁ ତାଙ୍କପାଇଁ ପଥ ପ୍ରସ୍ତୁତ କରିଦେବାକୁ ହେବ । ହସି କରି ମୁଁ କହିଲି ।

 

"ଦେଖ ଏଇ ରଙ୍ଗର ଉଲ୍‍ଟା ତୁମର ପସନ୍ଦ ତ ? ତୁମେ ତ ଦିନକୁ ଦିନ ଯେମିତି ଟୋକା ହୋଇଯାଉଛ, ସେଥିରେ ତୁମପାଇଁ ଚଏସ୍‍ କରିବା କଷ୍ଟ ! ହଁ, ଭଲ କରି ଦେଖ ଡିଜାଇନ୍‍ଟା ଭଲ ଲାଗୁଛି କି ନାହିଁ ?

 

‘‘କାହିଁକି ଏତେ ପରିଶ୍ରମ କରୁଛ ? ଉଲ୍ କିଣି ସମୟ ନଷ୍ଟ କରିବାଠାରୁ ସୁଏଟର କିଣିନେବା ଭଲ !”

 

ଏହାପରେ ମୋର କଥା ନ କହିବା ଉଚିତ୍ । କିନ୍ତୁ ମୁଁ ତ ଆଉ ସେ କଲେଜ ପଢ଼ୁଆ ଲାଜକୁଳୀ ଝିଅଟିଏ ନୁହେ ଯେ ଏଇ କଥାରେ ଅଭିମାନରେ ଲୁହ ଝାଡ଼ି ପକେଇବି । ମୋର ଅନେକ ପରିଶ୍ରମର ମୂଲ୍ୟାୟନ ସେ ଏହିପରି କରିଥାନ୍ତି ଏବଂ ଏହିପରି କିଛି ନ କହି ଚୁପ୍ ରହିବା ଯେପରି ମୋର ଏକ ଅଭ୍ୟାସ । ତାଙ୍କୁ ବୁଝେଇବା ଅର୍ଥ ନିଜକୁ ଅଧିକ କ୍ଲାନ୍ତ କରିବା ।

 

ସେ ଏଥର ଉଠିପଡ଼ି ହାଇଟାଏ ମାରି କହିଲେ ‘‘ମୁଁ,ଆସେ । ବେଶୀ ଡେରି ହେଲେ ମୋ ପାଇଁ ଅପେକ୍ଷା କରିବନି । ଧରିନେବ ମୁଁ ଖାଇକରି ଫେରିବି । ଅବଶ୍ୟ ସେମିତି ବିଶେଷ ବ୍ୟବସ୍ଥା ଆଜି କିଛି ନାହିଁ ।

 

ମୁଁ ଆସ୍ତେ କହିଲି–

 

‘‘ଆଚ୍ଛା ।"

 

ଟିକକ ପରେ ଗେଟ୍ ଖୋଲିବାର ଶବ୍ଦ ହେଲା; ତାଙ୍କର ଯିବା ଆସିବା ବିଷୟରେ ମୁଁ ଯେତେ ହେଁ ଅସତର୍କ ରହିବାକୁ ଚାହିଁଲେ ବି ସମ୍ଭବ ହେଉନାହିଁ । ମତେ ବି ତ ଯିବାକୁ ସେ ମନା କରିନାହାନ୍ତି । କେବେ ଗଲେ ମଧ୍ୟ କୌଣସି ଦିନ ପ୍ରଶ୍ନ କରି ନାହାନ୍ତି ।

 

ବର୍ତ୍ତମାନ ଦ୍ରୁତଗତିରେ କିଛିଟା ସୁଏଟର ବୁଣି ଦେଇ ମତେ ପିଲାଙ୍କର ଖାଇବା ଟେବୁଲ ପାଖକୁ ଯିବାକୁ ହେବ । କିଛି ହସି,ହସି କଥା କହିବାକୁ ହେବ । ପଢ଼ି ପଢ଼ି କ୍ଲାନ୍ତ ହୋଇ ଶୋଇ ପଡ଼ିଥିବା ମୋର ପୁଅର ମୁଣ୍ଡକୁ ଆଉଁସିଦେଇ ଉଠାଇ ଦବାକୁ ହେବ ନିଦରୁ । ଆସନ୍ତାକାଲି ପାଇଁ ପରିବାର ହିସାବ ନେବାକୁ ହେବ । ସାନଝିଅ ପାଖରେ ଶୋଇ ତା’ର ମୁଣ୍ଡ ସାଉଁଳେଇ ଦେବାକୁ ହେବ, ଦରକାର ପଡ଼ିଲେ ମିଠା, ମିଠା କହିବାକୁ ହେବ, ତିନିଥର ଟାଇଫଏଡ୍‍ରୁ ଉଠି ଝିଅଟା ସତରେ ବଡ଼ ଚିଡ଼ା ବି ଧରି ଯାଇଛି ।

 

କୌଣସି କଥାରେ ତଦାରଖ କରିବା ପାଇଁ ମୋର ସ୍ୱାମୀଙ୍କର ସମୟ କେବେବି ନଥିଲା, ଆଜିବି ନାହିଁ । ଏଥିରେ ଦୁଃଖ କରିବାର ବା କ’ଣ ଅଛି ? ଆଗେ ଯେଉଁ ଦାୟିତ୍ୱ ନିର୍ବିକାରରେ ମୁଁ ତୁଲାଇ ନେଉଥିଲି, ଆଜି ତାହା ଭୀଷଣ କଷ୍ଟକର ମନେ ହେଉଛି । ପ୍ରତି ମୁହୂର୍ତ୍ତରେ ଯେପରି ମୁଁ ଅସହିଷ୍ଣୁ ହୋଇ ଉଠୁଛି । କାରଣ ଦୀପ ଦେହରେ ସଳିତାର ତ ପୁଣି ଆଲୋକ ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି...ମୁଁ ଯେ ଆଉ ପାରୁନି । ପଛ କଥା ଆଉ ଫେରିବନି, ଭବିଷ୍ୟତ କିଛି ସ୍ୱପ୍ନ ଆଣିଲେ ବି ସେଥିରେ ଯେ କିଛି ପ୍ରାଣ ପ୍ରାଚୁର୍ଯ୍ୟ ନାହିଁ ତାହା ବୁଝିନେବା କ’ଣ ଏତେ କଷ୍ଟ ? ଅଥଚ ଜନ୍ମକାଳରୁ ଭଲମନ୍ଦ ଦୁଇଟିକୁ ଅଲଗା ଅଲଗା ରଖିବା ପାଇଁ ମୋର ଯେ ବାଉଁଶରାଣୀ ପରି ନାଚ ଚାଲିଛି । ଟିକିଏ ଅସାବଧାନ ହେଲେ ମୁଁ ଗଳି ପଡ଼ିବି କୋଉ ଅଦୃଶ୍ୟ ଗହ୍ୱରରେ, ମୋର ସତ୍ତା ଯେ ଚିରଦିନ ପାଇଁ ଲୋପ ପାଇଯିବ ? ବୋଧହୁଏ ନିଜର ସତ୍ତାକୁ,ମୋହକୁ ବଜାୟ ରଖିବା ପାଇଁ ମୋର ଏ ପ୍ରଚେଷ୍ଟା ସଫଳ ହେବନାହିଁ...ମୁଁ ଭାଙ୍ଗିପଡ଼ିବି ଟୁକୁରା, ଟୁକୁରା ହୋଇ ଅସ୍ଥିମେଦ ମିଳାଇ ଯିବ ଧୂଳିରେ ।

 

–ସାନଝିଅ ଡାକରେ ମୁଁ ଉଠିଯିବାକୁ ବାଧ୍ୟ ହେଲି ଅନେକ ସମୟ ହୋଇଗଲାଣି ମତେ ବି ବଡ଼ କ୍ଲାନ୍ତ ଲାଗୁଛି.... ।

 

ମୁଁ ଶୋଇଯାଇଥିଲି ବୋଧେ । କିନ୍ତୁ ମୋର,ନିଦ ଭାଙ୍ଗିଲା ଯେତେବେଳେ ମୁଁ ଦେଖିଲି ମୋ ଖଟରେ ଶୋଇଛି, କିଏ ମୋତେ ଡାକିଥିଲା କି କ’ଣ ? ନାଁ ମୁଁ ନିଜେ ଉଠି ଆସିଥିଲି...ଆଶ୍ଚର୍ଯ୍ୟ ! ସେ ମଧ୍ୟ ମୋ ପାଖରେ ଶୋଇଛନ୍ତି, ଖୁବ୍ ଜୋରରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ଚାଲିଛି । ମୁଁ ମୋର ଲୁଗା କାନିଟା ସାମାନ୍ୟ ଟାଣି ଦେବା କ୍ଷଣି ସେ ଉଠି ପଡ଼ିଲେ ଏବଂ କହିଲେ–

 

‘‘ତମେ ଏତେ ନିଦରେ ଶୋଇଛ, ଡାକି ଡାକି ମୁଁ ଶେଷରେ ତମକୁ ଉଠାଇ ଆଣି ଶୁଆଇ ଦେଲି ।”

 

‘‘ଡାକୁଥିଲ କାହିଁକି ? ଆଜି ତ ଘରେ ଖାଇବାର ନଥିଲା ?

 

‘‘ନାଁ ଯେ ! ଭୀଷଣ ବ୍ୟସ୍ତ ଲାଗୁଛି । ଫେରିଲାବେଳେ ଏକ୍‍ସିଡେଣ୍ଟଟାଏ ହେଲା, ଲୁନାକୁ ହସ୍ପିଟାଲରେ ଛାଡ଼ି ଆସିଲି । ପୋଲିସ୍ ଗାଡ଼ି ସିଜ୍ କରି ନେଇଛି ।”

 

ମୁଁ ଉତ୍ତର ଦେଲି ନାହିଁ,ମୋ ଭିତରେ କୌଣସି ଆଗ୍ରହ କି କୌତୁହଳ ନଥିଲା ।

 

କାଲି ସକାଳେ ଚାରିଆଡ଼େ ରାଷ୍ଟ୍ର ହୋଇଯିବ । ଲୁନା ବାହାର ଷ୍ଟେଟ୍‌ର ଝିଅ ! ଏଠିକି ଲୋକଙ୍କ କଥା ତ ଜାଣିଛ ।"

 

ମୋ ଭିତରେ ଶକ୍ତି ସୃଷ୍ଟି ନ ହେଲେ, ମୁଁ ଏହାର ମୁକାବିଲା କରିପାରିବି ନାହିଁ । ଅନ୍ଧକାରରେ ହିସାବର ବା ପ୍ରୟୋଜନ କ’ଣ ।

 

‘‘କାହିଁକି ? କହିବ ଲୁନା ଆମ ଘରକୁ ନିମନ୍ତ୍ରଣ ହୋଇ ଆସିଥିଲା ।”

 

‘‘ନାଁ ! କ୍ଲବରେ ବହୁତ ଜଣାଶୁଣା ଲୋକ ଦେଖିଛନ୍ତି ।’’

 

‘‘ହେଲା...କ୍ଳବକୁ ସମସ୍ତେ ଯାଆନ୍ତି । ମୁଁ ବି ଯାଇଥିଲି ।’’

 

‘‘କିନ୍ତୁ ତୁମେ ଯେ ଗାଡ଼ିରେ ନ ଥିଲ । ପୋଲିସ... ।”

 

‘‘ଆଃ ! ପୋଲିସ ! ଟଙ୍କା କିଛି ଦରକାର । ନଥିଲେ ଗହଣା ଅଛି; ବର୍ତ୍ତମାନ ଲୁନା କିପରି ଅଛି ?’’

 

‘‘କିଛି, ବିଶେଷ ଖରାପ ନୁହେଁ, ମୋ ମନା କରିବା ସତ୍ତ୍ୱେ ଡ୍ରାଇଭ କଲା । ହେଭି ଡ୍ରିଂକ୍‍ସ ବି କଲା । କ’ଣ କରିବି କୁହ ତ, ବାହାରୁ ଆସିଛି ଗେଷ୍ଟ ହୋଇ ଯେତେବେଳେ.... ।"

 

ମୁଁ ବୁଝିଲି । ବୁଝିବାକୁ ବା କ’ଣ ସମୟ ଦରକାର ଏସବୁ କଥା ପ୍ରତ୍ୟହ ଡ୍ରିଂକ୍‍ସ କରିବା ତ ତାଙ୍କର ଅଭ୍ୟାସ । କିନ୍ତୁ ମୋର ଶରଣାପନ୍ନ ହେବା ଅନ୍ୟ କେବେ ଆବଶ୍ୟକ ପଡ଼ି ନ ଥିଲା ।

 

ହଠାତ୍ ତାଙ୍କର ଡାହାଣ ହାତଟି ମୋର ମୁକୁଳିତ କେଶରାଶି ଉପରେ ଘୁରିଆସିଲା ଅତି ଯତ୍ନ ସହକାରେ, ଅନ୍ୟଦିନ ପରି ଅସ୍ୱସ୍ତିରେ ଅନିଚ୍ଛାରେ ମୁଁ ତାଙ୍କୁ ନିଜକୁ ସମର୍ପି ଦେବି କି ନାହିଁ ବୁଝି ପାରୁନଥିଲି ! ଛାଇପରି ତାଙ୍କ ପଛେ ପଛେ ରହିଛି ବୋଲି ତ ଏଇ ଯନ୍ତ୍ରଣା !

 

ଅତି ପିଲାଳିଆ କଣ୍ଠରେ ସେ ପଚାରିଲେ ‘‘ମୋ ଉପରେ ରାଗୁଛ ।’’

 

ମୁଁ ଓଠ ଉପରେ ଓଠ ଚାପି ନିଜକୁ ସଞ୍ଜତ କରିବାକୁ ଚେଷ୍ଟା କରୁଥିଲି,ଆଃ ! ଟିକିଏ ଏପଟ ସେପଟ ଆଉ ହେଲେ ମୁଁ ଯେ ଗଭୀର ଗର୍ତ୍ତରେ ଖସି ପଡ଼ିବି !

 

ସେ ମୋ ପାଖକୁ ଲାଗି ଆସୁଥିଲେ ଏବଂ ତାଙ୍କର ବାମ ହାତ ମୋତେ କରାୟତ କରି ନେବାକୁ ଚାହୁଁଥିଲାବେଳେ ମୁଁ ଉଠି ପଡ଼ି କହିଲି-

 

‘‘ରାତି କେତେ ହେଲାଣି । ଏବେ ଶୋଇପଡ଼...ସକାଳୁ ମତେ ନିଦ ଲାଗି ଯାଇପାରେ, ତୁମେ ଆଗେ ଉଠିଲେ ଡାକିବ, କିଛି ଫଳ ନେଇ ଲୁନାକୁ ଆଗେ ହସ୍‍ପିଟାଲରେ ମତେ ଦେଖିବାକୁ ହେବ ଯେ !’’

 

ମୋର ଅଜାଣତରେ ମୁଁ ବିଛଣାରୁ ନିଜକୁ ସହଜ ଭାବରେ ଅଲଗା କରିନେଇ ପାଖ ରୁମ୍‍କୁ ଚାଲିଗଲି !

 

ଗରମରେ ସମଗ୍ର ଦେହ ଝାଳରେ ଭିଜି ଯାଇଛି । ପାଦ ଟଳୁଛି,ତଥାପି ମୁଁ ଦଉଡ଼ି ଉପରେ ଚାଲିଛି...ତଳେ ଯେ ଅସଂଖ୍ୟ ଦର୍ଶକ ଥାଟ ପଟାଳି ମାରି ମୋର ନୃତ୍ୟକୁ ପ୍ରଶଂସା କରି ଚାଲିଛନ୍ତି...କେମିତି ଅଟକି ଯିବି ? ତା’ହେଲେ ତ ଅଟକି ଯିବ ସଭ୍ୟତାର ନନ୍ଦିଘୋଷ, ପ୍ରଗତିର ଅଗ୍ରଗତି ! ଆଃ ! ମୁଁ ଏତେ ସ୍ୱାର୍ଥପର ନୁହେଁ...ମୁଁ ବାଥ୍‍ରୁମର ସାୱାର ଖୋଲିଦେଇ ଆଖିବୁଜି ଛିଡ଼ା ହୋଇଗଲି । ମୁଁ ଜାଣିଛି ବର୍ତ୍ତମାନ ସେ ନିଶ୍ଚିନ୍ତ ନିଦରେ ଶୋଇପଡ଼ିବେ, ଏବଂ ତାହା ହିଁ ହେଉ...ତାଙ୍କର ସୁଖନିଦ୍ରା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ମୋର ଆଉ ସାମର୍ଥ୍ୟ ନାହିଁ ଯେ !

Image

 

ବ୍ୟୁହ

 

ପରେଶ୍‍ ଏତେ ଚଞ୍ଚଳ ଘଣ୍ଟାକର ରାସ୍ତାକୁ ଅଧାଘଣ୍ଟାରେ ପାରି ହୋଇ ଆସିଥିଲା ଯେ, ତା’ ଦେହମୁଣ୍ଡରୁ ଶୀତଦିନରେ ବି ଟପ୍ ଟପ୍ ଝାଳ ବୋହି ଯାଉଥିଲା । ହାତ ପାପୁଲିରେ ଝାଳ ଓ ଉତ୍ତେଜନା ମିଶି ଏକ ଅସ୍ଥିର ଅବସ୍ଥା ଆସି ଯାଇଥିଲା । ସାଇକେଲଟା ଫୋପାଡ଼ି ଦେଇ ଟୁଲ୍‍ଟା ଉପରେ ବସିପଡ଼ି ପକେଟ୍‍ରୁ ରୁମାଲ ବାହାର କରି ସେ ବିଞ୍ଚି ହେବାକୁ ଆରମ୍ଭ କରିଦେଲା ।

 

ଦୋକାନ ମେଲା ଅଛି ଗୌରାଙ୍ଗର । ସାବୁନ୍ ଖଣ୍ଡେ ଗରାଖ ହାତକୁ ବଢ଼ାଇ ଦେଉ ଦେଉ ସେ ଅବାକ୍ ହୋଇ ପରେଶ୍‍କୁ ଚାହିଁଲା ଏ ସମୟରେ କେବେ ତ ସେ ଆସେନାହିଁ । ନିଶ୍ଚୟ କିଛି ଦରକାର ଅଛି.... ।

 

‘‘ବକ୍ ବକ୍ କରି ମୋତେ ଅନାଇଛୁ କ’ଣ ? ଶୀଘ୍ର କପେ ଚା’ ମଗା ।’’

 

ବୋଲହାକ କରିବାକୁ ଏଠି କେହିନାହିଁ ଜାଣିବା ସତ୍ତ୍ୱେ ପରେଶ୍ ଯେପରି ରାଜାର ମିଜାଜ୍ ନେଇ ତାକୁ ଅର୍ଡ଼ର କରୁଛି । ଅନ୍ୟ ଦିନ ହୋଇଥିଲେ ଗୌରାଙ୍ଗ ତାକୁ ଦି’ପଦ ଶୁଣାଇ ଦେଇଥାନ୍ତା । ମାତ୍ର ପରେଶ୍ ବଡ଼ ବିବ୍ରତ ହେଉଛି । ଅଗତ୍ୟା ଗୌରାଙ୍ଗ ନିଜେ ଚାଲିଗଲା ଏବଂ ରାସ୍ତା ସେପାରି ଚା’ ଦୋକାନରୁ କାଚଗ୍ଲାସରେ ଚା’ଆଣି ତାକୁ ଧରାଇଦେଲା ।

 

ଢକ୍ ଢକ୍ କରି ଚା’ ଉଦରସ୍ତ କରି ପରେଶ୍ କହିଲା–

 

“ବୁଝିଲୁ ଗୌରାଙ୍ଗ ! ଚାକିରିଟା ଛାଡ଼ିଦେଲି, ଜାଣିଲୁ । ଶଳା ବୁଢ଼ା କାହାକୁ ଶାନ୍ତିରେ ରଖେଇ ଦେବନି କି ନିଜେ ଶାନ୍ତିରେ ରହିବନି । ଯେତେ କାମ କର, ତା’ର କୌଣସିଥିରେ ଶାନ୍ତି ନାହିଁ । କୈଫିୟତ୍‍ ଦେଇ ସେ ଅଫିସରେ ସମସ୍ତେ ନୟାନ୍ତ । ତଥାପି ପାଟି ଖୋଲିବାକୁ କାହାର ଜୁ’ ନାହିଁ । କ’ଣ ଯେ ବୁଢ଼ା ସମସ୍ତିଙ୍କି କରିଦେଇଛି ସେହି ଏକା ଜାଣେ । କଥା କଥାକେ ଫାଇଲ୍ ଫୋପଡ଼ା, କୈପିୟତ୍, ଟ୍ରାନ୍‍ସଫର, କ୍ୟାରେକ୍ଟର ଖରାପ ବୋଲି ରିମାର୍କ ଦେବାର ଧମକ...ଏମିତିକି ଗରିବ ପିଅନ୍‍ଗୁଡ଼ାଙ୍କୁ ଫାଇନ୍ କରିବା ଗୋଟାଏ ତା’ର ନିଶା ହୋଇଗଲାଣି । ନାଃ ! ଆଉ ମୁଁ ସହି ପାରିଲିନି–ମୁହେଁ ମୁହେଁ ବେଶ୍ ଝାଡ଼ିଦେଇ ଆସିଲି । ତେଣିକି ଯାହାହେବ ହେଉ ।’’

 

ଏକ ନିଶ୍ୱାସକେ ଏତିକି କହି ପରେଶ୍ ନିଶ୍ୱାସ ଛାଡ଼ିଲା । ତା’ର ସବୁଦିନର କୋଟରିଆ ଗାଲଟି ଆହୁରି କୋଟରିଆ ଦିଶୁଥିଲା । କେଜାଣି କାହିଁକି ତା’ର ହାତ ଓ ବାହା ଥର ଥର କମ୍ପୁଥିଲା । ଗୌରାଙ୍ଗ କ’ଣ କହିବ ବୁଝିପାରୁ ନଥିଲା । ପରେଶ୍ ପରି ଗୋଟେ ଡରୁଆ ଛେରୁଆ ପିଲା ଯିଏ ରାତି ହେଲେ ଅନ୍ଧାରୁଆ ରାସ୍ତାରେ ଯିବାକୁ ଡରେ, ଘଣ୍ଟା ଦେଖି ଠିକ୍‌ ଦଶଟାରେ ଅଫିସରେ ପହଞ୍ଚେ ଏବଂ ପାଞ୍ଚଟାରୁ ରାତି ଦଶଟା ପର୍ଯ୍ୟନ୍ତ ଫାଇଲ୍ ଚଷିଲେ ବି କିଛି ଖେଦୋକ୍ତି ପ୍ରକାଶ କରେନା, ଏପରିକି ବନ୍ଧୁ ମହଲରେ ଉପସ୍ଥିତ କର୍ମଚାରୀମାନଙ୍କ ବିରୁଦ୍ଧରେ କିଛି କହିବା ପାପ ବୋଲି ଧରିନେଇଥାଏ, ତା’ର ପୁଣି ଆଜି କ’ଣ ହେଲା ?

 

ବୁଝିଲୁ ଗୌରାଙ୍ଗ ଆଜି ଧସ୍ତାଧସ୍ତି ଲାଗିଯାଇଥାନ୍ତା ମିଃ ବସୁ ସାଙ୍ଗରେ । ସିଗାରେଟ୍ ଧୂଆଁ ଛାଡ଼ି, ଦାନ୍ତ ଚିପିଚିପି ଇଂଲିଶ୍ କହୁଥିବ ଆଉ କାରଣ ନଥାଇ ନୋଟଗୁଡ଼ାକ ସାଇଡରେ କମେଣ୍ଟ ଦେଉଥିବ । ସତେ ଯେମିତି ସବୁଜାଣେ... । ମୁଁ ଯାହା ଶୁଣିଥିଲି ସତ । ତା’ର କୋଉ ରିଲେସନ୍‍ସକୁ ମୋ ପୋଷ୍ଟରେ ଭର୍ତ୍ତି କରିବାକୁ ଚାହେଁ । କିନ୍ତୁ ଦେଖିବି କେମିତି କରିବ ?

 

ଗୌରାଙ୍ଗ ଏଥର ହସ ଚାପି ନପାରି କହିଲା–

 

‘‘କଲେ ତୁ କ’ଣ କରିବୁ ? ତୋର ସର୍ଭିସ୍ ତ ସମ୍ପୂର୍ଣ୍ଣ ଭାବରେ ଟେମ୍ପୋରାରି...କ୍ୟାନ୍ ବି ଟର୍ମିନେଟେଡ୍...... ।’’

 

‘‘ଚୁପ୍ ! ବେଶୀ ଇଂରାଜୀ ଚୋବନା ମୋ ଆଗରେ । ତୋ’ ଦୋକାନରୁ ମାସର ସଉଦା ନିଏ ବୋଲି । ନାଁ ଆଉକିଛି ଇଣ୍ଟରେଷ୍ଟ ?’’

 

ଗୌରାଙ୍ଗ କିଛି ନ କହି ହିସାବଖାତା ଖୋଲି ଦେଖିବାରେ ମନୋନିବେଶ କଲା । କାରଣ ନ ରାଗିବାଲୋକ ରାଗିଲେ ପ୍ରଳୟ ଆସିଯାଏ ବୋଲି ତା’ ମା’ କଥାକଥାକେ କହେ । ଏଥର ପରେଶ୍ ଉଠିପଡ଼ି ଗୋଟାଏ ଫେଣେଇ ଫେଣେଇ ହାଇ ମାରିଲା ଏବଂ ମନକୁ ମନ କହିଲା–

 

‘‘କୁଆଡ଼େ ?’’

 

‘‘କାହିଁକି ? ଘରକୁ ଯିବିନି । ଚାକିରିଟା ଚାଲିଯିବ ବୋଲି ବା ଚାଲିଗଲା ବୋଲି ଘରକୁ ଯିବିନି ?’’

 

‘‘ନା, ସେ କଥା କହୁନି ଯେ । ଏତେ ଶୀଘ୍ର ଉଠିପଡ଼ିଲୁ ?’’

 

କିଛି ନ କହି ପରେଶ୍ ସାଇକେଲ୍ ନେଇ ବାହାରିଗଲା । ଏପରି ପ୍ରଶ୍ନ ଉତ୍ତର ଓ ସମାଧାନର ପନ୍ଥା ଖୋଜି ସେ ହୁଏତ ଅନେକଟା ସମୟ କଟେଇ ଘରକୁ ଯାଇ ପାରିଥାନ୍ତା ଏବଂ ସେ ଯାହା କରି ଆସିଛି ତାହା ଯୁକ୍ତିଯୁକ୍ତ ବୋଲି ମଧ୍ୟ ପ୍ରମାଣ କରିପାରିଥାନ୍ତା । ମାତ୍ର ଗୌରାଙ୍ଗ ସେ ସବୁ ଅର୍ନ୍ତବେଦନା ବୁଝିବ ନାହିଁ । ଓଲଟି ତାକୁ ବୁଝାଇ ବସିବ ତା’ର ଭବିଷ୍ୟତ ସନ୍ତାନସନ୍ତତିଙ୍କର ମଙ୍ଗଳ ଚାକିରି ଉପରେ ନିର୍ଭର କରୁଛି, ଇତ୍ୟାଦି, ଇତ୍ୟାଦି, । ଅଥଚ ଅନେକଥର ସେଇ ଗୌରାଙ୍ଗ ତ ତାକୁ ଥଟ୍ଟା କରିଛି, ଛିଗୁଲେଇ କହିଛି କିପରି ହାକିମର ପାଦଚାଟି ମର୍ଜି ଜଗି ଗୁଜୁରାଣ ମେଣ୍ଟଉଛି, ପରେଶ୍‍ଠାରୁ କମ୍ ପାଠ ପଢ଼ିଥିଲେ ବି ଦେହ ଅନେଇ ଗୌରାଙ୍ଗ ଚାରିଗୁଣା ରୋଜଗାର କରୁଛି । ତାକୁ କାହାକୁ ଖୋସାମତ୍ କରିବାକୁ ପଡ଼ିନି । ତାହାହିଁ ତା’ର ଗର୍ବ । ହେଲେ..... ।

 

ପରେଶ୍ ସାଇକେଲ୍ ଖୁବ୍ ସ୍ପିଡରେ ଚଲଉଥିଲା । ପ୍ରତି ମୁହୂର୍ତ୍ତରେ ମନେହେଉଥିଲା ଦୁର୍ଘଟଣା ଘଟିଯିବ । ଘଟିଗଲେ ବି ସବୁ ସମସ୍ୟାର ସମାଧାନ ହୋଇଯାନ୍ତା । କିନ୍ତୁ ତା’ର ଦକ୍ଷ ହାତ ଠିକ୍ ସମୟରେ ଗତିକୁ କଣ୍ଟ୍ରୋଲ୍ କରି ନେଉଥିଲା । ସତରେ ନାଁ ସେ ଜିଇଁ ପାରିଛି ନାଁ ସେ ମରିପାରୁଛି । କୋଉଟା ଠିକ୍ ଭାବରେ କରୁନାହିଁ ଖାଲି ଘୁରୁରୁଛି । ଆଉ ଯଦି ଆଜି ତା’ର କିଛି ଦୁର୍ଘଟଣା ଘଟେ ତା’ହେଲେ ଅଫିସ୍ ସାରା ଲୋକ, ଯେଉଁମାନେ ଆଜି ତାକୁ ବଧେଇ ଜଣେଇଥିଲେ ବୀରତ୍ୱ ପ୍ରଦର୍ଶନରେ, କାଲି ସେମାନେ ତାଚ୍ଛଲ୍ୟର ହସ ହସି ଉଡ଼େଇ ଦେବେ ।

 

ଘର ପାଖରେ ପହଞ୍ଚିଲା କ୍ଷଣି ସୌଦାମିନୀ ଧାଇଁଆସି କହିଲା–‘‘ହେ ତୁମକୁ କେତେଲୋକ ଆସି ଖୋଜି ଗଲେଣି । ତୁମେ ଅଫିସ୍‍ରୁ ଘରକୁ ନ ଆସି କୁଆଡ଼େ ଯାଇଥିଲ କି ? ରାତି ଆସି ହେଲାଣି–ଘରେ.... ।’’

 

‘‘ହଉ ହଉ । ଆଜିଟା ସେମିତି ଚଳେଇ ଦିଅ । କାଲିଠୁ ଦେଖାଯିବ । ମୁଁ ଭୁଲି ଯାଇଛି-।”

 

‘‘କ’ଣ ଭୁଲିଗଲ ? ମୁଁ କୋଉକଥା କହୁଛି । ତମେ କ’ଣ ବୁଝୁଛ । ଘରେ– ।”

 

“ବୁଝିଛି ବାବା ବୁଝିଛି । ପରିବା ନାହିଁ ଏଇଆ ତ ? ଡାଲି ଆଉ ଆଳୁଭର୍ତ୍ତା କରି କାମ ଚଳାଇ ନେଲେ ହେବନି ?”

 

‘‘କ’ଣ ଯେ ତମେ କହ ? ମୁଁ କହୁଛି ଘରେ.... ।”

 

‘‘ଓଃ, ବୁଝିଲି ବାବୁ ! ଘରେ ମୋର ନିଆଁ ଲାଗିଛି ...ଲାଗୁ । ମୁଁ ଚାଲିଲି ।”

 

‘‘ହେଇ...ଶୁଣ, ଶୁଣ । ପୁଣି କୁଆଡ଼େ ଚାଲିଲ ମ....... ।”

 

ବାକି କଥା ପବନରେ ମିଳାଇଗଲା । ସାଇକେଲ୍ ଛୁଟାଇ ବଗୁଲିଆ ପିଲା ପରି ଧାଇଁ ପଳେଇଲା ପରେଶ୍ । ମଣିଷ ଏଇ ଘରସଂସାର ପାଇଁ କେତେବେଳେ ହେଲେ ଶାନ୍ତି ପାଇପାରିଲାନି । ଅଫିସ୍‍ଟା ଯେମିତି ବିଷାକ୍ତ, ତାରଟାବି ସେମିତି । କେହି ତାକୁ ବୁଝିବାକୁ ନାରାଜ-। ଅଥଚ ଏଇ ଦୁଇଟି ସ୍ଥାନ ଛାଡ଼ିଦେଲେ ପରେଶ୍‍ର କେଉଁଠି ସ୍ଥିତି ଅଛି ବୋଲି ବି ସେ ଜାଣିପାରୁନାହିଁ ।

 

ବର୍ତ୍ତମାନ ସେ ଗୋଟିଏ କଥା କହିପାରେ । ନିର୍ବାଚନ ପାଇଁ ପ୍ରଚାର ଚଳେଇଥିବା କୌଣସି ପାର୍ଟିରେ କିଛି କାମ କରି ସାମୟିକ ରୋଜଗାର ସହ ସୁନାମ ମଧ୍ୟ ଅର୍ଜନ କରିପାରେ । ଯଦି ସେ ପାର୍ଟି ପାୱାରକୁ ଆସିଯାଏ, ତା’ହେଲେ ତ ଜାଣିବ ତା’ର ଭାଗ୍ୟ ଫେରିଗଲା । କିଏ ଜାଣେ ଏଇ ଲଟେରି ପରି ସାଧାରଣ ମଣିଷ ଅସାଧାରଣ ହୋଇ ନ ଉଠିବ ?

 

ନାଃ ! ଏଇଠି ଅଟକି ଯିବାକୁ ପଡ଼ିବ । ସୁଦର୍ଶନକୁ କହିଦେବାକୁ ହେବ ତା’ର ନିର୍ଯ୍ୟାତିତ ହେବାର କାହାଣୀ ସହ ବୀରତ୍ୱ ପ୍ରଦର୍ଶନର ବିବରଣୀ । କିଛିଟା ଜ୍ଞାନ ମଧ୍ୟ ତା’ଠାରୁ ସଂଗ୍ରହ କରିବାକୁ ହେବ ରାଜନୀତି ଓ ପାର୍ଟିମାନଙ୍କ ସମ୍ବନ୍ଧରେ । ଯେହେତୁ ଦୀର୍ଘଦିନ ଧରି ସେ ସାମ୍ବାଦିକ ରହିଛି ଏବଂ ତାକୁ ହିଁ ନେଇ କେତେଥର ପରେଶ୍ ଆଗରେ ଗର୍ବ କରିଥାଏ ।

 

ପରେଶ୍‍କୁ ଦେଖି ବିସ୍ମିତହୋଇ ସୁଦର୍ଶନ କହିଲା, ‘‘ଆରେ ପରେଶ୍ ଯେ, କଥା କ’ଣ ? ଏମିତି ଶୁଖିଲା ଦିଶୁଛୁ କାହିଁକି ? ଆ, ଘର ଭିତରକୁ ଆସ୍ ।’’

 

‘‘ତୁ ବ୍ୟସ୍ତ ନୋହୁଁ ତ.... ।’’

 

‘‘ମାରଗୁଲି । ମୁଁ ସବୁବେଳେ ବ୍ୟସ୍ତ ବୋଲି କ’ଣ କେହି ମୋ ଖାପକୁ ଆସିବେନି ? କହ ତୋର ଖବର ସବୁ ।’’

 

‘‘ଖବର ଆଉ କ’ଣ ? ଚାକିରିଟା ଛାଡ଼ିଦେଲି ।’’

 

‘‘ଆଁ ! ଚାକିରିଟା ଛାଡ଼ିଦେଲୁ ? ସରକାରୀ ଚାକିରି କାହାକୁ ମିଳୁଛି କିରେ ? ଲୋକେ ଏମ୍.ଏ. ପି.ଏଚ .ଡି କରି ଗୋବର ଗୋଟେଇବାକୁ ବି ପାଉନାହାନ୍ତି । ତୁ କ’ଣ ନାଁ ଚାକିରିଟା ଛାଡ଼ିଦେଲୁ ?”

 

ଚାକିରି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଦଶବର୍ଷର ନିପୀଡ଼ିତ ହେବାର କାହାଣୀ ତାକୁ ଗୋଟି ଗୋଟି କରି ଶୁଣାଇଲା ପରେଶ୍ । ସାମାନ୍ୟ କିରାଣି ଚାକିରିଟାଏ, ଭାଗ୍ୟରେ ଥିଲେ ସୁଦର୍ଶନ ଟିକେ ଚେଷ୍ଟା କଲେ ତା’ର ଭବିଷ୍ୟତର ଉଜ୍ଜ୍ୱଳ ସମ୍ଭାବନା କଥା ମଧ୍ୟ ପରୋକ୍ଷରେ ସେ ଜଣେଇ ଦେଲା ଏବଂ ସେଇ ଶେଷ କଥାଟିର କ’ଣ ଥିଲା କେଜାଣି ସୁଦର୍ଶନର ମୁହଁ ଶୁଖିଗଲା । ଥର ଥର ଗଳାରେ ସେ କହିଲା–‘‘ତୁ ଭଲ କାମ କରିନୁ । କାଲି ଯାଇ କ୍ଷମା ମାଗି ବୁଝାମଣା କରାଇ ନେବା ଭଲ । ବସୁଟା ସେମିତି କିଛି ଖରାପ ଲୋକ ନୁହେଁ । କହିବୁ ଯଦି ମୁଁ ଯାଇ କହିବି ତୋ’ପାଇଁ ।’’

 

“ଆଏଁ ? ତୁ କହିବୁ ? ତୁ ପରା ତା’ ନାମରେ ଗଣ୍ଡା ଗଣ୍ଡା ଆର୍ଟିକାଲ୍‍ସ ଲେଖୁଛୁ, କେମିତି ଲାଞ୍ଚନିଏ, ଅଧସ୍ତନ କର୍ମଚାରୀମାନଙ୍କୁ ହଇରାଣ କରେ ଇତ୍ୟାଦି ଇତ୍ୟାଦି, ତୁ ତାକୁ କେମିତି ମୁହଁ ଦେଖେଇବୁ ।’’

 

‘‘ସେ ସବୁ ଭାଇ ପଲିଟିକ୍‍ସ । ମତେ ସେମିତି ଲେଖିବାକୁ ହେବ, ଉପରୁ ଅର୍ଡ଼ର ଅଛି ମୁଁ ଲେଖୁଛି । ମୁଁ କ’ଣ ମନରୁ ଲେଖୁଛି ? ସେହିମାନେ ପାୱାରକୁ ଆସିଗଲେ ଦେଖିବୁନି କେମିତି ବଦଳି ଯିବ ସେମାନଙ୍କର ଗୁଣଗ୍ରାମ ସବୁ । ସବୁ ଏଇ କଲମ–ଚଳେଇ ଜାଣିଲେ ହେଲା ।’’

 

ପରେଶ୍ ବିସ୍ମିତ ହେଇ ଯାଇଥିଲେ ବି ବିଷାଦ କଣ୍ଠରେ କହିଲା–

 

‘‘ନାଁ, ଭାଇ ! ମୁଁ ପାରିବିନି । ସେ ଅଫିସରେ ମୁଁ ଆଉ କାମ କରିପାରିବିନି । ତୁ ମୋ’ପାଇଁ କୌଣସି ପାର୍ଟିରେ ଇଲେକ୍‍ସନ ପ୍ରଚାର କାମ ଖଣ୍ଡେ ଯୋଗାଡ଼ କରିଦେ ବାକି ଯାହା କରିବାକୁ ହେବ ମୁଁ କରିବି ।’’

 

‘‘ଧ୍ୟାତ୍, ତୋର କିଛି ଆଇଡ଼ିଆ ନାହିଁ । ସରକାରୀ ଚାକିରି ଖଣ୍ଡେ ଥିଲେ ଏଥିରେ କିଏ କାହିଁକି ପଶିବ ? ସମ୍ବାଦପତ୍ର କ’ଣ ଆଉ ସ୍ୱାଧୀନ ହୋଇ ରହିଛି ? ଖାଲି ବ୍ୟବସାୟ । ପେଟ ପୋଷ ନାହିଁ ଦୋଷ ।’’

 

‘‘ତା’ ମାନେ ତୁ ମତେ ସାହାଯ୍ୟ କରିବୁନି ? ଅନ୍ତତଃ କଥା ଦେ ମୋର ଏ ଦୁର୍ଘଟଣାଟା ତୁ ସବୁ କାଗଜରେ ପ୍ରକାଶ କରେଇ ଦେବୁ । ତା’ପରେ ଯାହା ହେବ ମୁଁ କରିବି ।’’

 

‘‘କି ବାଜେ ଟେଷ୍ଟ ତୋର ! ବସୁ କ’ଣ ଛୋଟିଆ ଲୋକଟିଏ ହୋଇଛି ? ଦେଖୁଛୁ ପରା ସରକାର ଆସିଲା ତାକୁ ହାତ କରିନେଲା । କିଏ ଭଲା ତା’ ବିପକ୍ଷରେ ଯାଇପାରିବ ?’’

 

‘‘ମୁଁ ଯିବି...କାନ୍ଥ ବାଡ଼ ସବୁ ଆଡ଼େ ତା’ର କୀର୍ତ୍ତିଲେଖି ଦେବି । ଲୋକେ ପଢ଼ନ୍ତୁ, ଜାଣନ୍ତୁ, ଗଣତନ୍ତ୍ର କେମିତି ଏ ଦେଶରେ ଚେର ବାନ୍ଧିଛି ତା’ର ନମୁନା ଦେଖନ୍ତୁ । ସମସ୍ତେ ଚୁପ୍ ରହିଲେ କେମିତି ଚଳିବ । ଶେଷକୁ ତୁମେ ଖବରକାଗଜବାଲା ତା’ର ଚାମଚା ହେଲଣି ? ଛିଃ, ମୋର କେତେ ବିଶ୍ୱାସ, ଆସ୍ଥାଥିଲା ତୋ ଉପରେ । ସାମାନ୍ୟ ଗୋଟିଏ ଚାକିରିଆର ନିର୍ଯ୍ୟାତନା କାହାଣୀ ଲିପିବଦ୍ଧ କରିବାକୁ । ପ୍ରକାଶ କରିବାକୁ ତୁ ବି ଡରିଯାଉଛୁ ?’’

 

‘‘ହଉ ଯାହା କହୁଛୁ କହ । ବସ୍‍, ଉଠିଯାଉଛୁ କୁଆଡ଼େ ? ଚା’ ଖାଇବୁ ଯେ...ଆରେ ପରେଶ୍... ।’’

 

ପରେଶ୍ ସେତେବେଳକୁ ସାଇକେଲ୍ ନେଇ ଜନଗହଳିରେ ସାମିଲ ହୋଇଯାଇଥିଲା । ଏବେ ସେ କରେ କ’ଣ ? କେତେଥର ଭାବିଛି ଚାକିରି ଛାଡ଼ି ଦେଇ ବ୍ୟବସାୟ କରିବ । କିନ୍ତୁ କ’ଣ ଓ କିପରି କରିବ ସେ ଜାଣେନା । ସେ ଓ ଭରତ ଏକସାଙ୍ଗରେ ପଢ଼ୁଥିଲେ । ସେ କଲେଜ ଛାଡ଼ି କ୍ଲର୍କ ହେଲା ଆଉ ଭରତ କେମିତି ଟାଉଟରି କରି ବୁଲି, ବେଶ୍ ମଜାରେ ଅଛି । ଦିନ ସାରା ଏଣେତେଣେ ଧାଏଁ । ସନ୍ଧ୍ୟା ହେଲେ ସିନେମାରେ, କି ଜୁଆ ଆଡ୍‍ଡାରେ, କି ହୋଟେଲରେ ବସି ଆଡ୍‍ଡା ଦେଉଥାଏ । ତା’ର ପିଲାଛୁଆ ତ ତା’ଠାରୁ ଯଥେଷ୍ଟ ବେଶୀ । କେବେ ଦିନେ ତାକୁ ଅଭାବ ଅସୁବିଧାରେ ମୁହଁ ଶୁଖେଇବାର ଦେଖିନି । ବରଂ ହଜାରଥର ଭରତ କହିଥିବ ‘ସେ କିରାନି ଚାକିରିରେ କ’ଣ ଅଛି ମୁଣ୍ଡ ଗୁଞ୍ଜି ପଡ଼ିଛୁ । ଥରେ ବାହାରିଆ ଦେଖିବୁ ତୋ’ଭଳି ଟ୍ୟାଲେଣ୍ଟେଡ୍ ପିଲାର କିଛି ଅସୁବିଧା ହେବନି । କେବେ ନ ହେଲେ ବି ଆଜି ତାହା ସମ୍ଭବ ହେବାକୁ ମନା କ’ଣ ଅଛି !

 

ଝାଳ ସରସର ହୋଇ ସେଠି ପହଞ୍ଚିଲା ବେଳକୁ ପରେଶ୍ ଦେଖିଲା ଘରଚଟାଣ ଉପରେ ବସି ଭରତ ଗୋଟିଏ ଛୁରି ପଜେଇବାରେ ବ୍ୟସ୍ତ । ପାଖରେ ଛୋଟ ବଡ଼ କେତେ ଯନ୍ତ୍ରପାତି । ତାକୁ ଦେଖି ଯେପରି ସାମାନ୍ୟ ଅପ୍ରତିଭ ହୋଇ ପଚାରିଲା ଭରତ–

 

‘‘ହଠାତ୍ ଆସିଗଲୁ କୁଆଡ଼େ ?’’

 

ଝାଳ ପୋଛି ପରେଶ୍ କହିଲା–

 

“କହିବାକୁ ଆସିଲା ମୁଁ ଚାକିରିରୁ ଇସ୍ତଫା ଦେଇ ଦେଇଛି । ମୋ’ପାଇଁ ଗୋଟିଏ କିଛି..... ।’’

 

ହୋ ହୋ ହସରେ ଘର କମ୍ପାଇ ଦେଲା ଭରତ ଓ କିଛି ଗୋଟାଏ ଭୁଲ୍ ହୋଇଯାଇଛି ଭାବି ଅପ୍ରସ୍ତୁତ ହୋଇପଡ଼ିଲା ପରେଶ୍ । ସେମିତି ହସ ଭିତରେ ସେ କହିଲା–

 

‘‘ଆରେ ଓଲୁ ? ତୋ’ଭଳି ଲୋକ ପାଇଁ ସେଇ ଚାକିରିଟା ଠିକ୍ ଥିଲା–ଦଶ ବର୍ଷ ଭିତରେ ତୋର ଆଉ କି ମଣିଷପଣିଆ, କି ସାହାସପଣ ଛାତିରେ ଅଛି ଯେ ତୁ ଚଳିପାରିବୁ । ଭାଇ-! ମୋ ପରି ବଞ୍ଚିବାକୁ ହେଲେ...ମାନେ ଏଇ ଦେଖ୍ ଏମିତି ଛୁରି କତୁରୀ ଧରି ବାବୁମାନଙ୍କ ପକେଟ୍ କାଟି ନେବାକୁ ହେବ, ଦରକାର ହେଲେ ଛୁରି ମାରିବାକୁ ହେବ । ହେଁ, ହେଁ, କେବେ ଧରାପଡ଼ିଲେ ମାମୁଁଘରକୁ ଯିବାକୁ ହେବ ଏବଂ ଖସି ଆସିବାର ଇଲମ୍ ବି ଜଣାଥିବ । ନଚେତ୍....-।’’

 

ଭରତ ରହିଗଲା । ତା’ର ଆଖି ଦି’ଟା ଯେମିତି ରଢ଼ନିଆଁ ପରି ଜଳୁଛି । ହାତରେ ଛୁରିଟା ଚକ୍ ଚକ୍ କରୁଛି । ସେ ଯେପରି ଆଉ ଏ ଜଗତରେ ନାହିଁ–ଅନ୍ୟ ଏକ ଜଗତରେ ତା’ର ଆତ୍ମା ମନ ନିବିଷ୍ଟ କରି କ’ଣ ଖୋଜିବୁଲୁଛି । ତେବେ, କ’ଣ ଭରତ ଚୋରୀକରି, ପକେଟ୍‍ କାଟି, ସିନ୍ଧି କରି, ଜୀବନ ପୋଷେ । ବିସ୍ମୟରେ ସେ ପ୍ରଶ୍ନ କରିଉଠିଲା–

 

‘‘ମାନେ, ମାନେ କ’ଣ ତୁ ଚୋରୀକରୁ ଭରତ ?’’

 

ଗର୍ଜି ଉଠିଲା ଭରତ–

 

“ଚୋରୀ ! ହଁ ଚୋରୀ କରେ । ସେଇଠୁ କ’ଣ ହେଲା ? ପାପ ? ମୋର ସେଥିରେ ବିଶ୍ୱାସ ନାହିଁ । ତୋ’ଭଳି ପିଲା ଯେତେବେଳେ ଲାଞ୍ଚ ଦେଇ ଚାକିରିଟା ପାଇପାରିଲା ଆଉ ସମାଜ ତାକୁ ସ୍ୱୀକାର କରିନେଲା ବାହାବା ଦେଇ, ସେତେବେଳେ ମୋ’ଭଳି ମଦୁଆ, ଜୁଆଡ଼ି ଲୋକର ପୁଅ କେମିତି ବଞ୍ଚି ପାରିଥାନ୍ତା ? ଅଥଚ ମୋର ତୋ’ଠାରୁ ବେଶୀ ନମ୍ବର ଥିଲା, ପୋଜିସନ୍ ଭଲ ଥିଲା । ଏ ଦେଶରେ ବଞ୍ଚିବାକୁ ହେଲେ... ।’’

 

ପରେଶ୍ ଲାଜରେ ଝାଉଁଳି ଉଠିଥିଲା । ବାପା ଲାଞ୍ଚଦେଇ ଯେଉଁ ଚାକିରିଟା ଯୋଗାଡ଼ କଲେ ସେଥିରେ ତା’ର ମୁଣ୍ଡ ଓ ଲାଞ୍ଜ ସବୁ ଯେ କାଟିଦେଇଥିଲେ । ଆଜି ତାହା ମର୍ମେ ମର୍ମେ ବୁଝୁଛି ।

 

ଗମ୍ଭୀର ଭାବରେ ଭରତ ଉଠିପଡ଼ି କାନ୍ଥଆଡ଼କୁ ମୁହଁକରି କହିଲା–

 

‘‘ତୁ ଚାଲିଯା ପରେଶ୍ । ତୁ ମୋର ବନ୍ଧୁ–ତୋତେ ମୁଁ କିଛି କହିବାକୁ ଚାହେଁନା । କିନ୍ତୁ ତୁମମାନଙ୍କ ପରି ମେରୁଦଣ୍ଡହୀନ ପ୍ରାଣୀ ଥିବା ଯାଏଁ... ।’’

 

‘‘କିନ୍ତୁ ମୋ କଥା ଟିକେ ଶୁଣ ଭରତ । ମୁଁ ସେ ବସୁ କଥା ଆଉ ସମ୍ଭାଳି ପାରିବିନି । ମୁଁ ପଛେ ଭିକ ମାଗି ଖାଇବି । ସେ ଚାକିରି.... ।’’

 

‘‘ଚୁପ୍‍କର ! ବାଜେ କଥା କହିବା ତୁମ ଗୋଷ୍ଠୀ ଓ ଜାତିର ଗୋଟିଏ ବ୍ୟବସାୟ, ଫାଇଲ୍ ଉପରେ ମୁଣ୍ଡ ନଦି ନ ରହିଲେ ତୁମକୁ ନିଦ ଆସିବନି । ଅଫିସର ବିରକ୍ତ ହୋଇ ଇଂରାଜୀ ଭାଷାରେ ନ ଶୋଧିଲେ ତୁମର ଯୋଗ୍ୟତା ଅଛି ବୋଲି ପ୍ରମାଣ ରହିବନି ଯେ ! ଆଉ ସେ ସବୁ କଥାକୁ ଯିଏ ଭୟ କରି ଚାକିରିରୁ ଇସ୍ତଫା ଦିଏ...ତା’ଠୁ ବୋକା କ’ଣ ପୃଥିବୀରେ ଆଉ କିଏ ହୋଇପାରେ ।’’

 

‘‘ମାତ୍ର ଭରତ ! ମୁଁ ବହୁତ ଆଶା କରି ତୋ ପାଖକୁ ଆସିଥିଲି–ଅନ୍ତତଃ ତୁ ଗୋଟାଏ ବ୍ୟବସ୍ଥା ମୋ’ପାଇଁ କରିପାରିବୁ । ପରେଶ୍ ବ୍ୟସ୍ତ ହୋଇପଡ଼ିଥିଲା ।’’

 

‘‘ବ୍ୟବସ୍ଥା । କ’ଣ ? ତୁ କିଛି ପାରିବୁନି । ସତକଥାଗୁଡ଼ା କହିଦେବାକୁ, ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାକୁ, ଆଉ ନିଜ ଉପରେ ନିର୍ଭର କରି ଚଳିବାକୁ ପ୍ରତିଦିନ ତୁ ଘଣ୍ଟା ନେଇ ସକାଳେ ଅଫିସ ଯାଉ ଏବଂ ସନ୍ଧ୍ୟାରେ ସମସ୍ତ ବିଫଳତା ନେଇ ଘରକୁ ଆସି ମହା ଆରାମରେ ଶୋଇଯାଉ । ଏତ ଏକ ଅଭ୍ୟାସ....ଏଥିରୁ ମୁଁ ତତେ ମୁକ୍ତ କରିପାରିବନି ।’’

 

ଏତିକିବେଳେ ଘର ଭିତରକୁ କିଏ ଜଣେ ଧଇଁସଇଁ ହୋଇ ପଶିଆସି କହିଲା–

 

‘‘ଭାଇନା ! ତୁମେ ଶୀଘ୍ର ବାରିପଟ ରାସ୍ତା ଦେଇ ଚାଲିଯା । ପୋଲିସ୍ ଆସି ଖାନ୍‍ତଲାସ ଆରମ୍ଭ କରିଦେଲାଣି....ମାଲ୍ କିନ୍ତୁ ମୁଁ ଉଠେଇ ଦେଇଛି ।”

 

ଭୟାନକ ବିରକ୍ତ ହୋଇ ଭରତ ସେ ଲୋକଟାକୁ ନିମିଷେ ଚାହିଁ, ପରେଶ୍‍କୁ ହାତଦ୍ଵାରା ଚାଲିଯିବା ଇଙ୍ଗିତ ଦେଇ ଘର ଭିତରକୁ ଚାଲିଗଲା । ପଛେ, ପଛେ ସେ ଲୋକଟା ।

 

ଭୟରେ ପରେଶ୍‍ର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଏକ କମ୍ପନ ଖେଳି ଯାଇଥିଲା ।

 

ସାଇକେଲ୍ ନେବାକୁ ଆସି ଦେଖିଲା ସେଇଟା ନାହିଁ । ଚାବି ଦେଇ ରଖିଥିଲା । ହାତରେ ଚାବିଟା ରହିଛି, ଅଥଚ ଏହା ଭିତରେ ସାଇକେଲ୍‍ଟା ଚାଲିଗଲା କୁଆଡ଼େ ? କିଏ ନେଲା-? କାହାକୁ କହିବ ? ଭରତ ଚାଲିଗଲାଣି ତା’ର ସମସ୍ତ ଘର ଅନ୍ଧାର । ଆଗ ଗଳି ରାସ୍ତା ବି ଅନ୍ଧାର, ଲାଇଟ୍ ନାହିଁ... । କେହି ରାସ୍ତାରେ ବି ଦିଶୁନାହାନ୍ତି । ଆଗରେ ବୋଧେ ଗଳିର ଆରମ୍ଭରେ ପୋଲିସ୍‍ ଭ୍ୟାନ୍ ରହିଛି । ଅଗତ୍ୟା ପରେଶ୍‍ର ଚାଲିବା ଛଡ଼ା ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ କିଛି ହିଁ ଉପାୟ ନାହିଁ ଏବଂ ସେଇ ବାଟ ଦେଇ ଯିବ ।

 

କେମିତି ସେ ଟପି, ଚାଲି ଚାଲି ଠିକ୍ ଆସି ନିଜ ଘର ପାଖରେ ପହଞ୍ଚିଗଲା, ପଚାରିଲେ ବି କହିପାରିବନି । ତାକୁ ବୋଧେ ଅପେକ୍ଷା କରିଥିଲା ସୌଦାମିନୀ । ଆପାତତଃ ଗମ୍ଭୀର ହୋଇ ଭିତରେ ପଶିଲା ପରେଶ୍‍ । କବାଟ ବନ୍ଦ କରୁ କରୁ ସୌଦାମିନୀ ଚାପିଲା କଣ୍ଠରେ କହିଲା–‘‘ହେଇ ହେଇ ଶୁଣ ମ ! କ’ଣ ଦିଶୁଛ ତମେ ? ରୁହ....ଇସ୍‍ କି ଝାଳ ବୋହୁଛି ।”

 

ବିରକ୍ତ କଣ୍ଠରେ ପରେଶ୍‍ କହିଲା–

 

‘‘ଥାଉ । ଝାଳ ପୋଛିବାକୁ ବହୁତ ସମୟ ଆସୁଛି ।”

 

ଫେଁ ଫେଁ କରି ହସି ଉଠି ସୌଦାମିନୀ କହିଲା–

 

‘‘ହଁ, ରାଗିବନି କାହିଁକି ? ଏବେ ଯେ ବଡ଼ ଅଫିସର ହେଲ; ପ୍ରମୋସନ୍ ହେଲା, ଖୋଦ୍ ବଡ଼ସାହେବ ଆଣି ଘର ଖୋଜି ଅର୍ଡ଼ର ଦେବାକୁ ଘଣ୍ଟା, ଘଣ୍ଟା, ବସି ରହୁଛନ୍ତି ଯାହାଙ୍କ ଅପେକ୍ଷାରେ, ସେ ମିଜାଜ୍ ଦେଖେଇବେନି ତ ଦେଖେଇବ କିଏ ?

 

‘‘ମାନେ....ମାନେ ତୁମେ କ’ଣ କହିବାକୁ ଚାହଁ । ତୁମକୁ ଥଟ୍ଟା କରିବାକୁ ଲୋକ ମିଳୁନାହାଁନ୍ତି ।’’

 

‘‘କ’ଣ କହିଲ ? ଥଟ୍ଟା ? ପତି ପରମ ଗୁରୁ ବୋଲି ମୁଁ ମୁଖସ୍ତ କରିଛି.... ।’’

 

ସୌଦାମିନୀ କଥା ବନ୍ଦ ରଖି ତରତର ହୋଇ ବାହାରିଗଲା । ପରେଶ ବାପାଙ୍କର ଖୁଁ ଖୁଁ କାଶ ସହିତ ନିକଟେଇ ଆସିଥିବା ବାଡ଼ିର ଠକ୍ ଠକ୍ ଶବ୍ଦ ଶୁଣି ମୁହଁରୁ ଝାଳ ପୋଛି ଦ୍ୱାରା ଆଡ଼କୁ ଆଗେଇ ଗଲା । ବାପା ଅଣ୍ଟାରୁ ଚିଠିଟାଏ ବାହାରକରି ବଢ଼େଇ ଦେଉ ଦେଉ କହିଲେ–

 

‘‘ବସୁବାବୁ ନିଜେ ଆସି ଦେଇ ଯାଇଥିଲେ ମତେ । ତୁ ଦିନ ଦି’ଟାରୁ ଅଫିସ୍ ଛାଡ଼ି ଯାଇଛୁ ଯେ ଯାଇଛୁ । ଭଲ କଥା ନୁହେଁ ଏଗୁଡ଼ା । ଗଲେ କହି ପୋଛି ଯିବୁ । ହଁ, କାଲି ତୁ ପର୍ସନାଲ ଅଫିସର୍ ପୋଷ୍ଟରେ ଯେମିତି ଠିକ୍ ଟାଇମରେ ଜଏନ କରୁ....ଟାଇମ୍ ସେନ୍‍ସ ହିଁ ସବୁଠୁ ବଡ଼ ସେନ୍‍ସ ଜଣେ ଉଚ୍ଚ ପଦସ୍ଥ ଅଫିସର୍ ହେବାପାଇଁ..... ।’’

 

ବାପା ଚାଲିଗଲେ ଯେମିତି ଆସିଥିଲେ । ଚିଠିଟା ହାତରେ ଧରି ପରେଶ୍ କିଛି ପଢ଼ି ପାରୁନଥିଲା । ତା’ର ଆଖି ଜାଲ ଜାଲୁଆ ହୋଇଯାଇଥିଲା କି ଇଲେକ୍‍ଟ୍ରିକ୍ ଭୋଲଟେଜ କମି ଯାଇଥିଲା, ସେ ଜାଣି ପାରୁନଥିଲା । ତା’ର ମନେହେଉଥିଲା ଯେମିତି ସେ ଗୋଟାଏ ଅଭେଦ୍ୟ ବ୍ୟୁହ ଭିତରେ ପଶିଯାଇଛି, ସେଥିରୁ ଯେତେ ଚେଷ୍ଟାକଲେ ବି ସେ ମୁକୁଳି ପାରିବନି ।

 

ଆସନ୍ତାକାଲି ନିଜର ଲାଜକୁଳା ମୁହଁଟିକୁ ଅଫିସ୍ ଗେଟ୍‍ ପାଖରେ କଳ୍ପନା କରି କେମିତି ଏକ ଭୟରେ ସେ କମ୍ପିଉଠୁଥିଲା !!!

Image